ଖଣ୍ଡଗିରି ମେଳାରେ ଯାତ୍ରା ଆରମ୍ଭ; ଏଥର ଦିଶିବନି ‘ଆଇଟମ୍ ଗାର୍ଲ’ ରାନୀ ପଣ୍ଡାଙ୍କ ମତୁଆଲା ଡ୍ୟାନ୍ସ

ରାନୀ ପଣ୍ଡାଙ୍କ ‘‘ଅଶ୍ଳୀଳ ନୃତ୍ୟ’’କୁ ଏଥର ଜୋରଦାର ବିରୋଧ କରିଛନ୍ତି ମେଳାର ଆୟୋଜକମାନେ । ହେଲେ ସେମାନଙ୍କ ଚେତାବନୀକୁ ଭୃକ୍ଷେପ କରିନାହାନ୍ତି ରାନୀ । ‘‘ମୋ’ ନୃତ୍ୟରେ କେବେ ଅଶ୍ଳୀଳତା ନ ଥାଏ । ଦର୍ଶକ ଯାହା ଚାହାଁନ୍ତି ମୁଁ ତାହା ହିଁ ଷ୍ଟେଜରେ ପରଫରମ୍ କରେ,’’ ସେ କହିଛନ୍ତି ।

ଖଣ୍ଡଗିରି ମେଳାରେ ଯାତ୍ରା ଆରମ୍ଭ; ଏଥର ଦିଶିବନି ‘ଆଇଟମ୍ ଗାର୍ଲ’ ରାନୀ ପଣ୍ଡାଙ୍କ ମତୁଆଲା ଡ୍ୟାନ୍ସ
ଓଡ଼ିଆ ଯାତ୍ରାର ଖ୍ୟାତନାମା ‘ଆଇଟମ୍ ଗାର୍ଲ’ ରାନୀ ପଣ୍ଡା
  • News18 Odia
  • Last Updated: February 5, 2020, 1:05 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀ ନିକଟସ୍ଥ ଖଣ୍ଡଗିରି ପାହାଡ଼ର ପାଦଦେଶରେ ଆଜି (ବୁଧବାର) ଠାରୁ ଆରମ୍ଭ ହେଉଛି ଐତିହାସିକ ଖଣ୍ଡଗିରି ମେଳା ଓ ସେଥିରେ ଯାତ୍ରାର ମହାକୁମ୍ଭ । ଏଥର ଯାତ୍ରା ପରିବେଷଣ କରିବା ପାଇଁ ପ୍ରସ୍ତୁତ ହୋଇ ଅଛନ୍ତି ୧୨ଟି ଯାତ୍ରା ପାର୍ଟି । ହେଲେ ଏଥର ଏ ମେଳାରେ ଆଉ ଦେଖିବାକୁ ମିଳିବନି ଓଡ଼ିଶାର ଖ୍ୟାତନାମା ‘ଆଇଟମ୍ ଗାର୍ଲ’ ରାନୀ ପଣ୍ଡାଙ୍କ ମତୁଆଲା ଡ୍ୟାନ୍ସ ।

ଯାତ୍ରା ହେବ ଓ ବିଭିନ୍ନ ନାଟକ ପରିବେଷିତ ହେବ, ହେଲେ ସବୁ ଥର ପରି ଏଥର ହେବ ନାହିଁ ଆଇଟମ ଡ୍ୟାନ୍ସ । ରାନୀ ପଣ୍ଡାଙ୍କ ‘‘ଅଶ୍ଳୀଳ ନୃତ୍ୟୁ’’କୁ ଏଥର ଜୋରଦାର ବିରୋଧ କରିଛନ୍ତି ମେଳାର ଆୟୋଜକମାନେ । ଦର୍ଶକମାନେ ବି ସଫାସୁତୁରା ମନୋରଞ୍ଜନ ଦେଖିବା ପାଇଁ ଏଥର ଆଗ୍ରହୀ ଲାଗୁଛନ୍ତି ।

‘‘ଖଣ୍ଡଗିରି ଯାତ୍ରାରେ ଏଥର ଅଶ୍ଳୀଳ ନୃତ୍ୟକୁ ବ୍ୟାନ୍ କରାଯାଇଛି । କୌଣସି ଯାତ୍ରା ପାର୍ଟି ରେକର୍ଡ ଡ୍ୟାନ୍ସ ଭିତରେ ଯଦି ଅଶ୍ଳୀଳତାକୁ ପ୍ରଶ୍ରୟ ଦିଅନ୍ତି, ତେବେ ତାଙ୍କ ଲାଇସେନ୍ସ ରଦ୍ଦ କରିବାକୁ ଅନୁଶଂସା କରାଯିବ,’’ କହିଛନ୍ତି ସନାତନ ସେବା ସମିତିର ସଭାପତି ଚତୁର୍ଭୁଜ ମାଝୀ ।

ଖଣ୍ଡଗିରି ମେଳାରେ ଯାତ୍ରାର ଏକ ଦୃଶ୍ୟ (ଫାଇଲ୍‌ ଫଟୋ)


ହେଲେ ଯାତ୍ରା ଆୟୋଜକଙ୍କ ଏଭଳି ଚେତାବନୀକୁ ଭୃକ୍ଷେପ କରିନାହାନ୍ତି ରାନୀ ପଣ୍ଡା । ‘‘ମୁଁ କେବେ ଏଭଳି କିଛି ନୃତ୍ୟ କରି ନାହିଁ ଯେଉଁଥିରେ ଅଶ୍ଳୀଳତା ଅଛି ବୋଲି କୁହାଯିବ । ଦର୍ଶକ ଯାହା ଚାହୁଁଛନ୍ତି ତାହା ହିଁ ମୁଁ ଷ୍ଟେଜରେ ପରଫରମ୍‌ କରୁଛି,’’ କହିଛନ୍ତି ସେ ।

ତୁଳସୀ, ଶିବାନୀ, କଳିଙ୍ଗ, ଧଉଳି, ରଙ୍ଗମହଲ ଭଳି ବଡ଼ ଓ ପୁରୁଣା ଯାତ୍ରା ପାର୍ଟି ପରିବେଷଣ କରିବେ ନୂଆ ନୂଆ ନାଟକ । ଛଅଟି ପେଣ୍ଡାଲରେ ପର୍ଯ୍ୟାୟକ୍ରମେ ଏହି ଯାତ୍ରା ଚ଼ାଲିବ । ବଡ ଯାତ୍ରା ପାର୍ଟିକୁ ଛାଡି ଦେଲେ ଇନ୍ଦ୍ରଭୁବନ, ମାୟା ନଗରୀ ଓ ସ୍ବର୍ଣ୍ଣ ମହଲ ଭଳି ନୂଆ ଯାତ୍ରା ପାର୍ଟି ବି ମଞ୍ଚସ୍ଥ କରିବେ ଭଲ ଯାତ୍ରା । ଫେବୃଆରୀ ୫ ତାରିଖରୁ ଆରମ୍ଭ ହେଉଥିବା ଏହି ଯାତ୍ରା ମହାକୁମ୍ଭ ୧୬ ତାରିଖ ପର୍ଯ୍ୟନ୍ତ ଚ଼ାଲିବ ।

‘‘ପୂର୍ବ ବର୍ଷ ଗୁଡିକ ଅପେକ୍ଷା ଚ଼ଳିତ ବର୍ଷ ଆମେ ବେଶ୍‌ କିଛି ଭଲ ନାଟକ ପରିବେଷଣ କରିବୁ । ଲୋକେ ଯାତ୍ରାକୁ ଖୁବ୍‌ ଉପଭୋଗ କରିବେ,’’ କହିଛନ୍ତି ଯାତ୍ରା ପାର୍ଟି ରଙ୍ଗମହଲର ମ୍ୟାନେଜର ସୁବ୍ରତ ମିଶ୍ର ।

ଏଥର ବିଭିନ୍ନ ଯାତ୍ରା ପାର୍ଟି ଦ୍ୱାରା ଲଗାଯାଇଥିବା ପୋଷ୍ଟର


ବର୍ଷକୁ ଥରେ ଖଣ୍ଡଗିରିର ଯାତ୍ରା ମହୋତ୍ସବକୁ ଅନାଇ ବସିଥାଆନ୍ତି ଅଗଣିତ ଦର୍ଶକ । ଖଣ୍ଡଗିରି ରାସ୍ତାର ଉଭୟ ପାର୍ଶ୍ବରେ ଏବେ ଲାଗିଥିବା ବଡ଼ ବଡ଼ ପୋଷ୍ଟର ଓ ସେଥିରେ ଲେଖାଥିବା ନୂଆ ନୂଆ ନାୟକ ଓ ନାୟିକାଙ୍କ ନାଁ ଦେଖି ଦର୍ଶକଙ୍କ ଭିତରେ ଦେଖାଦେଇଛି ରୋମାଞ୍ଚ । କେଉଁ ପାର୍ଟିର କେଉଁ କଳାକାର ଏଥର ସାଜିବେ ଆକର୍ଷଣର କେନ୍ଦ୍ର ବିନ୍ଦୁ? କେଉଁ ଭିଲେନ୍ ହେବେ ଆକ୍ସନ କିଙ୍ଗ୍ ଆଉ  କେଉଁ ହିରୋଇନ୍ କିଣିବେ ଦର୍ଶକଙ୍କ ମନ? ତାକୁ ନେଇ ଦର୍ଶକଙ୍କ ମଧ୍ୟରେ ଆରମ୍ଭ ହୋଇଛି କଳ୍ପନାଜଳ୍ପନା ।

କେଉଁ ଯାତ୍ରା ପାର୍ଟିର ଟିକଟର ମୂଲ୍ୟ କେତେ ଟଙ୍କା ରହିଛି ତାହା ଉପରେ ଦର୍ଶକ ମାନଙ୍କର ନଜର ରହିଛି । ଏଥର ଟିକଟ ଦର ପୂର୍ବ ଭଳି ରହିଛି ୨୫୦ ଟଙ୍କାରୁ ୩୦୦ ଟଙ୍କା ଭିତରେ ।
First published: February 5, 2020, 12:54 AM IST
corona virus btn
corona virus btn
Loading