ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ବି ସବୁ ଦଳକୁ ପଛରେ ପକାଇ ଆଗରେ ରହିଛି BJD

୧୭୧୬ କାଉନସିଲରରୁ ୧୧୭୫ଟି ସିଟ ବିଜେଡି ହାତକୁ ଯାଇଛି। ତେବେ ଭୋଟ ପ୍ରତିଶତରେ ବି ବିଜେଡି ଢ଼େର ଆଗରେ ରହିଛି। କାଉନସିଲର ଭୋଟରେ ବିଜେଡି ଏକାକୀ ୫୦ ପ୍ରତିଶତ ଭୋଟ ହାତେଇବାରେ ସଫଳ ହୋଇଛି।

ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ବି ସବୁ ଦଳକୁ ପଛରେ ପକାଇ ଆଗରେ ରହିଛି BJD

ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ବି ସବୁ ଦଳକୁ ପଛରେ ପକାଇ ଆଗରେ ରହିଛି BJD

  • Share this:
News18 Odia Digital

ଭୁବନେଶ୍ବର: ପଞ୍ଚାୟତ ପରେ ପୌରରେ ସଫଳତା ଦୋହରାଇଲା ବିଜେଡି। କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ୩ରୁ ୩ ମହାନଗର ନିଗମକୁ ନିଜ ଦଖଲକୁ ନେଇଛି ଶାସକ ଦଳ। ୧୦୫ ଅଧ୍ୟକ୍ଷ ପଦରୁ ୭୩ଟି ସିଟ ବି ବିଜେଡି ଖାତାକୁ ଯାଇଛି। ବିଜେପିକୁ ୧୬ଟି ସିଟ ମିଳିଥିବା ବେଳେ କଂଗ୍ରେସ ୭ଟି ଓ ସ୍ୱାଧୀନ ପ୍ରାର୍ଥୀ ୯ଟି ସିଟରେ ବାଜିମାତ କରିଛନ୍ତି।

୧୭୧୬ କାଉନସିଲରରୁ ୧୧୭୫ଟି ସିଟ ବିଜେଡି ହାତକୁ ଯାଇଛି। ତେବେ ଭୋଟ ପ୍ରତିଶତରେ ବି ବିଜେଡି ଢ଼େର ଆଗରେ ରହିଛି। କାଉନସିଲର ଭୋଟରେ ବିଜେଡି ଏକାକୀ ୫୦ ପ୍ରତିଶତ ଭୋଟ ହାତେଇବାରେ ସଫଳ ହୋଇଛି। ଅବଶିଷ୍ଠ ୫୦ ପ୍ରତିଶତ ଭୋଟରୁ ବିଜେପି ୨୭ ପ୍ରତିଶତ, କଂଗ୍ରେସ ୧୨ ପ୍ରତିଶତ, ସ୍ୱାଧୀନ ୯ ପ୍ରତିଶତ, ଅନ୍ୟାନ୍ୟ ୧ ପ୍ରତିଶତ ଓ ନୋଟାକୁ ଯାଇଛି ୧ ପ୍ରତିଶତ ଭୋଟ।

ସେହିଭଳି ଚେୟାରପର୍ସନ ଭୋଟରେ ବିଜେଡ଼ିର ୨ ପ୍ରତିଶତ ଭୋଟ କମି ୪୮ ପ୍ରତିଶତ ହୋଇଛି। ବିଜେପିର ୨ ପ୍ରତିଶତ ବଢ଼ି ୨୯ ପ୍ରତିଶତ, କଂଗ୍ରେସ ୧୨ ପ୍ରତିଶତ ଓ ଅନ୍ୟ ସବୁ କାଉନସିଲର ପରି ସମାନ ରହିଛି।

ବିଜେଡି ଦାବି କରିଛି ୧୦୮ଟି ପୌରାଞ୍ଚଳରୁ ୮୮ ପ୍ରତିଶତ ସିଟ ଦଖଲକୁ ନେଇଛି। ଫାଇନାଲ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨ଟି ସେମିଫାଇନାଲରେ ବାଜିମାତ କରି ଆଗାମୀ ଦିନ ପାଇଁ ରାସ୍ତା କ୍ଲିଅର କରିଛି। ଦୁଇ ସେମିଫାଇନାଲର ସଫଳତାକୁ ପୁଞ୍ଜି କରି ୨୦୨୪ ସାଧାରଣ ନିର୍ବାଚନରେ ବାଜିମାତ ନେଇ ଆଶା ବାନ୍ଧିଛି ଶାସକ ଦଳ।

ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି,"ସାରା ଓଡ଼ିଶାର ଜନସାଧାରଣଙ୍କ ମାନସିକତା ବିଜେଡି ଓ ନବୀନ ପଟ୍ଟନାୟକ। ଗ୍ରାମାଞ୍ଚଳର ଫଳାଫଲ ପରେ ପୌର ନିର୍ବାଚନରେ ସଫଳତା ଦୋହରାଇବା ନେଇ ଦଳ ସ୍ଥିର ନିଶ୍ଚିତ ଥିଲା। ତାହା ବି ଫଳାଫଳ ହୋଇଛି। ବିକାଶ ଧାରାରେ ସାମିଲ ହୋଇ ନବୀନଙ୍କ ଉପରେ ଆଶୀର୍ବାଦ ଦେଇଛନ୍ତି ଭୋଟର। ଆଗକୁ ଏହାର ପ୍ରଭାବ ରହିବ। କେବଳ ରାଜନୈତିକ ନୁହେଁ ସାମାଜିକ ସ୍ତରରେ ଗ୍ରାମାଞ୍ଚଳ ଠୁ ସହରାଞ୍ଚଳ ପର୍ଯ୍ୟନ୍ତ ବିକାଶର ପ୍ରସଙ୍ଗ ସହିତ ଶାନ୍ତିପ୍ରିୟତା ଯୋଗୁଁ ଲୋକେ ବିଜେଡି ଓ ନବୀନଙ୍କ ଶାସନ ବ୍ୟବସ୍ଥାକୁ ଆପଣେଇଛନ୍ତି। ୨୦୨୪ ନିର୍ବାଚନରେ ଦଳ ସଫଳ ଫଳାଫଳ ଦୋହରାଇବ।’’

କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, "ବିଜେଡି ସବୁ ନିର୍ବାଚନ ଜିତୁଛି। ସେମାନଙ୍କ ଲକ୍ଷ ରହିଛି ଶତ ପ୍ରତିଶତ ନିର୍ବାଚନ ହାତେଇବା। ଯିଏ ଗଣତନ୍ତ୍ରକୁ ଧ୍ୱଂସ କରିବାକୁ ଚାହେଁ ସେମାନେ ଏପରି ପ୍ରୟାସ କରନ୍ତି। ଗଣତନ୍ତ୍ର ବଞ୍ଚେଇବାକୁ ଶକ୍ତିଶାଳୀ ବିରୋଧୀଦଳର ଆବଶ୍ୟକତା ରହିଛି। ଏତେ ସମର୍ଥନ ପରେ ବି ଭୋଟରେ ବିଜୟ ପାଇଁ ବିଜେଡି ତଳ ସ୍ତରକୁ ଯାଉଛି। ବିଭିନ୍ନ ପନ୍ଥା ଅପନାଉଛନ୍ତି। ସରକାରୀ କଲ ଅପବ୍ୟବହାର କରୁଛନ୍ତି। ଆଇନ ବିରୋଧୀ କାମ କରୁଛନ୍ତି। ହିଂସାକାଣ୍ଡ ଭିଆଇ ଭୟଭୀତ କରି ଭୋଟ ନେଉଛନ୍ତି। ମୁଁ ପରାଜୟ ସ୍ୱୀକାର କରୁଛି। ତାଙ୍କର ମେସିନାରୀ ଆଗରେ ଆମେ ଫେଲ। ଆଗାମୀ ଦିନ ପାଇଁ ନେତୃତ୍ୱ ଚିନ୍ତା କରିବା କଥା, ଯଥେଷ୍ଟ ପଦକ୍ଷେପ ନେବା କଥା।’’

ସେହିପରି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ନିର୍ବାଚନର ପ୍ରକ୍ରିୟା ପରିବର୍ତ୍ତନ କରିଦେଇଛି ବିଜେଡି। ବ୍ୟାପକ ଅର୍ଥ ବଳ ଓ ସରକାରୀ କଳର ବ୍ୟବହାର କରାଯାଇଛି। ହିଂସାକାଣ୍ଡ ଘଟାଇ ନିର୍ବାଚନ ଜିତିଛନ୍ତି। ଫଳାଫଳକୁ ଲମ୍ବା ସମୟ ଧରି ଭିଡ଼ି ରଖିବାର ପ୍ରୟାସ ବିଜେଡି କରିପାରିବନି। ଏହାର ଦୀର୍ଘସୁତ୍ରୀ ପ୍ରଭାବ ଓଡ଼ିଶା ରାଜନୀତି ଉପରେ ପଡ଼ିବନି। ୨୦୨୪ରେ ବିଜେଡି ଧକ୍କା ପାଇବ। ବିଜେଡି କୁଶାସନ ସହ କେନ୍ଦ୍ର ଯୋଜନାକୁ ହଡ଼ପ କରିବା ପ୍ରସଙ୍ଗକୁ ନେଇ ଚାଲିବ ବିଜେପି। ପୌର ଭୋଟର ବିଜେପି ସପକ୍ଷରେ ଅଛନ୍ତି। ଏଥର ପ୍ରମାଣିତ ହୋଇଛି।’’

ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି,"ବିଶ୍ୱାସଯୋଗ୍ୟ ନେତୃତ୍ୱ ଅଭାବରୁ ବିରୋଧୀ ଫେଲ ମାରୁଛନ୍ତି। ସରକାରଙ୍କ ବିରୋଧି ଜନ ଅସନ୍ତୋଷ ଥାଇ ବି ଏହାକୁ ପୁଞ୍ଜିକରି ଲୋକଙ୍କ ନିକଟରେ ପହଞ୍ଚିବାକୁ ଅକ୍ଷମ ବିରୋଧୀ। ବିଭିନ୍ନ ଯୋଜନା ମାଧ୍ୟମରେ ଶାସକ ଦଳ ଲୋକଙ୍କ ନିକଟତାର ହେଉଥିବା ବେଳେ ବିରୋଧୀଙ୍କ ନିକଟରେ ନିର୍ଦ୍ଧିଷ୍ଟ ପ୍ରସଙ୍ଗ ରହୁନି। ଏବେଠୁ ସଚେତନ ନ ହେଲେ ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ।’’
Published by:Lipina Das
First published: