ଭୁବନେଶ୍ୱରରେ ଆରମ୍ଭ ହେଲା ‘ଖେଲୋ ଇଣ୍ଡିଆ’; ୧୫୯ ବିଶ୍ବବିଦ୍ୟାଳୟର ୩,୦୦୦ ପ୍ରତିଯୋଗୀ ସାମିଲ

ଖେଲୋ ଇଣ୍ଡିଆ ଆରମ୍ଭ ହୋଇଯାଇଛି । ଓଡ଼ିଆ ଖେଳାଳିମାନେ ବେଶ୍‌ ଉତ୍ସାହିତ । ଦୁଇ ଓଡ଼ିଆ ଷ୍ଟାର୍ ଦୂତୀ ଚ଼ାନ୍ଦ ଓ ଋତୁପର୍ଣ୍ଣା ପଣ୍ଡା ଏଥିରେ ସାମିଲ ହୋଇଛନ୍ତି । ଉଭୟ ୧୦୦ ଓ ୨୦୦ ମିଟରରେ ଭାଗ ନେଉଛନ୍ତି ଦୂତୀ ।

ଭୁବନେଶ୍ୱରରେ ଆରମ୍ଭ ହେଲା ‘ଖେଲୋ ଇଣ୍ଡିଆ’; ୧୫୯ ବିଶ୍ବବିଦ୍ୟାଳୟର ୩,୦୦୦ ପ୍ରତିଯୋଗୀ ସାମିଲ
ଖେଲୋ ଇଣ୍ଡିଆର ପ୍ରଥମ ସଂସ୍କରଣ ଓଡ଼ିଶାରେ ହେଉଛି ।
  • News18 Odia
  • Last Updated: February 22, 2020, 12:26 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ଆରମ୍ଭ ହୋଇଯାଇଛି ରାଜଧାନୀରେ। ଦେଶର ୧୫୯ ବିଶ୍ବବିଦ୍ୟାଳୟର ୩,୦୦୦ ରୁ ଅଧିକ ପ୍ରତିଯୋଗୀ ଏଥିରେ ସାମିଲ ହୋଇଛନ୍ତି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ବିଧିବଦ୍ଧଭାବେ ଶନିବାର ଉଦ୍‌ଘାଟିତ ହେବ ଖେଳର ଏ ମିନି କୁମ୍ଭ, ହେଲେ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି ପ୍ରତିଦ୍ବନ୍ଦିତା ।

ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ରହିବେ, ଆଉ ଭିଡିଓ କନଫରେନସିଂ ଜରିଆରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେବେ । ୧୭ ଟି ଇଭେଣ୍ଟରେ ହେବ ପ୍ରତିଦ୍ବନ୍ଦିତା । ପ୍ରଥମ ଦିନରେ ଚ଼ାରିଟି ଇଭେଣ୍ଟରେ ହୋଇଛି ପ୍ରତିଦ୍ବନ୍ଦିତା – ବାସ୍କେଟବଲ, ଫେନ୍‌ସିଂ, ଫୁଟବଲ ଓ ଭଲିବଲ୍‌ । ଉଭୟ ମହିଳା ଓ ପୁରୁଷ ବର୍ଗରେ ପ୍ରତିଦ୍ବନ୍ଦିତା ହୋଇଛି ଏହି ଚ଼ାରିଟି ଖେଳରେ ।

ଖେଲୋ ଇଣ୍ଡିଆ ୨୦୨୦କୁ ନେଇ ବେଶ୍‌ ଉତ୍ସାହିତ ଓଡ଼ିଆ ଖେଳାଳିମାନେ । ଓଡ଼ିଶାର ଷ୍ଟାର ଖେଳାଳି ଭାବେ ଏଥିରେ ସାମିଲ ହୋଇଛନ୍ତି ଦୂତୀ ଚାନ୍ଦ ଓ ଋତୁପର୍ଣ୍ଣା ପଣ୍ଡା । ଉଭୟ ୧୦୦ ଓ ୨୦୦ ମିଟରରେ ଭାଗ ନେଇଛନ୍ତି ଦୂତୀ । ୨୭ ତାରିଖ ସକାଳେ ୧୦୦ ମିଟର ହିଟ୍‌ସରେ ଭାଗ ନେବେ ସେ। ଅପରାହ୍ଣରେ ହେବ ଫାଇନାଲ୍‌ । ସେହିପରି ୨୯ ତାରିଖ ସକାଳେ ୨୦୦ ମିଟର ହିଟ୍‌ସ ଏବଂ ଅପରାହ୍ଣରେ ଫାଇନାଲ୍‌ ହେବ ।

"ପ୍ରଥମ ଥର ପାଇଁ ଓଡ଼ିଶାରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେଉଥିବାରୁ ମୁଁ ବେଶ୍‌ ଉତ୍ସାହିତ,’’ କହିଛନ୍ତି ଦୂତୀ । ଏହା ଦ୍ବାରା ଓଡ଼ିଆ କ୍ରୀଡ଼ିବୀତ୍‌ ଅଧିକ ସଂଖ୍ୟାରେ ଖେଳିବାର ସୁଯୋଗ ପାଇବେ ବୋଲି କହିଛନ୍ତି ସେ ।

ଦୁତୀ ଚ଼ାନ୍ଦ୍‌


ସେହିପରି ‘‘କିଟ୍‌ ଛାତ୍ରୀ ହିସାବରେ କିଟ୍‌ ବିଶ୍ବବିଦ୍ୟାଳୟରେ କ୍ରୀଡ଼ା ଆୟୋଜନ’’କୁ ନେଇ ନିଜେ ବେଶ୍‌ ଗର୍ବିତ ବୋଲି କହିଛନ୍ତି ବ୍ୟାଡମିଣ୍ଟନ ତାରକା ଋତୁପର୍ଣ୍ଣ ପଣ୍ଡା । ଭଲ ପ୍ରଦର୍ଶନ ନେଇ ନିଜକୁ ପ୍ରସ୍ତୁତ କରିଥିବା ସେ କହିଛନ୍ତି ।

ଏହି ଖେଳ ପ୍ରତିଯୋଗିତାରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଛନ୍ତି । ଏଥି ପାଇଁ ନିଯୁକ୍ତ ହୋଇଛନ୍ତି ୭୦୦ ଟେକ୍ନିକାଲ ଅଫିସର । ଏଥିରେ କିଟ୍‌ ବିଶ୍ବବିଦ୍ୟାଳୟର ୧୦୦ ଜଣ କ୍ରୀଡ଼ାବିତ୍‌ଙ୍କ ସମେତ ସମ୍ବଲପୁରରୁ ୨୫ ଜଣ, ଉତ୍କଳ ବିଶ୍ବବିଦ୍ୟାଳୟର ୨୦ ଜଣ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଛନ୍ତି ।

‘‘ଶିକ୍ଷା ସହ କ୍ରୀଡ଼ା କ୍ଷେତ୍ରରେ ପ୍ରତିଭା ବିକାଶ ଲକ୍ଷ୍ୟରେ ଆରମ୍ଭ ହୋଇଛି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା । ତା’ ସହ ଖେଳାଳିଙ୍କୁ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ପାଇଁ ସୁଯୋଗ ପ୍ରଦାନ କରିବା ଓ ସେମାନଙ୍କ ଦକ୍ଷତା ବିକାଶ କରିବା ଏହି ଉଦ୍ୟମର ମୂଳ ଉଦେଶ୍ୟ,’’ କହିଛନ୍ତି ସ୍ପୋର୍ଟ୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ, SAI) ର ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ ।

ରାଜ୍ୟ କ୍ରୀଡ଼ା ସଚିବ ବିଶାଲ ଦେବ କହିଛନ୍ତି: ‘‘ପୂର୍ବରୁ ଓଡ଼ିଶାରେ ଆଥଲେଟିକ୍ସ, ହକି, ଫୁଟବଲ୍‌ ଓ ରଗ୍‌ବୀ ଭଳି ଏକକ ଗେମ୍ସ ସଫଳତାର ସହ ଆୟୋଜିତ ହୋଇଛି । ହେଲେ ଏହି ଟୁର୍ଣ୍ଣାମେଣ୍ଟରେ ୧୭ ଟି ଇଭେଣ୍ଟରେ ପ୍ରତିଦ୍ବନ୍ଦିତା ହେବ । ଏହାକୁ ସଫଳତାର ସହ ଆୟୋଜନ କରିବା ନେଇ ଆଶାବାଦୀ ରାଜ୍ୟ ସରକାର । ଓଡ଼ିଶା ପାଇଁ ଏହା ଏକ ଗର୍ବ’’ ।

ଫେବୃଆରୀ ୨୧ ରୁ ମାର୍ଚ୍ଚ ୧ ତାରିଖ ଯାଏ ଚ଼ାଲିବ ବିଶ୍ବବିଦ୍ୟାଳୟ କ୍ରୀଡ଼ା । କଳିଙ୍ଗ ଷ୍ଟାଡିୟମରେ ଦୁଇଟି ଓ କଟକ ଇଣ୍ଡୋର୍‌ ଷ୍ଟାଡିୟମରେ ଦୁଇଟି ଇଭେଣ୍ଟ ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟ ସମସ୍ତ ଇଭେଣ୍ଟ କିଟ୍‌ କ୍ରୀଡ଼ା କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବ ।
First published: February 22, 2020, 12:26 AM IST