ଇଏ ଖୋର୍ଦ୍ଧା ଯୋଗାଣ ନିରୀକ୍ଷିକା ମାର୍ଶାଲିନ୍‌ ପଢ଼ିଆରୀ: କିରୋସିନରୁ ଟଙ୍କା ଛାଣୁଥିଲେ, ଧରା ପଡ଼ିଲେ

ଖୋର୍ଦ୍ଧା ବ୍ଲକରେ କିରୋସିନ କୋଟାର କେଲେଙ୍କାରୀ ଉଜାଗର ହୋଇଛି । ଏହାର ଖଳନାୟିକା ରୂପେ ସାମନାକୁ ଆସିଛନ୍ତି ଜଣେ ଯୁବା ମହଳା ଅଧିକାରୀ । ତେବେ ଏହି ଉତ୍କଟ ଦୁର୍ନୀତିର ଚ଼େର କେତେ ଦୂର ବ୍ୟାପିଛି ତାହା ଜାଣିବାକୁ ତଦନ୍ତ କରି ଏମିତି କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଦାବି ହେଉଛି ।

ଇଏ ଖୋର୍ଦ୍ଧା ଯୋଗାଣ ନିରୀକ୍ଷିକା ମାର୍ଶାଲିନ୍‌ ପଢ଼ିଆରୀ: କିରୋସିନରୁ ଟଙ୍କା ଛାଣୁଥିଲେ, ଧରା ପଡ଼ିଲେ
ମାର୍ଶାଲିନ ପଢ଼ିଆରୀ
  • News18 Odia
  • Last Updated: February 8, 2020, 12:50 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଖୋର୍ଦ୍ଧା: ଭିଜିଲାନ୍ସ ହାତରେ ଗିରଫ ହେବାର ୨୪ ଘଣ୍ଟା ପରେ ଖୋଲିଛି ଖୋର୍ଦ୍ଧା ବ୍ଲକ ଯୋଗାଣ ନିରୀକ୍ଷିକା ମାର୍ଶାଲିନ୍‌ ପଢ଼ିଆରୀଙ୍କ ଦୁର୍ନୀତିର କଳା କାରନାମା । ଗୁମର ଖୋଲିଛନ୍ତି ଜଣେ ଡିଲର । ମାର୍ଶାଲିନ ଡିଲରମାନଙ୍କଠାରୁ କିରୋସିନ ଲିଟର ପିଛା ୮୦ ପଇସା ଲେଖାଏଁ ଆଦାୟ କରୁଥିଲେ । ଏ ବାବଦରେ ଭାଇରାଲ୍‌ ହୋଇଥିବା ଏକ ଅଡିଓ ଟେପରେ ସେ ଜଣେ ଡିଲରଙ୍କ ସହ ଟଙ୍କା ନେବା ବିଷୟରେ କଥା ହୋଉଥିବା ସାମନାକୁ ଆସିଛି ।

କେଉଁ ଡିଲର କେଉଁ ମାସ କେତେ କିରୋସିନ ଉଠାଇବେ ଓ ସେଥି ପାଇଁ ତାଙ୍କୁ ଲିଟର ପିଛା କେତେ ପଇସା ଲାଞ୍ଚ ଦେବାକୁ ହେବ, ଯୋଗାଣ ନିରୀକ୍ଷିକା ମାର୍ଶାଲିନ୍ ନିଜେ କମ୍ପ୍ୟୁଟରରେ ତା’ର ହିସାବ ଲେଖି ଚ଼ିଠା ଧରାଇ ଦେଉଥିଲେ ବୋଲି ଅନୁସନ୍ଧାନରୁ ଜଣା ପଡ଼ିଛି । ଖୋର୍ଦ୍ଧା ଆଖପାଖରେ ଥିବା ୧୬ ଜଣ ଡିଲରଙ୍କ ଲିଷ୍ଟ ପ୍ରସ୍ତୁତ ହୋଇଥିଲା । କେବଳ ସେତିକି ନୁହେଁ, ବର୍ଷ ଶେଷରେ ଡିଲରସିପ୍ ନବୀକରଣ ବେଳେ ମଧ୍ୟ ୧୦ରୁ ୧୨ ହଜାର ଟଙ୍କା ମାର୍ଶାଲିନ୍ ଲାଞ୍ଚ ନେଉଥିଲେ ବୋଲି ତଥ୍ୟ ସାମନାକୁ ଆସିଛି ।

ଯଦିଓ ଭାଇରାଲ ହୋଇଥିବା ଏହି ଅଡିଓ ଟେପ୍‌ ମାର୍ଶାଲିନ୍ ଓ ସମ୍ପୃକ୍ତ ଡିଲରଙ୍କର ବୋଲି ଆଧିକାରିକ ଭାବେ ସ୍ପଷ୍ଟ ହୋଇନାହିଁ, ତେବେ ଅଡିଓ ଟେପର ଯାଞ୍ଚ ଚାଲିଛି ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ । ଇତି ମଧ୍ୟରେ ମାର୍ଶାଲିନଙ୍କୁ ଜାଣିଥିବା ଅନେକ ଡିଲର ଓ ଅନ୍ୟ ଲୋକେ କହିଛନ୍ତି ଯେ ଅଡିଓରେ ଥିବା କଣ୍ଠ ସ୍ପଷ୍ଟ ରୂପେ ମାର୍ଶାଲିନଙ୍କର ଓ ଜଣେ ପୁରୁଷ ଡିଲରଙ୍କର।

‘‘ଦୀର୍ଘ ଚ଼ାରି ବର୍ଷ ହେଲା ସେ (ମାର୍ଶାଲିନ) ଏମିତି ଟଙ୍କା ନେଇ ଚ଼ାଲିଛନ୍ତି । ଆମ ବ୍ଲକରେ ବର୍ତ୍ତମାନ ଆମେ ୨୫ ଜଣ ରିଟେଲର ଅଛୁ । ତିରିଶଟି ପଞ୍ଚାୟତରେ ୩୦ ଜଣ ଯୋଗାଣ ସହାୟକ ଅଛନ୍ତି । ତା’ ଭିତରେ ମହିଳା SHG ବି ଅଛନ୍ତି । ସେ (ମାର୍ଶାଲ୍ନ) ସମସ୍ତଙ୍କ ଠୁଁ ପଇସା ନିଅନ୍ତି, କିନ୍ତୁ ଆମ ୧୬ ଜଣଙ୍କ ଠୁଁ ସେ ଅଲଗା ପଇସା ନିଅନ୍ତି । ଆଉ ଅନ୍ୟ ବାଟରେ ସେ ଅନ୍ୟମାନଙ୍କ ଠୁଁ ପଇସା ନିଅନ୍ତି,’’ କହିଛନ୍ତି ପଲ୍ଲାର ଡିଲର ଅମ୍ୱିକା ପ୍ରସାଦ ଦାସ ।

ମାର୍ଶାଲିନ୍‌ ୨୦୧୭ ଜୁଲାଇ ୧୪ ତାରିଖରେ ଖୋର୍ଦ୍ଧା ବ୍ଲକରେ ଯୋଗାଣ ନିରୀକ୍ଷିକା ଭାବେ ଯୋଗ ଦେଇଥିଲେ ।


ଟାଙ୍ଗିଆପଡ଼ାର ଡିଲର ପ୍ରମୋଦ ପ୍ରଧାନ କହିଛନ୍ତି ଯେ ପ୍ରତି କାର୍ଡ଼ ପାଇଁ ପ୍ରତି ମାସ ଆସେ ଏକ ଲିଟର ୭୮୬ ମିଲି ଲିଟର କିରୋସିନ, କିନ୍ତୁ ପ୍ରତି ଡିଲରଙ୍କୁ ଦେବାକୁ ହୁଏ ଅଢ଼େଇ ଲିଟରର ଦାମ୍‌ । ‘‘ପ୍ରତ୍ୟେକ ଡିଲରକୁ ପ୍ରତି ଲିଟର ୮୦ ପଇସା ଲେଖାଏଁ ଦେବାକୁ ହୁଏ । ବହୁତ ପଇସା ନିଅନ୍ତି ସେମାନେ, ଆଉ ଡିଲରସିପ୍‌ ନବୀକରଣ ବେଳେ ସେମାନେ ବହୁତ ହଇରାଣ କରନ୍ତି ଆମକୁ । ୧୦,୦୦୦ ଟଙ୍କାରୁ ୧୨,୦୦୦ ଟଙ୍କା ଡିମାଣ୍ଡ୍‌ କରନ୍ତି । ନ ଦେଲେ ରିନୁଆଲ୍‌ କରିବେନି ବୋଲି କହନ୍ତି,’’ କହିଛନ୍ତି ପ୍ରଧାନ ।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ମାର୍ଶାଲିନଙ୍କ କାରନାମାର ଖୋଳତାଡ଼ ଚାଲିଛି । ଭାଇରାଲ ହୋଇଥିବା ଅଡିଓ ଟେପର ସତ୍ୟତା ନେଇ ପ୍ରଶାସନ ମଧ୍ୟ କିଛି ସ୍ପଷ୍ଟ କରିନାହିଁ । ଜିଲ୍ଲାପାଳ କହିଛନ୍ତି ଡିଲରଙ୍କ ସହ ମନି ଡିଲ୍ ଅଡିଓର ସତ୍ୟତା ନେଇ ଯାଞ୍ଚ ହେଉଛି ।

‘‘ଭିଜିଲାନ୍ସ ପକ୍ଷରୁ ଲିଖିତ ଭାବେ ରିପୋର୍ଟ୍‌ ଆମ ପାଖରେ ପହଞ୍ଚିଲା ପରେ ଯାହା ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ତାହା ଜିଲ୍ଲା ପ୍ରଶାସନ କରିବ,’’ କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ।

ମାର୍ଶାଲିନ୍‌ ୨୦୧୭ ଜୁଲାଇ ୧୪ ତାରିଖରେ ଖୋର୍ଦ୍ଧା ବ୍ଲକରେ ଯୋଗାଣ ନିରୀକ୍ଷିକା ଭାବେ ଯୋଗ ଦେଇଥିଲେ । ତାଙ୍କ ନାମରେ ଏବେ ଖୋର୍ଦ୍ଧା ବ୍ଲକରେ ଥିବା ୨୨ଟି ପଞ୍ଚାୟତର ୨୫ ଜଣ ଡିଲରଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । କିରୋସିନ କୋଟା ବାବଦ ଏହି କେଲେଙ୍କାରୀ କେବଳ ଖୋର୍ଦ୍ଧା ବ୍ଲକରେ ସୀମିତ ନା ଜିଲ୍ଲାର ଅନ୍ୟ ନଅଟି ବ୍ଲକରେ ଚ଼ାଲିଛି, ତା’ର ଖୋଳତାଡ଼ ହେବା ଜରୁରୀ ବୋଲି ସାଧାରଣ ଲୋକେ ଦାବି କରିଛନ୍ତି ।
First published: February 8, 2020, 12:50 AM IST