News18 Odia Digital
ବ୍ରହ୍ମପୁର: ଦୀର୍ଘ ୨୩ ବର୍ଷ ପରେ ଘର ବାହୁଡ଼ା। ନିଜର ବାପାଙ୍କୁ ଦେଖି ଭାବବିହ୍ବଳ ହେଲେ ପୁଅ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ସ୍ଥିତ ମିଶନାରୀ ଅଫ ଚାରିଟି ବ୍ରଦର୍ସରେ।
୧୯୯୯ ମସିହାରେ ହୋଇଥିଲା ମହାବାତ୍ୟା । ଆଉ ଏହି ମହାବାତ୍ୟା ସମୟରେ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ପାତିଗ୍ରାମର କ୍ରୀତିଚନ୍ଦ୍ର ବରାଳ ନିଖୋଜ ହୋଇଥିଲେ । ଏହା ପରେ ୨୦୧୨ ମସିହା ଜାନୁଆରୀ ମାସରେ ବିଶାଖାପାଟଣାର ଏକ ସାହିରୁ ସ୍ଥାନୀୟ କର୍ପୋରେଟର କ୍ରୀତିଙ୍କୁ ଉଦ୍ଧାର କରିଥିଲେ । ସେହି ସମୟରେ କ୍ରୀତିଙ୍କ ମାନସିକ ସ୍ଵାସ୍ଥ୍ୟ ଭଲ ନଥିଲା। ତାଙ୍କ ପରିବାର ସମ୍ପର୍କରେ କିଛି ମନେ ପକାଇ ପାରିନଥିଲେ କ୍ରୀତି । କ୍ରୀତିଙ୍କୁ ଉଦ୍ଧାର କରିବା ପରେ ବିଶାଖାପାଟଣାର ମିଶନାରୀ ଅଫ ଚାରିଟି ମଦର ଟେରେସା ସିଷ୍ଟରଙ୍କୁ ହସ୍ତାନ୍ତର କରିଥିଲେ । ସେଠାରେ କ୍ରୀତିଙ୍କୁ ଚିକିତ୍ସା କରାଯାଇଥିଲା।। ଚିକିତ୍ସାର ଦୁଇ ବର୍ଷ ପରେ ନିଜର ଠିକଣା କହିଥିଲେ ।
୨୦୧୪ ମସିହାରେ କ୍ରୀତିଙ୍କୁ ଶ୍ରୀକାକୁଲମର ନିର୍ମଲ ହୃଦୟ ଭବନକୁ ସ୍ଥାନାନ୍ତରିତ କରାଯାଇଥିଲା। ଗତ ଦୁଇ ମାସ ପରେ କ୍ରୀତିଙ୍କୁ ବ୍ରହ୍ମପୁର ସ୍ଥିତ ମିଶନାରୀ ଅଫ୍ ଚାରିଟିକୁ ସ୍ଥାନାନ୍ତର କରାଯାଇଥିଲା । ଏଠାରେ ତାଙ୍କୁ ରଖି ଚିକିତ୍ସା କରିବା ସମୟରେ ତିନି ଦିନ ପୂର୍ବରୁ କଲିକତାର ମିଶନାରୀ ଅଫ୍ ଚାରିଟି ବ୍ରଦର୍ସର ସାଜନ ଯୋଶେଫ ବ୍ରହ୍ମପୁରରେ ପହଞ୍ଚି କ୍ରୀତିଙ୍କ ପରିବାରକୁ ତାଙ୍କ ସହ ମିଶାଇବା ନେଇ ଉଦ୍ୟମ ଆରମ୍ଭ କରିଥିଲେ । ପଶ୍ଚିମବଙ୍ଗର ସ୍ବେଚ୍ଛାସେବୀ ସଂଗଠନ ହାମ ରେଡିଓର ସମ୍ପାଦକ ଅମ୍ବିସ୍ ନାଗବିଶ୍ବାସ ସହଯୋଗରେ କ୍ରୀତିଙ୍କ ଠିକଣା ଜଣାପଡିଥିଲା । ଏହାପରେ କ୍ରୀତିଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲା ।
ଏହା ପରେ କ୍ରୀତିଙ୍କ ପରିବାର ଲୋକେ ବ୍ରହ୍ମପୁର ମିଶନାରୀ ଅଫ୍ ଚାରିଟି ବ୍ରଦର୍ସରେ ପହଞ୍ଚି କ୍ରୀତିଙ୍କୁ ଗ୍ରହଣ କରିଥିଲେ । କ୍ରୀତିଙ୍କୁ ଦେଖି ତାଙ୍କ ପରିବାର ଲୋକେ ବେଶ ଆତ୍ମବିଭୋର ହୋଇ ତାଙ୍କୁ ଆଲିଙ୍ଗନ କରିଥିଲେ । ଏଭଳି ଏକ ମହାନୀୟତା କାର୍ଯ୍ୟ କରି ମାନବିକତାର ପରିଚୟ ଦେଇଥିବା ଯୋଗୁଁ କ୍ରୀତିଙ୍କ ପରିବାର ଲୋକେ ମିଶନାରୀ ଅଫ୍ ଚାରିଟି ବ୍ରଦର୍ସର ସଦସ୍ୟାଙ୍କୁ ସାଧୁବାଦ ଜଣାଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।