ମାତିଛନ୍ତି ମୂର୍ତ୍ତି ଚୋର; ୪ ମାସରେ ୧୦ ଚୋରିରେ ଗଲାଣୀ ୧୨ କୋଟି ଟଙ୍କାର ମୂର୍ତ୍ତି

ପୁରୀରେ ମୂର୍ତ୍ତି ଚୋରି ଲୁଟେରା। ୪ ମାସରେ ୧୦ ଚୋରିରେ ଗଲାଣୀ ୧୨ କୋଟି ଟଙ୍କାର ମୂର୍ତ୍ତି। ଚଳିତ ବର୍ଷ ପ୍ରାୟ ୩୦ରୁ ଅଧିକ ଅଷ୍ଟଧାତୁ ମୂର୍ତ୍ତି ବିଭିନ୍ନ ମନ୍ଦିରରୁ ଚୋରି ହୋଇଥିଲେ ବି ପୋଲିସ ମୂର୍ତ୍ତି ଚୋର ଲୁଟେରା ଗ୍ୟାଙ୍ଗକୁ ଧରିବାରେ ବିଫଳ।

ମାତିଛନ୍ତି ମୂର୍ତ୍ତି ଚୋର

ମାତିଛନ୍ତି ମୂର୍ତ୍ତି ଚୋର

  • Share this:
News18 Odia Digital

ପୁରୀ: ପୁଣି ମାତିଲେ ମୂର୍ତ୍ତି ଲୁଟେରା, ପିପିଲିର ଏକ ମନ୍ଦିରରୁ ୧୦ ଅଷ୍ଟଧାତୁ ମୂର୍ତ୍ତି ଚୋରି
। ପୁରୀ ଜିଲାର ବିଭିନ୍ନ ଅଞ୍ଚଳରୁ ମନ୍ଦିରରୁ ଚୋରି ପରେ ପିପିଲିରେ ପୁଣି ମାତିଲେ ମନ୍ଦିର ଲୁଟେରା। ୧୦ ଅଷ୍ଟ ଧାତୁ ନିର୍ମିତ ବହୁ ପୁରାତନ ମୂର୍ତ୍ତି କଲେ ଚୋରି।

ମିଳିଥିବା ସୂଚନା ମୁତାବକ ଗତ ବୁଧବାର ସକାଳେ ମନ୍ଦିରର ମୁଖ୍ୟ ପୂଜକ ବନମାଳୀ ନାୟକ ମନ୍ଦିରକୁ ପୂଜା କରିବାକୁ ଯାଇ ଦେଖିଲେ କି ମନ୍ଦିରର ମୁଖ୍ୟଦ୍ଵାର ସମେତ ସମସ୍ତ ଦ୍ଵାରର ତାଲା ଭଙ୍ଗା ଯାଇଥିଲା। ପରେ ସେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ଓ ଅନ୍ୟ ସେବକମାନେ ମନ୍ଦିରରେ ଥିବା ୧୦ ଗୋଟି ମୂର୍ତ୍ତି ଚୋରି ହୋଇଥିବା ଦେଖି ପିପିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଚୋରି ମୂର୍ତ୍ତି ମଧ୍ୟରେ ପୁରାତନ ଅଷ୍ଟଧାତୁ ନିର୍ମିତ ଶ୍ରୀରାଧାକୃଷ୍ଣ ମୂର୍ତ୍ତି, ମା' ବନଦୁର୍ଗା ମୂର୍ତ୍ତି, ଶ୍ରୀ ଚନ୍ଦ୍ରଶେଖର ଓ ଶ୍ରୀ ଦୁର୍ଗା ମୂର୍ତ୍ତି ଆଦି ୧୦ ଗୋଟି ରହିଛି। ଚୋରି ହୋଇଥିବା ମନ୍ଦିରଟି ହେଉଛି ପୁରୀ ଜିଲ୍ଲା ପିପିଲି ଥାନା ସଂପୁର ପଞ୍ଚାୟତ ଅନ୍ତର୍ଗତ ରାଜତେଇ ଗ୍ରାମରେ ଅବସ୍ଥିତ ଶ୍ରୀ ସିଦ୍ଧେଶ୍ୱର ଦେବଙ୍କ ବହୁ ପୁରାତନ ମନ୍ଦିର।

ପୂର୍ବରୁ ପିପିଲି ଅଞ୍ଚଲର ଅନେକ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିବା ବେଳେ ଏବେ କିଛିଦିନ ବ୍ୟବଧାନରେ ପୁଣି ମନ୍ଦିର ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଛନ୍ତି। ଏତଲା ହେବା ପରେ ପିପିଲି ଏସଡିପିଓ, ପିପିଲି ଥାନା ଅଧିକାରୀଙ୍କ ସମେତ କିଛି ଅଧିକାରୀ ଉକ୍ତ ଗ୍ରାମକୁ ଯାଇ ମନ୍ଦିରର ବିଭିନ୍ନ କୋଣ ଅନୁକୋଣକୁ ଅନୁସନ୍ଧାନ କରିବା ସହ ତଦନ୍ତ ଚଳାଇଛନ୍ତି। ତେବେ ଯଥାଶୀଘ୍ର ଲୁଟେରା ଧରାପଡ଼ିବେ ଓ ପିପିଲିରେ ୧୨୫ ଗୋଟି ମନ୍ଦିର ରହିଛି, ସବୁ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କରିବା ସମ୍ଭବ ନୁହେଁ ତେଣୁ ୮ ଗୋଟି ପ୍ରମୁଖ ମନ୍ଦିରରେ ପୋଲିସ ତରଫରୁ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଛି ବୋଲି କହିଛନ୍ତି ପିପିଲି ଥାନା ଅଧିକାରୀ ଅଭିମନ୍ୟୁ ନାୟକ।

"ପିପିଲିରେ ନିୟମିତ ବ୍ୟବଧାନରେ ଲୁଟେରାମାନେ ମନ୍ଦିରରେ ଥିବା ପୁରାତନ ମୂର୍ତ୍ତିକୁ ଟାର୍ଗେଟ କରି ସଫଳ ହେଉଥିବା ବେଳେ ପିପିଲି ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଆମର ପିପିଲି ଥାନା ସଂପୁର ପଞ୍ଚାୟତ ଅନ୍ତର୍ଗତ ରାଜତେଇ ଗ୍ରାମରେ ଅବସ୍ଥିତ ଶ୍ରୀ ସିଦ୍ଧେଶ୍ୱର ଦେବଙ୍କ ମୂର୍ତ୍ତି ଚୋରି ଘଟଣାରେ ପିପିଲି ପୋଲିସ ସନ୍ଦେହରେ ଦୁଇ ଜଣକୁ ଅଟକ ରଖି ପଚରଉଚରା ଜାରୀ ରଖିଛି। ହେଲେ ଭଉଁରି ଯାତ୍ରା ପୂର୍ବରୁ ଆମ ମନ୍ଦିରର ମୂର୍ତ୍ତି ନ ମିଳିଲେ ମନ୍ଦିରର ନୀତିକାନ୍ତିରେ ପ୍ରଭାବ ପଡ଼ିବ,’’ କହିଛନ୍ତି ରାଜତେଇ ଗ୍ରାମର ଶ୍ରୀ ସିଦ୍ଧେଶ୍ୱର ଦେବଙ୍କ ମୁଖ୍ୟ ପୂଜକ ବନମାଳୀ ନାୟକ।

"ଚଳିତ ମାସରେ ପିପିଲି ଥାନା ସଂପୁର ପଞ୍ଚାୟତ ଅନ୍ତର୍ଗତ ରାଜତେଇ ଗ୍ରାମରେ ଅବସ୍ଥିତ ଶ୍ରୀ ସିଦ୍ଧେଶ୍ୱର ଦେବଙ୍କ ମନ୍ଦିରରୁ ୧୦ଟି ମୂର୍ତ୍ତି ଚୋରି। ଆଉ ଏଯାବତ ଚନ୍ଦନପୁର ଥାନା ଅଧିନ ଜଗନ୍ନାଥପୁରର ଲକ୍ଷ୍ମୀନୃସିଂହ ମନ୍ଦିରରୁ ବାବା ବୁଢାଦିଅଁଙ୍କ ଚଳନ୍ତି ପ୍ରତିମା ସହ ୫ଟି ମୂର୍ତ୍ତି ଚୋରି, ଠିକ୍ ଏହାର ଦୁଇ ଦିନ ପୂର୍ବରୁ ମୋରଡପଡା ସ୍ଥିତ ଏକ ମଠରୁ ବହୁମୁଲ୍ୟ ମୂର୍ତ୍ତି ଓ ଅଳଙ୍କାର , ସୁନ୍ଦରଗ୍ରାମରୁ ବଟେଶ୍ୱର ମହାଦେବଙ୍କ ଅଷ୍ଠଧାତୁ ମୂର୍ତ୍ତି, ସତ୍ୟବାଦୀ ଥାନା ନୂଆସମଶ୍ୱେରପୁର ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି, ୩୧ ତାରିଖରେ କଣାସ ଥାନା ବୈଦ୍ୟନାଥ ମନ୍ଦିରରୁ ୪୦ କେଜି ଓଜନର ଅଷ୍ଠଧାତୁ ମୂର୍ତ୍ତ ଓ ଗଡିଶାଗୋଦା ଶ୍ରୀ ମୁକୁନ୍ଦପୁରରୁ ଇଶାନେଶ୍ୱର ମହାଦେବଙ୍କ ମନ୍ଦିରରୁ ଶିବପାର୍ବତୀ ଓ ରାଧାକୃଷ୍ଣଙ୍କ ମୂର୍ତ୍ତି ଆଉ ପୁଣି ଚନ୍ଦନପୁର ଥାନା ଅଞ୍ଚଳରୁ ୫ଟି ୧ କୁଇଣ୍ଟାଲର ମୂର୍ତ୍ତି ଚୋରି ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ଚୋରି ହୋଇଥିବା ମୂର୍ତ୍ତିର ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ୧୨ କୋଟି ଟଙ୍କା ହେବ। ତେବେ ତଦନ୍ତ ପାଇଁ ପୋଲିସ ଟିମ ଗଠନ ହୋଇଥିବା ବେଳେ ଖୁବ ଶୀଘ୍ର ଏହି ଗ୍ୟାଙ୍ଗକୁ ଧରାଯିବ। ହେଲେ ସେ ସମୟ ପର୍ଯ୍ୟନ୍ତ ଗ୍ରାମବାସୀମାନେ ସେମାନଙ୍କ ମନ୍ଦିରକୁ ନିଜେ ପାଳିକରି ଜଗନ୍ତୁ,’’ କହିଛନ୍ତି ପୁରୀ ଏସପି କନୱର ବିଶାଳ ସିଂ।

ସେପଟେ ଦିନକୁ ଦିନ ପୁରୀ ଜିଲ୍ଲାରେ ୧୦ରୁ ଅଧିକ ମୂର୍ତ୍ତି ଚୋରି ମାମଲା ଚଳିତ ବର୍ଷ ହୋଇଥିଲେ ସୁଦ୍ଧା ପୋଲିସକୁ ମିଳିନାହିଁ ସଫଳତା। କେବଳ ୨୦୧୯ର ଗୋଟିଏ ଚୋରି ଘଟଣାରେ ୧୦ଟି ମୂର୍ତ୍ତି ଉଦ୍ଧାର କରିଛି। ହେଲେ ବାକି ଚୋରି ହୋଇଥିବା ମୂର୍ତ୍ତିଗୁଡିକ ଉଦ୍ଧାର କରିବା ସହ କିଭଳି ଲୁଟେରା ଗ୍ୟାଙ୍ଗକୁ ଧରିବ ତା ଉପରେ ଏବେ ନଜର।
Published by:Lipina Das
First published: