ଶ୍ରୀ ଜଗନ୍ନାଥ କାଲି ରାତି ତମାମ ପଦ୍ମ ବେଶରେ ଥିଲେ; ଆଜି ସେହି ବେଶରେ ଦର୍ଶନ ଦେଉଛନ୍ତି

ମହାପ୍ରଭୁ ଏ ବିରଳ ପଦ୍ମ ବେଶରେ ବର୍ଷରେ ମାତ୍ର ଗୋଟିଏ ଦିନ ଦର୍ଶନ ଦିଅନ୍ତି । ଆଜି ସେହି ବିଶେଷ ଦିନ । ଭଗବାନଙ୍କ ପାଇଁ ଭକ୍ତର ଅନାବିଳ ଭାବର ପ୍ରତୀକ ରୂପେ ଏହି ପଦ୍ମ ବେଶ ୩୦୦ ବର୍ଷ ହେଲା ଶ୍ରୀମନ୍ଦିରରେ କରାଯାଉଛି ।

ଶ୍ରୀ ଜଗନ୍ନାଥ କାଲି ରାତି ତମାମ ପଦ୍ମ ବେଶରେ ଥିଲେ; ଆଜି ସେହି ବେଶରେ ଦର୍ଶନ ଦେଉଛନ୍ତି
ପଦ୍ମବେଶରେ କିଛି ଏମିତି ଦିଶନ୍ତି ଜଗନ୍ନାଥ ଓ ତାଙ୍କ ଭାଇଭଉଣୀ । (ଫାଇଲ୍‌ ଫଟୋ)
  • News18 Odia
  • Last Updated: January 30, 2020, 2:51 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶ୍ରୀମନ୍ଦିରରେ ବର୍ଷରେ ମାତ୍ର ଗୋଟିଏ ଦିନ ରତ୍ନ ସିଂହାସନରେ ମଉଳା ଫୁଲ ଲାଗି ହୋଇଥାନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଗତ କାଲି ରାତିରୁ ଆଜି ସକାଳ ହେଉଛି ସେହି ବିଶେଷ ସମୟ, ଆଉ ସେ ଫୁଲ ହେଉଛି ପଦ୍ମ ଫୁଲ । ବିଧି ଅନୁସାରେ ମାଘମାସ ଶୁକ୍ଲ ପକ୍ଷ ଅମାବାସ୍ୟାରୁ ପଞ୍ଚମୀ ମଧ୍ୟରେ ଯେତେ ବୁଧବାର ଓ ଶନିବାର ପଡ଼େ, ସେଦିନ ରାତିରେ ମହାପ୍ରଭୁ ପଦ୍ମବେଶରେ ଦର୍ଶନ ଦିଅନ୍ତି ।

ବଡସିଂହାର ବେଶରେ ପଦ୍ମ ଫୁଲ ଲାଗି ହୋଇ ପର ଦିନ ମଙ୍ଗଳଆଳତୀ ପରେ ମଇଲମରେ ବେଶ ଓଲାଗି ହୋଇଥାନ୍ତି  ମହାପ୍ରଭୁ । ତେବେ ବର୍ଷକରେ ଏହି ଗୋଟିଏ ଦିନ ରାତ୍ରପହୁଡ଼ ସେହି ବେଶରେ ହୋଇ ପୁଣି ସକାଳକୁ ସେହି ବେଶରେ ଦର୍ଶନ ଦେଇଥାନ୍ତି ସେ। ପୁଣି ପଦ୍ମକେଶରୀ ଚ଼ାଉଳରେ ଖିରି ଓ ମାଲପୁଆ ଖାଇଥା’ନ୍ତି ।  ଆଉ ଆନନ୍ଦ ବଜାରରେ ପଦ୍ମବେଶର ଭୋଗ ଓ ଖିରି ମଧ୍ୟ ଭକ୍ତମାନେ ପାଇଥାନ୍ତି ।

‘‘ଭକ୍ତର ବାଞ୍ଛା ପୂରଣ କରିବା ପାଇଁ ମହାପ୍ରଭୁ ମଉଳା ପଦ୍ମ ଫୁଲରେ ଏହି ବେଶ ଧାରଣ କରିଥା’ନ୍ତି । ସପ୍ତଦଶ ଶତାଦ୍ଧୀରେ ବଡଛତା ମଠର ସନ୍ଥ ରଘୁବର ଦାସ ଏହି ବେଶ ଆରମ୍ଭ କରିଥିଲେ ।  ଭକ୍ତ ଓ ଭଗବାନଙ୍କ ସମ୍ପର୍କର ନିଦର୍ଶନ ସ୍ୱରୁପ ଏହି ପଦ୍ମବେଶ ଅନୁଷ୍ଠିତ ହୁଏ,’’ ବଡ଼ଛତା ମଠର ମହନ୍ତ ଜଗନ୍ନାଥ ଦାସ ।

ପଦ୍ମବେଶ ହେବାର କିଛି ସମୟ ପୂର୍ବରୁ ଶ୍ରାମନ୍ଦିରରେ ଶ୍ରୀ ଜଗନ୍ନାଥ


ପରମ୍ପରା ଅନୁସାରେ ପଦ୍ମବେଶ ପାଇଁ ବଡ଼ଛତା ମଠ ପକ୍ଷରୁ ଯୋଗାଇ ଦିଆଯାଇଛି ସାମଗ୍ରୀ । ସୋଲ, ଜରି, କନା ଓ କଇଥ ଅଠାରେ ପଦ୍ମବେଶକୁ ବଡଛତା ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ତା’ ସହ କୀରୀଟ, ଚୂଳ, ହୃଦପଲ୍ଲବ, କରପଲ୍ଲବ ଓ ଶ୍ରୀମୁଖ ପଦ୍ମରେ ବିଭୂଷିତ ହୋଇ ଝଲସୁଛନ୍ତି ମହାପ୍ରଭୁ ।

‘‘ଶ୍ରୀମନ୍ଦିରରେ ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଥୀରେ  ମହାପ୍ରଭୁ ପଦ୍ମବେଶରେ ବିଭୁଷିତ ହୋଇଛନ୍ତି  । ଶ୍ରୀମନ୍ଦିରରେ ସମସ୍ତ ନିତିକାନ୍ତି ସରିବା ପରେ ରାତିରେ ଚନ୍ଦନଲାଗି ପରେ ବଡସିଂହାର ବେଶ ସମୟରେ ଏହି ପଦ୍ମବେଶ ହୁଏ । ମହାପ୍ରଭୁ ଏହି ବେଶରେ ପହୁଡ ହୋଇ ରାତିତମାମ ପଦ୍ମବେଶରେ ରହିଥାନ୍ତି । ତା’ ପର ଦିନ ସକାଳୁ ମଙ୍ଗଳଆଳତୀ ପରେ ବେଶ ଓଲାଗି ହୋଇଥାଏ  । ତା’ ସହିତ ପଦ୍ମ କେଶରୀ ଚାଉଳରେ ଖିରି ଓ ଅମାଲୁ ଭୋଗ ହୋଇ ସମସ୍ତ ଭକ୍ତମାନେ ଖିରି ପ୍ରସାଦ ପାଇଥାନ୍ତି,’’ କହିଛନ୍ତି ଜଗନ୍ନାଥ ଗବେଷକ ଡଃ ନରେଶ ଚନ୍ଦ୍ର ଦାଶ ।

ପଦ୍ମ ବେଶ ସମ୍ପର୍କରେ ରହିଛି ଏକ ସ୍ମରଣୀୟ ଘଟଣା । ବଡଛତା ମଠର ସନ୍ଥ ରଘୁବୀର ଦାସ ଏହି ବେଶକୁ ଆରମ୍ଭ କରିଥିଲେ  । ଥରେ ମନୋହର ଦାସ ନାମକ ସାଧୁ ଶୀତ ଦିନରେ ଶ୍ରୀକ୍ଷେତ୍ରକୁ ଆସୁଥିବା ବେଳେ ଏକ ସୁନ୍ଦର ପୁଷ୍କରିଣୀ ଦେଖିଲେ । ସେଥିରେ ପଦ୍ନ ଫୁଲ ଫୁଟିଥିଲା । ହେଲେ ଶୀତ ଦିନରେ ପଦ୍ମ ଫୁଲ ଫୁଟିବା ବିରଳ ଘଟଣା ଥିଲା । ତେଣୁ ସେ ଫୁଲଗୁଡିକୁ ତୋଳି ଏକ ଗାମୁଛାରେ ବାନ୍ଧି ସେ ପୁରୀ ଆସିଲେ ।

ଶ୍ରୀମନ୍ଦିରକୁ ଫୁଲ ଦେବା ବେଳକୁ ସେବାୟତମାନେ ସେହି ଫୁଲ ମଉଳିଯାଇଛି ବୋଲି କହି ଫୋଫାଡ଼ି ଦେଇଥିଲେ । ତା’ ପରେ ସେ ସେହିଠାରେ ମହପ୍ରଭୁଙ୍କୁ ଡାକିଥିଲେ । ଆଉ ଗଜପତି ଆସି ସେହି ଫୁଲଗୁଡ଼ିକୁ ମହାପ୍ରଭୁଙ୍କ ଦେହରେ ଲାଗିକରିବା ପରେ ତାହା ମଉଳାରୁ ସଜ ହୋଇଯାଇଥିଲା । ଭକ୍ତର ସେହି ଅନାବିଳ ଭାବକୁ ନେଇ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କରାଯାଉଛି ପଦ୍ମବେଶ ।

‘‘ଏହି ଦୁର୍ଲଭ ବେଶ ରତ୍ନ ସିଂହାସନରେ ସବୁଠୁ ବଡ ବେଶ ଆକାରରେ କରାଯାଇଥାଏ । କନକ ମୁଣ୍ଡି ଠାରୁ ରତ୍ନ ବେଦୀ ପର୍ଯ୍ୟନ୍ତ ଏହି ବେଶ ଲମ୍ବିଥାଏ,’’ କହିଛନ୍ତି ଚୁନରା ସେବାୟତ ଶରତ ମହାନ୍ତି  ।

ମହାପ୍ରଭୁଙ୍କର ଏବେ ଯେଉଁ ପଦ୍ମବେଶ ଅନୁଷ୍ଠିତ ହେଉଛି, ତାହା ସଜ କି ମଉଳା ପଦ୍ମ ଫୁଲରେ ନୁହେଁ, ବରଂ ସୋଲରେ ତିଆରି ପଦ୍ମରେ ହେଉଛି।

ଚିନ୍ତାମଣି ଦାଶ ମଥାରେ ପଦ୍ମ ଫୁଲ ଝୁଡ଼ି ଧରି ଶ୍ରାମନ୍ଦିର ପହଞ୍ଚୁଛନ୍ତି ।


ଭୁବନେଶ୍ୱରରୁ ଅବସର ପ୍ରାପ୍ତ ଶିକ୍ଷକ ଚିନ୍ତାମଣି ଦାଶ ଥରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସପରିବାରେ ପୁରୀ ଆସିଥିଲେ। ବୟସ ତାଙ୍କର ଷାଠିଏ ଟପିଲାଣି । କାଳିଆ ସାଆନ୍ତଙ୍କ ପ୍ରେମରେ ସେ ଉଦ୍ବୁଦ୍ଧ। ଶୁଣିଲେ ସେଦିନ ମହାପ୍ରଭୁଙ୍କ ପଦ୍ମବେଶ । ଭକ୍ତ ମନୋହରର ମନବାଞ୍ଛା ପାଇଁ ସେ ଆଣିଥିବା ପଦ୍ମଫୁ ଲ ମଉଳି ଯାଇଥିଲେ ମଧ୍ଯ ସେଦିନ ତାକୁ ଶ୍ରୀଜଗନ୍ନାଥ ଧାରଣ କରିଥିଲେ ବୋଲି ସେ କହିଛନ୍ତି ।

ତେଣୁ ସେ ପଦ୍ମବେଶ ଅବସରରେ ସଜ ପଦ୍ମ ଫୁଲ ମହାପ୍ରଭୁଙ୍କୁ ଯୋଗାଇଦେବାକୁ ଇଚ୍ଛା କରିଥିଲେ ଚିନ୍ତାମଣି ଦାଶ । ଆଉ ଆଜି ଖାସ୍‌ ମହାପ୍ରଭୁଙ୍କ ଲାଗି ଆଣିଛନ୍ତି ପ୍ରାୟ ତିନି ହଜାର ପଦ୍ମଫୁଲରେ ତିଆରି ମାଳି । ୨୦୧୧ ମସିହାରୁ ମହାପ୍ରଭୁଙ୍କ ପଦ୍ମ ବେଶ ଅବସରରେ ସେ ଦେଇଆସୁଛନ୍ତି ସଜ ପଦ୍ମ । ମାଆ ବିମଳା ଓ ମହାଲକ୍ଷ୍ମୀଙ୍କ ପାଇଁ ବି ଦେଉଛନ୍ତି ୧୦୮ ପଦ୍ମର ମାଳି ଓ ବାଟମଙ୍ଗଳାଙ୍କ ଲାଗି ୫୪ ପଦ୍ମର ମାଳି । ଏଥି ଲାଗି ସେ ଧଉଳି ପାହାଡ଼ ତଳେ ଚାରୋଟି ପୋଖରୀ ଲିଜ୍‌ ନେଇ ପଦ୍ମ ଫୁଲ ଚ଼ାଷ କରୁଛନ୍ତି ।
First published: January 30, 2020, 2:51 AM IST
corona virus btn
corona virus btn
Loading