ଘରେ କଡ଼କନାଥ କୁକୁଡ଼ା ପାଳି ମୁଠା ମୁଠା ଟଙ୍କା ରୋଜଗାର କରୁଛନ୍ତି କେନ୍ଦୁଝରର ମହିଳାମାନେ

କରୋନା ଲକଡାଉନ୍ ସମୟରେ ଭାଟୁଣିଆ ଗାଁର ମହିଳାମାନେ ହାତ ବାନ୍ଧି ବସିଥିଲେ । ହେଲେ ତା’ ପରେ କଡ଼କନାଥ କୁକୁଡ଼ା ଚାଷ କରି ସେମାନେ ଭଲ ରୋଜଗାର ଆରମ୍ଭ କଲେ । ଏହି କୁକୁଡ଼ାର ମାଂସ ଓ ଅଣ୍ଡାର ଖୁବ୍ ଚାହିଦା ଅଛି ।

ଘରେ କଡ଼କନାଥ କୁକୁଡ଼ା ପାଳି ମୁଠା ମୁଠା ଟଙ୍କା ରୋଜଗାର କରୁଛନ୍ତି କେନ୍ଦୁଝରର ମହିଳାମାନେ
କଡ଼କନାଥ କୁକୁଡ଼ା ଚାଷ କରି ୭୫ ଜଣ ମହିଳା ଲାଭାନ୍ୱିତ ହୋଇଛନ୍ତି ।
  • News18 Odia
  • Last Updated: February 24, 2021, 9:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଅଭୟ କୁମାର ମହାପାତ୍ର | News18 Odia Digital

କେନ୍ଦୁଝର: ବାଡି଼ ଅଗଣାରେ କୁକୁଡ଼ା ଚାଷ ମହିଳାମାନଙ୍କୁ ରୋଜଗାରର ବାଟ ଦେଖାଇଛି ଓ ଆତ୍ମନିର୍ଭର କରିଛି । ଲକଡାଉନ ସମୟରେ ହାତ ବାନ୍ଧି ବସିଥିବା ମହିଳାମାନେ କଡ଼କନାଥ କୁକୁଡ଼ା ଚାଷ ଆରମ୍ଭ କରିଥିଲେ । ଛଅ ମାସ ପରେ ଏବେ ବଜାରରେ ସେହି କୁକୁଡ଼ା ଓ ଅଣ୍ଡା ବିକ୍ରି କରି ୭୫ ଜଣ ମହିଳା ଲାଭବାନ ହୋଇଛନ୍ତି ।

ଜିଲ୍ଲାର ସଦର ବ୍ଲକ୍‌ ପଦ୍ମପୁର ପଞ୍ଚାୟତର ଭାଟୁଣିଆ ଗାଁର ମହିଳାମାନେ ଛଅ ମାସ ଧରି କୁକୁଡ଼ା ପାଳନ କରୁଛନ୍ତି । ଏଥି ପାଇଁ ସେମାନଙ୍କୁ ଘରୁ ଦୂରକୁ ଯିବାକୁ ପଡୁନାହିଁ । ନିଜ ଘର ଅଗଣାରେ ସରକାର ଯୋଗାଇ ଦେଇଥିବା ଏକ ସ୍ବତନ୍ତ୍ର ପ୍ରଜାତିର କୁକୁଡ଼ା ରଖି ସେମାନଙ୍କୁ ଖାଦ୍ୟ ଦେବା ସହ ସେମାନଙ୍କ ଯତ୍ନ ନେଉଛନ୍ତି ଏହି ମହିଳାମାନେ । ପ୍ରତିକୂଳ ପରିସ୍ଥିତିରେ ବି ବଢି଼ ପାରୁଥିବା ଏହି କଡ଼କନାଥ କୁକୁଡ଼ାର ବଜାରରେ ରହିଛି ଅଧିକ ଚାହିଦା । ସେଥି ପାଇଁ କଡ଼କନାଥ କୁକୁଡ଼ାର ମାଂସ ଓ ଅଣ୍ଡା ବଜାରରେ ଅଧିକ ଦାମରେ ବିକ୍ରି କରି ଲାଭବାନ ହେଉଛନ୍ତି ଏହି ମହିଳାମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | କଦଳୀର ସାଇଜ୍ ଦେଖି ଚମକି ଗଲେ ମହିଳା; ସୋସିଆଲ୍ ମିଡି଼ଆରେ ଫଟୋ ଭାଇରାଲ୍ ହେଲା

‘‘ଆମେ ପ୍ରତି ମହିଳା ହଜାରେ ଟଙ୍କା ଲେଖାଏଁ ଡିପୋଜିଟ୍ କରିଥିଲୁ ।ସରକାର କୁକୁଡ଼ା ଚିଆଁ ଯୋଗାଇ ଦେଲେ ।ତିନି ମାସ ଯାଏଁ ଦାନା ବି ଦେଲେ ସରକାର । ଏବେ କୁକୁଡ଼ା ବଡ଼ ହେଲେଣି ।ଅଣ୍ଡା ଦେଉଛନ୍ତି । କୁକୁଡ଼ା ଓ ଅଣ୍ଡା ବିକି ଭଲ ଦି’ ପଇସା ରୋଜଗାର କରି ପାରୁଛୁ,’’ କହିଛନ୍ତି ଭାଟୁଣିଆ ଗାଁର ପବନ ସୂତ ଉତ୍ପାଦିକା ଗୋଷ୍ଠୀର ସଦସ୍ୟା ସଂଯୁକ୍ତା ଦେହୁରୀ ।

ସରକାର କୁକୁଡ଼ା ଚିଆଁ ଯୋଗାଇ ଦେଇଥିଲେ ଓ ତିନି ମାସ ଯାଏଁ ଦାନା ବି ଦେଇଥିଲେ ।


ଉତ୍ପାଦିକା ଗୋଷ୍ଠୀର ଅନ୍ୟ ଜଣେ ସଦସ୍ୟା କୁମ ଦେହୁରୀ କହିଛନ୍ତି, ‘‘କଡ଼କନାଥ କୁକୁଡ଼ାର ମାଂସ ଓ ଅଣ୍ଡା ଡାଇବେଟିସ୍ ରୋଗୀଙ୍କ ପାଇଁ ଉପଯୋଗୀ ବୋଲି କୁହାଯାଉଥିବାରୁ ସେହି କୁକୁଡ଼ା ମାଂସର ଚାହିଦା ରହିଛି ।ଏହି କୁକୁଡ଼ାରୁ ଦୁଇ ଗୁଣ ଲାଭ କରିବାକୁ ଲକ୍ଷ୍ୟ ରଖିଛୁ ।’’

ଏହା ବି ପଢ଼ନ୍ତୁ | କ୍ରିକେଟର୍ ମନୋଜ ତିୱାରୀ TMCରେ ଯୋଗଦେବେ; କହିଲେ ‘‘ଦିଦିଙ୍କୁ ଏକୁଟିଆ ଛାଡ଼ି ହେବ ନାହିଁ’’

ଲକଡାଉନ ସମୟରେ ମହିଳା ଚାଷୀଙ୍କର ଆର୍ଥିକ ପ୍ରଗତି ପାଇଁ ଆରମ୍ଭ ହୋଇଥିଲା ଏହି ଯୋଜନା । ଏଥିରେ ସଦର ବ୍ଲକର ୭୫ ଜଣ ମହିଳାଙ୍କୁ ୨୦ଟି କୁକୁଡ଼ା ଚିଆଁ ସହିତ କୁକୁଡ଼ା ଘର ଓ ତିନି ମାସ ପାଇଁ କୁକୁଡ଼ା ଖାଦ୍ୟ ଯୋଗାଇ ଦିଆଯାଇଥିଲା । ଏଥି ପାଇଁ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ମହିଳାମାନଙ୍କୁ ସାମୁହିକ ଭାବେ ୧୪ ଲକ୍ଷରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଏହି ଯୋଜନା ମାଧ୍ୟମରେ ଯେମିତି ମହିଳାମାନଙ୍କର ଆର୍ଥିକ ପ୍ରଗତି ହୋଇ ଚାଲିଥିବା ସେଥି ପ୍ରତି ଅଧିକାରୀମାନେ ଧ୍ୟାନ ଦେଉଛନ୍ତି ।

ଏହା ବି ପଢ଼ନ୍ତୁ | କଙ୍ଗନା ରାଣାୱତ ନିଜ ଭାଇଭଉଣୀଙ୍କୁ ଦେଲେ ୪ଟି ଫ୍ଲାଟ୍; ନିଜର ବି ଅଛି କୋଟି କୋଟି ଟଙ୍କାର ବଙ୍ଗଳା

‘‘କରୋନା ଲକଡାଉନ୍‌ ସମୟରେ ଭାଟୁଣିଆର ମହିଳାମାନେ ହାତ ବାନ୍ଧି ବସିଥିବା ବେଳେ ଆଇଡିଏ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଆଇଟିଡିଏ ସଂସ୍ଥା ଦ୍ବାରା ବାଡି଼ ଅଗଣାରେ କୁକୁଡ଼ା ଚାଷ ଯୋଜନାରେ ସେମାନଙ୍କୁ ଯୋଡ଼ିଥିଲା । ଏହି ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୨୦ଟି କଡ଼କନାଥ କୁକୁଡ଼ା ଓ ଗୋଟିଏ କୁକୁଡ଼ା ଘର ଯୋଗାଇ ଦିଆଯାଇଥିଲା । ଏହି କୁକୁଡ଼ାରେ ଅଧିକ ପୌଷ୍ଟିକ ତତ୍ତ୍ୱ ଥିବାରୁ ଏହାର ଅଣ୍ଡା ଗୋଟା ୩୦ ଟଙ୍କାରେ ବିକ୍ରି ହେଉଛି । ଏହି କୁକୁଡ଼ାର ମାଂସର ବି ଖୁବ୍‌ ଚାହିଦା ରହିଛି,’’ କହିଛନ୍ତି ଆଇଡିଏର ବିଷୟବସ୍ତୁ ବିଶେଷଜ୍ଞ ପ୍ରମୋଦ ବଗର୍ତ୍ତୀ ।

ଏହା ବି ପଢ଼ନ୍ତୁ | ମଦ ପିଉଥିବାରୁ ମାଗାଳିଦେଲା, ତେଣୁ ପୁଅ ମାକୁ ହତ୍ୟା କଲା, ଜୁଇ ନିଆଁରେ କୁକୁଡ଼ା ରାନ୍ଧି ଖାଇଲା

ସଦର ବ୍ଲକରେ ୭୫ ଜଣ ଆଦିବାସୀ ମହିଳାଙ୍କୁ କଡ଼କନାଥ କୁକୁଡା ଚିଆଁ ଯୋଗାଇ ଦେବା ସହ ପ୍ରତି ମହିଳା ପିଛା ୧୦ ହଜାର ଟଙ୍କା ଆଇଟିଡିଏ ତରଫରୁ ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି କେନ୍ଦୁଝର ଆଦିବାସୀ ଉନ୍ନୟନ ସଂସ୍ଥାର ଉଦ୍ୟୋଗୀ ବିଶେଷଜ୍ଞ ଅଜୟ କୁମାର ନାୟକ ।



‘‘ଏହି କୁକୁଡ଼ା ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ବଢି଼ପାରୁଥିବାରୁ ଏହା ବ୍ୟବସାୟ ଉପଯୋଗୀ । ବାଡି଼ ଅଗଣାରେ କୁକୁଡ଼ା ଚାଷ କରି ମହିଳାମାନେ ଲାଭବାନ ହୋଇ ପାରିଥିବା ଦେଖି ଖୁସି ଲାଗୁଛି,’’ କହିଛନ୍ତି ନାୟକ ।
Published by: Anand Shankar Thankur Das
First published: February 24, 2021, 9:19 PM IST