କଟକ ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର ଦ୍ୱାରା କିଡନୀ ପ୍ରତ୍ୟାରୋପଣ ହେଲା

ସଡ଼କ ଦୁର୍ଘଟଣାରେ ଗୁରୁତରଭାବେ ଆହତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ବ୍ରେନ୍ ଡେଡ୍ ଘୋଷିତ ହୋଇଥିଲେ ଗଞ୍ଜାମ ଜିଲ୍ଲାର ପ୍ରିୟଙ୍କା । ତାଙ୍କ କିଡନୀ ନୂଆ ଜୀବନ ଦେଇଛି କିଡନୀ ଖରାପ ହେବା ଯୋଗୁଁ ଆଠ ମାସ ହେଲା ଚ଼ିକିତ୍ସାରେ ଥିବା ବରଗଡ଼ର ଫିରୋଜ ସାହୁଙ୍କୁ ।

କଟକ ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର ଦ୍ୱାରା କିଡନୀ ପ୍ରତ୍ୟାରୋପଣ ହେଲା
ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ପ୍ରିୟଙ୍କା ବ୍ରେନ୍ ଡେଡ୍ ଘୋଷିତ ହୋଇଥିଲେ ।
  • News18 Odia
  • Last Updated: February 4, 2020, 3:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଏସସିବି ମେଡିକାଲରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇ ଜଣେ ମୃତକଙ୍କ କିଡନୀ ଆଉ ଜଣେ ବ୍ୟକ୍ତିଙ୍କ ଠାରେ ପ୍ରତ୍ୟାରୋପଣ କରାଯାଇଛି । କିଡନି ଦେଇଥିବା ମୃତ ଯୁବତୀ ପ୍ରିୟଙ୍କାଙ୍କ ଘର ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରେ ।

ପ୍ରିୟଙ୍କା ଗତ ଜାନୁଆରୀ ୨୭ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତରଭାବେ ଆହତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚ଼ିକିତ୍ସିତ ହେଉଥିଲେ । ଗତ କାଲି ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍‌ ଘୋଷଣା କରିଥିଲେ । ମୃତ୍ୟୁ ପରେ ଯୁବତୀଙ୍କ ପରିବାର ଲୋକେ ଅଙ୍ଗଦାନ ପାଇଁ ସମ୍ମତି ଜଣାଇଥିଲେ । ଏ ନେଇ ହସ୍ପିଟାଲ କତ୍ତୃପକ୍ଷ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ ।

ଆଠ ମାସ ହେଲା କିଡନୀ ଖରାପ ହୋଇଥିବା ଫିରୋଜ ସାହୁ ନାମକ ଜଣେ ବ୍ୟକ୍ତି ଏସସିବିରେ ଚିକିତ୍ସାଧୀନ ଥିଲେ । ତେଣୁ ସ୍ବାସ୍ଥ୍ୟ ବିଭାଗରୁ ଏ ନେଇ ଏସସିବିକୁ ଜଣାଯାଇଥିଲା । ଏସସିବିରୁ ଏକ ଡାକ୍ତରୀ ଟିମ ଆସି ମଧ୍ୟ ରାତ୍ରୀରେ ଭୁବନେଶ୍ବରରୁ ପ୍ରିୟଙ୍କାଙ୍କର ମର ଶରୀରରୁ କିଡନି ବାହାର କରି କଟକ ବଡ ମେଡିକାଲକୁ ନେଇଥିଲେ ।

ଆଜି ସକାଳୁ ଏସସିବିର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଫିରୋଜ ସାହୁଙ୍କ ଶରୀରରେ ପ୍ରିୟଙ୍କାଙ୍କ କିଡନୀ ପ୍ରତ୍ୟାରୋପଣ କରିଛନ୍ତି । ସାତ ଘଣ୍ଟାର ମାରାଥନ ଅପରେସନ ପରେ ଏହି ପ୍ରକ୍ରିୟା ସଫଳ ହୋଇଥିଲା ।

ନୂଆ ଜୀବନ ପାଇଥିବା ଫିରୋଜ ସାହୁଙ୍କ ବାପା ଓ ମାଆ


ଏମିତି କିଡନୀ ପ୍ରତିରୋପଣକୁ ଡାକ୍ତରୀ ଭାଷାରେ କ୍ୟାଡାଭେରିକ ଟ୍ରାନ୍ସପ୍ଲାଣ୍ଟ କୁହାଯାଏ । ଏମିତି ଅସ୍ତ୍ରୋପଚାର ଓଡିଶାରେ ପ୍ରଥମ ଥର ପାଇଁ କରାଯାଇଛି । ଅପରେସନ ପରେ ଫିରୋଜ ସାହୁ ସୁସ୍ଥ ଥିବା ଜଣାପଡିଛି । ସାହୁଙ୍କ ଘର ବରଗଡରେ । ପ୍ରତ୍ୟାରୋପଣ ପରେ ଖୁସି ପ୍ରକାଶ କରିଛନ୍ତି ଫିରୋଜର ପରିବାର ଲୋକେ ।

‘‘ଏମିତି ହେବ ବୋଲି ଆମେ ଆଶା କରିନଥିଲୁ । କିଡନି ଦେଇଥିବା ଯୁବତୀଙ୍କ ପରିଜନଙ୍କ ସମେତ ରାଜ୍ୟ ସରକାର ଓ ଡାକ୍ତରଙ୍କୁ ଆମେ ହୃଦୟରୁ କୃତଜ୍ଞତା ଜଣାଉଛୁ,’’ କହିଛନ୍ତି ଫିରୋଜଙ୍କ ମା’ ।

ଏହ ଘଟଣାକୁ ନେଇ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି: ‘‘ଅଙ୍ଗଦାନ ଭଳି ମହତ କାମ କରିଥିବା ପରିବାର ଓ ସଫଳ ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଦଳକୁ ଶୁଭେଚ୍ଛା । ଏହା ଓଡିଶାରେ ଅଙ୍ଗଦାନ ଓ ଆଧୁନିକ ଚିକିତ୍ସାରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି’’ ।
First published: February 4, 2020, 3:14 PM IST