ଓଡ଼ିଶାରେ ମକର ସଂକ୍ରାନ୍ତି ପର୍ବ: କେଉଁଠି କିପରି ପାଳନ କରାଯାଇଥାଏ ଜାଣନ୍ତୁ

ମକର ସଂକ୍ରାନ୍ତି ଓଡ଼ିଶାର ଅନ୍ୟତମ ପ୍ରମୁଖ ପର୍ବ ହୋଇଥିବାବେଳେ ଏହି ପର୍ବ ସମୟରେ ସୂର୍ଯ୍ୟଙ୍କୁ ପୂଜା କରାଯିବା ସହିତ ରୋଗରୁ ମୁକ୍ତି ପାଇବା ଲାଗି ପ୍ରାର୍ଥନା କରାଯାଇଥାଏ ।

ଓଡ଼ିଶାରେ ମକର ସଂକ୍ରାନ୍ତି ପର୍ବ: କେଉଁଠି କିପରି ପାଳନ କରାଯାଇଥାଏ ଜାଣନ୍ତୁ
ପ୍ରତୀକାତ୍ମକ ଫଟୋ
  • News18 Odia
  • Last Updated: January 14, 2020, 5:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଉତକୃଷ୍ଟ କଳା ଓ ସଂସ୍କୃତିର ଉତ୍କଳ(ଓଡ଼ିଶା)ରେ ୧୨ ମାସରେ ୧୩ ପର୍ବ ପାଳିତ ହେଉଥିବାବେଳେ ମକର ସଂକ୍ରାନ୍ତି ଅନ୍ୟତମ ଗଣପର୍ବ ଭାବେ ପାଳିତ ହୋଇଥାଏ । ଯଦିବା ଏହି ଉତ୍ସବକୁ ସାରା ରାଜ୍ୟରେ ପାଳନ କରାଯାଇଥାଏ ତଥାପି ଉତ୍ତର ଓଡ଼ିଶାରେ ଏହାକୁ ଅତି ଆଡମ୍ବର ସହକାରେ ପାଳନ କରାଯାଇଥାଏ । ଉତ୍ତର ଓଡ଼ିଶାର ମୟୁରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝରରେ ଏହି ପର୍ବକୁ ଜିଲ୍ଲାବାସୀମାନେ ଅତ୍ୟନ୍ତ ଆନନ୍ଦ ଉତ୍ସାହର ସହ ପାଳନ କରିଥାନ୍ତି । ଓଡ଼ିଶାର ଜନଜାତି ମାନଙ୍କ ମଧ୍ୟରେ ଏହି ପର୍ବ ବେଶି ଲୋକପ୍ରିୟ ପର୍ବ ଭାବେ ଜଣାଯାଇଥାଏ ।

ଓଡ଼ିଶାର ଅନ୍ୟତମ ପ୍ରମୁଖ ଗଣପର୍ବ ମକର ସଂକ୍ରାନ୍ତିରେ ସୂର୍ଯ୍ୟଦେବତାଙ୍କୁ ପୂଜାର୍ଚ୍ଚନା କରାଯିବା ସହ କେତେକ ସ୍ଥାନରେ ଧାନ ଅମଳ ପାଇଁ ଖଳାକୁ ପରିଷ୍କାର କରାଯାଇଥାଏ । ଏହିଦିନ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇ ଲୋକମାନେ ପରସ୍ପର ମଧ୍ୟରେ ମକର ଚାଉଳ ବଣ୍ଟନ କରିଥାନ୍ତି । ଓଡିଶାର ଆରାଧ୍ୟ ଜଗନ୍ନାଥଙ୍କ ପାଖରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଏହା ସହ ପ୍ରମୁଖ ଶୈବପୀଠ କଟକ ଜିଲ୍ଲାର ଧବଳେଶ୍ବର, ମୟୁରଭଞ୍ଜ ଜିଲ୍ଲାର ମାଣତ୍ରୀସ୍ଥିତ ବାବା କଖାରୁଆ ବୈଦ୍ୟନାଥ, କୋରପୁଟର ଗୁପ୍ତେଶ୍ବର, ବାଲେଶ୍ବରର ଭୀମେଶ୍ବର ପୀଠରେ ଏହାକୁ ଅତି ଧୁମ୍ ଧାମରେ ପାଳନ କରାଯାଇଥାଏ ।

ମକର ଚାଉଳ

ମକର ସଂକ୍ରାନ୍ତିର ଅନ୍ୟତମ ବିଶେଷତ୍ବ ହେଉଛି ମକର ଚାଉଳ । ଏହାର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ଟିକେ ନିଆରା ହୋଇଥାଏ । ଏଥିପାଇଁ  ଚାଉଳକୁ ଗୁଣ୍ଡ କରାଯାଇ ଚୂନା ପ୍ରସ୍ତୁତ କରାଯାଇଥାଏ ପରେ ଏଥିରେ ଦୁଧ, ଦହି, ଆଖୁ, ଗୁଡ଼, କଦଳୀ, କନ୍ଦମୁଳ ପ୍ରଭୃତି ମିଶାଯାଇ ଏହାକୁ ସୁସ୍ବାଦୁ କରାଯାଇଥାଏ । କେତେକସ୍ଥାନରେ ଚୂଡ଼ା ଏବଂ ଗୁଡକୁ ଚକଟି ସେଥିରେ ଦହି ଓ ଆଖୁ, ସେଓ, ଅଙ୍ଗୁର, କଦଳୀ, ଚାଉଳ ସହ ପାଣିଆ ଭୋଗ ଭାବେ ପ୍ରସ୍ତୁତ କରାଯାଇଥାଏ ।

କେଉଁଠି ପାଳନ କରାଯାଇଥାଏ

ଉତ୍ତର ଓଡ଼ିଶାର ପ୍ରମୁଖ ସ୍ଥାନ ଯେପରି ମୟୁରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ବରରେ ଏହି ପର୍ବକୁ ପ୍ରମୁଖ ଭାବେ ପାଳନ କରାଯାଉଥିବାବେଳେ ଏହି ଦିନଠାରୁ ମେଳା ଆରମ୍ଭ ହୋଇଥାଏ । ଆଦିବାସୀ ବହୁଳ ଜିଲ୍ଲା ମୟୁରଭଞ୍ଜରେ ଆଦିବାସୀମାନେ ଏହାକୁ ଟୁସୁମେଳା ଭାବେ ପାଳନ କରିଥାନ୍ତି । ପାହାଡ଼ ଉପରେ ଟୁସୁ ଠାକୁରାଣୀଙ୍କୁ ସ୍ଥାପନ କରି ତାଙ୍କୁ ପୂଜା କରିବା ସହ ଗଞ୍ଜା ଲଢ଼େଇ କରିଥାନ୍ତି । ମକର ଅବସରରେ ପୁରା ଜିଲ୍ଲାର ଘରେ ମାଂସ ଭୋଜିର ଆସର ଦେଖିବାକୁ ମିଳିଥାଏ । ସେହିପରି ବାଲେଶ୍ବର ଜିଲ୍ଳାରେ ଏହି ଦିନଠାରୁ ପ୍ରମୁଖ ଶୈବପୀଠ ଗୁଡ଼ିକରେ ମେଳା ଆରମ୍ଭ କରାଯାଇଥାଏ । ଏହି ସମୟରେ ପାରମ୍ପରିକ ପାଲା, ଦାସକାଠିଆ, ଘୋଡ଼ାନାଚ ପ୍ରଭୃତି ପ୍ରତ୍ୟେକ ସନ୍ଧ୍ୟାରେ ଆୟୋଜିତ ହୋଇଥାଏ । କୋରାପୁଟର ଗୁପ୍ତେଶ୍ବର ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହେବା ସହ ମେଳା ଆୟୋଜିତ ହୋଇଥାଏ । ଗଜପତି ଜିଲ୍ଲାରେ ଜିଲ୍ଲାସ୍ତରୀୟ ମେଳା ଆୟୋଜିତ ହୋଇଥାଏ ।

 
First published: January 14, 2020, 5:35 PM IST