ବୟସ ବଢି଼ଛି, ବାର୍ଦ୍ଧକ୍ଯ ଛୁଇଁନି; ଦୁବଘାସ ଓ ନିମ୍ୱ ଖାଇ ଫିଟ ଅଛନ୍ତି ସନ୍ଥ ନାଗାରାମ

ବୟସ ୧୧୫ କିନ୍ତୁ ହଟିନି ବଳ। ଆଜି ବି କାହାକୁ ଧରି ପକାଇଲେ ସେ ହାତ ଛଡେଇ ପାରିବନି ବୋଲି କୁହନ୍ତି ସନ୍ଥ ନାଗାରାମ।

ସନ୍ଥ ନାଗାରାମ

ସନ୍ଥ ନାଗାରାମ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଆଜିର ସମୟରେ ୧୦୦ବର୍ଷ ବଞ୍ଚିବା କଥା ଏକପ୍ରକାର ଚିନ୍ତାର ବିଷୟ। ସୁସ୍ଥ ଓ ସତେଜ ରହିବା ପାଇଁ କିଏ କେତେ କଣ ନ କରୁଛନ୍ତି। କିନ୍ତୁ ଏପରି ଜଣେ ବ୍ୟକ୍ତିତ୍ୱ ଅଛନ୍ତି ସେ ନା ଜିମ ଯାଉଛନ୍ତି, ନା ଫଳମୂଳ ପ୍ରୋଟିନ ଆହାର କରୁଛନ୍ତି। ସେ ଏବେ ବି ଫିଟ ଅଛନ୍ତି। ନିଜ କାମ ନିଜେ କରୁଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ଓ ନିରୋଗ ଥିବା ଶ୍ରୀ ଶ୍ରୀ ସନ୍ଥ ନାଗାରାମ ଦାସଙ୍କ କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ଭୁବନେଶ୍ୱର ସ୍ଥିତ କେଦାର ଲେନରେ ରହୁଥିବା ସନ୍ଥ ନାଗାରାମଙ୍କ ବୟସ ଏବେ ୧୧୫ ବର୍ଷ। ଏହି ପରିଣତ ବୟସରେ ସେ ନିଜକୁ ରଖିଛନ୍ତି ପୁରାପୁରି ଫିଟ। କହିବାକୁ ଗଲେ ତାଙ୍କର ବୟସ ହୋଇଯାଇଛି ସତ କିନ୍ତୁ ତାଙ୍କୁ ବାର୍ଦ୍ଧକ୍ଯ ଛୁଇଁ ପାରି ନାହିଁ। ଏତେ ବୟସ ସତ୍ତ୍ୱେ ସେ ନିଜର ସବୁ କାମ କରିବାକୁ ସକ୍ଷମ ଅଛନ୍ତି। ସବୁଠୁ ବଡ଼ କଥା ହେଉଛି ଏହି ବୟସରେ ବି ସେ ୫୦୦ ଗାଇ ଗୋରୁଙ୍କ ସେବା କରୁଛନ୍ତି। ସେମାନଙ୍କ ଖାଦ୍ୟଠୁ ଆରମ୍ଭ କରି ପରିଷ୍କାର ପରିଛନ୍ନ ପର୍ଯ୍ୟନ୍ତ ସବୁ କାମ ସେ ନିଜ ହାତରେ କରନ୍ତି। ପ୍ରତିଦିନ ରାତି ୩ରୁ ଉଠି ଗୋ ସେବାରେ ଲାଗି ଯାଆନ୍ତି ନାଗାରାମ। ଗାଈମାନଙ୍କ ସେବା କିପରି ହେବ ଖାଦ୍ୟ କେଉଁଠୁ ଆସିବ ସେ କଥା ଭାବି ଭାବି ରାତି ସାରା ଶୋଇପାରନ୍ତିନି ବୋଲି କୁହନ୍ତି ନାଗାରାମ।

ଆହୁରି ମଧ୍ୟ ୧୧୫ବର୍ଷ ପର୍ଯ୍ୟନ୍ତ କିପରି ଫିଟ ଅଛନ୍ତି ପ୍ରଶ୍ନରେ ସନ୍ଥ ନାଗାରାମ କୁହନ୍ତି ମୋର ଘର କିଛି ନାହିଁ। ମୁଁ ଗୋଶାଳାରେ ରୁହେ। ଗୋ ସେବା କଲେ ବି ମୁଁ କ୍ଷୀର ଖାଏ ନାହିଁ। ସକାଳୁ ଗୋଟିଏ ଗ୍ଲାସ ପାଣି ପିଏ। ନିତ୍ୟକର୍ମ ପରେ ଗୋଟେ ଲେମ୍ବୁ ଓ ଗ୍ଲାସ ପାଣି ପିଏ। ଯଦି କିଛି ମିଳେ ଖାଇବା ଖାଏ ନ ମିଳେ ଯଦି ନାହିଁ। ମୁଁ ଫଳ ମୂଳ ଭାତ ରୁଟି ଖାଏନି। ଦୁବ ଘାସ ଓ ନିମ୍ବ ପତ୍ର ଖାଇ ପେଟ ପୁରାଏ। ଲାଉ ଭଳି କଞ୍ଚା ପନିପରିବା ପେଟ ପୁରାଇ ଖାଇଦିଏ। ୟୁରିଆ ଓ ସ୍ପ୍ରେ ହୋଇଥିବା ଜିନିଷଠୁ ଦୂରରେ ରୁହେ।ସେତେକ ମିଳିଲେ ମୋ ପାଇଁ ଯଥେଷ୍ଟ। ସକାଳୁ ସନ୍ଧ୍ୟା ମୁଁ ଗୋ ସେବା କରେ। ଗୋମାତାଙ୍କ କୃପାରୁ ମୁଁ ଏବେ ପର୍ଯ୍ୟନ୍ତ ମୋତେ କୌଣସି ରୋଗ ବୈରାଗ ମାଡି ବସିନି। ଏତେ ବୟସରେ ବି ମୁଁ ସବୁ କାମ କରୁଛି। ବସରେ ଯିବା ଆସିବା କରିପାରୁଛି। ରାତିରେ କେବଳ ଘଣ୍ଟେ ପାଇଁ ଵିଶ୍ରାମ କରନ୍ତି ସନ୍ଥ।

କେଵଳ ସେତିକି ନୁହେଁ, ଗାଈ ମାନଙ୍କ ପାଇଁ ଭିକ୍ଷା ମାଗନ୍ତି ସନ୍ଥ। କାହାକୁ ନଡା ପାଇଁ ତ କାହାକୁ କୁଣ୍ଡା ପାଇଁ ପଇସା ମାଗି ଥାନ୍ତି ସନ୍ଥ ନାଗାରାମ। କେଦାର ଲେନରେ ପୂର୍ବରୁ ଗୋଶାଳା ପାଇଁ ପଞ୍ଜିକରଣ ହୋଇଥିଲା। କିନ୍ତୁ ଏବେ ତାହା ଦଶପଲ୍ଲାକୁ ଉଠିଯାଇଛି। ସେଠାରେ ପାହାଡ଼ ଝରଣା ଭରା ପ୍ରକୃତି ସହ ବେଶ ଆନନ୍ଦରେ ଗାଈମାନଙ୍କ ସହ ସନ୍ଥ ନାଗାରାମ ରୁହନ୍ତି।



ଆଜିର ଯୁବପିଢ଼ିକୁ ଆହ୍ୱାନ ଦେଇ ସନ୍ଥ ନାଗାରାମ କହିଛନ୍ତି,ଅମୃତ ଅଳ୍ପ ଖାଇଲେ ଯେତିକି ଲାଭ ଅଛି ବିଷ ଅଧିକ ଖାଇଲେ କଣ ଲାଭ? ଆଜିର ଖାଦ୍ୟପେୟ ଓ ଜୀବନଶୈଲୀକୁ ଯୋଗୁଁ ରୋଗ ବଢି ଚାଲିଛି। ବର୍ତ୍ତମାନ ସାର ୟୁରିଆ ଯୋଗୁଁ ଖାଦ୍ୟ ଦୂଷିତ ହେଉଛି। ଏସବୁକୁ ରୋକିବା ପାଇଁ ଓ ଏକ ସୁସ୍ଥ ଜୀବନ ଯାପନ ପାଇଁ ଗୋ ସେବା କରିବା ଉଚିତ। ଗୋବର ଖତ ଜମିରେ ଖତ ଆକାରରେ ପକାନ୍ତୁ। ସେଥିରୁ ଉତ୍ପାଦନ ହେଉଥିବା ଅନ୍ନ ଜୀବନକୁ ନିରୋଗ କରିବ। ଖାଦ୍ୟ, ଜୀବନଶୈଳୀ ଓ ସଙ୍ଗତ ସିଷ୍ଟମ ରଖିଲେ ଜୀବନ ସୁଗମ ହେବ। ନିଜକୁ ସଂଯମ ରଖିଲେ ଜୀବନ ଆରାମ ମିଳିବ ବୋଲି କହିଥିଲେ ସନ୍ଥ ନାଗାରାମ ଦାସ।
Published by:Soumya Das
First published: