ପିଢ଼ି ପରେ ପିଢ଼ି ଅତୁଟ ପରମ୍ପରା: ଶ୍ରୀମନ୍ଦିରରେ କୁନି ସେବାୟତମାନେ ଶିଖୁଛନ୍ତି ପ୍ରଭୁଙ୍କ ସେବା

() ରଥଯାତ୍ରା ହେଉଛି ସେବାୟତଙ୍କ ପାଠଶାଳା। ଶ୍ରୀମନ୍ଦିର ପରମ୍ପରାରେ ସେବାୟତଙ୍କର ସେବାପୁଜା କଣ ତାହାର ପ୍ରଶିକ୍ଷଣ ବା ମଣ ପାଇଁ ଖାଲି ଶ୍ରୀମନ୍ଦିର ନୁହେଁ

ଶ୍ରୀମନ୍ଦିରରେ କୁନି ସେବାୟତଙ୍କ ପ୍ରଶିକ୍ଷଣ

ଶ୍ରୀମନ୍ଦିରରେ କୁନି ସେବାୟତଙ୍କ ପ୍ରଶିକ୍ଷଣ

  • Share this:
News18 Odia Digital

ପୁରୀ: ରଥ ଯାତ୍ରା ହେଉଛି ସେବାୟତଙ୍କ ପାଠଶାଳା। ଶ୍ରୀମନ୍ଦିର ପରମ୍ପରାରେ ସେବାୟତଙ୍କର ସେବା ପୂଜା କଣ ତାହା’ର ପ୍ରଶିକ୍ଷଣ ବା ମଣ ପାଇଁ ଖାଲି ଶ୍ରୀମନ୍ଦିର ନୁହେଁ ରଥ ଯାତ୍ରା ବି ଏକ ମାଧ୍ୟମ। କୁନି ସେବାୟତମାନେ ନିଜ ପରିଜନଙ୍କ ସହ ରଥ ଯାତ୍ରାକୁ ଆସି ଶିକ୍ଷା ଲାଭ କରି 18 ବର୍ଷ ବୟସରେ ସେବାରେ ଯୋଗଦେଇ ଯୁବ ସେବାୟତ ଓ ପରେ ବରିଷ୍ଠ ସେବାୟତ ହୁଅନ୍ତି। ସେହିମାନେ ପୁଣି ଆଗାମୀ ପିଢ଼ିକୁ ଦେବେ ପ୍ରଶିକ୍ଷଣ । ସାତ୍ୱିକ ଖାଦ୍ୟ ଗ୍ରହଣ , ଶରୀର ଚର୍ଯ୍ୟା ସହ ସଂଜମ ଆଚ଼ରଣ ଶିକ୍ଷା ଗ୍ରହଣ କରି କୁନି ସେବାୟତ ବି ପୁଣି ବାହୁବଳୀ ସେବାୟତ ମଧ୍ୟ ହୋଇପାରୁଛନ୍ତି । ଯିଏ ଆଜି ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଆଉ ଏବେ ଦୁଇ ବର୍ଷ ହେବ କୋଭିଡ କଟକଣାକୁ ନେଇ ବିନା ଭକ୍ତରେ ରଥ ଯାତ୍ରା ହେଉଥିବାରୁ ସେବାୟତଙ୍କ ପାଇଁ ରଥ ଟଣା  ଆଉ ଏକ ସେବାରେ ଯୋଡ଼ି ହୋଇଯାଇଛି ।

ଚଳିତ ରଥ ଯାତ୍ରାରେ କୁନି ସେବାୟତମାନେ ରଥ ଉପରେ ନୀତି ସମେତ ପହଣ୍ଡି ବେଳେ ଓ ରଥ ଟାଣିବା ଶେଷରେ ଶ୍ରୀଗୁଣ୍ଡିଚ଼ା ମନ୍ଦିରକୁ ଆସି ନିଜ ପରିବାର ଲୋକଙ୍କ ଠାରୁ ସେବା ନେଇ ଅବଗତ ହେଉଛନ୍ତି। ତା ସହିତ ଅନ୍ୟ ସେବାୟତମାନେ କ’ଣ ନୀତି କରୁଛନ୍ତି ତା ମଧ୍ୟ କରୁଛନ୍ତି। ଏହାର ଉଦ୍ଦେଶ୍ୟ ହେଲା ଯେ ଧୀରେ ଧୀରେ ସେବାୟତ କୁଳର ପିଲାମାନେ ମହାପ୍ରଭୁଙ୍କୁ ସମର୍ପିତ ହୋଇ କିଭଳି ସେବା କରିବେ। ତା’ ସହିତ ସେମାନଙ୍କୁ ମହାପ୍ରଭୁଙ୍କ ସହ ଯୋଡ଼ିବା ହେଉଛି ଏକମାତ୍ର ପ୍ରୟାସ। ଜଣେ କୁନି ସେବାୟତ 18 ବର୍ଷ ପରେ ଶାଢି ବନ୍ଧାଇ ସେବା ପାଇଁ ନିୟୋଜିତ ହେବା ପରେ ସେ ପାଲଟିଯାଏ ମହାପ୍ରଭୁଙ୍କର ବାହୁବଳୀ ସେବାୟତ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଇଁ ରହିଛନ୍ତି ଭଳିକି ଭଳି ସେବାୟତ। ଆଉ ପିଢ଼ି ପରେ ପିଢ଼ି ଧରି ମହାପ୍ରଭୁଙ୍କ ସେବା ପାଇଁ ସେମାନେ ସମର୍ପିତ। ସେଥିପାଇଁ ସେବାୟତ ଘରର କୁନି ସେବାୟତଙ୍କୁ ମନ୍ଦିର ଆଣି ମଣ କରାଯିବାର ବିଧି ରହିଛି। ପୁଣି ଗୋଟିଏ ଗୋଟିଏ ପରିବାରରେ ରହିଛି ଏକାଧିକ ସେବା। ଆଉ ସେଥିପାଇଁ ଜଣେ ଆଠ ବର୍ଷିୟ କୁନି ସେବାୟତ ଗୋପୀବଲ୍ଲଭ ଗୋଛିକାର ରଥ ଟଣାରୁ ଆରମ୍ଭ କରି ତିନି ରଥର ନୀତି ସହ ଆଡ଼ପ ମଣ୍ଡପ ନୀତି କଣ ରହିଛି ତା’ର ନେଉଛନ୍ତି ପ୍ରଶିକ୍ଷଣ। କାରଣ ତାଙ୍କ ପରିବାରର ରହିଛି ହଡ଼ପ ନାୟକ ସେବା, ପ୍ରତିହାରୀ ସେବା ଓ ଗରାବଡୁ ସେବା। ତେଣୁ  ଆଠ ବର୍ଷର ହେଲେ ବି ସେ ମହାପ୍ରଭୁଙ୍କ ସେବା ବିଷୟରେ ଅବଗତ ହୋଇ ଆଗକୁ 18 ବର୍ଷ ହେବା ପରେ ଶାଢ଼ୀ ବନ୍ଧାଇ ଯୁବ ସେବାୟତ ହୋଇ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବ।

ପ୍ରଶିକ୍ଷଣ ନେଉଥିବା ସମୟରେ କୁନି ସେବାୟତଙ୍କ ଦୃଶ୍ୟ


‘‘ଶ୍ରୀମନ୍ଦିର ପରମ୍ପରାରେ ସେବାୟତଙ୍କର ଅନ୍ୟ ବିକଳ୍ପ ନାହିଁ । ଅର୍ଥାତ୍ ଯାହାର ଯେଉଁ ସେବା ତା’ର ପରିବାର ହିଁ  ସେହି ସେବା କରିବା ପାଇଁ ଶ୍ରୀମନ୍ଦିର ସତ୍ତ୍ୱ ଲିପିରେ ଉଲ୍ଲେଖ ରହିଛି। ଆଉ ଏବେ କୁନି ସେବାୟତଙ୍କୁ ପ୍ରଶିକ୍ଷଣ ଦେବା ହେଉଛି ସେବାୟତ ପରିବାରର ଦାୟିତ୍ୱ। ଯାହାକି ଆମ ବାପା ଅଜା ଅମଳରୁ ଏହି ପରମ୍ପରାରେ ଆମେ ବଢ଼ି ଆସିଛୁ ଓ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଛୁ । ଆମର ସେବାରେ ମହାପ୍ରଭୁଙ୍କୁ ସକାଳୁ ନିଦରୁ ଉଠାଇବା, ଭୋଗ ସମୟରେ ଡାକିବା ଓ ପୁଣି ରାତିରେ ବଡ଼ ସିଂହାର ବେଶ ପରେ ଶୁଆଇବା ସମୟରେ ଆମର ସ୍ୱତନ୍ତ୍ର ସେବା ରହିଛି। ତେଣୁ ମହାପ୍ରଭୁ ହେଲେ ଆମ ମଣିମା ଆଉ ତାଙ୍କରି ସେବା ପାଇଁ ଆମର ପିଲା ମଣ ହେଉଛନ୍ତି। ତେଣୁ ଯାହା ଶିକ୍ଷା ଲାଭ କରିଛୁ ପୁଣି ତାହା ଆମେ ପିଲାଙ୍କୁ ସେବା ବିଷୟରେ ଶିକ୍ଷା ଦେଉଛୁ," କହିଛନ୍ତି 48 ବର୍ଷୀୟ ଗରାବଡୁ ସେବାୟତ ନାରାୟଣ ଗୋଛିକାର।

ସେ ମଧ୍ୟ ସେବାୟତ କୁଳରେ ଜନ୍ମିତ ହୋଇ ମହାପ୍ରଭୁଙ୍କ ଜଗନ୍ନାଥ ଅଷ୍ଟକମ, ଗୀତା ଆଦି ଆବୃତି କରି ନିଜେ ପରିମାର୍ଜିତ ହେଉଛନ୍ତି। ଆଉ ନିଜର ତିନୋଟି ସେବା ଶ୍ରୀମନ୍ଦିରରେ ରହୁଥିବାରୁ 18 ବର୍ଷ ବୟସ ହେଲେ ଶାଢି ବନ୍ଧାଇ ପ୍ରଶାସନ ଅନୁମତି ଆଣି ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଶ୍ରୀମନ୍ଦିରରେ ତାଙ୍କ ପରିବାରର କଣ ନୀତିକାନ୍ତି ବାପା କରନ୍ତି ତାହା ଅବଗତ ହେବା ପରେ ରଥ ଉପରେ ଆଉ ଏବେ ଗୁଣ୍ଡିଚା ମନ୍ଦିରରେ ନୀତିକାନ୍ତି ତାଙ୍କ ବାପା ନାରାୟଣ ଗୋଛିକାରଙ୍କ ସହ ରହି ଅନୁଧ୍ୟାନ କରିବା ସହିତ ପ୍ରଶିକ୍ଷଣ ନେଉଛନ୍ତି, ୮ ବର୍ଷ ବୟସର କୁନି ସେବାୟତ ଗୋପୀବଲ୍ଲଭ ଗୋଛିକାର।

"ଦଇତାପତିଙ୍କ ଘରେ 21 ଦିନର ଛୁଆ ହେଲେ ବି ତାକୁ ମିଳିଯାଏ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ। ହେଲେ ଅନ୍ୟ ସମସ୍ତ ସେବାୟତଙ୍କର 18 ବର୍ଷ ହେବା ପରେ ସେ ଶାଢି ବନ୍ଧାଇ ସେବା ପାଇଥାନ୍ତି। ଏବେ ଦୁନିଆରେ ଚ଼ଳିବାକୁ ହେଲେ ଅର୍ଥ ଆବଶ୍ୟକତା ଥିବା ବେଳେ ସେବାୟତମାନେ ଯାହା ବି ଶ୍ରୀମନ୍ଦିରୁ ପ୍ରାପ୍ୟ ପାଆନ୍ତୁ ସେଥିରେ ସନ୍ତୁଷ୍ଟ ହୋଇ ମହାପ୍ରଭୁଙ୍କୁ ସମର୍ପିତ ହୋଇ ସେବା କରିଥାନ୍ତି। ସେହି ଧାରାରେ ଘରର ନୂଆ ପିଢି ମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେବାର ପରମ୍ପରା ରହିଛି। କେଉଁଠି ସୁସ୍ଥ ଶରୀର ସହ ସଂଜମତାର ଶିକ୍ଷା ତ କେଉଁଠି ସେବା ପୂଜାରେ ନିଜକୁ ଶୁଦ୍ଧପୁତ ରହି ସମର୍ପଣର ଶିକ୍ଷା ନିଅନ୍ତି ସେବାୟତ। ଏଥିପାଇଁ ନିଯୋଗମାନେ ମଧ୍ୟ ସେମାନଙ୍କର କୁନି କୁନି ସେବାୟତ ଓ ଯୁବ ସେବାୟତଙ୍କୁ ଶିକ୍ଷା ଦେବାପାଇଁ ବରିଷ୍ଠମାନଙ୍କୁ ନିର୍ଦ୍ଦେଶ ଦେଇଥାନ୍ତି," କହିଛନ୍ତି ୫୨ ବର୍ଷୀୟ ସେବାୟତ ସୁଦର୍ଶନଙ୍କ ମୁଖ୍ୟ ବାଡ଼ଗ୍ରାହୀ ନବକିଶୋର ପତି ମହାପାତ୍ର।

ଯୁବ ସେବାୟତଙ୍କ ଦୃଶ୍ୟ


୩୮ ବର୍ଷୀୟ ଯୁବ ସେବାୟତ ଲକ୍ଷ୍ମୀନାରାୟଣ ପ୍ରତିହାରୀ କହିଛନ୍ତି, "ଶ୍ରୀମନ୍ଦିର ହେଉଛି ଆମର ପାଠଶାଳା। ସେବାୟତ ଘରର ପ୍ରତିଟି ପିଲା କିଭଳି ମହାପ୍ରଭୁଙ୍କ ନୀତିକାନ୍ତି ଓ ପରିବାରର ସେବା ବିଷୟରେ ଅବଗତ ହେବ ସେଥିପାଇଁ ଗୁରୁଜନମାନଙ୍କର ଦାୟିତ୍ୱ। ଆଉ ଶ୍ରୀମନ୍ଦିରର ସେବା ପୂଜା ଯେଭଳି ସ୍ୱତନ୍ତ୍ର ସେହିଭଳି ଅନେକ ରକମର ସେବାୟତ ମଧ୍ୟ ସ୍ୱତନ୍ତ୍ର। ଶ୍ରୀମନ୍ଦିର ଭିତରେ ବର୍ଷ ତମାମ ନୀତିକାନ୍ତି ହେଉଥିବା ବର୍ଷକରେ ଥରୁଟିଏ ରଥଯାତ୍ରାର ନୀତି ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ କିଭଳି ନୀତି ଓ ସେବା କରାଯାଏ ତାହା ହିଁ ସେବାୟତ ପିଲାଙ୍କ ପାଇଁ ସେବା ପୂଜାର ଗୁରୁକୁଳ।’’
"ଶ୍ରୀମନ୍ଦିର ସେବାୟତ ଭାବେ ଆମେ ବେଶ ଗର୍ବିତ। ଆଉ ମହାପ୍ରଭୁଙ୍କୁ ସେବା କରିବା ସହ ଆମ ଯୁବ ସେବାୟତଙ୍କ ଶରୀର ଚର୍ଯ୍ୟାକୁ ନେଇ ଆମେ ବି ବେଶ ଚର୍ଚ୍ଚିତ। ଆଗରୁ ଶ୍ରୀମନ୍ଦିର ଭିତରେ ନୀତି ସହ ପହଣ୍ଡି ନୀତି ହେଉଥିଲା। ହେଲେ ଏବେ ବିନା ଭକ୍ତରେ ରଥ ଯାତ୍ରା ହେଉଥିବାରୁ ରଥ ଟଣା ଭଳି କଷ୍ଟସାଧ୍ୟ ସେବା ହେଲେ ବି ସେବାୟତମାନେ ନିଜ ଶରୀରକୁ ପ୍ରସ୍ତୁତ କରି ଜାଗା ଆଖଡାରେ ବ୍ୟାୟାମ ଓ କୁସ୍ତି କରି ଆଜି ସୁନ୍ଦର ଚେହେରା କମାଇଛନ୍ତି। ତା’ ସହ ଯୁବ ସେବାୟତମାନେ ଅଧିକାଂଶ ଶାକାହାରୀ । ଆଜି ମୋତେ ବାହୁବଳୀ ସେବାୟତ କହୁଛନ୍ତି ସମସ୍ତେ। କେବଳ ମହାପ୍ରଭୁଙ୍କ ଆର୍ଶିବାଦ ପାଇଁ ଏହା ସମ୍ଭବ ହୋଇପାରିଛି। ମୋ ଭାଇ ଓ ମା’ ହେଉଛନ୍ତି ମୋ’ର ଆଦର୍ଶ। ଆଗକୁ ଲକ୍ଷ୍ୟ ରଖିଛି ଅନେକ ବାହୁବଳୀ ସେବାୟତ ଖାଲି ମହାପ୍ରଭୂଙ୍କ ସେବାରେ ନୁହେଁ ବରଂ ବଡି ବିଲ୍ଡିଂରେ ମୋ ଭଳି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର। ମୋର 2019ରେ ରଥ ଯାତ୍ରାରେ ଏକ ପହଣ୍ଡି ସମୟର ଫଟୋ ସୋସିଆଲ ମିଡିଆରେ ବେଶି ଭାଇରାଲ ହୋଇଥିଲା ବାହୁବଳୀ ସେବାୟତଙ୍କ ଫଟୋ ଭାବେ । ସେହି ସମୟ ଠାରୁ ବାହୁବଳୀ ସେବାୟତ ଭାବେ ମୋର ଚର୍ଚ୍ଚା ହୋଇଛି," ବୋଲି କହିଛନ୍ତି 35 ବର୍ଷିୟ ବାହୁବଳୀ ସେବାୟତ ଅନୀଲ ଗୋଛିକାର  ।

ସେବା କରୁଥିବା ସମୟରେ ବରିଷ୍ଠ ସେବାୟତଙ୍କ ଦୃଶ୍ୟ


କାରଣ ମହାପ୍ରଭୂଙ୍କ ସେବା କରିବା ପରେ ଯେଉଁ ସମୟ ପାଇଥାନ୍ତି ତାହାକୁ ଜିମରେ କାଟନ୍ତି ଅନୀଲ। ଦୀର୍ଘ 19 ବର୍ଷ ଧରି ସେ ଲଗାତାର ଜିମ୍ ଯାଇ ପରିଶ୍ରମ କରୁଛନ୍ତି। ତାଙ୍କ ଭାଇ ଦାମୋଦର ଗୋଛିକାର ମଧ୍ୟ ଇଷ୍ଟର୍ଣ ଇଣ୍ଡିଆ ଚାମ୍ପିଅନ ହୋଇଥିବା ବେଳେ ପରେ ଭାଇ ଅନୀଲ ପାଇଁ ଏହି ଲକ୍ଷ ରଖିଥିଲେ। ତାଙ୍କ ଦ୍ୱାରା  ଶିକ୍ଷା ପାଇ ଆଜି ଅନୀଲ ପାଇଛନ୍ତି ଅନେକ ସଫଳତା । ସୁନ୍ଦର ସ୍ୱାସ୍ଥ୍ୟ କରି ମଡେଲିଂ ନୁହେଁ ମହାପ୍ରଭୂଙ୍କ ସେବା ସହ ବଡି ବିଲ୍ଡିଂକୁ ନିଜର ନିଶା କରିଛି ଅନିଲ। ଏଥିପାଇଁ ଅନିଲଙ୍କୁ ବାହୁବଳୀ ସେବାୟତ ପରିଚୟ ମିଳିଛି। 2016ରୁ ୨୦୧୮ ମଧ୍ୟରେ ତିନି ବର୍ଷ ଲଗାତାର ମିଷ୍ଟର ଇଣ୍ଡିଆ ହୋଇଥିବା ବେଳେ 2014ରେ ମିଷ୍ଟର ୱାର୍ଲ୍ଡରେ ବ୍ରୋଞ୍ଜ ପଦକ ପାଇଛନ୍ତି। ଏହାସହ ସେ ଆଗକୁ ଲକ୍ଷ୍ୟ ରଖିଛନ୍ତି ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ହାସଲ କରିବାକୁ। ସେପଟେ ଖାଲି ସେ ନୁହେଁ ଆଉ ଜଣେ ସେବାୟତ ପଙ୍କଜ ପ୍ରତିହାରୀ ବି ତାଙ୍କୁ  ଅନୁସରଣ କରି ୨୦୧୨ରେ ଜୁନିଅର ମିଷ୍ଟର ଇଣ୍ଡିଆ ଓ 2013ରେ ସିନିୟର ଇଣ୍ଡିଆ ସହ 13ରୁ 2015 ପର୍ଯ୍ୟନ୍ତ ମିଷ୍ଟର ଓଡ଼ିଶା ପୁରସ୍କାର ମଧ୍ୟ ପାଇଛନ୍ତି।



‘‘ପୁଣି ଆମର ସେବାୟତମାନେ ପରମ୍ପରା ଅନୁଯାୟୀ ଜାଗା ଆଖଡାରେ କୁସ୍ତି କସରତ ଓ ଶରୀର ଚର୍ଯ୍ୟା କରୁଥିବା ବେଳେ ଏବେ ଜିମରେ ସମୟ ଦେଉଛୁ। ଏହାସହ କେବଳ ଶାକାହାରୀ ଖାଦ୍ୟ ଗ୍ରହଣ କରୁଛୁ। ଆଉ ଦୁଇ ବର୍ଷ ହେଲା ବିନା ଭକ୍ତରେ ରଥ ଯାତ୍ରା ହେଉଛି, ଯାହାକୁ ନେଇ ଆମେ ଦୁଃଖିତ। ରଥ ଟାଣୁଛୁ ଆମେ କଷ୍ଟ ପାଉଛୁ ହେଲେ ଭକ୍ତ ନଥିବାରୁ ଆହୁରି ଦୁଃଖ ଦେଉଛି। ଗତ ବର୍ଷ ଓ ଏବର୍ଷ ରଥ ଟଣାରେ ପ୍ରତିଟି ଯୁବ ସେବାୟତ ବୟସ୍କଙ୍କ ସହ କାନ୍ଧରେ କାନ୍ଧ ମିଶାଇ ରଥ ଟାଣି ନିଆରା ପରମ୍ପରା ସୃଷ୍ଟି କରି ସେଲ୍ଫି ନେଇ ଏହାକୁ ଅବିସ୍ମରଣୀୟ କରିଛନ୍ତି," ଆହୁରି କହିଛନ୍ତି ଅନିଲ।

ସେବାୟତଙ୍କ ଅନୁଯାୟୀ ଦିନକୁ ଦିନ ବଦଳୁଛି ସମାଜ ତା’ ସାଙ୍ଗକୁ ବଦଳୁଛନ୍ତି ଯୁବପିଢି। ହେଲେ ଆଜି ବି ଶ୍ରୀମନ୍ଦିରର ସେବାୟତମାନେ ନିଜର କୌଳିକ ପରମ୍ପରା ଓ ସେବା ପୂଜାରେ ଯୁବପିଢିମାନେ ମନୋନିବେଶ କରି ବଞ୍ଚାଇ ରଖିଛନ୍ତି। ହଜାର ହଜାର ବର୍ଷର ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ସେବା ପୂଜାର ପରମ୍ପରା, ଆଉ ମହାପ୍ରଭୁ ଜଗନ୍ନାଥ ଥିବା ପର୍ଯ୍ୟନ୍ତ ବଞ୍ଚି ରହିଥିବା ଶ୍ରୀମନ୍ଦିର ସେବାୟତଙ୍କର ସେବା ପୂଜା।
Published by:Lipina Das
First published:
)}