ଫୁଲୁରି ତେଲରେ ଚାଲିଛି ମହାପ୍ରଭୁଙ୍କ ଚିକିତ୍ସା; ଏହି ତେଲର ପ୍ରସ୍ତୁତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଗୁପ୍ତ ରହେ

ରାଜା ପ୍ରତାପ ଦେବଙ୍କ ଅମଳରୁ ବଡ଼ ଓଡି଼ଆ ମଠ ଶ୍ରୀମନ୍ଦିରକୁ ଯୋଗାଇଆସୁଛି ଫୁଲୁରୀ ତେଲ । ବର୍ଷକ ତଳେ ପ୍ରସ୍ତୁତ ହୋଇଥିବା ଏହି ଫୁଲୁରି ତେଲକୁ ମହାପ୍ରଭୁଙ୍କ ଚିକିତ୍ସାରେ ବ୍ୟବହାର କରାଯାଇଥାଏ ।

ଫୁଲୁରି ତେଲରେ ଚାଲିଛି ମହାପ୍ରଭୁଙ୍କ ଚିକିତ୍ସା; ଏହି ତେଲର ପ୍ରସ୍ତୁତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଗୁପ୍ତ ରହେ
ବଡ଼ ଓଡ଼ିଆ ମଠ; (ଡାହାଣ) ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଏବେ ଅସୁସ୍ଥ ହୋଇ ଅଣସର ଘରେ ଥିବା ମହାପ୍ରଭୁଙ୍କର ଯେଉଁ ଉପଚାର ଚାଲିଛି ତାହା ଆୟୁର୍ବେଦ ଓ ଶ୍ରୀମନ୍ଦିର ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ଦର୍ଶାଉଛି । ସ୍ନାନ ପୂର୍ଣିମା ଠାରୁ ନବଯୌବନ ଦର୍ଶନ ଯାଏଁ ମହାପ୍ରଭୁଙ୍କୁ ପଞ୍ଚକର୍ମ ଚିକିତ୍ସା କରାଯିବାର ପରମ୍ପରା ରହିଛି । ମଜ୍ଜାରୁ କଷ୍ଟ ଲାଘବ ପାଇଁ ଫୁଲୁରି ତେଲ, ଜ୍ୱର ଉପଶମ ପାଇଁ ଓସ୍ବ ଓ ସୁସ୍ଥତା ପାଇଁ ଦଶମୂଳ ପାଚନ ଆୟୁର୍ବେଦ ଚିକିତ୍ସା ପରେ ନବଯୌବନ ପ୍ରାପ୍ତ ହୁଅନ୍ତି ଶ୍ରୀଜୀଉ । ।

ଫୁଲୁରି ତେଲର ପ୍ରସ୍ତୁତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଗୁପ୍ତ । ରାଜା ପ୍ରତାପ ଦେବଙ୍କ ଅମଳରୁ ବଡ଼ ଓଡି଼ଆ ମଠ ଶ୍ରୀମନ୍ଦିରକୁ ଯୋଗାଇଆସୁଛି ଫୁଲୁରୀ ତେଲ ସେବା । ଘଣା ପେଡ଼ା ରାଶି ତେଲରେ କେତକୀ, ଜୁଇ, ଜାଇ, ମାଳତୀ ଓ ବକୁଳ ଆଦି ସୁବାସିତ ଫୁଲ, କୃଷ୍ଣବୋଗ ଧାନ ଓ ବେଣା ଚେର ମିଶାଯାଇ ଏହି ତେଲ ପ୍ରସ୍ତୁତ କରାଯାଏ ବୋଲି କହିଛନ୍ତି ବଡ଼ ଓଡି଼ଆ ମଠର ମହନ୍ତ ବଂଶୀଧର ଦାସ ଗୋସ୍ବାମୀ । ପ୍ରତି ବର୍ଷ ଶ୍ରୀଗୁଣ୍ଡିଚାର ହେରାପଞ୍ଚମୀଠାରୁ ଏହି ସବୁ ସାମଗ୍ରୀକୁ ଗୋଟିଏ ମାଟି ଘଡି଼ରେ ପୂରାଇ ଗୁପ୍ତ ସ୍ଥାନରେ ପୋତି ରଖାଯାଇଥାଏ । ବର୍ଷକ ତଳେ ପ୍ରସ୍ତୁତ ହୋଇଥିବା ଫୁଲୁରି ତେଲକୁ ମହାପ୍ରଭୁଙ୍କ ଚିକିତ୍ସାରେ ବ୍ୟବହାର କରାଯାଇଥାଏ ।

ଏହା ବି ପଢ଼ନ୍ତୁ | Ladakh LAC Tension: ଲଦ୍ଦାଖ ସୀମାରେ ଚୀନ୍ ୫୦,୦୦୦ ସୈନିକ ଆଣି ରଖିଲା; ଭାରତ ବି ପ୍ରସ୍ତୁତ

ପ୍ରତି ବର୍ଷ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଏହି ଔଷଧୀୟ ତୈଳକୁ ମଠର ମହନ୍ତ ମାଟି ତଳୁ କାଢ଼ି ମଠର ଅନ୍ୟ ଏକ କୋଠରୀରେ ଗୋପନୀୟ ଭାବେ ରଖନ୍ତି । ପଞ୍ଚମୀ ତିଥିରେ ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରୁ ଡାକରା ଆସିଲେ ମଠାଧୀଶ ଏହି ତୈଳକୁ ବୈଷ୍ଣବଙ୍କ ଦ୍ୱାରା ଶ୍ରୀମନ୍ଦିରକୁ ପଠାଇବା ପରେ ଦଇତାପତିମାନେ ଏହାକୁ ଶ୍ରୀଅଙ୍ଗରେ ମର୍ଦ୍ଦନ କରିବାର ପରମ୍ପରା ରହିଛି ।

ଅଣସରରେ ଥିବା ମହାପ୍ରଭୁଙ୍କ ପାଇଁ ଖାଦ୍ୟପେୟର ପ୍ରସ୍ତୁତି ଚାଲିଛି ।


ସ୍ନାନ ପୂର୍ଣ୍ଣିମା ଦିନ ମହାସ୍ନାନ କରିବା ପରଠୁ ମହାଜ୍ୱରରେ ପୀଡି଼ତ ହୋଇଥିବା ମହାପ୍ରଭୁଙ୍କୁ ଗୁପ୍ତ ସେବା କରୁଛନ୍ତି ଦଇତାପତିମାନେ । ପ୍ରତ୍ୟେକ ଦିନ ଦୁଇ ବେଳା ତାଙ୍କ ସେବା କରାଯାଉଛି । ଶ୍ରୀଅଙ୍ଗ ଫିଟା ପରେ ମହାଜ୍ୱରରୁ ତାତିରୁ ଉପଶମ ପାଇଁ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହେବାର ପରମ୍ପରା ରହିଛି । ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ବଡ଼ ଓଡି଼ଆ ମଠ ପକ୍ଷରୁ ପ୍ରତି ବର୍ଷ ଅଣସର ସମୟରେ ଶ୍ରୀଜିଉଙ୍କ ପାଇଁ ପଠାଯାଏ ଫୁଲୁରୀ ତେଲ ।

ଏହା ବି ପଢ଼ନ୍ତୁ | ଯଦି ଆପଣଙ୍କ ପାଖରେ ୭୮୬ ଅଙ୍କ ବିଶିଷ୍ଟ କୌଣସି ନୋଟ୍ ଅଛି ତାହେଲେ ଆପଣ ଲକ୍ଷପତି ହେବେ!

‘‘ସ୍ନାନ ଯାତ୍ରାର ପାଞ୍ଚ ଦିନ ପରେ ବଡ଼ ଓଡି଼ଆ ମଠରୁ ରାଶି ତେଲ, ଜଡି଼ବୁଟି ଓ ସୁଗନ୍ଦିତ ପୁଷ୍ପ ସହିତ ଅନ୍ୟାନ୍ୟ ପ୍ରସାଧନ ମିଶାଇ ପ୍ରସ୍ତୁତ ହୋଇଥିବା ଫୁଲୁରୀ ତେଲକୁ ମଠର ମହନ୍ତ ଶ୍ରୀମନ୍ଦିରକୁ ନେଇଥାନ୍ତି । ତା’ ପରେ ହୋଇଥାଏ ଓସୁଅ ଲାଗି । ଗୁପ୍ତ ସେବା ସମୟରେ ଶାଳ ବୃକ୍ଷ ଅଠାରୁ ଔଷଧ ପ୍ରସ୍ତୁତ କରି ଶ୍ରୀଅଙ୍ଗରେ ଦିବ୍ୟଲେପନ ପାଇଁ ସୁଦ୍ଦସୁଆରମାନେ ପଠାଇଥାନ୍ତି । ଖଳି ବା ଅଟକାଳିରେ ଅଟା, କର୍ପୁର ଓ ଚନ୍ଦନ କେଶରକୁ ମିଶାଇ ରାନ୍ଧି ପ୍ରସ୍ତୁତ କରାଯାଇଥାଏ । ତିନି ଠାକୁରଙ୍କ ପାଇଁ ତିନି ସୁଆରଙ୍କ ଘରୁ ଏହି ଖଳି ଯାଇଥାଏ । ଶେଷରେ କବିରାଜ ଓ ବୈଦ୍ୟରାଜଙ୍କ ଘରୁ ଦଶମୂଳ ଯାଇ ଲାଗି ପରେ ସୁସ୍ଥ ହୋଇ ନବଯୌବନ ବେଶରେ ଦର୍ଶନ ଦେଇଥାନ୍ତି ମହାପ୍ରଭୁ । ତାଙ୍କ ଆୟୁବେଦ ଉପଚାର ପରମ୍ପରା ହଜାର ହଜାର ବର୍ଷରୁ ଚାଲିଆସୁଛି,’’ କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ୬୦ ବର୍ଷୀୟ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସ୍ୱାମୀଙ୍କ ଠାରୁ ଅଲଗା ଏବେ ଗର୍ଭବତୀ: TMC ସାଂସଦ ନୁସ୍ରତ୍ ଜହାଁ ଶେୟାର୍ କଲେ ସୁନ୍ଦର ଫଟୋ

ଶ୍ରୀମନ୍ଦିରକୁ ଆୟୁର୍ବେଦ ରସାୟନର ପ୍ରୟୋଗଶାଳା ଭାବେ ବିବେଚନା କରାଯାଏ । ବିଶେଷଜ୍ଞ ଓ ବୈଦ୍ୟରାଜଙ୍କ ମତରେ ଚିକିତ୍ସା ଶାସ୍ତ୍ରର ଚାରି ବେଦ ମଧ୍ୟରେ ଗନ୍ଧର୍ବ ବେଦ ହେଉଛି ନୃତ୍ୟ ସଙ୍ଗୀତ, ସ୍ଥାପତ୍ୟ ବେଦ ହେଉଛି କିର୍ତ୍ତୀରାଜି, ଧନୁର୍ବେଦ ହେଉଛି ମାର୍ଶାଲ, ଓ ଆୟୁର୍ବେଦ ହେଉଛି ଜୀବନ ବିଜ୍ଞାନର ବେଦ ।

ଏହା ବି ପଢ଼ନ୍ତୁ | ପିଲାମାନଙ୍କୁ କରୋନା ହେବା ସମ୍ଭାବନା ବିଷୟରେ ଭ୍ରମିତ ହୁଅନ୍ତୁ ନାହିଁ, କହିଲେ ବଡ଼ ବିଶେଷଜ୍ଞମାନେ

‘‘ଆୟୁର୍ବେଦର ରସାୟନରେ ଦୁଇଟି ଚିକିତ୍ସା ଅଛି – ଗୋଟିଏ ହେଉଛି ବାତା ତପିକ, ଅର୍ଥାତ ବାହାର ଚିକିତ୍ସା, ଓ ଅନ୍ୟଟି କୁଟି ପ୍ରାବେଶ, ଅର୍ଥାତ ଏକ ନିବୁଜ ଘର ଭିତରେ । ଏହି ଚିକିତ୍ସା ଏବେ ମହାପ୍ରଭୁଙ୍କୁ ଅଣସର ତାଟି ଘରେ କରାଯାଉଛି । ମହାପ୍ରଭୁ ଏକ ଧଳା ବସ୍ତ୍ର ପରିହିତ ହୋଇ ଅଛନ୍ତି । ମନୁଷ୍ୟ ଯେମିତି ଆୟୁର୍ବେଦୀୟ ପଞ୍ଚକର୍ମ ଚିକିତ୍ସା ପଦ୍ଧତିରେ ସୁସ୍ଥ ହୁଏ, ସେମିତି ମହାପ୍ରଭୁ ଆୟୁର୍ବେଦ ଉପଚାରରେ ସୁସ୍ଥ ହୋଇ ନବଯୌବନ ପ୍ରାପ୍ତ ହୋଇଥାନ୍ତି,’’ କହିଛନ୍ତି ଆୟୁର୍ବେଦ ଚିକିତ୍ସକ ତଥା ବରିଷ୍ଠ ଚୂନରା ସେବାୟତ ଡାକ୍ତର ଶରତ ମହାନ୍ତି ।

ଏହା ବି ପଢ଼ନ୍ତୁ | ମନ୍ଦିରା ବେଦୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହେଲା; ଅଭିନେତ୍ରୀଙ୍କ Insta ପୋଷ୍ଟକୁ ନେଇ ଉଠିଲା ଅନେକ ପ୍ରଶ୍ନ

‘‘ସ୍ନାନ ପରେ ଅଣସର ଘରେ ପ୍ରଥମ ଦୁଇ ଦିନ ଶ୍ରୀଅଙ୍ଗରୁ ଓଦା ବସ୍ତ୍ର ଓଲାଗି ବା କାଢ଼ିବା ପରେ ତୃତୀୟ ଓ ଚତୁର୍ଥ ଦିବସରେ ଶ୍ରୀଅଙ୍ଗ ଓ ଶ୍ରୀମୁଖ ଫିଟା କରାଯାଇଥାଏ । ପଞ୍ଚମୀରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଦରଜ କମାଇବା ପାଇଁ ଅଲଭ୍ୟ ଫୁଲୁରୀ ଲାଗି କରିଥାନ୍ତି ଦଇତାପତି ସେବାୟତମାନେ । ଏହି ତେଲ ମାଲିସ କରିବା ପରେ ତାଙ୍କ ମଜରା ହଟେ । ଶ୍ରୀଜିଉମାନଙ୍କର ଅଙ୍ଗରେ ଜ୍ୱରର ଉତ୍ତାପକୁ କମାଇବା ପାଇଁ ଶୀତଳ ଓ ସୁଗନ୍ଧଭରା ଫୁଲୁରି ତେଲ ଲାଗି କରାଯାଏ । ଶ୍ରୀମନ୍ଦିରର ଅଣସର ପିଣ୍ଡିରେ ହେଉଥିବା ଗୁପ୍ତ ଉପଚାର ପ୍ରକାଶଯୋଗ୍ୟ ନୁହେଁ,’’ କହିଛନ୍ତି ୬୦ ବର୍ଷୀୟ ମହନ୍ତ ବଂଶୀଧର ଦାସ ଗୋସ୍ବାମୀ ।



ପ୍ରାଚୀନ ଆୟୁର୍ବେଦୀୟ ଚିକିତ୍ସା ପଦ୍ଧତିକୁ ଧନ୍ୱନ୍ତରୀ ଓ ଅଶ୍ୱିନୀ କୁମାର ଉଦ୍ଭାବନ କରିଥିଲେ । ଏଥିରେ ଚରକ ଓ ଶୁସୃତଙ୍କ ପରି ପ୍ରାଚୀନ ଚିକିତ୍ସକଙ୍କ ଦ୍ୱାରା ହୋଇଥିବା ପ୍ରଗତି ଯୋଗୁଁ ଏହା ମାନବ ଜାତି ପାଇଁ ସଞ୍ଜିବନୀ ପାଲଟିଥିଲା । ଆୟୁର୍ବେଦୀୟ ଉପଚାର ସହ ଶ୍ରୀମନ୍ଦିର ପରମ୍ପରା ଅଙ୍ଗାଙ୍ଗୀ ଭାବେ ଜଡିତ ରହିଛି ।
Published by: Anand ST Das
First published: July 2, 2021, 11:24 PM IST