ଜଗତସିଂହପୁର: ବୟସ ମାତ୍ର ୨୭ । ନାଁ କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ । ଡାକ ନାଁ ସାଗର । ଘର ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କାଞ୍ଚନପୁର ଗାଁରେ । ତିନି ବର୍ଷ ତଳେ ତାଙ୍କର ବିବାହ ହେଇଥିଲା । ଘରେ ତାଙ୍କର ଦୁଇ ବର୍ଷର ପୁଅ, ସ୍ତ୍ରୀ ଓ ବାପା-ମା ଅଛନ୍ତି । ସାଗର ଅହମଦାବାଦ୍ରେ ଏକ ସୂତା କମ୍ପାନୀରେ କମ୍ପ୍ୟୁଟର୍ ବିଭାଗରେ କାମ କରୁଥିଲେ । ମାତ୍ର ହଠାତ୍ ଏଇ ସୁନ୍ଦର ସଂସାର ଉଜୁଡ଼ି ଗଲା । ରହସ୍ୟମୟଭାବେ ନିଆଁରେ ଜଳି ସାଗର ମୃତ୍ୟୁବରଣ କଲେ ।
ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଗଲା ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ଦାଆଗାଁ ପ୍ରାଥମିକ ବିଦ୍ୟାଳୟର ବାତ୍ୟା ଆଶ୍ରୟସ୍ଥଳୀରୁ । ପରିବାର ଲୋକଙ୍କ କହିବା କଥା ଓ ପୁଲିସ୍ର ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଅନୁସାରେ ଏହା ପଛରେ ଥିଲା ଜଣେ ବିବାହିତା ମହିଳାଙ୍କ ଗୁପ୍ତରୂପେ ଚାଲିଥିବା ସାଗରଙ୍କ ପ୍ରେମ ସମ୍ପର୍କ ।
ସାଗର ସେପ୍ଟେମ୍ବର 26 ତାରିଖରେ ପୂଜା ଛୁଟି ପାଇଁ ଅହମଦାବାଦରୁ ଘରକୁ ଆସିଥିଲେ । ଅକ୍ଟୋବର ପାଞ୍ଚ ତାରିଖ ଦିନ କମ୍ପାନୀରୁ ଫୋନ୍ ଆସିଛି ବୋଲି କହି ଘରୁ ବାହାରିଗଲେ । ତା' ପର ଦିନ ସେ ପୋଡି଼ ହୋଇ ମୃତ୍ୟୁବରଣ କରିଛନ୍ତି ବୋଲି ତାଙ୍କ ପରିବାର ଟେଲିଭିଜନ୍ରୁ ଜାଣିବାକୁ ପାଇଥିଲେ ।
ଜଗତସିଂହପୁରରେ ପହଞ୍ଚି ସାଗରଙ୍କ ପ୍ରାୟ ୮୦ ଭାଗ ପୋଡି ଯାଇଥିବା ଶରୀର ଚ଼ିହ୍ନିବା ପରେ ତାଙ୍କ ସ୍ତ୍ରୀ ଓ ମା' ଅଭିଯୋଗ କରିଛନ୍ତି ଯେ ତାଙ୍କୁ ହତ୍ୟା କରାଯାଇଛି । ଜଗତସିଂହପୁରର ବାଲିକୁଦା ନିବାସୀ ମଧୁ ନାମକ ଜଣେ ବିବାହିତା ମହିଳାଙ୍କ ସହିତ ସମ୍ପର୍କ ଥିଲା ବୋଲି ତାଙ୍କ ମା ଓ ସ୍ତ୍ରୀ ପୁଲିସ୍କୁ ଜଣେଇଲେ।
ସାଗରଙ୍କ ସ୍ତ୍ରୀ ରଶ୍ମିତାଙ୍କ କହିବା ଅନୁସାରେ ମଧୁ ସହିତ ପୂର୍ବରୁ ସେ ବୁଲାବୁଲି କରି ଫଟୋ ଉଠାଇଥିଲେ ଓ ସେ ଦୁଇଜଣଙ୍କ ସମ୍ପର୍କକୁ ନେଇ ଘରେ ବହୁବାର ପାଟିତୁଣ୍ଡ ମଧ୍ୟ ହୋଇଥିଲା । ତେବେ ରଶ୍ମିତା ଏହି ସମ୍ପର୍କକୁ ନେଇ ତାଙ୍କ ସ୍ବାମୀକୁ ଅନେକ ଥର ମନା କରିବା ସହିତ ମଧୁକୁ ମଧ୍ୟ ତାଙ୍କ ସହ ସମ୍ପର୍କ ନ ରଖିବାକୁ ବାରଣ କରିଥିଲେ । ଗତ ପାଞ୍ଚ ତାରିଖ ଦିନ ମଧୁ ସାଗରଙ୍କୁ ଡକାଇ କାହା ଦ୍ବାରା ପୋଡି଼ ହତ୍ୟା କରିଛି ବୋଲି ରଶ୍ମିତା ଓ ତାଙ୍କ ଶାଶୁ ରୁକ୍ମିଣୀ ଅଭିଯୋଗ କରିଛନ୍ତି ।
ପୁଲିସ୍ ଅନୁସନ୍ଧାନରୁ ଜଣାଗଲା ଯେ ମଧୁର ଜଣେ ସମ୍ପର୍କୀୟ ଅହମଦାବାଦ୍ରେ ରହୁଥିବା ଯୋଗୁଁ ସାଗର ଓ ମଧୁଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ଦୁହେଁ ତାପରେ ଫେସ୍ବୁକ୍ ମାଧ୍ୟମରେ ଘନିଷ୍ଠ ହୋଇଉଠିଥିଲେ । ଏ ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା ।
ସାଗର ମଧୁ ସହିତ ଅନେକ ଥର ମିଳିମିଶା କରିଥିଲେ ଓ ଫଟୋ ଉଠାଇଥିଲେ । ରଶ୍ମିତାଙ୍କ ବାରବାର ମନା କରିବା ସତ୍ୱେ ସାଗର ମଧୁ ସହିତ ପ୍ରେମରେ ଆଗକୁ ବଢ଼ି ଚାଲିଥିଲେ ।
ସାଗରଙ୍କ ଶରୀର ଅର୍ଧଦଗ୍ଧ ଅବସ୍ଥାରେ ପାଞ୍ଚ ତାରିଖ ରାତି ବାରଟା ପାଖାପାଖି ଦାଆଗାଁ ସ୍କୁଲ ଘରୁ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରୁ ଗୋଟେ ଛୁରି, କିଛି ଟଙ୍କା, ହଳେ ଚ଼ପଲ ଓ ଗୋଟେ ଖାଲି ବୋତଲ ଜବତ କରାଯାଇଥିଲା। ରକ୍ତରେ ମଧୁଙ୍କ ନାଁ ସାଗର ତାଙ୍କ ହାତରେ ଲେଖିଥିବା ଦେଖିବାକୁ ମିଳିଥିଲା । ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଥିଲା ।
ପୁଲିସ୍ ଏ ସମ୍ପର୍କରେ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା, ମାତ୍ର ସାଗରଙ୍କ ପରିବାରର ଅଭିଯୋଗ ପରେ ଏକ ହତ୍ୟା ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା। ଫରେନ୍ସିକ୍ ଟିମ୍ ମଧ୍ୟ ଅନୁସନ୍ଧାନରେ ଯୋଗ ଦେଇଥିଲା ।
ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଅନୁସାରେ ଘଟଣା ଦିନ ସାଗର ମଧୁକୁ ତାଙ୍କ ଗାଁକୁ ଆସିବାକୁ କହିଥିଲା । ମାତ୍ର ସାଗର ଗାଁରେ ଆସି ପହଞ୍ଚିବା ସତ୍ୱେ ମଧୁ ଆସି ନ ଥିଲା । ଏହି କାରଣରୁ ମଧୁକୁ ନ ପାଇ ସାଗର ନିଜ ଦେହରେ ନିଆଁ ଲଗାଇ ଓ ନିଜ ହାତ କାଟି ଆତ୍ମହତ୍ୟା କରିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଜଗତସିଂହପୁର ଏସ୍ଡିପିଓ ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି ଯେ ପୁଲିସ୍ ମଧୁକୁ ମଧ୍ୟ ପଚ଼ରାଉଚ଼ୁରା କରିଥିଲା । ମଧୁଙ୍କ ବିବାହ ପାଞ୍ଚ ବର୍ଷ ପୂର୍ବରୁ ହୋଇଥିଲା ଓ ସେ କଟକରେ ରହିଆସୁଛନ୍ତି । ଦାଆଗାଁରେ ତାଙ୍କ ପରିବାରରେ ମାଆ, ଭଉଣୀ ଓ ବାପା ତଥା ଅନ୍ୟ ମାନଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା ।
ତେବେ ଏବେ ବି ଏ ଘଟଣା ଏକ ସ୍ପର୍ଶକାତର ମାମଲା ହୋଇ ରହିଛି । ସାଗରଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ଏହା ଏବେ ବି ପ୍ରହେଳିକା ହୋଇ ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।