'ସଚେତନତା ତଥା ମାର୍ଗଦର୍ଶନ ଅଭାବ ରାଜ୍ୟରେ ଶିଳ୍ପଦ୍ୟୋଗୀ ସୃଷ୍ଟି କରିବାରେ ସାଜୁଛି ବାଧକ'

ହୋଇଥିବା ସର୍ବେକ୍ଷଣ ଅନୁସାରେ ଅଧିକାଂଶ ଉଦ୍ୟୋଗୀ ଏସବୁ ଯୋଜନା ବିଷୟରେ ଅବଗତ ନାହାଁନ୍ତି। ଯାହା ଫଳରେ ସେମାନେ ଏସବୁ ଯୋଜନାର ଲାଭ ପାଇ ପାରୁ ନାହାଁନ୍ତି।

ସଚେତନତା ତଥା ମାର୍ଗଦର୍ଶନ ଅଭାବ ରାଜ୍ୟରେ ଶିଳ୍ପଦ୍ୟୋଗୀ ସୃଷ୍ଟି କରିବାରେ ସାଜିଛି ବାଧକ

ସଚେତନତା ତଥା ମାର୍ଗଦର୍ଶନ ଅଭାବ ରାଜ୍ୟରେ ଶିଳ୍ପଦ୍ୟୋଗୀ ସୃଷ୍ଟି କରିବାରେ ସାଜିଛି ବାଧକ

  • Share this:
News18 Odia Digitals

ଭୁବନେଶ୍ବର: ରାଜ୍ୟରେ ଉଭୟ ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ଯୁବକ ଯୁବତୀଙ୍କ ମଧ୍ୟରେ ସ୍ୱାବଲମ୍ବୀ ହେବାର ମାନସିକତା ରହିଛି। କିନ୍ତୁ ଏ କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଛି ମାର୍ଗଦର୍ଶନ। ଅର୍ଥାତ ଉଭୟ ସରକାରୀ ଓ ବେସରକାରୀ ଭାବେ ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭର କରାଇବା ପାଇଁ ଯେଉଁ ସବୁ ଯୋଜନା ପ୍ରଣୟନ କରାଯାଇଛି ତାହାର ଲାଭାର୍ଥୀ ହୋଇପାରୁ ନାହାଁନ୍ତି ଗ୍ରାମାଞ୍ଚଳର ଯୁବକ ଯୁବତୀ। ରାଜ୍ୟର ଚାରୋଟି ଜିଲ୍ଲାକୁ ନେଇ ହୋଇଥିବା ସର୍ବେକ୍ଷଣରେ ଏଭଳି ଚିତ୍ର ସାମ୍ନାକୁ ଆସୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ୱାବଲମ୍ବୀ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି।

ଫାଉଣ୍ଡେସନର ସୂଚନା ଅନୁସାରେ ରାଜ୍ୟରେ ଶିଳ୍ପ ଉଦ୍ୟୋଗର ବିକାଶ ପାଇଁ କେତେ ସୁଯୋଗ ରହିଛି ସେ ନେଇ ଫାଉଣ୍ଡେସନ ପକ୍ଷରୁ ଚାରୋଟି ଜିଲ୍ଲାରେ ସର୍ବେକ୍ଷଣ କରାଯାଇଥିଲା। ଜିଲ୍ଲାଗୁଡିକ ହେଲା କୋରାପୁଟ, କଳାହାଣ୍ଡି, କେନ୍ଦୁଝର ଓ ସୁନ୍ଦରଗଡ।

ଏହି ଚାରୋଟି ଯାକ ଜିଲା ଖଣିଜ ସମ୍ପଦରେ ଭରପୁର ହୋଇଥିବା ବେଳେ ସ୍ୱାବଲମ୍ବୀ ହେବା ପାଇଁ ଏଠାକାର ଯୁବପିଢ଼ିଙ୍କ ମଧ୍ୟରେ କେତେ ଆଗ୍ରହ ରହିଛି ତାକୁ ନେଇ ସର୍ବେକ୍ଷଣରେ ପ୍ରଶ୍ନ କରାଯାଇଥିଲା। ଫଳାଫଳରୁ ସ୍ପଷ୍ଟ ହେଲା ଯେ, ସ୍ୱାବଲମ୍ବୀ ହେବା ପାଇଁ ସଂଖ୍ୟାଧିକ ଯୁବପିଢି ଆଗ୍ରହୀ ଥିଲେ ମଧ୍ୟ ସେମାନଙ୍କ ପାଇଁ ବାଧକ ସାଜିଛି ସଠିକ ମାର୍ଗ ଦର୍ଶନ।

ନୂଆ ଆରମ୍ଭ ହୋଇଥିବା ଏହି ସ୍ୱାବଲମ୍ବୀ ଫାଉଣ୍ଡେସନ ପକ୍ଷରୁ ସ୍ୱାବଲମ୍ବୀ ଫାଉଣ୍ଡେସନର ଅଧ୍ୟକ୍ଷ ଡ଼ଃ ଅମୀୟ କୁମାର ବେହେରାଙ୍କ ତଥ୍ୟ ଅନୁସାରେ, ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ନିମନ୍ତେ ଅନେକ ଯୋଜନା ଆରମ୍ଭ କରିଛନ୍ତି। ସେମାନଙ୍କୁ ଏ ବିଷୟରେ ସଚେତନ କରିବା ଲାଗି ବିଶେଷ ଅଭିଯାନ ଆୟୋଜନ କରାଯାଉଛି ଓ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ସଂସ୍ଥା ମଧ୍ୟ ଗଠନ କରାଯାଉଛି। ତେବେ ଅଧିକାଂଶ ଉଦ୍ୟୋଗୀ ଏସବୁ ଯୋଜନା ବିଷୟରେ ଅବଗତ ନାହାଁନ୍ତି।

ଯାହା ଫଳରେ ସେମାନେ ଏସବୁ ଯୋଜନାର ଲାଭ ପାଇ ପାରୁ ନାହାଁନ୍ତି। ୧୨୮ ଉଦ୍ୟୋଗୀଙ୍କ ମଧ୍ୟରୁ ମାତ୍ର ୩୩ ଜଣ ଅର୍ଥାତ ୨୫.୭୮% ପ୍ରତିଶତ ଉଦ୍ୟୋଗୀ ଡିପିଆର ତିଆରି କରିବାରେ ସାହାଯ୍ୟ ପାଇଥିବା କହିଥିବାବେଳେ ମାତ୍ର ୨୬ ଜଣ ବା ୨୦.୩୧ ପ୍ରତିଶତ ସେମାନଙ୍କ ପ୍ରକଳ୍ପର ଅନୁମୋଦନ ଠିକ ସମୟରେ ମିଳିଥିବା କଥା କହିଥିଲେ।

ସେହିପରି, ଯଦିଓ ଉଦ୍ୟୋଗ ଇକୋସିଷ୍ଟମ ନିମନ୍ତେ ନୀତି ଓ ଯୋଜନା ରହିଛି ତେବେ ସଚେତନତାର ଅଭାବ, ସମର୍ଥନ ସଂସ୍ଥା ମାନଙ୍କ ସାହାଯ୍ୟ ମିଳିବାରେ ଅସୁବିଧା ହେଉଥିବାରୁ ଏ ସମସ୍ତ ନୀତି ଓ ଯୋଜନା ପଛରେ ଥିବା ଉଦ୍ଦେଶ୍ୟ ସାଧିତ ହୋଇ ପାରୁନାହିଁ। ରାଜ୍ୟରେ ଏକ ଉଦ୍ୟୋଗ ଅନୁକୂଳ ପରିବେଶ ପ୍ରସ୍ତୁତ କରାଯିବା ଦରକାର ଯାହା ଫଳରେ ଅଧିକରୁ ଅଧିକ ଯୁବ ଉଦ୍ୟୋଗୀ ସୃଷ୍ଟି ହୋଇପାରିବେ ବୋଲି ମତ ରଖିଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ଶିଶିର ସାହୁ।

ସେ ସ୍ପଷ୍ଟ କରିଛନ୍ତି ଯେ, ଆଗକୁ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ଉତ୍ସାହିତ କରାଇବା ଦିଗରେ କାର୍ଯ୍ୟ କରିବ ଏହି ସ୍ୱାବଲମ୍ବୀ ଫାଉଣ୍ଡେସନ। ଫାଉଣ୍ଡେସନ ସ୍ପଷ୍ଟ କରିଛି ଯେ ଉତ୍ସାହିତ କରିବା ସହିତ ନୂଆ ଶିଳ୍ପଦ୍ୟୋଗୀଙ୍କୁ କାରିଗରୀ ଜ୍ଞାନ କୌଶଳ ଓ ବ୍ୟାଙ୍କ ସହାୟତା ତଥା ବଜାର ସୁଯୋଗ ସୃଷ୍ଟି ଉପରେ ସହାୟତା କରିବ ଫାଉଣ୍ଡେସନ। ସେହିଭଳି ସ୍ୱାବଲମ୍ବୀ ଫାଉଣ୍ଡେସନର ବୋର୍ଡ ସଦସ୍ୟ ସେବତୀ ସିଂ କହିଛନ୍ତି ଏହି ସର୍ବେକ୍ଷଣ ତଥ୍ୟକୁ ସଠିକ ଭାବେ ଆକଳନ କରିବା ପାଇଁ ପ୍ରୟାସ କରାଯାଇଥିଲା। ଆଗକୁ ଅଧିକ ଜିଲ୍ଲାରେ ଏହି ସର୍ବେକ୍ଷଣ ଅନୁଷ୍ଠିତ ହେବ।
Published by:Lipina Das
First published: