ରାତି ପାହିଲେ ବାହୁଡ଼ିବେ ଶ୍ରୀଜିଉ ।
News 18 Odia Digital
ପୁରୀ; ଆସନ୍ତାକାଲି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା । ଲିଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧା ମୂର୍ତ୍ତି । ବାହୁଡ଼ା ଯାତ୍ରାପାଇଁ ନାକଚଣା ଦ୍ୱାର ନିକଟରେ ଦକ୍ଷିଣ ମୋଡ ହୋଇ ତିନି ରଥ ଅପେକ୍ଷା କରିଛନ୍ତି । ଆଜି ଅପରାହ୍ନ ୪ଟା ଯାଏ ନବମୀ ସନ୍ଧ୍ୟା ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିଲା । ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ବିଶ୍ୱାସ ରହିଛି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ । ତେଣୁ ଆଡ଼ପ ମଣ୍ଡପରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସଂନ୍ଧ୍ୟା ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାରେ ବି କିଭଳି ସମୟ ପୂର୍ବରୁ ନୀତିକାନ୍ତି ସମାପ୍ତ କରାଯିବ, ସେ ନେଇ ଜିଲ୍ଲାପାଳଙ୍କ ସହ ଦଇତାପତି ନିଯୋଗର ଆଲୋଚନା ସରିଛି । ଚଳିତ ବର୍ଷ ସୁନାବେଶରେ ପ୍ରବଳ ଜନସମାଗମ ହେବାର ସମ୍ଭାବନାକୁ ଦୃଷ୍ଟିର ରଖି ରାତି ଗୋଟାଏ ଯାଏଁ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି । ତେବେ ନିଷ୍ପତି ଅନୁଯାୟୀ ଏଥର ସୁନାବେଶ ସମୟରେ ତିନି ବିଗ୍ରହଙ୍କ ସମ୍ମୁଖରେ କୌଣସି ସେବାୟତ ଉପସ୍ଥିତ ରହିବେ ନାହିଁ । ଏହା ସହିତ ତିନି ରଥର ଉଭୟ ପାର୍ଶ୍ୱରେ ପାଇପ୍ ଲଗାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି ।
ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରନ୍ତି, ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ । ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା଼ ବା ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡରେ ଉଲ୍ଲେଖ ଅଛି - “ନବମ୍ୟା ବାସୟେଦ୍ଦେବାନ୍ ତେଷୁ ପ୍ରାତଃ ସମୃଦ୍ଧିମତ୍ । ଦକ୍ଷିଣାଭିମୁଖୀ ଯାତ୍ରା ବିଷ୍ଣୋରେଷା ସୁଦୁର୍ଲଭା '। ଅର୍ଥାତ ନବମ ଦିବସରେ ଦେବତାମାନଙ୍କୁ ରଥରେ ଅଧିଷ୍ଠିତ କରାଇବେ । ଉକ୍ତ ଦିନ ପ୍ରାତଃ କାଳ ଅତ୍ୟନ୍ତ ସମୃଦ୍ଧିବାନ୍ । ସେଦିନ ବିଷ୍ଣୁଙ୍କର ପାଲିତ ଦକ୍ଷିଣାମୁଖୀ ଯାତ୍ରା ଅତ୍ୟନ୍ତ ଦୁର୍ଲଭ । ବାହୁଡ଼ା ଯାତ୍ରା ପୂର୍ବରୁ ଅଷ୍ଟମୀ ଦିନ ଶରଧାବାଲିଠାରେ ରଖାଯାଇଥିବା ତିନୋଟି ଯାକ ରଥକୁ ଦକ୍ଷିଣମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ ।
ବାହୁଡ଼ା ଯାତ୍ରାରେ ଶ୍ରୀଜୀଉ ଖାଆନ୍ତି ପୋଡ଼ ପିଠାବାହୁଡ଼ା ଦିନ ରଥାରୁଢ଼ ହୋଇ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ରଥରେ ପୋଡ଼ପିଠା ଭୋଗଲାଗିବା ପରେ ପରେ ରଥ ଗଡ଼େ । ଏହି ବିଧି ପାଇଁ ମାଉସୀ ମା’ଙ୍କ ସେବକଙ୍କ ଘରେ ପୋଡ଼ପିଠା ପ୍ରସ୍ତୁତି ହୁଏ । ଅଟା, ଘିଅ, ଚିନି, ଛେନା, ଲବଙ୍ଗ, ଗୁଜୁରାତି ପକାଯାଇ ତିନି ଠାକୁରଙ୍କ ପାଇଁ ଚାରିଟି ପୋଡ଼ପିଠା ପ୍ରସ୍ତୁତ ହୁଏ । ପ୍ରଥମେ ଏସବୁ ଦ୍ରବ୍ୟ ମିଶାଯାଇ ଖଳି ପ୍ରସ୍ତୁତ ହୁଏ । ଏହାପରେ ଏକ ବଡ଼ ପାତ୍ରରେ ପାଣି ନିଆଯାଇ ଚୁଲିରେ ବସାଯାଏ । ପାଣି ଫୁଟିବା ପରେ ଏହି ପାତ୍ର ଭପରେ ଜାଲି ଦିଆଯାଇ ତା' ଉପରେ ଖଲିପତ୍ର ରଖାଯାଏ । ଖଲିପତ୍ର ଉପରେ ତାଟି ଦିଆଯାଇ ଆଉ ଏକ ଖଲିପତ୍ର ରଖାଯାଏ । ବାମ୍ପରେ ପ୍ରସ୍ତୁତ ହୁଏ ପିଠା । ପରେ ବାହାରକୁ କାଢ଼ି ଦିଆଯାଏ । ଥଣ୍ଡା ହେବାପରେ ଏହାକୁ ଖଣ୍ଡ ଖଣ୍ଡ କରି କାଟି ଗୁଆଘିଅରେ ଛଣାଯାଏ । ପରେ ଏହାକୁ ମାଟିହାଣ୍ଡିରେ ରଖି ଶ୍ରୀଜିଉଙ୍କ ନିକଟରେ ଭୋଗ ଲାଗିହୁଏ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।