ତାପମାତ୍ରା ବୃଦ୍ଧି ଯୋଗୁଁ ଲେମ୍ବୁ ଚାଷ ପ୍ରଭାବିତ; ୧୦ ଟଙ୍କାରେ ବିକ୍ରି ହେଉଛି ଗୋଟିଏ ଲେମ୍ବୁ

ଏହି ସମୟରେ ଲେମ୍ବୁରେ ଗଛ ଡାଳ ନଇଁ ପଡ଼ିବା କଥା। କିନ୍ତୁ ଏବେ ଫଳଟିଏ ଖୋଜିବାକୁ ପଡୁଛି। ଅନୁଗୁଳ ଜିଲ୍ଲାରୁ କୁଇଣ୍ଟାଲ କୁଇଣ୍ଟାଲ ଲେମ୍ବୁ ବାହାର ଜିଲ୍ଲା ଓ ରାଜ୍ୟକୁ ଚାଲାଣ ହେଉଥିଲା। କିନ୍ତୁ ଚଳିତ ବର୍ଷ ଚାଷୀ ନିଜେ ଖାଇବାକୁ ଗୋଟିକୁ ୧୦ ଟଙ୍କା ଦେଇ କିଣୁଛି।

ତାପମାତ୍ରା ବୃଦ୍ଧି ଯୋଗୁଁ ଲେମ୍ବୁ ଚାଷ ପ୍ରଭାବିତ

ତାପମାତ୍ରା ବୃଦ୍ଧି ଯୋଗୁଁ ଲେମ୍ବୁ ଚାଷ ପ୍ରଭାବିତ

  • Share this:
News18 Odia Digital

ଅନୁଗୁଳ: ଚଳିତ ବର୍ଷ ଅନୁଗୁଳ ଜିଲ୍ଲାରେ ଲେମ୍ବୁ ଚାଷ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଜଳବାୟୁରେ ପରିବର୍ତ୍ତନ ଯୋଗୁ କୌଣସି ଗଛରେ ଫଳ ହୋଇ ନାହିଁ। ପ୍ରଥମେ ଗଛରେ ଫୁଲ ଧରିବା ସମୟରେ ଘନ କୁହୁଡି ଯୋଗୁ ଫୁଲ ଝଡ଼ିଗଲା। ଆଉ ଯାହା ଥିଲା ପ୍ରବଳ ଖରାର ପ୍ରଭାବରେ ନଷ୍ଟ ହୋଇଯାଇଛି।

ଏହି ସମୟରେ ଲେମ୍ବୁରେ ଗଛ ଡାଳ ନଇଁ ପଡ଼ିବା କଥା। କିନ୍ତୁ ଏବେ ଫଳଟିଏ ଖୋଜିବାକୁ ପଡୁଛି। ଅନୁଗୁଳ ଜିଲ୍ଲାରୁ କୁଇଣ୍ଟାଲ କୁଇଣ୍ଟାଲ ଲେମ୍ବୁ ବାହାର ଜିଲ୍ଲା ଓ ରାଜ୍ୟକୁ ଚାଲାଣ ହେଉଥିଲା। କିନ୍ତୁ ଚଳିତ ବର୍ଷ ଚାଷୀ ନିଜେ ଖାଇବାକୁ ଗୋଟିକୁ ୧୦ ଟଙ୍କା ଦେଇ କିଣୁଛି। ଦିନ ଥିଲା ଅନୁଗୁଳ ଜିଲ୍ଲା ଲେମ୍ବୁ ଓ କମଳା ଚାଷ ପାଇଁ ବେସ ଜଣାଶୁଣା ଥିଲା। ଏଠାରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ବିପୁଳ ପରିମାଣର ଲେମ୍ବୁ ଓ କମଳା ଚାଲାଣ ହେଉଥିଲା। କାରଣ ଅନୁଗୁଳ ଜିଲ୍ଲାର ଅନୁଗୁଳ, ଆଠମଲ୍ଲିକ ଓ ପାଲଲହଡା ବ୍ଲକରେ ଅନୁକୂଳ ଜଳବାୟୁ ଯୋଗୁ ବ୍ୟାପକ ଲେମ୍ବୁ ଓ କମଳା ଚାଷ ହୁଏ।

ଆଜି ମଧ୍ୟ ସରକାରୀ ରେକର୍ଡ ଅନୁସାରେ ଜିଲ୍ଲାର ଏହି ୩ଟି ବ୍ଲକରେ ପ୍ରାୟ ୭୦୦ ହେକ୍ଟର ଜମିରେ ଲେମ୍ବୁ ଚାଷ ହେଉଛି। କିନ୍ତୁ କେବଳ ଅନୁଗୁଳ ବ୍ଲକର ବନ୍ତଳା ଅଞ୍ଚଳରେ ୪୦୦ ହେକ୍ଟର ଜମିରେ ଲେମ୍ବୁ ଚାଷ କରା ଯାଉଛି। ଉଦ୍ୟାନ ବିଭାଗ ରେକର୍ଡ ଅନୁସାରେ ପ୍ରତ୍ୟକ ବର୍ଷ ଅନୁଗୁଳ ଜିଲ୍ଲାରେ ଦେଢ଼ ଲକ୍ଷ କୁଇଣ୍ଟାଲ ଲେମ୍ବୁ ଉତ୍ପାଦନ ହେଉଛି। ତେଣୁ ଆମ ରାଜ୍ୟର ଆବଶ୍ୟକତା ପୂରଣ କରିବାରେ କୌଣସି ଅସୁବିଧା ହେଉ ନାହିଁ। କିନ୍ତୁ ଚଳିତ ବର୍ଷ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ମାର୍ଚ୍ଚ ଓ ଏପ୍ରିଲ ମାସରେ ଲେମ୍ବୁ ଉତ୍ପାଦନ ହେବା କଥା। ହେଲେ କୌଣସି ଗଛରେ ଫଳଟିଏ ଦେଖିବାକୁ ମିଳୁନି। ଏହାର କାରଣ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ବୋଲି କୁହାଯାଉଛି।

ଗଛରେ ଫୁଲ ହେବା ସମୟରେ କୁହୁଡି ହେବାରୁ ଅଧିକାଂଶ ଫୁଲ ଝଡ଼ିଗଲା। ଯାହାକିଛି ରହିଲା ପ୍ରବଳ ଖରାରେ ଶୁଖି ଗଲା। ଏବେ ଯେଉଁ କିଛି ଗଛରେ ଫଳ ଅଳ୍ପ ସଂଖ୍ୟାରେ ଫଳ ଅଛି ତାହା ଆଉ ଆକାରରେ ବୃଦ୍ଧି ପାଉ ନାହିଁ। ପ୍ରବଳ ଖରାରେ ଶୁଖି ତଳେ ପଡୁଛି। ତେଣୁ ଚାଷୀଟିଏ ମଧ୍ୟ ନିଜେ ବ୍ୟବହାର କରିବାକୁ ଲେମ୍ବୁଟିଏ ପାଉନାହିଁ। ପ୍ରକୃତରେ ପ୍ରତ୍ୟକ ବର୍ଷ ଖରାଦିନେ ଥରେ ଦୁଇଥର ବର୍ଷା ହୁଏ। ଯାହାକି ଲେମ୍ବୁ ଗଛରେ ଫୁଲ ନଝଡ଼ିବାରେ ସହାୟକ ହୋଇଥାଏ। ଏହାଛଡା ଗଛରେ ପାଣି ମଡ଼ାଇବା ପାଇଁ ଆବଶ୍ୟକ ପଡ଼େନାହିଁ। କିନ୍ତୁ ଚଳିତ ବର୍ଷ ଆଦୌ ବର୍ଷା ହୋଇ ନାହିଁ। ତେଣୁ ସବୁ ଜଳାଶୟ ଶୁଖି ଗଲାଣି। ବୋର ୱେଲ ଓ କୂଅ ଜଳସ୍ତର ବହୁତ ତଳକୁ ଚାଲି ଗଲାଣି। ତେଣୁ ଚାଷୀ ଚାହିଁଲେ ମଧ୍ୟ ପାଣି ମଡ଼ାଇ ପାରୁ ନାହାଁନ୍ତି।

ଚଳିତ ବର୍ଷ ମାର୍ଚ୍ଚ ମାସରୁ ହିଁ ବିଗତ ବର୍ଷ ଅପେକ୍ଷା ୪/୫ଡିଗ୍ରୀ ତାପମାତ୍ରା ଅଧିକ ରହୁଛି। ଯାହାକି ଲେମ୍ବୁ ଚାଷ ପାଇଁ ଆଦୌ ଅନୁକୂଳ ନୁହେଁ। ତେଣୁ କୌଣସି ଗଛରେ ଲେମ୍ବୁଟିଏ ଦେଖିବାକୁ ମିଳୁନି। ଉଦ୍ୟାନ ବିଭାଗ ତରଫରୁ ଲେମ୍ବୁ ଚାଷ ପାଇଁ ବ୍ୟାପକ ଯୋଜନା କରାଯାଇଛି। ଚାଷୀମାନଙ୍କୁ ପ୍ରୋତ୍ସାହନ ଦିଆ ଯାଉଛି। କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁ ଏହି ଚାଷ ପ୍ରଭାବିତ ହେଉଛି। ଆମ ରାଜ୍ୟ ଏବେ ଆନ୍ଧ୍ର ଓ ପଶ୍ଚିମବଙ୍ଗ ଲେମ୍ବୁ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ସେହି ରାଜ୍ୟ ଗୁଡିକରୁ ମଧ୍ୟ ପର୍ଯ୍ୟାପ୍ତ ଲେମ୍ବୁ ଆସୁ ନଥିବାରୁ ବଜାରରେ ଲେମ୍ବୁର ଆଶାତୀତ ମୂଲ୍ୟବୃଦ୍ଧି ଘଟିଛି। ବିଶେଷ କରି ଖରାଦିନେ ଲେମ୍ବୁର ଚାହିଦା ଅଧିକ ଥିଲେ ମଧ୍ୟ ମିଳୁନାହିଁ।

ଚଳିତ ବର୍ଷ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ନିଶ୍ଚିତ ଭାବେ ଉଦବେଗ ଜନକ। ତେଣୁ ସରକାରୀ ସ୍ତରରେ ଆଧୁନିକ ଜ୍ଞାନ କୌଶଳ ଅବଲମ୍ବନ କରି ଲେମ୍ବୁ ଉତ୍ପାଦନ ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହନ ନଦେଲେ ଆଗାମୀ ଦିନରେ ଆଉ ଲେମ୍ବୁ ଦେଖିବାକୁ ମିଳିବ ନାହିଁ।

“ଜଳବାୟୁରେ ଏମିତି ପରିବର୍ତ୍ତନ ହେଉଛି ଯେ ସବୁ ଚାଷ ପ୍ରଭାବିତ ହେବାରେ ଲାଗିଛି। ବିଗତ ବର୍ଷ ମାନଙ୍କରେ ଏହି ସମୟ ବେଳକୁ ଆମେ କୁଇଣ୍ଟାଲ କୁଇଣ୍ଟାଲ ଲେମ୍ବୁ ଅମଳ କରିଥିଲୁ। ଏବର୍ଷ ଗଛରେ ଲେମ୍ବୁଟିଏ ଦେଖିବାକୁ ମିଳୁନି। ଫୁଲ ହେବା ସମୟରେ କୁହୁଡି ହେଲା। ଅଧିକାଂଶ ଫୁଲ ଝଡ଼ିଗଲା। ଯାହା ରହିଲା ଏତେ ଖରା ହେଉଛି ଯେ ସବୁ ଶୁଖି ଯାଉଛି। ଯାହା ଅଳ୍ପ କିଛି ଫଳ ଅଛି ଗଛରେ ଆଉ ତାହା ମଧ୍ୟ ଶୁଖି ଯାଉଛି। ତେଣୁ ଆମେ ବହୁତ କ୍ଷତି ସହିବାକୁ ପଡୁଛି,“ କହିଛନ୍ତି ଜଣେ ଲେମ୍ବୁ ଚାଷୀ ପିତାମ୍ବର ଦେହୁରୀ।

“ଲେମ୍ବୁ ଫୁଲ ହେବା ସମୟରେ ସାମାନ୍ୟ ବର୍ଷା ହେଲେ ଆଉ ଫୁଲ ଝଡ଼େ ନାହିଁ। ଏହାଛଡ଼ା ପୂର୍ବରୁ ମାର୍ଚ୍ଚ ଏପ୍ରିଲ ମାସରେ ହାରାହାରି ତାପମାତ୍ରା ୩୫/୩୬ ଡିଗ୍ରୀ ରହୁଥିଲା। ଏବେ ୪୦ ଡିଗ୍ରୀ ପାର ହୋଇ ଯାଉଛି। ଯାହାକି ଲେମ୍ବୁ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରୁଛି। ଫଳ ସମୟରେ ଜଳ ସେଚନ ଆବଶ୍ୟକ ଥିଲେ ମଧ୍ୟ ପାଣିର ଅଭାବ ଯୋଗୁଁ ତାହା ହୋଇ ପାରୁ ନାହିଁ। ଏସବୁ କାରଣ ଯୋଗୁ ଲେମ୍ବୁ ଚାଷ ପ୍ରଭାବିତ ହେଉଛି,“ ଏମିତି କହିଛନ୍ତି ଜଣେ ପରିବେଶ କର୍ମୀ ଅଶୋକ ଶତପଥୀ।

“ଅନୁଗୁଳରେ ୭୦୦ ହେକ୍ଟର ଜାଗାରେ ଲେମ୍ବୁଚାଷ ହେଉଛି। ବର୍ଷକୁ ପ୍ରାୟ ଦେଢ଼ ଲକ୍ଷ କୁଇଣ୍ଟାଲ ଲେମ୍ବୁ ଅମଳ ହୁଏ। ଉଦ୍ୟାନ ବିଭାଗ ତରଫରୁ ଲେମ୍ବୁ ଚାଷ ପାଇଁ ବ୍ୟାପକ ପ୍ରୋତ୍ସାହନ ଦିଆ ଯାଉଛି। କିନ୍ତୁ ଜଳବାୟୁରେ ପରିବର୍ତ୍ତନ ଲେମ୍ବୁ ଚାଷକୁ ସୁହାଉନି। ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି,“ କହିଛନ୍ତି ସହକାରୀ ଉଦ୍ୟାନ ଅଧିକାରୀ ଶାନ୍ତନୁ କୁମାର ନାୟକ।
Published by:Lipina Das
First published: