ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଏଥର ବି କରୋନା କଟକଣା ମଧ୍ୟରେ ରାଜ୍ୟରେ ଲକ୍ଷ୍ମୀପୂଜା; ୧୦ ଦିନ ପରିବର୍ତ୍ତେ ୩ ଦିନରେ ହେବ ବିସର୍ଜନ

ଏଥର ବି କରୋନା କଟକଣା ମଧ୍ୟରେ ରାଜ୍ୟରେ ଲକ୍ଷ୍ମୀପୂଜା; ୧୦ ଦିନ ପରିବର୍ତ୍ତେ ୩ ଦିନରେ ହେବ ବିସର୍ଜନ

ଆରମ୍ଭ ହୋଇଯାଇଛି ଧନଦାତ୍ରୀ ମା' ଲକ୍ଷ୍ମୀଙ୍କ ପୂଜା। କୋଭିଡ କଟକଣା ଭିତରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା। ୧୦ ଦିନ ନୁହେଁ ଏଥର ତିନି ଦିନରେ ବିସର୍ଜନ କରିବାକୁ ବି.ଏମ.ସି.ର ନିର୍ଦ୍ଦେଶ।

ଏଥର ବି କରୋନା କଟକଣା ମଧ୍ୟରେ ରାଜ୍ୟରେ ଲକ୍ଷ୍ମୀପୂଜା; ୧୦ ଦିନ ପରିବର୍ତ୍ତେ ୩ ଦିନରେ ହେବ ବିସର୍ଜନ
ଏଥର ବି କରୋନା କଟକଣା ମଧ୍ୟରେ ରାଜ୍ୟରେ ଲକ୍ଷ୍ମୀପୂଜା
  • News18 Odia
  • Last Updated: October 21, 2021, 1:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ବୁଧବାର ଠାରୁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । । ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ଧନଦାତ୍ରୀ। ୪ ଫୁଟ ମୂର୍ତ୍ତି ସାଙ୍ଗକୁ ଆଢୁଆଳରେ ଚାଲିଛି ମା'ଙ୍କ ବିଧି ବିଧାନ ଓ ପୂଜାର୍ଚ୍ଚନା ସାଧାରଣ ଦର୍ଶନ ବାରଣ ହୋଇଥିବାବେଳେ ପୂଜକ, କର୍ତ୍ତା ସହ ମାତ୍ର ସାତ ଜଣ ପୂଜା ମଣ୍ଡପରେ ରହି କରିଛନ୍ତି ପୂଜା।

କୋଭିଡର ସମସ୍ତ ନିୟମ ଅନୁପାଲନ କରି ପୂଜା କରିବାକୁ ବି.ଏମ.ସି. ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି ପରେ ମଣ୍ଡପରେ ଦେଖିବାକୁ ମିଳୁନଥିଲା ଭିଡ଼। ହେଲେ ରୀତିନୀତି ଅନୁଯାୟୀ ସମସ୍ତ କଟକଣା ଭିତରେ ମା'ଙ୍କ ପୂଜା କାର୍ଯ୍ୟ ହୋଇଛି। ହେଲେ ନାହିଁ ଜାକଜମକ କି ସାଜସଜ୍ଜା।

ଏଥର ମଣ୍ଡପରେ ୧୦ ଦିନ ବି ରଖି ପାରିବେନି ମା'ଙ୍କୁ । ତିନି ଦିନରେ ବିସର୍ଜନ କରିବାକୁ କୁହାଯାଇଛି । ଆଉ ବିସର୍ଜନ ସମୟରେ ଅତି ବେଶୀରେ ୧୦ ଜଣ ଲୋକ ଏକାଠି ହୋଇ ଭଷାଣୀ କରିବାକୁ ବି.ଏମ.ସି. ନିର୍ଦ୍ଦେଶ ଦେଇଛି।

ରଥ ରୋଡ଼ ପୂଜା କମିଟି ସଦସ୍ୟ ପୂର୍ଣ୍ଣଚନ୍ଦ୍ର ହୋତା କହିଥିଲେ, ‘‘ବିଗତ ବର୍ଷ ବେଶ ଧୁମଧାମରେ ଜାକଜମକରେ ଗଜଲକ୍ଷ୍ମୀ ପୂଜା କରିଆସୁଛୁ। ଦୀର୍ଘ ଦୁଇ ବର୍ଷ ହେବ ଏହା ଫିକା ପଡ଼ିଛି। ସରକାରଙ୍କ ଗାଇଡ଼ଲାଇନ ଓ କଟକଣା ଆଧାରରେ ମାତ୍ର ତିନି ଦିନ ପୂଜା କରି ବିସର୍ଜନ କରିବୁ ।’’

ସେହିପରି ଆଜିଠୁ ଆରମ୍ଭ ହେଉଛି ଧର୍ମର ମାସ କାର୍ତ୍ତିକ ମାସ। ଏହି ମାସରେ ହବିଷିଆଳିମାନେ ମାସ ତମାମ କାର୍ତ୍ତିକ ବ୍ରତ କରିଥାନ୍ତି। ବିଭିନ୍ନ ମଠ ଓ ମନ୍ଦିରରେ ଏକାଠି ହୋଇ ରାଇ ଦାମୋଦର ପୂଜା ସାଙ୍ଗକୁ ହବିଷ କରନ୍ତି। କାର୍ତ୍ତିକ ପୂର୍ଣ୍ଣିମାରେ ହବିଷିଆଳିଙ୍କ ଏହି ବ୍ରତ ଶେଷ ହୁଏ। ହେଲେ ଏଥର ଏକାଠି ହୋଇପାରିବେନି ହବିଷିଆଳି।

କୌଣସି ମନ୍ଦିର କି ମଠରେ ଭିଡ଼ ଜମାଇ ପୂଜା କରିପାରିବେନି ବୋଲି ମନା କରିଛି ବି.ଏମ.ସି.। ଏହା ପରେ ରାଜଧାନୀର ବିଭିନ୍ନ ମଠ ଖାଲି ପଡ଼ିଛି। ଆସୁଥିବା ଲୋକଙ୍କୁ ବି ଫେରାଇ ଦେଉଛନ୍ତି ମଠ ମାଲିକ। ଘରେ ରହି ହବିଷ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ଲିଙ୍ଗରାଜ ମନ୍ଦିରରେ ବି ହବିଷିଆଳିମାନେ ଭିଡ଼ ନ ଜମାଇବାକୁ ନିର୍ଦ୍ଦେଶ ହୋଇଛି। ସେଥି ପାଇଁ ପୂର୍ବରୁ ଯେଉଁଭଳି କଟକଣା ଭିତରେ ଭ୍ୟାକ୍ସିନ ସାର୍ଟିଫିକେଟ ନେଇ ମନ୍ଦିରକୁ ପ୍ରବେଶ କରାଯାଉଥିଲା ସେମିତି ଚାଲିବ।

ମନ୍ଦିରରେ ଭିଡ଼ ମନା ଏଣୁ ହବିଷିଆଳିଙ୍କୁ ନେଇ ପୂଜା କରିବା ମନ୍ଦିରରେ ଭିଡ଼ ଜମିବା ଭଳି ସ୍ଥିତି ଆସିବ ନାହିଁ। ଯେମିତି କଟକଣା ରହିଛି ପିଲା ଓ ବୃଦ୍ଧାଙ୍କୁ ଵର୍ତ୍ତମାନ ବାରଣ କରାଯାଉଛି ସେହି ଆଧାରରେ ମନ୍ଦିର ଚାଲିବ ବୋଲି ଲିଙ୍ଗରାଜ ମନ୍ଦିର ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି।

ମଠ ମାନେଜର ସନ୍ତୋଷ ପ୍ରଧାନ କହିଛନ୍ତି, ‘‘ପ୍ରତି ବର୍ଷ ଶହ ଶହ ହବିଷିଆଳି ଆସନ୍ତି ହେଲେ ଦୀର୍ଘ ଦୁଇ ବର୍ଷ ହେବ ଏମାନ ଆସିବାକୁ ମନା କାରଯାଇଛି । ଏବର୍ଷ ବି ବୁକିଂ ଆସିଛି ହେଲେ ଆମେ ମନା କରିଛୁ। ଗତକାଲି ବି.ଏମ.ସି. ନୋଟିସ କରିଛି ଏଣୁ ଆଉ କେହି ଆସୁନାହାଁନ୍ତି ।

ଅକ୍ଟୋବର ଓ ନଭେମ୍ବର ମାସରେ ସମସ୍ତ ପୂଜା ପାର୍ବଣ ରହିଥିବାରୁ କଡ଼ାକଡ଼ି ଗାଇଡ଼ଲାଇନ କରିଛି ବି.ଏମ.ସି.। ଲକ୍ଷ୍ମୀପୂଜା, କାଳୀପୂଜା, କାର୍ତ୍ତିକ ବ୍ରତ ଓ କାର୍ତ୍ତିକ ପୂର୍ଣ୍ଣିମା ସବୁ ଥିରେ ଲାଗିଛି କଟକଣା। ଭିଡ଼ ନ ଜମାଇ ଘରେ ରହି ପୂଜା କରିବାକୁ ରହିଛି ନିର୍ଦ୍ଦେଶ।
Published by: Lipina Das
First published: October 21, 2021, 1:30 PM IST