News18 Odia Digital
ଅନୁଗୋଳ: ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ପୁଣି ଥରେ ଅଣ୍ଟା ଭିଡ଼ିଛି ବନ ବିଭାଗ। ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ କରିବାକୁ ଏବେ ଗାଁ ଉଚ୍ଛେଦ ପାଇଁ ଆରମ୍ଭ କରିଛି ପ୍ରକ୍ରି୍ୟା। ପ୍ରଥମେ ରାଇଗୋଡ଼ା ଗାଁ ଉଚ୍ଛେଦ କରାଯାଇଛି। ଏହାପରେ ଆଶନବାହାଳୀ ଗାଁ ଉଚ୍ଛେଦ କରିବାକୁ ସମସ୍ତ ପ୍ରକ୍ରିୟା ସରିଛି। ଏବେ କଟରଙ୍ଗ ଗାଁ ଅନ୍ୟତ୍ର ଉଠାଇ ନେବାକୁ ଆରମ୍ଭ ହୋଇ ଯାଇଛି କାର୍ଯ୍ୟକ୍ରମ ।
ଏଥିପାଇଁ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସମୟରେ ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ଆରମ୍ଭ କରିଦେଇଛନ୍ତି। ତେବେ ଏଥର ପ୍ରଶାସନ ସେମାନଙ୍କୁ ଥଇଥାନ କରିବାକୁ କୈାଣସି ଜମି ଜୋଗାଇ ଦେବେ ନାହିଁ କେବଳ ଆବଶ୍ୟକ କ୍ଷତି ପୂରଣ ଦିଆଯିବ ବୋଲି ନିଷ୍ପତ୍ତି ନେଇଥିବାରୁ ଗ୍ରାମବାସୀ ଏଠାରୁ ଯିବେ କି ନାହିଁ ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି।
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଜିଲିଣ୍ଡା ରେଞ୍ଜ ଅଧିନରେ ରହିଛି କଟରଙ୍ଗ ଗାଁ। ଗାଁରେ ପ୍ରାୟ ୧୦୦ ଆଦିବାସୀ ପରିବାର ବସବାସ କରନ୍ତି । ଚାରିଆଡ଼େ ନିଘଞ୍ଚ ଜଙ୍ଗଲ। ମଝିରେ ଅବସ୍ଥିତ ଗାଁଟି। ସନ୍ଧ୍ୟା ହେଲେ କେବଳ ହିଂସ୍ର ଜନ୍ତୁଙ୍କ ରାବ ଓ ହାତୀ ପଲର ବିଚରଣ। ଅନୁଗୋଳ-ଟିକରପଡ଼ା ରାସ୍ତାର ହାତୀବାରି ଠାରୁ ୭ କି.ମି ଜଙ୍ଗଲ ଭିତରେ ଗଲେ ପଡ଼େ ଗାଁଟି । ସେହି ୭ କି.ମି ରାସ୍ତା ଏତେ ଦୁର୍ଗମ ଓ ଘଞ୍ଚଯେ ଦିନ ଦିପହରେ ବି ରାସ୍ତା ଅନ୍ଧାର ଦେଖା ଯାଏ । ହାତୀମାନେ ରାସ୍ତା ଉପରେ ଅନାୟାସରେ ବିଚରଣ କରନ୍ତି। ତେଣୁ ଏକୁଟିଆ ଯିବା ଆଦୌ ସମ୍ଭବ ନୁହେଁ। ଗାଁରେ ନାହିଁ ବିଦ୍ୟୁତ ଆଲୋକ ଓ ପାନୀୟ ଜଳର ସୁବିଧା। କାରଣ ରାସ୍ତା ନଥିବାରୁ କୈାଣସି ଗାଡ଼ି ଯାଇ ପାରୁ ନାହିଁ। ଗାଁରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସେବାଶ୍ରମ ସ୍କୁଲଟିଏ ଅଛି। ତା'ପରେ ଆଉ ପାଠପଢ଼ି ପାରନ୍ତି ନାହିଁ ପିଲାମାନେ।

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଜିଲିଣ୍ଡା ରେଞ୍ଜ ଅଧିନରେ ରହିଛି କଟରଙ୍ଗ ଗାଁ
ଅଧିକ ପଢ଼ିବାକୁ ପୁରୁଣାକୋଟ ଓ ଟିକରପଡ଼ା ଯିବାକୁ ପଡ଼େ। କିନ୍ତୁ ଏଭଳି ଦୁର୍ଗମ ଓ ହିଂସ୍ର ଜନ୍ତୁ ଚଳପ୍ରଚଳ କରୁଥିବା ରାସ୍ତାରେ ପିଲାମାନେ ଯାଇ ପାରୁ ନାହାଁନ୍ତି। ସରକାରୀ ଯୋଜନାରେ ଚାଉଳ ଓ କିରୋସିନି ନେବାକୁ ମାସରେ ଥରେ ଟିକରପଡ଼ା ପଞ୍ଚାୟତକୁ ଆସିବାକୁ ପଡ଼େ। ଦିନ ଥାଉ ଦଳେ ଲୋକ ଠେଙ୍ଗା ବାଡ଼ି ଧରି ଆସି କିରୋସିନି ନିଅନ୍ତି। ଅପରାହ୍ନ ୪ଟା ବାଜିଲେ ସମସ୍ତେ ଘରେ। ବାହାରକୁ ବାହାରିବା ମୁସ୍କିଲ ହୋଇ ପଡ଼େ। କେବଳ ଚାଷବାସ କରି ଯାହା କିଛି ପାଆନ୍ତି ସେଥିରେ ପରିବାର ଚାଲେ। ହେଲେ ହାତୀ ବାରହା ଦାଉରୁ ଆଉ ଫସଲ ହେଉ ନାହିଁ। ବନ ବିଭାଗ ତରଫରୁ କେବେ ହେଲେ କ୍ଷତି ପୂରଣ ମିଳୁନି। କୈାଣସି କାମଧନ୍ଦା ମଧ୍ୟ ଯୋଗାଇ ଦିଆ ଯାଉ ନାହିଁ।
ଏଭଳି ପରିସ୍ଥିତିରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ଗାଁ ଉଚ୍ଛେଦ କରିବାକୁ ଯୋଜନା ଚାଲିଥିବାରୁ ଲୋକେ କେଉଁ କୁଳର ହେବେ ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ଏତେ ଅସୁବିଧାରେ ଜୀବନ ବିତାଉ ଥିବାରୁ କିଛି ଗ୍ରାମବାସୀ ଏଠାରୁ ଅନ୍ୟତ୍ର ଚାଲି ଯିବାକୁ ଚାହୁଛନ୍ତି। ଆଉ କିଛି ନିଜ ଜିଦରେ ଅଟଳ ରହିଛନ୍ତି । ବନ ବିଭାଗ ପକ୍ଷରୁ ପ୍ରତ୍ୟକ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆ ଯାଇଛି। କିନ୍ତୁ ସେମାନଙ୍କୁ କୈାଣସି ସ୍ଥାନରେ ଜମି ଯୋଗାଇ ଦିଆଯିବ ନାହିଁ ବୋଲି କୁହା ଯାଇଛି। ଫଳରେ ଲୋକେ କୁଆଡ଼େ ଯିବେ କେଉଁଠି ରହିବେ ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ସମସ୍ତେ। ଅନ୍ୟ ପକ୍ଷରେ ପୁର୍ବରୁ ରାଇଗୋଡ଼ା ଗାଁକୁ ଉଚ୍ଛେଦ କରାଯାଇଛି। କିନ୍ତୁ ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା ସବୁ କ୍ଷତି ପୂରଣ ମିଳି ପାରିନାହିଁ। ସେହିପରି ଅଶନବାହାଳୀ ଗାଁର ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଚୁକ୍ତି ଅନୁସାରେ ସେମାନଙ୍କୁ ଆବଶ୍ୟକ ଜମି ଯୋଗାଇ ଦିଆ ଯାଇ ପାରିନାହିଁ। ତେଣୁ ବନ ବିଭାଗ ପ୍ରତିଶୃତିକୁ କଟରଙ୍ଗ ଗ୍ରାମବାସୀ ସହଜରେ ବିଶ୍ବାସ କରି ପାରୁନାହାଁନ୍ତି।
ଏହାକୁ ନେଇ ବନ ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଟଣା ଓଟରା ଚାଲିଛି। ଗ୍ରାମବାସୀ ଦାବି କରୁଛନ୍ତିଯେ ସେମାନଙ୍କୁ ପ୍ରଥମେ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଗଲେ ସେହି ଟଙ୍କାରେ ସେମାନେ ପ୍ରଥମେ ଘର ତିଆରି କରିବାକୁ ଜମି କିଣିବେ। ଆଉ ପରେ ଗାଁ ଛାଡ଼ିବା କଥା ଚିନ୍ତା କରିବେ। ଯାହାକି ବନ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ମଧ୍ୟ ପ୍ରଦେଶରୁ ମହାବୀର ଓ ସୁନ୍ଦରୀ ଅଣା ଯାଇଥିଲା । ମହାବୀର ଶିକାରୀ ଫାସରେ ପଡ଼ି ମୃତ୍ୟୁ ବରଣ କରିବା ପରେ ସୁନ୍ଦରୀ ଏଠାରୁ ଫେରିଗଲା।
ତେଣୁ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ଆଶା ମଉଳି ଗଲା। ତେବେ ଏବେ ପୁଣି ଥରେ ବାଘ ପାଇଁ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ କରି ଆଗାମୀ ଦିନରେ ବାଘ ଆଣିବାକୁ ଯୋଜନା କରା ଯାଉଥିବା ସ୍ପଷ୍ଟ ହୋଇ ଯାଇଛି। ଅନ୍ୟ ପକ୍ଷରେ ଅଭୟାରଣ୍ୟରେ ଥିବା ଏକ ମାତ୍ର ବାଘୁଣୀର ଏବେ କୌଣସି ପତ୍ତା ମିଳୁନି। ଯେଉଁଠି ବନ ବିଭାଗ ସେହି ପରିବେଶରେ ଥିବା ବାଘ ସୁରକ୍ଷା ଦେଇ ପାରୁନି ସେଠାରେ ପୁଣି ଥରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ସଜବାଜ ହେବା କେତେ ଦୂର ଠିକ୍ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
“ବନ ବିଭାଗ ଆମକୁ କହୁଛି ଟଙ୍କା ନେଇ ଜାଗା ଛାଡ଼ିଦିଅ। ହେଲେ ଆମେ ଯିବୁ କୁଆଡ଼େ। ରହିବୁ କେଉଁଠି। ଆମର ସବୁ କିଛି ସୁବିଧା କରିବା ପରେ ହିଁ ଆମେ ଏ ଜାଗା ଛାଡ଼ିବୁ।,’’ କହିଛନ୍ତି ଜଣେ ଗ୍ରାମବାସୀ ବନ୍ଧୁଆ ଜାନ।
ଆମେ ଘଞ୍ଚ ଜଙ୍ଗଲ ଭିତରେ ପଡ଼ି ରହିଛୁ। ଏଠାରେ କୌଣସି ସୁବିଧା ନାହିଁ। ଯାହା ଫସଲ କଲେ ବନ୍ୟଜନ୍ତୁଙ୍କ ମୁହଁରେ ଯାଉଛି। ଘଞ୍ଚ ଜଙ୍ଗଲ ଭିତରେ ଅନ୍ଧାରରେ ଆମେ ପଡ଼ି ରହିଛୁ। ତେଣୁ ଆମେ ଏଠାରୁ ଅନ୍ୟତ୍ର ଚାଲିଯିବାକୁ ଚାହୁଁଛୁ। କିନ୍ତୁ ଆମର ସବୁ ସୁବିଧା କଲେ ଆମେ ଏଠାରୁ ଯିବୁ ବୋଲି କହିଛନ୍ତି କଟରଙ୍ଗ ବାସିନ୍ଦା ନଟବର ବେହେରା।
ଅନ୍ୟ ପକ୍ଷରେ ଜିଲ୍ଲାପାଳ କହିଛନ୍ତି, “ବର୍ତ୍ତମାନ ଥଇଥାନ ନିୟମ ବଦଳି ଯାଇଛି। ଗ୍ରାମବାସୀ ଏକକାଳୀନ ସମସ୍ତେ ଗାଁ ନଛାଡ଼ି କିଛି କିଛି ଲୋକ ମଧ୍ୟ ଯାଇ ପାରିବେ। ସରକାରୀ ନିୟମ ଅନୁସାରେ ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଲୋକଙ୍କ ସହ ଆଲୋଚନା ଚାଲିଛି। ସେମାନଙ୍କ ଆଗ୍ରହ ଓ ଇଚ୍ଛା ଅନୁସାରେ ହିଁ ଯାହା କିଛି କରାଯିବ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।