News 18 Odia Digital
ଗଞ୍ଜାମ: ଆସିକା ସହରର ବାଣୀବିହାରଠାରେ ଥିବା ଗୁରୁକୃପା ଆଶ୍ରମରେ ନିଆରା ଢଙ୍ଗରେ ପାଳନ ହୋଇଥିଲା ହନୁମାନ ଜୟନ୍ତୀ (hanuman jayanti) । ଗତ କିଛି ବର୍ଷ ହେବ ଏହି ଆଶ୍ରମରେ ପଣା ସଂକ୍ରାନ୍ତି ଦିନ ରୁଦ୍ରାକ୍ଷରେ ହନୁମାନ ବିଗ୍ରହ ହେଉଥିବା ବେଳେ ଚଳିତ ବର୍ଷ ମଧ୍ଯ ଏକ କୋଟି ରୁଦ୍ରାକ୍ଷରେ ହନୁମାନ ବିଗ୍ରହ ସ୍ଥାପିତ ହୋଇଥିଲା । ସ୍ଥାନୀୟ ଗୁରୁକୃପା ଆଶ୍ରମରେ ବଡ଼ ଆଡମ୍ୱରର ସହ ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ପାଳନ ହୋଇଥାଏ । ତେବେ ଚଳିତ ବର୍ଷ ହନୁମାନ ଜୟନ୍ତୀରେ ଆଶ୍ରମ ଦ୍ବାରା ଏକ କୋଟି ରୁଦ୍ରାକ୍ଷରେ ନିର୍ମିତ ହୋଇଥିଲା ହନୁମାନ ବିଗ୍ରହ (idol) । ଏହି ହନୁମାନ ବିଗ୍ରହ ଗୋଟିଏ ଦିନ ପାଇଁ ନିର୍ମିତ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ଲୋକମାନଙ୍କ ମଧ୍ଯ ଭିଡ ଜମିଥିଲା । ଦିନ ତମାମ ପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା କରାଯିବା ସହ ହନୁମାନଙ୍କ ଚାଳିଶା ପାଠ ମଧ୍ଯ ହୋଇଥିଲା ।
ତେବେ ଏକ କୋଟି ରୁଦ୍ରାକ୍ଷ ସଂଗ୍ରହ ତାପରେ ପୁଣି ହନୁମାନ ବିଗ୍ରହ ନିର୍ମିତ କରିବା ଏକ ବିରଳ ବୋଲି ଭକ୍ତ କହିଛନ୍ତି । ଆମ ରାଜ୍ୟରେ ଏହା ପ୍ରଥମ ଘଟଣା ହୋଇଥିବାରୁ ଖବର ପାଇ ଦୂର ଦୂରାନ୍ତରୁ ଭକ୍ତମାନେ ଦର୍ଶନ ପାଇଁ ଧାଇଁ ଆସିଥିଲେ । କେବଳ ସେତିକି ନୁହେଁ ଏକ କୋଟି ରୁଦ୍ରାକ୍ଷରେ ହନୁମାନ ମୂର୍ତ୍ତି ନିର୍ମିତ ସହ ଏକ ଲକ୍ଷ ଆଠ ବେଲପତ୍ରରେ ରାମ ନାମ ଲେଖାଯାଇଥିବାର ମଧ୍ଯ ଦେଖିବାକୁ ମିଳିଥିଲା । ଏହି ଭଳି କାର୍ଯ୍ୟକ୍ରମ ଗଲା ଅନେକ ବର୍ଷ ହେବ ଏହି ଗୁରୁକୃପା ଆଶ୍ରମରେ ଆୟୋଜିତ କରାଯାଉଛି । ଏହି ଆଶ୍ରମର ଅନେକ ସ୍ୱତନ୍ତ୍ରତା ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏହି ଦିନରେ ହଜାର ହଜାର ସାଧକମାନେ ଆସି ହନୁମାନ ଚାଳିଶା ଗାନ କରନ୍ତି । ପୂର୍ବବର୍ଷ ମଧ୍ୟ ଏକ ସୁନ୍ଦର ବିଗ୍ରହ ନିର୍ମିତ କରାଯାଇଥିଲା ବୋଲି ପୂଜକ କହିଛନ୍ତି ।
ଏହି ଗୁରୁକୃପା ଆଶ୍ରମର ଏହି ଭଳି ବିରଳତମ ଉଦ୍ୟମ ଆଜି ପ୍ରମାଣ କରିଛି ଯେ ମନୋବଳ ଥିଲେ ଅସମ୍ଭବ କାର୍ଯ୍ୟ ମଧ୍ଯ ସମ୍ଭବପର ହୋଇପାରେ ବୋଲି ଧରାକୋଟ ଅଞ୍ଚଳର ଜଣେ ଭକ୍ତ ହୃଦାନନ୍ଦ ଜେନା କହିଛନ୍ତି ।
ତେବେ ଏହି ଭଳି ଏକ କୋଟି ରୁଦ୍ରାକ୍ଷରେ ହନୁମାନ ବିଗ୍ରହ ନିର୍ମିତ ଗଞ୍ଜାମ ଜିଲ୍ଲାରେ ପ୍ରଥମ ବୋଲି କୁହାଯାଉଛି । ପୂର୍ବ ବର୍ଷ ଓ ଚଳିତ ବର୍ଷ ପରି ଆଗକୁ ମଧ୍ୟ ଏପରି ବିଗ୍ରହ ନିର୍ମାଣ କାର୍ଯ୍ୟ ଜାରି ରହିବ ଓ ଭକ୍ତମାନେ ଦର୍ଶନର ସୌଭାଗ୍ୟ ପାଇବେ ବୋଲି ମନ୍ଦିର କମିଟି ଆଶାବ୍ୟକ୍ତ କରିଛନ୍ତି ।
ଏହି ଖବର ପଢ଼ନ୍ତୁ -
IPL 2023: venkatesh Iyer ମାରିଲେ ଚୌକା-ଛକା, ୧୦୪ ରନ୍ କରି ହେଲ ଆଉଟ୍Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।