News18 Odia Digital
ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପ (Khurda-Balangir Rail Project) ପାଇଁ ଖୋଲିଲା ବାଟ। ଏହି କାର୍ଯ୍ୟ ପାଇଁ ଜଙ୍ଗଲ ଜମିକୁ ଅନୁମୋଦନ ମିଳିଛି। ୬୮ କିଲୋମିଟର ରେଳ ଲାଇନ ପାଇଁ ଜଙ୍ଗଲ ଜମି ବାଧକ ସାଜିଥିଲା। ବର୍ତ୍ତମାନ କାର୍ଯ୍ୟ ପାଇଁ ଅନୁମୋଦନ ମିଳିଛି। ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କ ସମର୍ଥନ ଯୋଗୁଁ ସମ୍ଭବ ହୋଇଥିବା କୁହାଯାଉଛି।
ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଥିବା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର (Khurda-Balangir Rail Project) ୧୧୨ କିଲୋମିଟରରୁ ୧୮୦ କିଲୋମିଟର ମଧ୍ୟରେ ୬୮ କିଲୋମିଟର ରେଳ ଲାଇନ ପାଇଁ ବର୍ତ୍ତମାନ ଜଙ୍ଗଲ ଜମିକୁ ଅନୁମୋଦନ ଦିଆଯାଇଛି।
ଏହି ପ୍ରକଳ୍ପ ବଲାଙ୍ଗୀର, ସୋନପୁର, ଫୁଲବାଣୀ, ବୌଦ୍ଧ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ କରିବ ଏବଂ ପଶ୍ଚିମ ଏବଂ ଉପକୂଳ ଓଡ଼ିଶା ମଧ୍ୟରେ ଆଉ ଏକ ରେଳ ସଂଯୋଗ ସ୍ଥାପନ କରିବ। ୧୯୯୪-୧୯୯୫ରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଥିଲା। ଜଙ୍ଗଲ ମଞ୍ଜୁରୀ ସହିତ ଅନେକ ସମସ୍ୟା ପାଇଁ ଏହି ପ୍ରକଳ୍ପ ବିଳମ୍ବିତ ହେଉଥିଲା।
୨୦୧୪-୨୦୧୫ ରୁ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଇଛି। ଏବେ ସୁଦ୍ଧା ୩୦୧ କିମି ମଧ୍ୟରୁ ୧୧୫ କିଲୋମିଟର (ଖୋର୍ଦ୍ଧା ରୋଡରୁ ନୂଆଗାଁ ପର୍ଯ୍ୟନ୍ତ ୯୦ କିଲୋମିଟର) ଏବଂ ବଲାଙ୍ଗୀରରୁ ଝରତରଭା ପର୍ଯ୍ୟନ୍ତ ୨୫ କିଲୋମିଟର ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଛି।
ଖୋର୍ଦ୍ଧା ରୋଡ଼ ପାର୍ଶ୍ୱରୁ ନୂଆଗାଁ ଠାରୁ ଦଶପଲ୍ଲା ଏବଂ ବଲାଙ୍ଗୀର ପାର୍ଶ୍ୱରୁ ଝରତରଭା ଠାରୁ ଖମ୍ବେଶ୍ୱରପାଲି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚଳିତ ଆର୍ଥିକ ବର୍ଷ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆବଶ୍ୟକ ଜମି ଏବଂ ଜଙ୍ଗଲ ମଞ୍ଜୁର ହସ୍ତାନ୍ତର କରିବାରେ ବିଳମ୍ବ ହେତୁ ପ୍ରକଳ୍ପର ମନ୍ଥର ଅଗ୍ରଗତି ହୋଇଥିଲା।
ଦଶପଲ୍ଲା ଏବଂ ପୁରୁଣାକଟକ (୧୧୨-୧୮୦ କିମି ) ମଧ୍ୟରେ ଥିବା ୧୪୬୯ ଏକର ଜଙ୍ଗଲ ଜମି ପାଇଁ ବିଚାରାଧୀନ ଥିଲା ।ମାର୍ଚ୍ଚ ୨୦୨୩ ସୁଦ୍ଧା ନୁଆଗାଓଁ ଏବଂ ଦଶପଲ୍ଲା ମଧ୍ୟରେ ୧୫.୫ କିଲୋମିଟର ଦୈର୍ଘ୍ୟ ରେଳ ସେକ୍ସନ ମଧ୍ୟରେ ୫୬ଟି ମାଇନର୍ ଏବଂ ୩ ଟି ମେଜର ବ୍ରିଜ୍ ସହିତ ୧୫ ରୋଡ୍ ଅଣ୍ଡର ବ୍ରିଜ୍ (RUBs) ଏବଂ ୪ ଟି ରୋଡ୍ ଓଭର ବ୍ରିଜ୍ (ROB) ସହିତ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିଭଳି, ମାର୍ଚ୍ଚ ୨୦୨୩ ସୁଦ୍ଧା ଝରତରଭା-ଖମ୍ବେଶ୍ୱରପାଲ୍ଲୀ-ସୋନପୁର (୨୧.୭୦ କିଲୋମିଟର) ଦୈର୍ଘ୍ୟ ରେଳ ସେକ୍ସନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ପ୍ରକଳ୍ପ ପାଇଁ ୧୧୨-୧୮୦ କିଲୋମିଟର ମଧ୍ୟରେ ୯୭.୫୯ ଏକର ଘରୋଇ ଜମି, ୨୬୨.୭୫ ଏକର ସରକାରୀ ଜମି ସହିତ ଜଙ୍ଗଲ ଅନୁମୋଦନ ସଠିକ ସମୟରେ ମିଳିଥିଲେ ଡିସେମ୍ବର ୨୦୨୫ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷଧାର୍ଯ୍ୟ କରାଯାଇଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି।
ଖୋର୍ଦ୍ଧା ରୋଡ୍ - ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ବୈଷ୍ଣବଙ୍କ ଅନ୍ୟତମ ଫୋକସ୍ ପ୍ରକଳ୍ପ ହୋଇଥିବାବେଳେ ଏହା ପ୍ରଧାନମନ୍ତ୍ରୀଙ୍କ ଭିତ୍ତିଭୂମି ବିକାଶରେ ସ୍ଥାନ ପାଇଛି।
ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ବହୁ ପ୍ରତୀକ୍ଷିତ ଜନସାଧାରଣ କୈନ୍ଦ୍ରିକ ରେଳ ପ୍ରକଳ୍ପ ନିର୍ମାଣ ସମୟରେ ଉପୁଜୁଥିବା ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଗୁଡିକୁ ଶୀଘ୍ର ସମାଧାନ ପାଇଁ ତୃଣମୂଳ ସ୍ତରରେ ବିଭିନ୍ନ ସରକାରୀ ଓ ଅନ୍ୟାନ ସଂସ୍ଥା ମାନଙ୍କ ସହିତ ସମନ୍ୱୟ ରକ୍ଷାକରି କାର୍ଯ୍ୟକରିବାକୁ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ରେଳ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ଯାହା ଫଳରେ ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ଶେଷ ହେବା ପାଇଁ ତୃଣମୂଳ ସ୍ତରର ସମନ୍ୱୟ ଫଳପ୍ରଦ ହେବ ବୋଲି ସେ କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।