News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଅଭାବନୀୟ ଘଟଣା। ଅଧ ରାତିରେ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ମହିଳା ପୋଲିସକୁ ଗୋଡେଇ ଗୋଡେଇ ଆକ୍ରମଣ କଲେ ଦୁର୍ବୃତ୍ତ। ସହିଦ ନଗର ଅଞ୍ଚଳରେ ଘଟିଛି ଏଭଳି ଘଟଣା।
ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ପୋଲିସ କର୍ମଚାରୀ ହେଲେ ଶୁଭଶ୍ରୀ ନାୟକ। ଏନେଇ ମହିଳା ଏସଆଇ ଶୁଭଶ୍ରୀ ସହୀଦନଗର ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ଗତ ୨ ତାରିଖ ରାତି ପ୍ରାୟ ୧ଟା ସମୟରେ ମହିଳା ଥାନା ଏସ୍.ଆଇ ଶୁଭଶ୍ରୀ ନାୟକ ଡିଉଟି ସାରି ଘରକୁ ଫେରୁଥିଲେ। ଶୁଭଶ୍ରୀ ନିଜ କାର ଯୋଗେ ମହିଳା ଥାନାକୁ କ୍ଵାଟରକୁ ଫେରୁଥିଲେ । ସାଇନ୍ସ ପାର୍କ ଛକରୁ ବାରକ ଯିବା ସମୟରେ ତାଙ୍କ ଗାଡିକୁ ଏକ ଇନୋଭା କାର ଧକ୍କା ଦେବାକୁ ଚେଷ୍ଟା କରିଥିଲା ।
ଇନୋଭାରେ ବସିଥିବା କିଛି ଦୁର୍ବୃତ୍ତ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଗୋଡ଼ାଇ ଥିଲେ । ଯାହା ଫଳରେ ଶୁଭଶ୍ରୀ ଭୟରେ ପୋଲିସ ବାରାକ ଭିତରକୁ ଭୟରେ ପଶିଯାଇଥିଲା । ହେଲେ ତାଙ୍କୁ ପିଛା କରୁଥିବା କାରରେ ଥିବା ଦୁର୍ବୃତ୍ତ ମାନେ ଖଣ୍ଡା ବାହାର କରି ଶୁଭଶ୍ରୀଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ଶୁଭଶ୍ରୀ ଜୋରରେ ବଞ୍ଚାଅ ବଞ୍ଚାଅ ଚିତ୍କାର କରିବାରୁ ବାରାକରେ ଡିଉଟି କରୁଥିବା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ଦେଖି ଦୁର୍ବୃତ୍ତମାନେ କାର ନେଇ ଚମ୍ପଟ ମାରିଥିଲେ ।
ଘଟଣା ସମ୍ପର୍କରେ ସହିଦନଗର ଥାନାରେ ଅଭିଯୋଗ ହେବାପରେ ପୋଲିସ ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତ ମାନେ ଯେଉଁ କାରରେ ଆସିଥିଲେ ସେଇ କାରକୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । କଳିଙ୍ଗ ଷ୍ଟାଡିୟମ ଓ ଏହାର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ । ସେପଟେ ହକି ବିଶ୍ୱକପ ପାଇଁ ବିଭିନ୍ନ ଛକ ମାନଙ୍କରେ କମିଶନରେଟ ପୋଲିସ ପକ୍ଷରୁ ବ୍ଳକିଂ ଓ ଚେକିଂ କରିଥିବାରୁ ଜଣେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ ଶିକାର ପରେ ନାନା ପ୍ରଶ୍ନ ସାମ୍ନାକୁ ଆସିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।