News18 Odia Digital
ଭୁବନେଶ୍ବର: ଆଜିଠୁ ରାଜ୍ୟରେ (Odisha) ବଦଳିଛି ପାଗ। ପଶ୍ଚିମା ଝଡ଼ର ପ୍ରଭାବ। ସାରା ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି ଅଞ୍ଚଳରେ ବର୍ଷା (Rainfall) ଆରମ୍ଭ। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
ଏହି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ବର୍ଷା ଆରମ୍ଭ ମଧ୍ୟ ହୋଇଯାଇଛି। ଭୁବନେଶ୍ବରରେ ମଧ୍ୟ ଝିପିଝିପି ବର୍ଷା ହୋଇ ଛାଡ଼ିଯାଇଛି। ଆସନ୍ତାକାଲିଠୁ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବପାରେ । ୧୭ ତାରିଖରୁ ସାରା ରାଜ୍ୟରେ ଝଡ଼ବର୍ଷା ହେବ। ପବନ ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ।
୧୬ ରୁ ୧୭ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ମୟୁରଭଞ୍ଜ, ବାଲେଶ୍ୱର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ସେହିସବୁ ଜିଲ୍ଲାଗୁଡ଼ିକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପ୍ରକାଶ ଥାଉକି ଗତ ୧୨ ତାରିଖ ଦିନ ୮ ଜିଲ୍ଲାରେ କେନ୍ଦୁଝର, ବାଲେଶ୍ଵର, ମୟୁରଭଝଞ୍ଜ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, କୋରାପୁଟରେ ଘଡଘଡି ବିଜୁଳି ସହ ବର୍ଷା ନେଇ ୟଲୋ ଆଲର୍ଟ ଜାରି କରିଥିଲା ପାଣିପାଗ ବିଭାଗ।
୧୯ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା ପବନ ଜାରି ରହିବ ବୋଲି ସୂଚନା ମିଳିଛି। ଏହି ସମୟରେ ରାଜ୍ୟରେ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ଯାଏ କମିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଜୁଳି, ଘଡ଼ଘଡ଼ି ଓ ଝଡ଼ ପବନ ଯୋଗୁଁ ବିଭିନ୍ନ ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି କରାଯିବା ସହ ବିଜୁଳି ସମୟରେ ନିରାପଦ ସ୍ଥାନରେ ଆଶ୍ରୟ ନେବା ସହ ନିଜ ସୁରକ୍ଷା ପ୍ରତି ଦୃଷ୍ଟି ହେବାକୁ ସତର୍କ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।