News18 Odia Digital
ପୁରୀ: ଶ୍ରୀନଅର ଇଷ୍ଟଦେବୀ କନକ ଦୁର୍ଗାଙ୍କ ପାଖରେ ଲାଗିହେଲା ପରେ ରାଜା ପାଇବେ ପହିଲି ଭୋଗ। ଏଥିରେ ସାମିଲ ଅଛି ୨୮ ପ୍ରକାର ପିଠା। ଏଗୁଡ଼ିକ ହେଲା ନଳି, ମୋଗେଇ, କଣ୍ଟେଇ, ବିରିବରା, ଦରସୁଆଁ ବଡି,ଏଣ୍ଡୁରୀ, ଆରିସା, କାକରା, ଚେଢେଇନେଦା, ହଂସକେଳି, ଝିଲ୍ଲୀ, ନାଡୀ, ଅମାଲୁ ଇତ୍ୟାଦି ସ୍ୱାଦିଷ୍ଟ ବ୍ୟଞ୍ଜନ।
ପବିତ୍ର ଧନୁ ସଂକ୍ରାନ୍ତି ଠାରୁ ଶୀତୁଆ ସକାଳରେ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଲାଗିହୁଏ ଏହି ପହିଲି ଭୋଗ। ପହିଲି ଭୋଗରେ ବିରି, ଗହମଚୂନା, ଘୃତ ପାଗ ହୋଇଥିବା ପିଠା ଏବଂ ଧନୁମୁଆଁ ଲାଗିହୁଏ। ଗୋପାଳବଲ୍ଲଭରେ ପହିଲି ଭୋଗ ସମ୍ପନ୍ନ ହୋଇଥାଏ।
କଥିତ ଅଛି ଯେ,ଏହି ସମୟରେ ମା' ଲକ୍ଷ୍ମୀ ନିଜ ବାପ ଘରକୁ ଯାଇଥାନ୍ତି। ଶ୍ରୀମନ୍ଦିରରେ ମା' ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା' ଯଶୋଦା ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି। ଏହି ପହିଲି ଭୋଗ ହେଉଛି ମହାପ୍ରଭୁଙ୍କର ଆଦ୍ୟ ଭୋଗ ଯାହା ବଢ଼ି ଭୋରରୁ କାଉ କା କରିବା ପୂର୍ବରୁ ଲାଗି କରାଯାଏ।

ଶ୍ରୀନଅର ଇଷ୍ଟଦେବୀ କନକ ଦୁର୍ଗାଙ୍କ ପାଖରେ ଲାଗିହେଲା ପରେ ରାଜା ପାଇବେ ପହିଲି ଭୋଗ
ପହିଲି ଭୋଗରେ ରହିଛି ରାଜାଙ୍କ ଖେଇ। ମହାପ୍ରଭୁଙ୍କ ଅଦ୍ୟ ବା ପ୍ରଥମ ସେବକ ହିସାବରେ ସମସ୍ତ ଦ୍ରବ୍ୟ ଏବଂ ସେବା ଉପରେ ରହିଛି ରାଜାଙ୍କ ଅଧିକାର। ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ରହିଛି ରାଜାଙ୍କ ଏ ଖେଇର ଉଲ୍ଲେଖ। ଏ ପହିଲି ଭୋଗ, ଅନ୍ୟ ଭୋଗ ଭଳି ଆନନ୍ଦ ବଜାରରେ ବିକ୍ରି ହୁଏନାହିଁ। ଏହାକୁ ସେବାୟତମାନଙ୍କ ମଧ୍ୟରେ ବାଣ୍ଟି ନିଆଯାଏ। ତେଣୁ ବଟଗଣେଶଙ୍କ ପାଖରେ ଦେଉଳିକରଣ ଯେତେବେଳେ ପହିଲି ଭୋଗକୁ ପ୍ରତିହାରୀ, ସୁଆରବଡୁ, ତଢ଼ଉକରଣ, ଦେଉଳକରଣଙ୍କ ମଧ୍ୟରେ ବାଣ୍ଟି ଥାନ୍ତି ସେତେବେଳେ ଜଗନ୍ନାଥଙ୍କ ଆଦ୍ୟସେବକ ରାଜାଙ୍କ ଖେଇ ମଧ୍ୟ ତାଙ୍କୁ ପଠା ଯାଇଥାଏ। ତେଣୁ ତାଙ୍କ ପ୍ରତିନିଧି ଆସି ଏକ ତାଡ଼ରେ ନେଇ ଶ୍ରୀନଅରରେ ପହଞ୍ଚାଇଥାନ୍ତି ବୋଲି କହିଛନ୍ତି ବଡୁ ମହାପାତ୍ର ସେବକ ରାଜନାରାୟଣ ବଡୁ ମହାପାତ୍ର।
କାଳିଆର ପ୍ରିୟ ଏହି ପହିଲି ଭୋଗ ପାଇବା ପାଇଁ ସଭିଁଙ୍କ ଆଦର ରହିଥିବା ବେଳେ ଭାଗ୍ୟରେ ଥିଲେ ସେବାୟତମାନଙ୍କ ଠାରୁ ଏହି ପହିଲି ଭୋଗ ପ୍ରସାଦ ମିଳିପାରିଥାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।