ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଅନୁଗୋଳରେ ଲାଗିଛି ଲାଇଫ୍ ଲାଇନ୍ ଏକ୍ସପ୍ରେସ; ମାଗଣାରେ ହେଉଛି ବିଭିନ୍ନ ରୋଗର ଚିକିତ୍ସା

ଅନୁଗୋଳରେ ଲାଗିଛି ଲାଇଫ୍ ଲାଇନ୍ ଏକ୍ସପ୍ରେସ; ମାଗଣାରେ ହେଉଛି ବିଭିନ୍ନ ରୋଗର ଚିକିତ୍ସା

ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବା ସହ ଆବଶ୍ୟକ ଉପକରଣ ଓ ଔଷଧ ଯୋଗାଇ ଦିଆ ଯିବା ବ୍ୟବସ୍ଥା ମଧ୍ୟ ରହିଛି। ଏଥି ପାଇଁ ଜିଲ୍ଲାବାସୀ ଏହାର ସୁଯୋଗ ନେବାକୁ ଅନୁରୋଧ କରିଛି ଏହାର ପରିଚାଳନା ସଂସ୍ଥା ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେସନ।

ଅନୁଗୋଳରେ ଲାଗିଛି ଲାଇଫ୍ ଲାଇନ୍ ଏକ୍ସପ୍ରେସ; ମାଗଣାରେ ହେଉଛି ବିଭିନ୍ନ ରୋଗର ଚିକିତ୍ସା
ଅନୁଗୋଳରେ ଲାଗିଛି ଲାଇଫ୍ ଲାଇନ୍ ଏକ୍ସପ୍ରେସ
  • News18 Odia
  • Last Updated: November 16, 2021, 5:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଅନୁଗୋଳ: ରେଳ ଭିତରେ ରହିଛି ଅତ୍ୟାଧୁନିକ ହସ୍ପିଟାଲ। ଯେଉଁଠି ଉନ୍ନତ ମାନର ଯନ୍ତ୍ରପାତି ଓ ଅଭିଜ୍ଞ ଡାକ୍ତରମାନଙ୍କ ସହାୟତାରେ ବଡ଼ ବଡ଼ ଅସ୍ତ୍ରୋପଚାର କରା ଯିବାର ବ୍ୟବସ୍ଥା ରହିଛି। ସେଭଳି ଏକ ଜୀବନ ରେଖା ଟ୍ରେନ ଏବେ ଅନୁଗୋଳରେ । ଗତ ୧୫ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ଟ୍ରେନ ଅନୁଗୋଳ ଷ୍ଟେସନରେ ରହିବ। ଏହି ଟ୍ରେନ ଭିତରେ ଅତ୍ୟାଧୁନିକ ଅସ୍ତ୍ରୋପଚାର ଯନ୍ତ୍ରପାତି ରହିଛି। ଦେଶର କୋଣ ଅନୁକୋଣରୁ ଅଭିଜ୍ଞ ଡାକ୍ତରମାନେ ଆସି ରୋଗୀଙ୍କୁ ଚିକିତ୍ସା କରିବା ଓ ଅସ୍ତ୍ରୋପଚାର କରିବା ବ୍ୟବସ୍ଥା ରହିଥିବାରୁ ଏହାକୁ ଲାଇଫ ଲାଇନ ଏକ୍ସପ୍ରେସ କୁହାଯାଉଛି।

ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବା ସହ ଆବଶ୍ୟକ ଉପକରଣ ଓ ଔଷଧ ଯୋଗାଇ ଦିଆ ଯିବା ବ୍ୟବସ୍ଥା ମଧ୍ୟ ରହିଛି। ଏଥି ପାଇଁ ଜିଲ୍ଲାବାସୀ ଏହାର ସୁଯୋଗ ନେବାକୁ ଅନୁରୋଧ କରିଛି ଏହାର ପରିଚାଳନା ସଂସ୍ଥା ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେସନ। ସାରା ଦେଶରେ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳର ଗରିବ ରୋଗୀମାନଙ୍କୁ କିଭଳି ଚିକିତ୍ସା ଯୋଗାଇ ଦିଆ ଯାଇପାରିବ ସେଥି ପାଇଁ ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେସନ ସଂସ୍ଥା ତରଫରୁ ଗତ ୧୯୮୪ ଠାରୁ ଉଦ୍ୟମ ଆରମ୍ଭ କରାଯାଇଛି। ତେବେ ଏହି ସେବାକୁ ଆହୁରି ତ୍ୱରାନ୍ୱିତ ତଥା ପର୍ଯ୍ୟାପ୍ତ କରିବା ପାଇଁ ସଂସ୍ଥା ପକ୍ଷରୁ ଗତ ୧୯୯୧ରେ ତତ୍କାଳୀନ ରେଳ ମନ୍ତ୍ରୀଙ୍କୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗାଇ ଦେବାକୁ ଅନୁରୋଧ କରାଯାଇଥିଲା। ସେହି ସମୟ ଠାରୁ ଏ ପର୍ଯ୍ୟନ୍ତ ସଂସ୍ଥାକୁ ୭ଟି ବଗି ଥିବା ଏକ ଟ୍ରେନ ରେଳ ବିଭାଗ ତରଫରୁ ମିଳିଛି। ସେହି ଟ୍ରେନ ଭିତରେ ୨ଟି ଅସ୍ତ୍ରୋପଚାର ବଗି ଅଛି। ଯେଉଁଠି ଆଖି, କାନ, ଗୋଡ଼, ହାତ ଓ ମହିଳାଙ୍କ ବିଭିନ୍ନ ରୋଗର ଅସ୍ତ୍ରୋପଚାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି।

ମାଗଣାରେ ହେଉଛି ବିଭିନ୍ନ ରୋଗର ଚିକିତ୍ସା


ଅତ୍ୟାଧୁନିକ ଯନ୍ତ୍ରପାତି ଅଛି । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ଅନ୍ୟାନ୍ୟ ସ୍ଥାନରୁ ଅଭିଜ୍ଞ ଡାକ୍ତରମାନେ ଆସି ଅସ୍ତ୍ରୋପଚାର କରୁଛନ୍ତି। ଏହି ସେବା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏଥି ପାଇଁ ଦେଶରେ ଥିବା ବଡ଼ ବଡ଼ ଶିଳ୍ପ ଅନୁଷ୍ଠାନମାନେ ସେମାନଙ୍କ ପାରିପର୍ଶ୍ଵକ ଉନ୍ନୟନ ପାଣ୍ଠିରୁ ବ୍ୟାପକ ଅର୍ଥ ଯୋଗାଇ ଦେଉଛନ୍ତି। କେନ୍ଦ୍ର ସରକାର ମଧ୍ୟ ପାର୍ଟନର ଭାବେ ରହିଛନ୍ତି।

ବିଭିନ୍ନ ରାଜ୍ୟ ସରକାରଙ୍କ ସହଯୋଗରେ ସଂସ୍ଥା ବିଭିନ୍ନ ସ୍ଥାନକୁ ଯାଇ ସେବା ଯୋଗାଇ ଦେଉଛନ୍ତି । ଟ୍ରେନ ଗୋଟିଏ ସ୍ଥାନରେ ପହଞ୍ଚିବା ପରେ ସଂସ୍ଥାର ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଗାଡ଼ିରେ ଯାଇ ଗୁରୁତର ରୋଗୀମାନଙ୍କୁ ଟ୍ରେନ ପର୍ଯ୍ୟନ୍ତ ଆଣିବାର ବ୍ୟବସ୍ଥା କରିଛନ୍ତି। ସେହିପରି ଗୋଟିଏ ଲେଖାଏଁ ବଗିରେ ଦାନ୍ତ ସମ୍ପର୍କୀୟ ରୋଗର ଚିକିତ୍ସାଳୟ, ମହିଳା ଓ ପ୍ରସୂତି ରୋଗର ଚିକିତ୍ସାଳୟ, ପରୀକ୍ଷାଗାର, ଆଉଟଡୋର ଆଦି ରହିଛି। ସଂସ୍ଥାର କର୍ମକର୍ତ୍ତାମାନେ ଗାଁ ଗାଁ ବୁଲି ଲାଇଫ ଲାଇନ୍ ଏକ୍ସପ୍ରେସ ସମ୍ପର୍କରେ ସୂଚନା ଦେଉଛନ୍ତି। ତେଣୁ ନିଶ୍ଚିତ ଭାବେ ଏହା ସାଧାରଣ ଗରିବ ରୋଗୀଙ୍କ ପାଇଁ ଉପଯୋଗୀ ହୋଇ ପାରିବ ବୋଲି ଆଶା କରା ଯାଉଛି। ସୋମବାର ଏହାକୁ ଓଡ଼ିଶା ବିଧାନସଭା ବାଚସ୍ପତି ଉଦଘାଟନ କରିବା ପରେ ଏଠାରେ ଆରମ୍ଭ ହୋଇ ଯାଇଛି ରୋଗୀ ଚିକିତ୍ସା।

ଅନୁଗୋଳରେ ଲାଗିଛି ଲାଇଫ୍ ଲାଇନ୍ ଏକ୍ସପ୍ରେସ


ଅଧିକ ସଂଖ୍ୟକ ରୋଗୀ ଆସିବାର ସମ୍ଭାବନା ଥିବାରୁ ସଂସ୍ଥା ତରଫରୁ ଅନୁଗୁଳ ସହରରେ ଥିବା ଏକ କଲ୍ୟାଣ ମଣ୍ଡପ ଓ ରେଳ ଷ୍ଟେସନରେ ଥିବା ଏକ କନଫେରେନ୍ସ ହଲକୁ ନିଆ ଯାଇଛି। ସେଠାରେ ପ୍ରଥମେ ରୋଗୀମାନେ ଆସି ନିଜର ନାମ ପଞ୍ଜିକୃତ କରିବେ । ସେଠାରେ ଉପସ୍ଥିତ ଥିବା ଡାକ୍ତରମାନେ ରୋଗୀର ଅବସ୍ଥା ଦେଖି ଅସ୍ତ୍ରୋପଚାର କରିବାକୁ ଟ୍ରେନ ଭିତରକୁ ପଠାଇବେ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚକିତ୍ସାଳୟ ସହ ମଧ୍ୟ ଯୋଗାଯୋଗ କରାଯାଇଛି। ଅସ୍ତ୍ରୋପଚାର ପରେ ରୋଗୀ ଅଧିକ ଦିନ ରହିବାର ଆବଶ୍ୟକ ପଡ଼ିଲେ ସେଠାରେ ରହିବେ। ସଂସ୍ଥାର ୩ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ରହିଛି। ରୋଗୀମାନଙ୍କୁ ନେବା ଆଣିବା କରିବାରେ ସେଗୁଡିକ ବ୍ୟବହାର କରାଯାଉଛି । ଏଭଳି ଏକ ହସ୍ପିଟାଲ ଇନ୍ ଟ୍ରେନ ପ୍ରଥମ ଥର ପାଇଁ ଅନୁଗୁଳରେ ପହଞ୍ଚିଥିବାରୁ ଗାଁ ଗହଳରେ ଗରିବ ରୋଗୀମାନଙ୍କ ପାଇଁ ଆଶାର କିରଣ ଦେଖା ଯାଇଛି। ଯେଉଁମାନେ ବଡ଼ ବଡ଼ ଅସ୍ତ୍ରୋପଚାର ପାଇଁ ଅର୍ଥ ଅଭାବରୁ ବାହାରକୁ ଯାଇ କରି ପାରୁ ନଥିଲେ ସେମାନେ ଏହାର ସୁଯୋଗ ନେଇ ପାରିବେ।

ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେସର ପ୍ରଫେସର ରୋହିଣୀ ଭି. ଚୋଗୁଳୁ କହିଛନ୍ତି, “ଟ୍ରେନ ଭିତରେ ଅତ୍ୟାଧୁନିକ ହସ୍ପିଟାଲ ସାରା ବିଶ୍ୱରେ ପ୍ରଥମ। ଏହାକୁ ଦେଖି ରୁଷିଆ ଭଳି ଅନ୍ୟ କେତେକ ଦେଶ ଏଭଳି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ହଜାର ହଜାର ଗରିବ ଓ ଅସହାୟ ରୋଗୀ ଉପକୃତ ହୋଇ ପାରୁଛନ୍ତି। ଏହାର ଉପକାରୀତା ଦେଖି ଭାରତୀୟ ରେଳ ବିଭାଗ ଆଗାମୀ ଦିନରେ ଆହୁରି ଅଧିକ ବଗି ଥିବା ଟ୍ରେନ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି ।’’

ରେଳ ଭିତରେ ରହିଛି ଅତ୍ୟାଧୁନିକ ହସ୍ପିଟାଲ


ଓଡିଶା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ କହିଛନ୍ତି, "ଏଭକି ଏକ ଟ୍ରେନ ଭିତରେ ହସ୍ପିଟାଲ ନିଶ୍ଚିତ ଭାବେ ଅର୍ଥ ଅଭାବରୁ ଚିକିତ୍ସା କରାଇ ପାରୁ ନଥିବା ରୋଗୀମାନଙ୍କ ପାଇଁ ଉପଯୋଗୀ। ଏଠାରେ ବହୁତ ବଡ଼ ବଡ଼ ଅସ୍ତ୍ରୋପଚାର ହୋଇ ପାରୁଛି। ତେଣୁ ଏହାର ବହୁଳ ପ୍ରଚାର ଓ ପ୍ରସାର ହେବା ଆବଶ୍ୟକ। ଯାହା ଦ୍ବାରା ଲୋକେ ଜାଣି ପାରିବେ ଓ ଚିକିତ୍ସା ପାଇଁ ଏଠାକୁ ଆସିବେ।’’
Published by: Lipina Das
First published: November 16, 2021, 5:44 PM IST