ଲେଡି ବ୍ଲାକମେଲର ଅର୍ଚ୍ଚନା ଓ ଜଗବନ୍ଧୁ ମାମଲା; ତିନି ଜଣଙ୍କୁ ଇଡିର ନୋଟିସ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ କଳାସାମ୍ରାଜ୍ୟର ଗୁମର ଖୋଲିବା ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ପ୍ରକ୍ରିୟାକୁ କଡାକଡି କରିଛି । ବ୍ୟାଙ୍କ ଆାକାଉଣ୍ଟ ତଥ୍ୟ ସମ୍ପର୍କରେ ଖୋଳତାଡ଼ ପରେ ଏବେ ଯେଉଁମାନେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସମ୍ପର୍ଶରେ ଆସି ଅର୍ଥ କାରବାରରେ ସଂପୃକ୍ତ ଥିଲେ ସେମାନଙ୍କର ତାଲିକା ପ୍ରସ୍ତୁତ କରିବା ଆରମ୍ଭ କରିଛି ଇଡି । ଶୀଘ୍ର ସେମାନଙ୍କୁ ମଧ୍ୟ ନୋଟିସ୍ ଜାରି କରାଯିବ । ନୋଟିସ ମିଳିବା ପରେ ସମୃକ୍ତ ବ୍ୟକ୍ତିମାନେ ଇଡି ଅଫିସରେ ହାଜର ହୋଇ ତଥ୍ୟ ରଖିବେ । ଅନ୍ୟପଟେ ଜଗବନ୍ଧୁଙ୍କ ସାଥି ଖଗେଶ୍ୱର, ଶ୍ରଦ୍ଧାଞ୍ଜଳୀଙ୍କୁ ମଧ୍ୟ ଇଡି ନୋଟିସ୍ କରିଛି । କିନ୍ତୁ ସେମାନେ ଫେରାର ଅଛନ୍ତି । ଯଦି ଇଡିର ନୋଟିସକୁ କେହି ଅବମାନନା କରନ୍ତି ତେବେ ଆଇନ ଅନୁସାରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
କମିଶନରେଟ ପୋଲିସ ନିକଟରୁ ମିଳିଥିବା ବ୍ୟାଙ୍କ ତଥ୍ୟ ଆଧାରରେ ଇଡିର ଅଧିକାରୀମାନେ ତନାଘନା ଚଳାଇଛନ୍ତି । ସେମାନଙ୍କୁ ସୂଚନା ମିଳିଛି ଯେ, ଅର୍ଚ୍ଚନା ଯେଉଁ ସବୁ ଆର୍ଥିକ କାରବାର କରିଛନ୍ତି ତାହା ପ୍ରାୟତଃ ସବୁ ନଗଦରେ । କିନ୍ତୁ ବେଳେବେଳେ ଅନ୍ୟମାନଙ୍କଠାରୁ ଏଟିଏମ ମାଧ୍ୟମରେ ମଧ୍ୟ ଅର୍ଥ କାରବାର କରିଛନ୍ତି । ଅର୍ଚ୍ଚନା ଜଗବନ୍ଧୁଙ୍କ ଦାମୀ ବାଇକ, କାର ନଗଦରେ କିଣିଛନ୍ତି । ସେ ସମ୍ପର୍କରେ ଜାଣିବାକୁ ଗତକାଲି ଇଡିର ଏକ ସ୍ୱତନ୍ତ୍ର ଟିମ୍ କିଛି କାର ଓ ବାଇକ ସୋରୁମ୍ ରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି । ଇଡି ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବ ବୋଲି ଜଣାପଡିଛି । ଏଥିସହ ଉକ୍ତ ସୋରୁମ ଗୁଡିକରେ ଜିଏସଟି ଚଢ଼ଉ କରାହେବ ବୋଲି ସୂଚନା ମିଳିଛି । ସୋମବାର ଦିନ ଜିଏସଟି ପକ୍ଷରୁ ବାଲେଶ୍ୱର ଜଳେଶ୍ୱର ଅଞ୍ଚଳରେ ଥିବା ଏକ କାର ସୋରୁମରେ ଚଢ଼ଉ କରାଯାଇଥିବା ସୂଚନା ରହିଛି। ଉକ୍ତ ସୋରୁମରେ ଜଗବନ୍ଧୁ ଟଙ୍କା ନିବେଶ କରିଥିବା ଇଡିକୁ ସୂଚନା ମିଳିଥିଲେ ମଧ୍ୟ ସମ୍ପୁର୍ଣ୍ଣ ପ୍ରମାଣ ଓ କାଗଜପତ୍ର ମିଳିନାହିଁ ।
ଇଡିର ଚଢ଼ଉ ଏବଂ ନୋଟିସ୍ ଖବର ଜାଣିବା ପରେ ଅର୍ଚ୍ଚନା-ଜଗବନ୍ଧୁଙ୍କ ସହ ସମୃକ୍ତ ଥିବା ରାଜନେତା ଓ ବଡ଼ବଡ଼ ବ୍ୟବସାୟୀଙ୍କ ଛାତି ଧଡ଼ଧଡ଼ ହେଉଥିବା ସୂଚନା ରହିଛି । ଅର୍ଚ୍ଚନା ଓ ଜଗବନ୍ଧୁ କିପରି ଟେଣ୍ଡର ଫିକ୍ସିଂ କାର୍ଯ୍ୟରେ ସମୃକ୍ତଥିଲେ ସେନେଇ ମଧ୍ୟ ଘଟଣା ଲୋକଲୋଚନକୁ ଆସିପାରେ । କୋଟି କୋଟି ଟଙ୍କା କାରବାର ସମ୍ପର୍କରେ ଘଟଣାର ଗୁମର ଖୁବଶୀଘ୍ର ଖୋଲିବ ବୋଲି ଆଲୋଚନା ହେଉଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।