ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ; ବିରୋଧୀ କହିଲେ ଏହା ପ୍ରାୟୋଜିତ ପୁରସ୍କାର
News 18 Odia Digital
ଭୁବନେଶ୍ୱର; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ । ଉଲ୍ଲେଖନୀୟ ନେତୃତ୍ୱ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଏହି ସମ୍ମାନ ମିିଳିବ । ଆସନ୍ତା ସେପ୍ଟେମ୍ବର ୪ରେ ମୁଖ୍ୟମନ୍ତ୍ରୀଙ୍କୁ କରାଯିବ ସମ୍ମାନିତ । ପୂର୍ବତନ ମୁଖ୍ୟ ବିଚାରପତି ଏନ.ଭି ରମନା ଏହି ସମ୍ମାନ ପ୍ରଦାନ କରିବେ । ଏହି ଉତ୍ସବରେ ଜଷ୍ଟିସ ଏ.କେ ପଟ୍ଟନାୟକ ଉପସ୍ଥିତ ରହିବେ । ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ନବୀନଙ୍କ ନେତୃତ୍ୱରେ ୨ ଦଶନ୍ଧିରେ ବିକାଶର ଶୀର୍ଷ ଛୁଇଁଛି ଓଡ଼ିଶା । ନବୀନଙ୍କ ସାଧାରଣ ଜୀବନଶୈଳୀ ଓ ଉଦାରତା ଲୋକଙ୍କୁ ହୃଦୟକୁ ଜିତିଛି । ବିରୋଧୀ ଏହାକୁ ପ୍ରାୟୋଜିତ କହିଥିବା ବେଳେ ବିଜେଡି କହିଛି ନିରବଚ୍ଛିନ୍ନ ଭାବେ ସେବା ଯୋଗାଉଥିବା ଯୋଗୁଁ ଏହି ସମ୍ମାନ ମିଳିଛି ।
ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି ଓଡ଼ିଶା ସବୁଥିରେ ପଛରେ କିନ୍ତୁ ମୁଖ୍ୟମନ୍ତ୍ରୀ ଆଗରେ । ଏହା ଏକ ପ୍ରାୟୋଜିତ ପୁରସ୍କାର । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ପୁରସ୍କାର ପାଇବା ଓ ନମ୍ବର ୧ ମୁଖ୍ୟମନ୍ତ୍ରୀ ହେବା ନବୀନ ପଟ୍ଟନାୟକଙ୍କ ପାଇଁ ନୂଆ ନୁହେଁ । ପୂର୍ବରୁ ବହୁତ ପୁରସ୍କାର ପାଇଛନ୍ତି । ତାହା ବଡ଼ କଥା ନୁହେଁ । ପ୍ରଶ୍ନ ହେଉଛି ଓଡ଼ିଶା ଦରିଦ୍ର କାହିଁକି ? ମୁଖ୍ୟମନ୍ତ୍ରୀ ଦୀର୍ଘ ବର୍ଷ କ୍ଷମତାରେ ରହିବା ପରେ ଓଡ଼ିଶାର ଏଭଳି ଅବସ୍ଥା କାହିଁକି ? ଓଡ଼ିଶାରେ ଚାଷୀ ଆତ୍ମହତ୍ୟା କରୁଛନ୍ତି କାହିଁକି ? ଓଡ଼ିଶାର ଯୁବକ ବେକାର କାହିଁକି ? ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇପାରୁ ନାହାନ୍ତି କାହିଁକି ? ଆଦିବାସୀ ଲୋକ ରାଜ୍ୟରେ ଅବହେଳିତ । ଏଭଳି ସମୟରେ ଯଦି ମୁଖ୍ୟମନ୍ତ୍ରୀ ନମ୍ବର ୧ ହେବେ । ତାକୁ ନେଇ କିଛି କହିବାର ନାହିଁ ।
ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ସମ୍ମାନ ମିଳୁଛି ତାହା ରାଜ୍ୟବାସୀଙ୍କ ସମ୍ମାନ । ନିରବଚ୍ଛିନ୍ନ ଭାବରେ ସେବା ଯୋଗାଉଥିବାରୁ ଏହି ସମ୍ମାନ ମିଳୁଛି । ଏଥିପାଇଁ ରାଜ୍ୟବାସୀ ଗୈାରବାନ୍ୱିତ ମନେକରିବା ଉଚିତ । ତେବେ ବିରୋଧୀ ସବୁ କଥାକୁ ପ୍ରାୟୋଜିତ କହିବା ଦୁର୍ଭାଗ୍ୟଜନକ ।୧୯୮୭ ମସିହାରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବିଚାରପତି, କୂଟନୀତିଜ୍ଞ, ସାମ୍ବାଦିକ ଏବଂ ଶିକ୍ଷା ବିତର୍କ ମିଳିତ ଉଦ୍ୟମରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ଗଠନ ହୋଇଥିଲା । ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନୀତି ନିର୍ଦ୍ଧାରଣ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଏହି ସଂସ୍ଥା ଆଲୋଚନା ଚକ୍ର କର୍ମଶାଳା ଆୟୋଜନ କରିଥାଏ । ଆସନ୍ତା ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ପରେ ସୁପ୍ରିମକୋର୍ଟର ପ୍ରାକ୍ତନ ମୁଖ୍ୟ ବିଚାରପତି ଜଷ୍ଟିସ ରମଣା ଭାରତୀୟ ବିଚାର ବ୍ୟବସ୍ଥାରେ ମୋ ଅନୁଭୂତି ଶୀର୍ଷକ ବକ୍ତୃତା ପ୍ରଦାନ କରିବେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।