News18 Odia Digital
ଢେଙ୍କନାଳ: ଦୁଇ ଦୁଇ ଥର ବିଫଳ ହେବା ପରେ ତୃତୀୟ ଥର ପ୍ରୟାସରେ ମାଟିରେ ମିଶିଲା ୧୬୦ ମିଟର ବିଶିଷ୍ଟ ବିଶାଳକାୟ ଚିମିଣି। ୧୫ ଲକ୍ଷ ଟଙ୍କାର ବିସ୍ଫୋରକ ଲଗାଯାଇ ରାଜସ୍ଥାନର ଏକ୍ସକ୍ୟୁଡ ଏକ୍ସପ୍ଲୋସିଭ ଅଭିଜ୍ଞ ଟିମ ଏହି ଚିମିଣିକୁ ଭାଙ୍ଗିବାରେ ସଫଳ ହୋଇଛି। ଚିମିଣି ବ୍ଲାଷ୍ଟିଂ କ୍ଷେତ୍ରରେ ଏହା ଦେଶର ସବୁଠାରୁ ସଫଳତମ ରେକର୍ଡ ବୋଲି କହିଛନ୍ତି ଟିମର ନିର୍ଦ୍ଦେଶକ।
ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ। ଶେଷରେ ଅପରେସନ ଚିମିଣି ବ୍ଲାଷ୍ଟିଂ ସଫଳ ହୋଇ ମାଟିରେ ମିଶିଛି। ଢେଙ୍କାନାଳ ଓଡାପଡା ବ୍ଲକ କୁରୁଣ୍ଟି ଗ୍ରାମ ନିକଟରେ ଲାନକୋ କମ୍ପାନୀ ପକ୍ଷରୁ ଏହାକୁ ୨୦୧୦ରେ ନିର୍ମାଣ କରାଯାଇଥିଲା। କିନ୍ତୁ ପରିଚାଳନା ଗତ ତୃଟି ପାଇଁ କମ୍ପାନୀ ପ୍ରଡକ୍ସନ ଆରମ୍ଭ ପୂର୍ବରୁ ଦେବାଳିଆ ହୋଇ ପଡିଥିଲା। ଯେଉଁଥି ପାଇଁ ପରବର୍ତ୍ତୀ ସମୟରେ ଚିନରା ନାମକ ଏକ କବାଡିଆ କମ୍ପାନୀକୁ ବିକ୍ରି କରି ଦେଇଥିଲା। ଫଳରେ ଅବ୍ୟବହୃତ ହୋଇ ଚିମିଣିଟି ସେମିତି ପଡ଼ି ରହିଥିଲା।

ତୃତୀୟ ଥର ପ୍ରୟାସରେ ମାଟିରେ ମିଶିଲା ୧୬୦ ମିଟର ବିଶିଷ୍ଟ ବିଶାଳକାୟ ଚିମିଣି
ଚିମିଣି ପାଇଁ ଭବିଷ୍ୟତରେ କୌଣସି ବିପଦକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ଏହାକୁ ଭାଙ୍ଗିବାକୁ ଉଦ୍ୟମ କରାଯାଇଥିଲା। ରାଜସ୍ଥାନର ଏକ୍ସକ୍ୟୁଡ ନାମକ ଏକ ଅଭିଜ୍ଞ ଟିମକୁ ଚିମିଣି ଭାଙ୍ଗିବା ଦାୟିତ୍ୱ ଦିଆଯାଇଥିଲା। ଉକ୍ତ ଟିମ ପକ୍ଷରୁ ନନ୍ ଇଲେକ୍ଟ୍ରିକାଲ ବ୍ଲାଷ୍ଟିଂ ସିଷ୍ଟମ ଦ୍ୱାରା ଏହାକୁ ଦୁଇ ଦୁଇଥର ଭାଙ୍ଗିବାକୁ ଚେଷ୍ଟା କରା ଯାଇଥିଲା। କିନ୍ତୁ ଚିମିଣିକୁ ମାଟିରେ ମିଶାଇବାରେ ଅସଫଳ ହୋଇଥିଲା ଏକ୍ସକ୍ୟୁଡ ଟିମ।
ଉକ୍ତ ଟିମ ପକ୍ଷରୁ ପ୍ରଥମେ ଅକ୍ଟୋବର ୧୩ ତାରିଖରେ ୩୫୦ କେଜି ବିସ୍ଫୋରକ ଲଗାଇ ଚିମିଣି ଭାଙ୍ଗିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ଏହା ସମ୍ପୂର୍ଣ୍ଣ ଅସଫଳ ହୋଇଥିଲା। ମାସେ ବ୍ୟବଧାନ ପରେ ପୁଣି ନଭେମ୍ବର ୧୭ ତାରିଖରେ ୭୫୦ କେଜି ବିସ୍ଫୋରକ ଖଞ୍ଜାଯାଇ ବ୍ଲାଷ୍ଟିଂ କରାଯାଇଥିଲା। ଏଥିରେ ଚିମିଣି ୨୦ ଫୁଟ ପାଖାପାଖି ଭାଙ୍ଗି ତଳ ବେସ ମଧ୍ୟରେ ପଶି ଯିବାରୁ ଅର୍ଦ୍ଧଭଗ୍ନ ଅବସ୍ଥାରେ ପୂର୍ବଭଳି ଛିଡ଼ା ହୋଇ ରହିଥିଲା।
ଶେଷରେ ଆଜି ତୃତୀୟ ଥର ପାଇଁ ଦୁଇଟି କ୍ଷେପରେ ପୁଣି ଥରେ ୭୫୦ କେଜି ଓଜନର ବିସ୍ଫୋରକ ଖଞ୍ଜାଯାଇ ଚିମିଣିକୁ ବ୍ଲାଷ୍ଟିଂ କରାଯାଇଥିଲା। ଯେଉଁଥିରେ ଚିମିଣିଟି ସମ୍ପୁର୍ଣ୍ଣ ଭାଙ୍ଗି ମାଟିରେ ପଡ଼ିବାରେ ସଫଳ ହୋଇଥିଲା। ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ମାଟିରେ ମିଶିଲା ଢେଙ୍କାନାଳର ୧୬୦ ମିଟର ବିଶିଷ୍ଟ ବିଶାଲକାୟ ଚିମିଣି
"ଚିମିଣି ଭାଙ୍ଗିବାରେ ଆମ ଟିମର ପୂର୍ବରୁ ବହୁ ଅଭିଜ୍ଞତା ରହିଛି। ପାନିପଥ ନିକଟରେ ୧୩୦ ମିଟର ବିଶିଷ୍ଟ ଏକ ଚିମିଣିକୁ ପୂର୍ବରୁ ଏକ୍ସକ୍ୟୁଡ ଟିମର ସଦସ୍ୟ ମାନେ ଭାଙ୍ଗିବାରେ ସଫଳ ହୋଇଥିଲେ। ସେହି ଅଭିଜ୍ଞତା ଆଧାରରେ ଏହାକୁ ମଧ୍ୟ ବ୍ଲାଷ୍ଟିଂ କରି ମାଟିରେ ମିଶାଇବାରେ ଟିମ ସଫଳ ହୋଇଛି,’’ କହିଛନ୍ତି ଏକ୍ସକ୍ୟୁଡ କମ୍ପାନୀର ନିର୍ଦ୍ଧେଶକ ଆନନ୍ଦ ଶର୍ମା।
ଚିମିଣି ଭାଙ୍ଗିବା ପୂର୍ବରୁ ଆଖପାଖ ଅଞ୍ଚଳର ଲୋକଙ୍କୁ ମାଇକ ଯୋଗେ ସଚେତନ ଓ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ଚିମିଣି ଭାଙ୍ଗିବା ପରେ ଲାନକୋ କମ୍ପାନୀ ପରିସରରେ ପଡ଼ିଥିଲା। ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ବୋଲି କହିଛନ୍ତି ଓଡାପଡା ତହସିଲଦାର ତଥା ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ତୁଲାଉଥିବା ଅଧିକାରୀ ବାଣୀ ନିବେଦିତା ସ୍ୱାଇଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।