News 18 Odia Digital
ଭୁବନେଶ୍ୱର; ମହିଳା ପୋଲିସଙ୍କୁ ରାଜଧାନୀରେ ପିଛା କରିବା ଘଟଣାରେ ଆଜି ମୁହଁ ଖୋଲିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ନିଜ ସୋସିଆଲ ମିଡିଆ ପେଜରେ ଭିଡିଓ ପୋଷ୍ଚ କରି ଲେଖାଶ୍ରୀ କହିଛନ୍ତି ଯେ, ଭୁବନେଶ୍ୱରର ଏକ ଭିଆଇପି ଏରିଆରେ ରିଜର୍ଭ ପୋଲିସ ଲାଇନ ପାଖରେ ମଧ୍ୟରାତ୍ରୀରେ ଯେଉଁଭଳି ଭାବରେ କିଛି ବ୍ୟକ୍ତି ମଦ୍ୟପାନ କରି ଜଣେ କାମରୁ ଫେରୁଥିବା ଏସଆଇଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ ଉଦ୍ୟମ କଲେ ଏହା ବିଜୁ ଜନତା ଦଳ ଶାସନର ମାଆଙ୍କୁ ସମ୍ମାନ ତଥା ମହିଳା ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଯଦି ଭୁବନେଶ୍ୱରରେ ଏପରି ଘଟଣା ଘଟୁଛି ତେବେ ଓଡ଼ିଶାର ଅନ୍ୟ ଅଞ୍ଚଳର ଅବସ୍ଥା ଭଲ ଭାବରେ ଜାଣିପାରୁଥିବା । ପୋଲିସ ବି ତାର ନିଜ ସୁରକ୍ଷା କରିବାରେ ଅକ୍ଷମ ହୋଇଛି । ଅପରାଧି ମାନଙ୍କର ମନୋବଳ ଏତେ ବଢିଯାଇଛି ଏତେ ବେପରୁଆ ସେମାନେ ହୋଇଯାଇଛନ୍ତି ଯେ, ବର୍ଦ୍ଦି ପିନ୍ଧିଥିବା ପୋଲିସ ଉପରେ ଆକ୍ରମଣ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉ ନାହାନ୍ତି । ଆଉ ପୋଲିସ ମଧ୍ୟ କେବଳ ଭିଆଇପି ପ୍ରୋଟେକ୍ସନରେ ମାତିବା ହେତୁ ସେମାନେ ଆଉ ଆଇନ ଶୃଙ୍ଖଳା ମେଣ୍ଟେନ୍ କରିବାର ସ୍ଥିତିରେ ନାହାନ୍ତି ।
ଯେଉଁ କଥା ଆମର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିକି ଗଲେ, ପୋଲିସ ଉପରେ ଆକ୍ରମଣ ହେଉଥିବା ଯାଗା ହେଉଛି ଓଡ଼ିଶା ଏବଂ ପୋଲିସ ନିଜର ସୁରକ୍ଷା ଏଠି କରିପାରୁନି । ସାଧାରଣ ଜନତାଙ୍କର କଣ କରିବ ? ବଡ଼ କଥା ହେଲା ଏଠି ଯେଉଁଭଳି ଭାବରେ ଡିସିପି ମଧ୍ୟ ଆସି ଅପରାଧିମାନଙ୍କୁ ଘଣ୍ଟ ଘୋଡାଇବା ଭଳି କଥା କହୁଛନ୍ତି ମତେ ଲାଗୁଛି ତାହା ଅପରାଧୀଙ୍କ ମନୋବଳ ବଢାଉଛି । ଏଥିସହ ତାଙ୍କର ନିଜ ଏସଆଇ ଯିଏ ପୀଡିତା ସେ କହୁଛନ୍ତି ଖଣ୍ଡା ବୁଲିଲା କିନ୍ତୁ ଡିସିପି କହୁଛନ୍ତି ସେମିତି କିଛି ଆମେ ପ୍ରମାଣ ପାଇନାହୁଁ । ତାମାନେ ନିଜ ପୋଲିସ ବିଭାଗର କଥାକୁ ଖଣ୍ଡନ କରି ଅପରାଧି ମାନଙ୍କୁ କ୍ଲିନ୍ ଚିଟ୍ ଦେବା ପାଇଁ ଏ କଥା ଡିସିପି କହିଲେ ଏହା ପ୍ରଶାସନର ଅପାରଗତାକୁ ଲୁଚାଇବା ପାଇଁ ଏ ଷଡଯନ୍ତ୍ର ରଚିଛନ୍ତି । ଓଡ଼ିଶାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ । କଣ ଏଥିପାଇଁ ମୁଖ୍ୟମନ୍ତ୍ରୀ କହୁଛନ୍ତି ମହିଳା ମାନଙ୍କ ଭୋଟ ପାଇଲେ ଆମେ ଶହେ ବର୍ଷ ଆହୁରି ଶାସନ କରିବୁ । ତାମାନେ ଆହୁରି ଶହେ ବର୍ଷ ଶାସନ କରି ଏପରି ଅତ୍ୟାଚାର କରୁଥିବେ ମୁଖ୍ୟମନ୍ତ୍ରୀ ?
ସୂଚନାଯୋଗ୍ୟ, ଗତ ଜାନୁଆରୀ ୧ ତାରିଖ ବିଳମ୍ବିତ ରାତିରେ କ୍ୟାପିଟାଲ ଥାନାର ମହିଳା ଏସଆଇ ଶୁଭଶ୍ରୀ ନାୟକ ଡ୍ୟୁଟି ସାରି କ୍ୱାଟରକୁ ଆସୁଥିବା ସମୟରେ ଏକ ଇନୋଭା କାରରେ ତିନି ଅଭିଯୁକ୍ତ ଶୁଭଶ୍ରୀଙ୍କୁ ଗୋଡ଼ାଇ ଥିଲେ। ପରେ ଗାଡି ଭିତରୁ ଏକ ଖଣ୍ଡା ବାହାର କରିଥିବା ନେଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ ଶୁଭଶ୍ରୀ। ସେପଟେ ଆକ୍ରମଣ ଉଦ୍ୟମ କରିଥିବା ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ସହିଦନଗର ଥାନା ପୋଲିସ।
ତଦନ୍ତ ବେଳେ ଜଣାପଡ଼ିଛି ଯେ ୩ ଅଭିଯୁକ୍ତ ଡ୍ରାଇଭର। ଅଣଓସାରିଆ ରାସ୍ତାରେ ଗାଡି ସାଇଡ ମାରିବା ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ସେମାନେ RO ପର୍ଯ୍ୟନ୍ତ ମହିଳା ଏସଆଇଙ୍କୁ ପିଛା କରି ଯାଇଥିଲେ। ପରେ ଫେରାର ହୋଇ ଯାଇଥିଲେ । ଅଭିଯୁକ୍ତଙ୍କୁ କଟକ, ପୁରୀ ଏବଂ ଭୁବନେଶ୍ୱରରୁ ଗିରଫ କରିଛି ପୋଲିସ । ଏବେ ସୁଧା ଅଭିଯୁକ୍ତଙ୍କ ଠାରୁ କୋଣସି ମାରଣାସ୍ତ୍ର ଜବତ ହୋଇନାହିଁ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ଭୁଲ ମାଗିବା ପାଇଁ ଏସଆଇ ଶୁଭଶ୍ରୀଙ୍କୁ ପିଛା କରିଥିଲେ।
https://twitter.com/DrLekhaShree/status/1611216733985181696?t=saZFJXBP67edjguCBBGPpg&s=08
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।