ଜାନୁଆରୀ ୨୦ରୁ ଭୁବନେଶ୍ୱରରେ ଆୟୋଜିତ ହେବ ‘କୃଷି ଓଡିଶା’; ଅନ୍ତର୍ଜାତୀୟ ସ୍ତରର କମ୍ପାନୀ ଯୋଗଦେବେ

ଦେଶବିଦେଶରେ କୃଷିକ୍ଷେତ୍ରରେ ଘଟୁଥିବା ନୂତନ ଜ୍ଞାନ କୌଶଳ ଓ କୃଷି ପ୍ରଣାଳୀ ସହିତ ଓଡ଼ିଶାର ଚାଷୀ ମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତି ଦିନ ଆଲୋଚନା ଚ଼କ୍ର ଓ ପାଠଶାଳାର ଆୟୋଜନ କରାଯିବ I

ଜାନୁଆରୀ ୨୦ରୁ ଭୁବନେଶ୍ୱରରେ ଆୟୋଜିତ ହେବ ‘କୃଷି ଓଡିଶା’; ଅନ୍ତର୍ଜାତୀୟ ସ୍ତରର କମ୍ପାନୀ ଯୋଗଦେବେ
A French farmer plants potatoes in his field in front of power-generating windmill turbines on a wind park in Saucourt, near Abbeville, in northern France, April 5, 2017. REUTERS/Pascal Rossignol
  • News18 Odia
  • Last Updated: January 18, 2020, 5:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କୃଷିର ଗୁରୁତ୍ୱ ଏବଂ କୃଷକ ମାନଙ୍କର ଅବଦାନକୁ ସ୍ୱୀକୃତି ପ୍ରଦାନ ସହିତ କୃଷିକ୍ଷେତ୍ରରେ ନୂତନ ଜ୍ଞାନ କୌଶଳର ପ୍ରଦର୍ଶନ ଲକ୍ଷ୍ୟରେ ଜାନୁଆରୀ ୨୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜଧାନୀର ଜନତା ମୈଦାନରେ ଆୟୋଜିତ ହେବ ପାଞ୍ଚଦିନିଆ “କୃଷି ଓଡିଶା” ମହୋତ୍ସବ । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରାୟ ୧୧୨ ଟି କମ୍ପାନୀ ଯୋଗଦେବେ I

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୨୦ ତାରିଖ ପୂର୍ବାହ୍ନ ୧୧.୪୫ରେ ଏହି ମହୋତ୍ସବକୁ ଉଦଘାଟନ କରିବେ I ଜାନୁଆରୀ ୨୪ ତାରିଖରେ ଆୟୋଜିତ ଉଦଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ I

ଚ଼ଳିତ ବର୍ଷ ପ୍ରଦର୍ଶନୀରେ ୨୨୮ଟି ଷ୍ଟଲ ନିର୍ମାଣ କରାଯାଇଛି I ଦେଶବିଦେଶରେ କୃଷିକ୍ଷେତ୍ରରେ ଘଟୁଥିବା ନୂତନ ଜ୍ଞାନ କୌଶଳ ଓ କୃଷି ପ୍ରଣାଳୀ ସହିତ ଓଡ଼ିଶାର ଚାଷୀ ମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତି ଦିନ ଆଲୋଚନା ଚକ୍ର ଓ ପାଠଶାଳାର ଆୟୋଜନ କରାଯିବ I ପ୍ରତି ଦିନ ପୂର୍ବାହ୍ନ ୧୦ ଟା ରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଏହି ଆଲୋଚନା ଚକ୍ରସବୁ ଆୟୋଜିତ ହେବ, ଯେଉଁଥିରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର ନାମୀ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ପଦାଧିକାରୀମାନେ ଯୋଗଦେବେ I

ଆଲୋଚନା ଚକ୍ରରେ ମୁଖ୍ୟତଃ ଜଳବାୟୁ ଆଧାରିତ କୃଷି ଜ୍ଞାନ କୌଶଳ, ଜଳ ସଂପଦର ସୁବିନିଯୋଗ, ବିଭିନ୍ନ କୃଷି ସମସ୍ୟାର ସ୍ଥାୟୀ ସମାଧାନ, ମୂଲ୍ୟଯୁକ୍ତ ଉତ୍ପାଦ ପାଇଁ ବଜାର ସଂଯୋଗ, କୃଷି ଉଦ୍ୟୋଗୀ ମାନଙ୍କ ପାଇଁ ମୂଲ୍ୟ ଶୃଙ୍ଖଳ ପରିଚାଳନା, ଫସଲ ଅମଳ ପରବର୍ତ୍ତୀ ଯତ୍ନ ଓ ପରିଚାଳନା, କୃଷିକ୍ଷେତ୍ରରେ ବିମାଭିତ୍ତିକ ଆପଦକାଳୀନ ସ୍ଥିତି ପରିଚାଳନା, ଲାଭପ୍ରଦ କୃଷି ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକା ଓ ଦାୟିତ୍ୱ ବିଷୟରେ ଆଲୋଚନା କରାଯିବ I

କୃଷି କ୍ଷେତ୍ରରେ ଓଡ଼ିଶା କରିଥିବା ପ୍ରଗତିର ଏକ ପ୍ରତିଛବି ଜନସାଧାରଣଙ୍କ ସାମନାରେ ରଖିବା ସହିତ ରାଜ୍ୟର କୃଷକ ମାନଙ୍କୁ କୃଷି କ୍ଷେତ୍ରରେ ଘଟୁଥିବା ଓ ପ୍ରୟୋଗ ହେଉଥିବା ନୂତନ ଜ୍ଞାନକୌଶଳ ସହିତ ପରିଚିତ କରାଇବା ଲକ୍ଷ୍ୟ ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରତି ବର୍ଷ ରାଜ୍ୟ ସ୍ତରୀୟ କୃଷି ମହୋତ୍ସବ "କୃଷି ଓଡିଶା" ଆୟୋଜନ କରାଯାଉଛି I କୃଷି କ୍ଷେତ୍ରରେ ରାଜ୍ୟର ଅଗ୍ରଗତି ସହିତ ପ୍ରତିବର୍ଷ “କୃଷି ଓଡିଶା” ତାର କଳେବର ବୃଦ୍ଧି କରିଚାଲିଛି I ଚଳିତ ବର୍ଷ କୃଷି ଓଡିଶାକୁ କୃଷକ ମାନଙ୍କ ପାଇଁ ଅଧିକ ଉପଯୋଗୀ ଓ ଲାଭଦାୟକ ନିମନ୍ତେ ଅଧିକ ଆକର୍ଷଣୀୟ ଓ ଶିକ୍ଷଣୀୟ କରିବା ଦିଗରେ ପଦକ୍ଷେପ ନିଆଯାଇଛି I

ଓଡ଼ିଶାର ଅର୍ଥନୀତିରେ କୃଷି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ରାଜ୍ୟର ପ୍ରାୟ ୬୨ ପ୍ରତିଶତ ଜନସାଧାରଣ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭର କରିଥାଆନ୍ତି I

‘‘କୃଷକମାନଙ୍କ ଆୟକୁ ଦ୍ଵିଗୁଣିତ ଓ ସ୍ଥଳ ବିଶେଷରେ ବହୁଗୁଣିତ କରିବା ପାଇଁ ରାଜ୍ୟ ସରକାର ଅନେକଗୁଡିଏ ଯୋଜନା ପ୍ରଣୟନ କରି ଚାଷୀମାନଙ୍କୁ ଏହାର ଲାଭ ସିଧାସଳଖ ଯୋଗାଇ ଦେଉଛନ୍ତି I ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଦୃଶ୍ୟମାନ ଅଗ୍ରଗତି ଲାଭ କରିଛି ଏବଂ କେତେକ କ୍ଷେତ୍ରରେ ଏହା ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି,’’ କହିଛନ୍ତି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ।

ଓଡ଼ିଶା ଗତ ୭ ବର୍ଷ ମଧ୍ୟରେ ୫ ଥର କୃଷି କର୍ମଣ ପୁରସ୍କାର ଲାଭ କରିଛି I ଏଥି ସହିତ କୃଷି କର୍ମଣ ପୁରସ୍କାର ଅନ୍ତର୍ଗତ ମୋଟ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ବିଶେଷ ସଫଳତା ଅର୍ଜନ କରିଥିବାରୁ ଚଳିତ ବର୍ଷ ରାଜ୍ୟ କମେଣ୍ଡେସନ୍‌ ଆୱାର୍ଡ ମଧ୍ୟ ଲାଭ କରିଛି I
First published: January 18, 2020, 5:07 PM IST
corona virus btn
corona virus btn
Loading