News18 Odia Digital
ବାଲେଶ୍ବର: ହ୍ବାଟ୍ସଆପରେ ହେଉଥିଲା ଗ୍ୟାଙ୍ଗ ଅପରେଟ। ବ୍ୟାଙ୍କରୁ ଟଙ୍କା କିଏ ଉଠାଉଛି ହ୍ବାଟ୍ସଆପରେ ଫଟୋ ଉଠାଇ ଦିଆଯାଉଥିଲା ତଥ୍ୟ। ଆଉ ବାହାରେ ଲୁଟୁଥିଲେ ଲୁଟେରା। ବାଲେଶ୍ୱର ପୋଲିସ ଦ୍ୱାରା ଜିଲ୍ଲାରେ ହେଉଥିବା ସିରିଜ ଲୁଟର ପର୍ଦ୍ଦା ଫାସ ହୋଇଛି। ୫ ଜଣଙ୍କୁ ଗିରଫ ସହ ତେଲଙ୍ଗା, ଖେଳନା ବନ୍ଧୁକ ସମେତ ୫୭ ହଜାର ଟଙ୍କା ଜବତ କରିଛି ପୋଲିସ।
ଏହି ମାମଲାରେ ବାଲେଶ୍ବର ଏସପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, "ଲୁଟ ହେଉଥିଲା ଏପରି ମାନସ ନାୟକ ଓରଫ ରାହୁଲ ନାମକ ବ୍ୟକ୍ତି ଭଲ ପୋଷାକରେ ଅଫିସ ଯିବା ଭଳି ବେଶଭୁଷା ହୋଇ ବିଭିନ୍ନ ବ୍ୟାଙ୍କକୁ ଯାଇ ସେଠାରୁ ଲୋକଙ୍କ ତଥ୍ୟ ହାସଲ କରୁଥିଲା। ମୁଖ୍ୟତଃ ଏକା ଆସିଥିବା ଲୋକ ବା ବୟସ୍କ ଲୋକ ଥିଲେ ଏମାନଙ୍କର ମୁଖ୍ୟ ଟାର୍ଗେଟ। ତେବେ ଲୋକ ଟଙ୍କା ଉଠାଇ ଫେରିବା ବେଳେ ଏନେଇ ଖବର ଦେଉଥିଲା ରାହୁଲ। ଟଙ୍କା ଉଠାଇ ନେଉଥିବା ବ୍ୟକ୍ତିର ଫଟୋ ଓ କେଉଁ ଅଞ୍ଚଳରେ ଘର ଓ ସେ କେଉଁ ବାଟେ ଘରକୁ ଯିବ ଏନେଇ ସବୁ ତଥ୍ୟ ହ୍ବାଟ୍ସଆପ ଗ୍ରୁପରେ ସେୟାର କରିଥିଲେ ସେ। ଏନେଇ ଅପରାଧୀ ନିଜର ଏକ ହ୍ବାଟ୍ସଆପ ଗ୍ରୁପ ମଧ୍ୟ ବନାଇଥିଲେ।। ଏଥିରେ ସବିଶେଷ ତଥ୍ୟ ପଡ଼ିବା ପରେ ଲୁଟ ପ୍ଲାନିଂ କରୁଥିଲେ ଗ୍ରୁପ ସଦସ୍ୟ ଓ କରୁଥିଲେ ଲୁଟ। ଅତ୍ୟନ୍ତ ଚତୁରତା ସହିତ ଟଙ୍କା ଛଡ଼ାଇ ନେଇ ଫେରାର ହୋଇଯାଉଥିଲେ ଲୁଟେରା। ତେବେ ଏହି ଗ୍ରୁପରେ ମୋଟ ସାତ ଜଣ ସଦସ୍ୟ ଥିବା ପୋଲିସ କହିଥିବା ବେଳେ ୫ ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଗତ ୩ ତାରିଖରେ ବାଲେଶ୍ୱର ଷ୍ଟେଟ ବ୍ୟାଙ୍କରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୩ ଲକ୍ଷ ଲୁଟ, ସେହିପରି ସମାନ ବ୍ୟଙ୍କରୁ ଅନ୍ୟ ଜଣେ ଚାଉଳ ବ୍ୟବସାୟୀ ନିକଟରୁ ୧ ଲକ୍ଷ ୫ ହଜାର ଲୁଟ, ସୋର ବ୍ୟଙ୍କରୁ ଲୁଟ ସମେତ ସହରର ଅନେକ ଚିନ୍ତାଇରେ ଏମାନଙ୍କ ହାତ ଥିବା ଜଣା ପଡ଼ିଛି।’’
ପୋଲିସ ହିସାବରେ ଏହି ଲୁଟେରା ଗ୍ୟାଙ୍ଗ ୧୦ ଲକ୍ଷ ୫୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟ ସାରିଛନ୍ତି। ତେବେ ଏମାନଙ୍କ ନିକଟରୁ ୩ଟି ମୋଟର ସାଇକେଲ ଯାହା ମଧ୍ୟରୁ ଗୋଟିଏ ଚୋରା ବାଇକ, ୫୭ ହଜାର ଟଙ୍କା, ୩ ମୋବାଇଲ ଫୋନ, ୩ ତେଲେଙ୍ଗା କଟୁରି ଓ ଗୋଟିଏ ଖେଳନା ବନ୍ଧୁକ ଜବତ କରିଛି ପୋଲିସ।

ପୋଲିସ ହାତରେ ଧରା ପଡ଼ିଲେ ଲୁଟେରା ଗ୍ୟାଙ୍ଗର ୫ ଜଣ
ସେହିପରି ଗିରଫମାନଙ୍କ ମଧ୍ୟରୁ ଶେଖ ଜାଫର, ଅବଦୁଲ ହମ୍ମଦ ଖାନ, ଶେଖ ଜାହିଦ, ଶେଖ ଅରବାଜ ବାଲେଶ୍ୱର ଟାଉନ ଅଞ୍ଚଳର ହୋଇଥିବା ବେଳେ ସୂଚନା ଦେଉଥିବା ବ୍ୟକ୍ତି ବସ୍ତା ଅଞ୍ଚଳର ବୋଲି ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି କହିଛନ୍ତି। ଅନ୍ୟପଟରେ ଏବେବି ଏହି ଗ୍ୟାଙ୍ଗର ଦୁଇ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା କହିଛି।
ସହରରେ ଲଗାତାର ଲୁଟ, ହତ୍ୟା, ଚିନ୍ତା ବଢ଼ି ଚାଲୁଥିବା ଅଭିଯୋଗ ହେଉଥିବା ବେଳେ ଏହି ଗ୍ୟାଙ୍ଗ ଗିରଫ ପରେ ଏଥିରେ ରୋକ ଲାଗିବ ବୋଲି ଆଶା ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।