ଗଞ୍ଜାମରେ ଫଳୁଛି କାଶ୍ମୀର ଆପେଲ ବେର; ୨ ଭାଇଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି ସମସ୍ତେ

ନିଜର ଦୁଇ ଏକର ଚାଷ ଜମିରେ ଆପେଲ୍‌ ଚାଷ କରି ବେଶ୍‌ ଲାଭବାନ ହୋଇଛନ୍ତି ଏହି ଦୁଅ ଭାଇ। ସେପଟେ ଏନେଇ ଉଦ୍ୟାନ ବିଭାଗର ଅଧିକାରୀ ଜାଣିବା ପରେ ଦୁଇ ଭାଇଙ୍କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି।

ଗଞ୍ଜାମରେ ଫଳୁଛି କାଶ୍ମୀର ଆପେଲ ବେର

ଗଞ୍ଜାମରେ ଫଳୁଛି କାଶ୍ମୀର ଆପେଲ ବେର

  • Share this:
News18 Odia Digital

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଫଳିଛି କାଶ୍ମୀର ଆପେଲ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା । ଆଶ୍ଚର୍ଯ୍ୟ ଲାଗିବା ବି ସତ । ଗଞ୍ଜାମ ଜିଲ୍ଲା ତଥା ରାଜ୍ୟରେ ପ୍ରଥମ ଥର ନିମନ୍ତେ ଜିଲ୍ଲାର ଏଚ୍‌. ବାହାଡ଼ାପଲ୍ଲୀ ଗାଁରେ ଏହି ଆପେଲ ଚାଷ କରିଛନ୍ତି ଦୁଇ ଭାଇ ରବିନ୍ଦ୍ର ପ୍ରଧାନ ଓ ରଞ୍ଜନ ପ୍ରଧାନ । ଏହି ଆପେଲ ସାଧାରଣ ଆପେଲ୍ ଠାରୁ ଭିନ୍ନ ରହିଥିବା ବେଳେ ଏହାର ପୁରା ନାମ ଥାଇ କାଶ୍ମୀର ଆପେଲ୍ ବେର ।

ନିଜର ଦୁଇ ଏକର ଚାଷ ଜମିରେ ଆପେଲ୍‌ ଚାଷ କରି ବେଶ୍‌ ଲାଭବାନ ହୋଇଛନ୍ତି ଏହି ଦୁଅ ଭାଇ। ସେପଟେ ଏନେଇ ଉଦ୍ୟାନ ବିଭାଗର ଅଧିକାରୀ ଜାଣିବା ପରେ ଦୁଇ ଭାଇଙ୍କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି।

ପେଶାରେ ଜଣେ ପୋଲିସ ଅଫିସର । ହେଲେ ନିଶା କିନ୍ତୁ ଚାଷ କାର୍ଯ୍ୟ କରିବା । ଏହାଛଡ଼ା ନିଜର କୌଳିକ ବୃତ୍ତିକୁ ଆହୁରି ଜୀବନ୍ତ କରିବା ନିମନ୍ତେ ଚାଷ କରିଛନ୍ତି ଥାଇ କାଶ୍ମୀର ଆପେଲ୍‌ ବେର । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକର ଏଚ.ବାହାଡ଼ାପଲ୍ଲୀ ଗାଁର ରଞ୍ଜନ ପ୍ରଧାନଙ୍କ କଥା । ରଞ୍ଜନ ବୃତ୍ତିରେ ଜଣେ ପୋଲିସ ଅଫିସର । ସେ ବର୍ତ୍ତମାନ ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି । ତେବେ ଦୀର୍ଘ ବର୍ଷ ହେଲା ନିଜ ଗାଁରେ ରହିଥିବା ଚାଷ ଜମିରେ ପନିପରିବା ଚାଷ କରି ଆସୁଥିଲେ ।

ନିଜର ଦୁଇ ଏକର ଚାଷ ଜମିରେ ଆପେଲ୍‌ ଚାଷ କରି ବେଶ୍‌ ଲାଭବାନ ହୋଇଛନ୍ତି ଏହି ଦୁଅ ଭାଇ


‘‘କୋରୋନା ସମୟରେ ବିକ୍ରିବଟା ନ ହେବା ଯୋଗୁଁ ବହୁ ଚାଷ ନଷ୍ଟ ହେବା ପରେ ମୋର ଜଣେ ବନ୍ଧୁ ଥାଇ କାଶ୍ମୀର ଆପେଲ୍ ବେର ଚାଷ କରିବା ନିମନ୍ତେ କହିଥିଲେ। ଏହାପରେ ମୋର ଦୁଇ ଏକର ଚାଷ ଜମିରେ ପ୍ରାୟ ୮୦୦ ଚାରା ଲଗାଇଥିଲେ । ବର୍ତ୍ତମାନ ଏହା ଚାରା ଗୁଡ଼ିକ ଗଛରେ ପରିଣତ ହୋଇ ଭଲ ଫଳ ଫଳିଛି । ପ୍ରାୟ ୨ ଲକ୍ଷ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବର୍ତ୍ତମାନ ଭଲ ଆପେଲ ଫଳିଥିବା ଦେଖି ଖୁସୀ ଲାଗୁଛି,‘‘ କହିଛନ୍ତି ରଞ୍ଜନ ପ୍ରଧାନ।

ରଞ୍ଜନ ପୋଲିସରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ଭାଇ ରବିନ୍ଦ୍ର ଚାଷ ଜମିରେ ସମସ୍ତ ପ୍ରକାରର ଦେଖାଶୁଣାର କରିଥାନ୍ତି। ପ୍ରତିଦିନ ଗଛରେ ପାଣି ଦେବା ଠାରୁ ଆରମ୍ଭ କରି ଗଛର ଯତ୍ନ ନେଇଥାନ୍ତି।

‘‘ଗଞ୍ଜାମ ଜିଲ୍ଲାରେ ଏଭଳି ଆପେଲ୍ ବେର ପ୍ରଥମ ଥର ନିମନ୍ତେ ଚାଷ କରାଯାଇଥିବା ଯୋଗୁଁ ପ୍ରତିଦିନୁ ବହୁ ଚାଷୀ ଆସି ଦେଖିଥାନ୍ତି । କେହି କେହି ଅତି ସୁନ୍ଦର ହୋଇଥିବା କହୁଥିବା ବେଳେ ଅନ୍ୟ କେହି ଏହାକୁ ବର କୋଳି ବୋଲି କହୁଛନ୍ତି । କିନ୍ତୁ ସାଧାରଣ ବର କୋଳି ଠାରୁ ଏହା ଭିନ୍ନ ଥିବା ବେଳେ ଏହାର ତଳ ଅଂଶ ବର କୋଳିର ରଙ୍ଗ ରହିଥିବା ବେଳେ ଉପର ଅଂଶ ଆପେଲ୍‌ର ରଙ୍ଗ ରହିଛି। ଏହାର ସ୍ବାଦ ବର କୋଳିଠୁ ବି ଅଧିକ ଭଲ ରହିଛି । ଭଲ ଅମଳ ହୋଇଥିବା ଯୋଗୁଁ ଭଲ ବିକ୍ରିବଟା ମଧ୍ୟ ହେଉଛି । ସ୍ଥାନୀୟ ବଜାରକୁ ଛାଡ଼ି ଦେଲେ ବ୍ରହ୍ମପୁର, ଭୁବନେଶ୍ବର ଭଳି ଜିଲ୍ଲା ବାହାରକୁ ଓ ରାଜ୍ୟ ବାହାରକୁ ମଧ୍ୟ ଏହି ଆପେଲ୍‌ ବିକ୍ରି ପାଇଁ ଯାଇଛି,’’ କହିଛନ୍ତି ଚାଷୀ ରବିନ୍ଦ୍ର ପ୍ରଧାନ।

ରଞ୍ଜନ ଓ ରବିନ୍ଦ୍ରଙ୍କ ଏଭଳି ଆପେଲ୍ ଚାଷକୁ ନେଇ ଜିଲ୍ଲାରେ ଏବେ ବେଶ୍ ଚର୍ଚ୍ଚା । କାରଣ ଜିଲ୍ଲା ତଥା ରାଜ୍ୟରେ ଏଭଳି ଫଳ ଚାଷ ପ୍ରଥମ। ଏନେଇ ଉଦ୍ୟାନ ବିଭାଗ ଅଧିକାରୀ ଜାଣିବା ପରେ ରଞ୍ଜନ ଓ ରବିନ୍ଦ୍ରକୁ ବେଶ ପ୍ରଶଂସା କରିଛନ୍ତି।

ଉପକୂଳବର୍ତ୍ତୀ ଓ ଲୁଣୀ ଅଞ୍ଚଳ ହୋଇଥିବା ଯୋଗୁଁ ଆପେଲ୍ ଚାଷ ପାଇଁ ଏହା ସଠିକ୍‌ ହେବ କି ନ ହେବ ସେ ନେଇ ଆଶଙ୍କା ରହିଥିଲା । କିନ୍ତୁ ସେହି ଆଶଙ୍କା ଦୂର ହୋଇଛି ଓ ଭଲ ଆପେଲ୍‌ ମଧ୍ୟ ଫଳିଛି । ଗୋଟିଏ ବର୍ଷ ପର୍ଯ୍ୟନ୍ତ ଏହି ଚାଷ କିଭଳି ହେଉଛି ତାହା ଅନୁଧ୍ୟାନ କରାଯିବ। ଏହାର ଫଳାଫଳ ଯଦି ଭଲ ହୁଏ ତେବେ ଅନ୍ୟ ଚାଷୀମାନଙ୍କୁ ଏହି ଚାଷ କରିବା ନିମନ୍ତେ ପରାମର୍ଶ ଦିଆଯିବ । ଏହାଛଡ଼ା ଦୁଇ ଭାଇଙ୍କୁ ମଧ୍ୟ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ପ୍ରଚେଷ୍ଟା କରାଯିବ ବୋଲି କହିଛନ୍ତି ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ଶରତ ଚନ୍ଦ୍ର ବେହେରା।

ଦୁଇ ଭାଇଙ୍କ ଏଭଳି ଭିନ୍ନ ଧରଣର ଆପେଲ୍‌ ଚାଷଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରୁଥିବା ବେଳେ ସରକାରୀ ସହାୟତା ପ୍ରଦାନ ନିମନ୍ତେ ମଧ୍ୟ ମିଳିଛି ପ୍ରତିଶୃତି। ଏଭଳି ଆପେଲ୍‌ ଚାଷ କରି ଅନ୍ୟ ଚାଷୀମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଏହି ଦୁଇ ଭାଇ।
Published by:Lipina Das
First published: