ଅଷ୍ଟ୍ରେଲିଆରୁ ଆସିଛି ଚିଠି; ୧୫ ବର୍ଷ ପରେ ମାଆ ପାଇଁ ଝିଅର ଚିଠି

ଦିନେ କୁନି ଝିଅଟି ବଡ଼ଦାଣ୍ଡ ସାମ୍ନାରେ ବୁଲୁଥିଲା । ଗରିବ ମାଆ ମଧ୍ୟ ଝିଅକୁ ପୋଷି ପାରିବନି ବୋଲି ମନା କରିଥିଲା । ଆଜି ସେହି ଝିଅ ନିଜ ମାଆକୁ ଦେଖା କରିବା ପାଇଁ ଅଷ୍ଟ୍ରେଲିଆରୁ ଲେଖିଛି ଚିଠି ।

ଅଷ୍ଟ୍ରେଲିଆରୁ ଆସିଛି ଚିଠି; ୧୫ ବର୍ଷ ପରେ ମାଆ ପାଇଁ ଝିଅର ଚିଠି

ଅଷ୍ଟ୍ରେଲିଆରୁ ଆସିଛି ଚିଠି; ୧୫ ବର୍ଷ ପରେ ମାଆ ପାଇଁ ଝିଅର ଚିଠି

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ସନ୍ତାନର ଉନ୍ନତି ପାଇଁ ମାତୃତ୍ୱ ବଳିଦାନ । ଆଉ ପୌଷ୍ୟ ସନ୍ତାନ ପୁଣି ନିଜର ସକ୍ଷମ ବୟସରେ ଖୋଜୁଛି ନିଜ ଜନ୍ମକଲା ମାଆକୁ । ଏହି ଘଟଣା ରାଜ୍ୟ କି ଦେଶ ଭିତରେ ନୁହେଁ । ଅଷ୍ଟ୍ରେଲିଆର ଭିକ୍ଟୋରିଆରୁ ଆସିଛି ଏକ ହୃଦୟସ୍ପର୍ଶୀ ଓ ବୁକୁଫଟା ଚିଠି । ଚିଠିରେ ଲେଖାଅଛି ଯେ,  ଜଗନ୍ନାଥ ମୋ ମାଆକୁ ବଞ୍ଚାଇ ରଖିଥାନ୍ତୁ । ସେ କେଉଁଠି ବସି ଭିକ୍ଷା ମାଗୁଥିଲେ ସେହି ମାଟି ଟିକେ ନେବି । ମୋ ମାଆ କୁଷ୍ଠ ରୋଗରେ ପୀଡିତ ଥିବାରୁ ସେ ମୋ ପାଇଁ ଏତେ ବଡ଼ ବଳିଦାନ କିଭଳି ଦେଲା ସେ ନେଇ ମୁଁ ତାକୁ ଟିକେ ଭେଟିବା ସହ ପଚାରିବି । ଆଉ ଏହିଭଳି ତିନୋଟି ଇ ମେଲ କରିଛନ୍ତି ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ପୌଷ୍ୟ ସନ୍ତାନ ହୋଇ ରହିଥିବା ୧୮ ବର୍ଷୀୟା ମମତା ଫେନି । ଏହି ଚିଠି ପାଇଛନ୍ତି ପୁରୀ ଚାଇଲ୍ଡଲାଇନ ନିର୍ଦ୍ଦେଶକ ଦେବାଶିଷ ରଥ ।

ଚିଠିଟିରେ ମାତୃ ସ୍ନେହର ଆବେଗ ଭରି ରହିଛି । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ୨୦୦୭ ଜାନୁଆରୀ ୩ ତାରିଖରେ ଉଦ୍ଧାର ହୋଇଥିବା ତିନି ବର୍ଷର ଝିଅ ୧୫ବର୍ଷ ପରେ ମା’ଙ୍କ ଠିକଣା ପାଇଛି । ଝିଅ ମମତା ତାର ମା’ଙ୍କୁ ଭେଟିବାକୁ ଚାହୁଁଛି । ମମତାଙ୍କର ବୟସ ବେ ୧୮ ବର୍ଷ । ଅଷ୍ଟ୍ରେଲିଆରେ ଏବେ ସ୍ନାତକ ପାଠ ଶେଷ କରିଛନ୍ତି ମମତା । ପୁରୀ ଚାଇଲ୍ଡଲାଇନ ମମତାଙ୍କ ମା’ ବାସନ୍ତୀଙ୍କୁ ଖୋଜୁଛନ୍ତି। ବାସନ୍ତୀଙ୍କ ସମ୍ପର୍କରେ କେହି କିଛି ଜାଣିଥିଲେ ମୋବାଇଲ ଫୋନ ନମ୍ବର ୯୪୩୭୦୩୭୨୦୩ରେ ଜଣାଇବାକୁ ଚାଇଲ୍ଡଲାଇନ ନିବେଦନ କରିଛି । ମମତା ତାଙ୍କର ମା’ଙ୍କୁ ଦେଖିବାକୁ ଚାହୁଁଛନ୍ତି ।

ପୌଷ୍ୟ ସନ୍ତାନ ନିୟମ ଅନୁଯାୟୀ ରୁଟସୋର୍ସ ବ୍ୟବସ୍ଥା ରହିଛି । ପିଲାଟି ଯେଉଁଠୁ ଉଦ୍ଧାର ହୋଇଥିଲା ଓ ତାର ପରିବାର କିଭଳି ରହୁଛନ୍ତି । ତା ବିଷୟରେ ସମସ୍ତ ତଥ୍ୟ ହାସଲ କରିଥାନ୍ତି।  ଏଥିରେ ଶିଶୁ ଯତ୍ନ ଅନୁଷ୍ଠାନ ଓ ଜିଲା ଶିଶୁ ଅଧିକାରୀ ସହଯୋଗ କରିଥାନ୍ତି । ତେବେ ପୁରୀରୁ ମମତାଙ୍କ ଅଷ୍ଟ୍ରେଲିଆ ଯାତ୍ରା ଏକ ଚଳଚ୍ଚିତ୍ରର କାହାଣୀ ଭଳି ମନେ ହେଉଛି । ସିଂହଦ୍ୱାର ସମ୍ମୁଖରେ ବୁଲୁଥିଲେ ୩ ବର୍ଷର ଝିଅ ମମତା। ପୁରୀ ଚାଇଲ୍ଡଲାଇନ ସେଠାରୁ ତାଙ୍କୁ ଉଦ୍ଧାର କରି କଟକ ବସୁନ୍ଧରା ଶିଶୁ ଯତ୍ନକେନ୍ଦ୍ରରେ ଛାଡ଼ିଥିଲେ। ମମତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଆଇନ ଆଧାରରେ କେହି ଆବେଦନ କରିନଥିଲେ। ପରେ ପୋଷ୍ୟ ସନ୍ତାନ ଆଇନ ଆଧାରରେ ଆନ୍ତର୍ଜ।ତିକ ସ୍ତରରେ ମମତାଙ୍କୁ ପୋଷ୍ୟ ସନ୍ତାନ କରିବାକୁ ନୋଟିସ ହୋଇଥିଲା । ଏହି ନୋଟିସର ତିନି ମାସ ପରେ ଅଷ୍ଟ୍ରେଲିଆରୁ ଏକ ଦମ୍ପତି ତାଙ୍କୁ ପୋଷ୍ୟ କନ୍ୟା କରିବାକୁ ଆବେଦନ କରିଥିଲେ ।

ମମତା ସମ୍ପର୍କରେ ତଥ୍ୟ ନେବାକୁ ଆଷ୍ଟ୍ରେଲିଆରୁ ତିନି ଜଣ ବସୁନ୍ଧରାରେ ପହଞ୍ଚିଥିଲେ। ବସୁନ୍ଧରାରୁ ଆଷ୍ଟ୍ରେଲିଆର ଆବେଦନକାରୀମାନେ ତଥ୍ୟ ପାଇଥିଲେ ଯେ, ମମତାଙ୍କୁ ପୁରୀ ଚାଇଲ୍ଡଲାଇନ ଉଦ୍ଧାର କରିଥିଲା। ଏହି ଆବେଦନକାରୀମାନେ ପୁରୀ ଆସି ଚାଇଲ୍ଡଲାଇନରୁ ତଥ୍ୟ ମାଗିଥିଲେ। ସଂଗଠନର ନିର୍ଦ୍ଦଶେକ ଦେବାଶିଷ ରଥଙ୍କ ଅନୁପସ୍ଥିତି କାରଣରୁ ତାଙ୍କୁ ମମତାଙ୍କ ମା’ଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିନଥିଲା। ମା’ଙ୍କ ସମ୍ପର୍କରେ ଜାଣିବାର ଇଛା ଅଧୁରା ରହିଯାଇଥିଲା । କିନ୍ତୁ ପୁରୀ ଚାଇଲ୍ଡଲାଇନରୁ ଠିକଣା ସଂଗ୍ରହ କରି ନେଇଥିଲେ । ଏବେ ୨୦୨୩ ଜାନୁଆରୀ ୩ରେ ମମତା ଜନ୍ମ ଦିନ ପାଳନ ଅବସରରେ ପୁରୀ ଚାଇଲ୍ଡଲାଇନ ନିର୍ଦ୍ଦେଶକଙ୍କ ମେଲକୁ ଏକ ଆବେଗ ଭରା ଚିଠି ଲେଖି ମା’ଙ୍କୁ ସାକ୍ଷାତ କରିବାକୁ ନିବେଦନ କରିଛନ୍ତି ।

ଭାଗ୍ୟର ବିଡ଼ମ୍ବନାରୁ ମମତାଙ୍କ ମା’ ଜଣେ ଶାରୀରିକ ଅକ୍ଷମ କୁଷ୍ଠ ରୋଗୀ। ଉଦ୍ଧାର ବେଳେ ଖୋର୍ଦ୍ଧାରେ ସେ ବସବାସ କରୁଥିଲେ । ୨୦୦୭ ମସିହାରେ ପୁରୀ ଚାଇଲଡ୍ଲାଇନକୁ ସିଂହଦ୍ୱାର ଥାନା ପୋଲିସ ସୂଚନା ଦେଇଥିଲା ସିଂହଦ୍ୱାର ସମ୍ମୁଖରେ ରାତିରେ ଜଣେ ଶିଶୁ କନ୍ୟା ବୁଲୁଛି । ଚାଇଲ୍ଡଲାଇନ ସଦସ୍ୟ ଆସି ସିଂହଦ୍ବାରରୁ ମମତାଙ୍କୁ ଉଦ୍ଧାର କରିଥିଲେ। ମମତାଙ୍କ ମା’ଙ୍କ ସମ୍ପର୍କରେ ପୋଲିସ ଓ ଚାଇଲ୍ଡଲାଇନ ତଥ୍ୟ ନେଇ ଜାଣିବାକୁ ପାଇଥିଲେ ଯେ ସେ ଖୋର୍ଦ୍ଧାରେ ରହୁଛନ୍ତି । କୁଷ୍ଠ ରୋଗୀ ବାସନ୍ତୀ ସମ୍ଭବତଃ ମମତାଙ୍କ ଭବିଷ୍ୟତ ନେଇ ଚିନ୍ତିତ ଥିଲେ । ଭବିଷ୍ୟତକୁ ମମତାଙ୍କ ଭାଗ୍ୟ ଉପରେ ଛାଡି ବାସନ୍ତୀ ସିଂହଦ୍ୱାର ସାମ୍ନାରୁ ଚାଲି ଯାଇଥିଲେ । ବାସନ୍ତୀ ଖୋର୍ଦ୍ଧାରେ ରହୁଥିବା ବେଳେ ମା’କୁ ହସ୍ତାନ୍ତର କରିବାକୁ ମମତାଙ୍କୁ ନେଇ ବାସନ୍ତୀ ପାଖକୁ ଯାଇଥିଲେ ଚାଇଲ୍ଡ ଲାଇନ୍। ଅସହାୟ ବାସନ୍ତୀ ଖରାପ ସ୍ୱାସ୍ଥ୍ୟ ଓ ଦାରିଦ୍ର କାରଣରୁ
ନିଜ ଝିଅକୁ ରଖିବାକୁ ଅକ୍ଷମତା ପ୍ରକାଶ କରିଥିଲେ । ଶିଶୁ ସୁରକ୍ଷା ଆଇନ ମୁତାବକ ଚାଇଲ୍ଡଲାଇନ ମମତାଙ୍କୁ କଟକ ବସୁନ୍ଧରା ସେଲ୍ଟର ହୋମରେ ଛାଡ଼ିଥିଲେ ।

ଜାନୁଆରୀରେ ଅଷ୍ଟ୍ରେଲିଆରୁ ମମତା ଆସିବେ ବୋଲି ଜଣାପଡିଛି । ତାଙ୍କର ମା’ଙ୍କ ସହ ମିଳନ ହେବ କି ନାହିଁ ତାହା କହିବା ମୁସ୍କିଲ୍ । ମମତାଙ୍କ ପୋଷ୍ୟ ମାତା, ପିତା ମଧ୍ୟ ଗୋଟିଏ ଚିଠି ଦେଇଛନ୍ତି । ଅଷ୍ଟ୍ରେଲିଆ ଭଳି ଏକ ଉନ୍ନତ ରାଷ୍ଟ୍ରରେ ମମତାଙ୍କୁ ମଣିଷ କରିବୁ ଏବଂ ଚିକିତ୍ସା ସେବା ଦେବା ସହ ପରିବାରର ଜଣେ ସଦସ୍ୟ ରୂପେ ଗ୍ରହଣ କରିଥିବାରୁ ଆମେ ଗର୍ବ ଅନୁଭବ କରୁଛୁ ବୋଲି ପୋଷ୍ୟ ପିତା ଡେବ୍ରା ଫେନି ଚାଇଲ୍ଡଲାଇନ ନିର୍ଦ୍ଦଶେକଙ୍କୁ ଚିଠିରେ କୃତଜ୍ଞତା ଜଣାଇଛନ୍ତି । ତିନି ବର୍ଷର ମମତା ଏବେ ଖୁବ ଭଲରେ ଝିଅ ଭାବରେ ଫେନି ପରିବାରରେ ରହିଛନ୍ତି । କିନ୍ତୁ ମମତାଙ୍କ ମାଆ ବାସନ୍ତୀ ଏବେ କେଉଁଠି ଏବଂ ମମତାଙ୍କ ସହ ତାଙ୍କର କିଭଳି ମିଳନ ହେବ ସେଥିଲାଗି ଚାଲିଥିବା ଉଦ୍ୟମ ସଫଳ ହେବ ବୋଲି କେବଳ ଆଶା କରାଯାଉଛି ।
Published by:Soubhagya Mishra
First published: