News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଦୀର୍ଘଦିନ ଧରି ଛିନତାଇ କରୁଥିବା ଜଣେ ପେସାଦାର ଅପରାଧୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ରଞ୍ଜନ ପ୍ରଧାନ। ଗତ ଦୁଇ ସପ୍ତାହ ତଳେ ରଞ୍ଜନ ଜେଲରୁ ବାହାରି ଥିଲା। ଜେଲରୁ ବାହାରିବା ପରେ ପୁଣି ଥରେ ନିଜ ସହଯୋଗୀଙ୍କୁ ଧରି ରଞ୍ଜନ ଛିନତାଇ କରିବା ଆରମ୍ଭ କରିଥିଲା । ଦୁଇ ସପ୍ତାହ ମଧ୍ୟରେ ୫ ଟି ସ୍ଥାନରୁ ଚେନ ଛଡାଇ ଚମ୍ପଟ ମାରିଥିଲା ।
ଗତ ୨୧ ତାରିଖରେ ମନୋଜ କୁମାର ପାତ୍ରଙ୍କ ଅଭିଯୋଗ କ୍ରମେ ବଡଗଡ ଥାନା ପୋଲିସରେ ଅଭିଯୋଗ କରିବା ପରେ ରଞ୍ଜନକୁ ଗିରଫ କରିଛି ପୋଲିସ। ଘଟଣା ଦିନ ମନୋଜ ନିଜ ପତ୍ନୀ ଓ ପୁଅ ବିଜେବି କଲେଜ ଅଭିମୁଖେ ଯାଉଥିବା ସମୟରେ, ତାରାପଟ୍ଟନାୟକ ଲେନରେ ରଞ୍ଜନ ତାଙ୍କର ଅନ୍ୟ ଜଣେ ସହଯୋଗୀ ପଛ ପାଖରୁ ଏକ ମୋଟରସାଇକେଲରେ ଆସି ବେକରୁ ସୁନା ଚେନ ଛିଣ୍ଡାଇ ନେଇଯାଇଥିଲେ। ଏହି ଘଟଣାରେ ଉଭୟ ପତ୍ନୀ ଏବଂ ପୁଅ ତଳେ ପଡି ଆହତ ହୋଇଥିଲେ । ଘଟଣାର ତଦନ୍ତ ସମୟରେ, ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ଚିଲ୍ଲିପୋଖରୀ ଅଞ୍ଚଳରେ ବୁଲାବୁଲି କରୁଥିବା ନେଇ ଖବର ପାଇଥିଲା ପୋଲିସ ।
ବଡଗଡ ଥାନା ପୁଲିସ ତୁରନ୍ତ ଘଟଣା ସ୍ଥଳରେ ଚଢଉ କରି କୁଖ୍ୟାତ ଲୁଟେରା ରଞ୍ଜନ ପ୍ରଧାନଙ୍କୁ କାବୁ କରିଥିବା ବେଳେ ସହଯୋଗୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଛାନଭିନ ସମୟରେ ପୋଲିସ ତାଙ୍କ ନିକଟରୁ ଦୁଇଟି ସୁନା ଚେନ ଏବଂ ଏକ ୟାମାହା ମୋଟରସାଇକେଲ ଜବତ କରିଛନ୍ତି । ତଦନ୍ତରୁ ଜଣାପଡିଛି ଯେ, ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମିଶି ଭୁବନେଶ୍ବରର ପଲ୍ଲାସପଲ୍ଲୀ, ଭୀମଟାଙ୍ଗି, ଶାସ୍ତ୍ରୀନଗର, ରାଜମହଲ ଓ ତାରାପଟ୍ଟନାୟକ ଲେନ ଅଞ୍ଚଳରୁ ସୁନା ଚେନ ଛିନତାଇ କରିଥିଲେ ।
ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତ ରଞ୍ଜନ ପ୍ରଧାନ ଜଣେ ଅଭ୍ୟାସଗତ ଅପରାଧୀ ଅଟନ୍ତି । ତାଙ୍କ ନାମରେ ଭୁବନେଶ୍ବର ସହରର ବିଭିନ୍ନ ଥାନାରେ ମୋଟ ୩୦ଗୋଟି ଚୋରୀ, ଛିନତାଇ ତଥା ଅନ୍ଯାନ୍ଯ ଅପରାଧିକ ମାମଲା ରହିଛି । ଅଭିଯୁକ୍ତ ଜଣକ ଅଭ୍ୟାସଗତ ଭାବେ ବିଭିନ୍ନ ମାମଲାରେ ସମ୍ପୃକ୍ତ ରହୁଥିବାରୁ ତାଙ୍କ ବିରୋଧରେ CrPC-110 ଧାରା ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଛି ।
ସେହିଭଳି ରଞ୍ଜନର ସହଯୋଗୀ ଆଲୋକ ନାୟକଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଗତ ୨୧ ତାରିଖ ମଧ୍ୟାହ୍ନରେ ଜଣେ ଯୁବକ ରାଜମହଲ ଛକରେ ଛିଡା ହୋଇଥିବା ବେଳେ ରଞ୍ଜନ ଓ ଆଲୋକ ଏକ ମୋଟରସାଇକେଲରେ ଆସି ତାଙ୍କ ମୋବାଇଲ ଫୋନକୁ ବଳପୂର୍ବକ ଛଡାଇ ନେଇଯାଇଥିଲେ । ଏନେଇ ଯୁବକ ଜଣଙ୍କ କ୍ୟାପିଟାଲ ଥନାରେ ଅଭିଯୋଗ କରିଥିଲେ । ଆଲୋକକୁ ଗିରଫ କରିବା ପରେ ତା ନିକଟରୁ ୬ ଟି ମୋବାଇଲ ଫୋନ ଜବତ କରିଛି ପୋଲିସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।