ରାଇଗୋଡ଼ା ଓ ଅଶନବାହାଳୀ ଗାଁ ପରେ ଏବେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଉଚ୍ଛେଦ ହେବ କଟରଙ୍ଗ ଗାଁ

କଟରଙ୍ଗ ଗାଁ ଅନ୍ୟତ୍ର ଉଠାଇ ନେବାକୁ ଶେଷ ପର୍ଯ୍ୟାୟ ପଲ୍ଲୀ ସଭା ସରିଛି। ଏଥିପାଇଁ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ବିଧାୟକ ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିଛନ୍ତି।

ରାଇଗୋଡ଼ା ଓ ଅଶନବାହାଳୀ ଗାଁ ପରେ ଏବେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଉଚ୍ଛେଦ ହେବ କଟରଙ୍ଗ ଗାଁ

ରାଇଗୋଡ଼ା ଓ ଅଶନବାହାଳୀ ଗାଁ ପରେ ଏବେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଉଚ୍ଛେଦ ହେବ କଟରଙ୍ଗ ଗାଁ

  • Share this:
News18 Odia Digital

ଅନୁଗୁଳ: ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ କରିବାକୁ ଏବେ ଗାଁ ଉଚ୍ଛେଦ କରିବା ପ୍ରକ୍ରିୟା ଆରମ୍ଭ କରିଛି ବନ ବିଭାଗ। ପ୍ରଥମେ ରାଇଗୋଡ଼ା ଗାଁ ଉଚ୍ଛେଦ କରା ଯାଇଛି। ଏହାପରେ ଅଶନବାହାଳୀ ଗାଁ ଉଚ୍ଛେଦ କରିବାକୁ ସମସ୍ତ ପ୍ରକ୍ରିୟା ସରିଛି।

ଏବେ କଟରଙ୍ଗ ଗାଁ ଅନ୍ୟତ୍ର ଉଠାଇ ନେବାକୁ ଶେଷ ପର୍ଯ୍ୟାୟ ପଲ୍ଲୀ ସଭା ସରିଛି। ଏଥିପାଇଁ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ବିଧାୟକ ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିଛନ୍ତି। ତେବେ ଏଥର ପ୍ରଶାସନ ସେମାନଙ୍କୁ ଥଇଥାନ କରିବାକୁ କୌଣସି ଜମି ଯୋଗାଇ ଦେବେ ନାହିଁ କେବଳ ଆବଶ୍ୟକ କ୍ଷତିପୂରଣ ଦିଆଯିବ ବୋଲି ନିଷ୍ପତ୍ତି ନେଇଥିବାରୁ ଗ୍ରାମବାସୀ ଏଠାରୁ ଯିବେ କି ନାହିଁ ଦ୍ବନ୍ଦରେ ପଡ଼ି ଯାଇଛନ୍ତି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଜିଲିଣ୍ଡା ରେଞ୍ଜ ଅଧିନରେ ରହିଛି କଟରଙ୍ଗ ଗାଁ।

ଗାଁରେ ପ୍ରାୟ ୧୦୦ରୁ ଅଧିକ ଆଦିବାସୀ ପରିବାର ବସବାସ କରନ୍ତି। ଚାରିଆଡ଼େ ନିଘଞ୍ଚ ଜଙ୍ଗଲ। ମଝିରେ ଅବସ୍ଥିତ ଗାଁଟି। ସନ୍ଧ୍ୟା ହେଲେ କେବଳ ହିଂସ୍ର ଜନ୍ତୁଙ୍କ ରାବ ଓ ହାତୀ ପଲର ବିଚରଣ। ଅନୁଗୁଳ-ଟିକରପଡ଼ା ରାସ୍ତାର ହାତୀବାରି ଠାରୁ ୭ କି.ମି ଜଙ୍ଗଲ ଭିତରେ ଗଲେ ପଡ଼େ ଗାଁଟି। ସେହି ୭କି.ମି ରାସ୍ତା ଏତେ ଦୁର୍ଗମ ଓ ଘଞ୍ଚ ଯେ ଦିନ ଦିପହରେ ବି ରାସ୍ତା ଅନ୍ଧାର ଦେଖାଯାଏ। ହାତୀମାନେ ରାସ୍ତା ଉପରେ ଅନାୟାସରେ ବିଚରଣ କରନ୍ତି।

ତେଣୁ ଏକୁଟିଆ ଯିବା ଆଦୌ ସମ୍ଭବ ନୁହେଁ। ଗାଁରେ ନାହିଁ ବିଦ୍ୟୁତ ଆଲୋକ ଓ ପାନୀୟ ଜଳର ସୁବିଧା ମଧ୍ୟ। କାରଣ ରାସ୍ତା ନଥିବାରୁ କୌଣସି ଗାଡ଼ି ଯାଇ ପାରୁ ନାହିଁ। ଗାଁରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସେବାଶ୍ରମ ସ୍କୁଲଟିଏ ଅଛି। ତା'ପରେ ଆଉ ପାଠପଢ଼ି ପାରନ୍ତି ନାହିଁ ପିଲାମାନେ ।

ଅଧିକ ପଢ଼ିବାକୁ ପୁରୁଣାକୋଟ ଓ ଟିକରପଡ଼ା ଯିବାକୁ ପଡ଼େ। କିନ୍ତୁ ଏଭଳି ଦୁର୍ଗମ ଓ ହିଂସ୍ର ଜନ୍ତୁ ଚଳପ୍ରଚଳ କରୁଥିବା ରାସ୍ତାରେ ପିଲାମାନେ ଯାଇ ପାରୁ ନାହାଁନ୍ତି। ସରକାରୀ ଯୋଜନାରେ ଚାଉଳ ଓ କିରୋସିନି ନେବାକୁ ମାସରେ ଥରେ ଟିକରପଡ଼ା ପଞ୍ଚାୟତକୁ ଆସିବାକୁ ପଡ଼େ। ଦିନ ଥାଉ ଦଳେ ଲୋକ ଠେଙ୍ଗା ବାଡ଼ି ଧରି ଆସି ତାହା ନିଅନ୍ତି। ଅପରାହ୍ନ ୪ଟା ବାଜିଲେ ସମସ୍ତେ ଘରେ। ବାହାରକୁ ବାହାରିବା ମୁସ୍କିଲ ହୋଇ ପଡ଼େ। କେବଳ ଚାଷ ବାସ କରି ଯାହା କିଛି ପାଆନ୍ତି ସେଥିରେ ପରିବାର ଚାଲେ। ହେଲେ ହାତୀ ବାରହା ଦାଉରୁ ଆଉ ଫସଲ ହେଉ ନାହିଁ।

ବନ ବିଭାଗ ତରଫରୁ କେବେ ହେଲେ କ୍ଷତି ପୂରଣ ମିଳୁନି। କୌଣସି କାମଧନ୍ଦା ମଧ୍ୟ ଯୋଗାଇ ଦିଆ ଯାଉ ନାହିଁ। ଏଭଳି ପରିସ୍ଥିତିରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ଗାଁ ଉଚ୍ଛେଦ କରିବାକୁ ଯୋଜନା ଚାଲିଥିବାରୁ ଲୋକେ କେଉଁ କୁଳର ହେବେ ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ଏତେ ଅସୁବିଧାରେ ଜୀବନ ବିତୁ ଥିବାରୁ କିଛି ଗ୍ରାମବାସୀ ଏଠାରୁ ଅନ୍ୟତ୍ର ଚାଲି ଯିବାକୁ ଚାହୁଁଛନ୍ତି। ଆଉ କିଛି ନିଜ ଜିଦରେ ଅଟଳ ରହିଛନ୍ତି। ବନ ବିଭାଗ ପକ୍ଷରୁ ଗାଁରେ ଶେଷ ପଲ୍ଲିସଭା ଅନୁଷ୍ଠିତ ହୋଇଥିଲା। ସାତକୋଶିଆ ଡିଏଫଓ, ଅନୁଗୁଳ ତହସିଲଦାର, ଆଖପାଖ ପଞ୍ଚାୟତର ସରପଞ୍ଚ ଓ ବନ ବିଭାଗ ଅଧିକାରୀମାନେ ଯୋଗ ଦେଇଥିଲେ। କଟରଙ୍ଗ ଗ୍ରାମବାସୀ ମଧ୍ୟ ସଭାରେ ଉପସ୍ଥିତ ଥିଲେ। ସଭାରେ ପ୍ରତ୍ୟକ ବିସ୍ଥାପିତ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆ ଯାଇଛି। କିନ୍ତୁ ସେମାନଙ୍କୁ କୈାଣସି ସ୍ଥାନରେ ଜମି ଯୋଗାଇ ଦିଆଯିବ ନାହିଁ ବୋଲି କୁହା ଯାଇଛି। ଫଳରେ ଲୋକେ କୁଆଡ଼େ ଯିବେ କେଉଁଠି ରହିବେ ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି।

ଅନ୍ୟ ପକ୍ଷରେ ପୂର୍ବରୁ ରାଇଗୋଡ଼ା ଗାଁକୁ ଉଚ୍ଛେଦ କରା ଯାଇଛି। କିନ୍ତୁ ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା ସବୁ କ୍ଷତି ପୂରଣ ମିଳି ପାରି ନାହିଁ। ସେହିପରି ଅଶନବାହାଳୀ ଗାଁର ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଚୁକ୍ତି ଅନୁସାରେ ସେମାନଙ୍କୁ ଆବଶ୍ୟକ ଜମି ଯୋଗାଇ ଦିଆ ଯାଇ ପାରି ନାହିଁ । ତେଣୁ ବନ ବିଭାଗ ପ୍ରତିଶୃତିକୁ କଟରଙ୍ଗ ଗ୍ରାମବାସୀ ସହଜରେ ବିଶ୍ବାସ କରି ପାରୁ ନାହାଁନ୍ତି। ଏହାକୁ ନେଇ ବନ ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଟଣା ଓଟରା ଚାଲିଛି। ଗ୍ରାମବାସୀ ଦାବି କରୁଛନ୍ତି ଯେ ସେମାନଙ୍କୁ ପ୍ରଥମେ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆ ଗଲେ ସେହି ଟଙ୍କାରେ ସେମାନେ ପ୍ରଥମେ ଘର ତିଆରି କରିବାକୁ ଜାଗା କିଣିବେ। ତାପରେ ଗାଁ ଛାଡ଼ିବା କଥା ଚିନ୍ତା କରିବେ। ଯାହାକି ବନ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଅନ୍ୟ ପକ୍ଷରେ ବର୍ତ୍ତମାନ ଥଇଥାନ ନିୟମ ବଦଳି ଯାଇଛି।

ଗ୍ରାମବାସୀ ଏକକାଳୀନ ସମସ୍ତେ ଗାଁ ନଛାଡ଼ି କିଛି କିଛି ଲୋକ ମଧ୍ୟ ଯାଇ ପାରିବେ। ସରକାରୀ ନିୟମ ଅନୁସାରେ ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଏନେଇ ମଧ୍ୟ ଲୋକଙ୍କ ସହ ଆଲୋଚନା କରାଯାଇଛି। ସେମାନଙ୍କ ଆଗ୍ରହ ଓ ଇଚ୍ଛା ଅନୁସାରେ ହିଁ ଯାହା କିଛି କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ମଧ୍ୟପ୍ରଦେଶରୁ ମହାବୀର ଓ ସୁନ୍ଦରୀ ଅଣା ଯାଇଥିଲା। ମହାବୀର ଶିକାରୀ ଫାସରେ ପଡ଼ି ମୃତ୍ୟୁ ବରଣ କରିବା ପରେ ସୁନ୍ଦରୀ ଏଠାରୁ ଫେରିଗଲା। ତେଣୁ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ଆଶା ମଉଳି ଗଲା। ତେବେ ଏବେ ପୁଣିଥରେ ବାଘ ପାଇଁ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ କରି ଆଗାମୀ ଦିନରେ ବାଘ ଆଣିବାକୁ ଯୋଜନା କରା ଯାଉଥିବା ସ୍ପଷ୍ଟ ହୋଇ ଯାଇଛି।

“ଆମ ଗାଁକୁ ବାରମ୍ବାର ବନ ବିଭାଗ ଓ ପ୍ରଶାସନିକ ଅଧିକାରୀମାନେ ଆସି ସଭା କରୁଛନ୍ତି। ଆମକୁ ଉପଯୁକ୍ତ କ୍ଷତିପୂରଣ ଅର୍ଥ ଦେଇ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ କହୁଛନ୍ତି। ଆମେ ଏଠାରୁ ଅନ୍ୟତ୍ର ଚାଲିଯିବୁ। କିନ୍ତୁ ଆମକୁ ଆବଶ୍ୟକ ଜମି ଯୋଗାଇ ଦେଲେ ଆମେ ସେଠାରେ ଘର କରି ଗାଁ ସ୍ଥାପନ କରିବୁ। କିନ୍ତୁ ଖାଲି ଟଙ୍କା ନେଇ କଣ କରିବୁ,’’ ଏମତି କହିଛନ୍ତି କଟରଙ୍ଗ ବାସିନ୍ଦା ବ୍ରଜ କିଶୋର ଜାନୀ।

“କଟରଙ୍ଗ ଗାଁ ଲୋକେ ନିଶ୍ଚିତ ଭାବେ ଘଞ୍ଚ ଜଙ୍ଗଲ ଭିତରେ ବହୁ ଆସୁବିଧାରେ ରହୁଛନ୍ତି। ବ୍ୟାଘ୍ର ପ୍ରକଳ୍ପର କଟକନାରେ ସେମାନେ ଅତିଷ୍ଠ ହୋଇ ପଡ଼ିଛନ୍ତି। ତେଣୁ ସେମାନେ ଅନ୍ୟତ୍ର ଥଇଥାନ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କିନ୍ତୁ ସେମାନଙ୍କ ପାଇଁ ଏକ ଉତ୍ତମ ଗାଁ ସ୍ଥାପନ କରି ରୋଜଗାର ଯୋଗାଇ ଦେବା ଆବଶ୍ୟକ। କେବଳ ଟଙ୍କା ଦେଇ ସେଠାରୁ ଯିବା ପାଇଁ କହିଲେ ସେମାନେ କୁଆଡ଼େ ଯିବେ, କେଉଁଠି ରହିବେ,” ଏଭଳି ପ୍ରଶ୍ନ କରିଛନ୍ତି ସାତକୋଶିଆ ପ୍ରଜା ସୁରକ୍ଷା ସମିତିର ସମ୍ପାଦକ ବିରାଜ ଜାନୀ।

“ପଲ୍ଲୀ ସଭାରେ ଯାହା ନିଷ୍ପତ୍ତି ହୋଇଛି ସେହି ଅନୁସାରେ ସବୁ କିଛି କରାଯିବ। ଗାଁର କାହାକୁ ଜୋର ଜବରଦସ୍ତ କରା ଯିବ ନାହିଁ। ସରକାରୀ ନିୟମ ଅନୁସାରେ ସମସ୍ତ ପରିବାରକୁ କ୍ଷତିପୂରଣ ଦିଆଯିବ। ତେଣୁ ଗ୍ରାମବାସୀ ଯାହା ନିଷ୍ପତ୍ତି ନେବେ ତାହା ସେମାନଙ୍କ ଉପରେ ନିର୍ଭର,’’ କୁହନ୍ତି ସାତକୋଶିଆ ଡିଏଫ ଓ ସରୋଜ କୁମାର ପଣ୍ଡା।
Published by:Lipina Das
First published: