କାଶୀପୁରରେ ବଢୁଛି ଝାଡ଼ବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ; ୭ ମୃତ.. ୬୫ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ସୂଚନା

କାଶୀପୁରରେ ବଢୁଛି ଝାଡ଼ବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା

କାଶୀପୁରରେ ବଢୁଛି ଝାଡ଼ବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା

  • Share this:
News 18 Odia Digital


ରାୟଗଡ଼ା; କିଛିଦିନ ହେବ କାଶୀପୁର ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ନିକଟସ୍ଥ ଟିକିରି, ଶଙ୍କରଡ଼ା, କୋଡିପାର, ଦୁଡୁକାବାହଲ ଅଞ୍ଚଳରେ ଝାଡ଼ାବାନ୍ତି କାରଣରୁ ୭ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି ।

ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୫ରୁ ଅଧିକ ରହିଥିବା ଜଣାପଡ଼ିଛି । ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ରୋଗୀମାନେ ଚିକିତ୍ସିତ ହେଉଛନ୍ତି । ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଁ ସ୍ୱାସ୍ଥ୍ୟ ବିଭାଗ ଅହରହ ଉଦ୍ୟମ ଚଳାଇଥିବାବେଳେ ସ୍ଥାନିୟ ଅଞ୍ଚଳରେ ସ୍ୱଚ୍ଛ ପାନୀୟ ଜଳ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।


କୋରାପୁଟରୁ ଏକ ସ୍ୱତନ୍ତ୍ର ଡାକ୍ତରି ଦଳ ଟିକିରିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବାବେଳେ ଦୂଷିତ ପାଣି ହିଁ ଝାଡ଼ାବାନ୍ତିର କାରଣ ବୋଲି ଜଣାପଡ଼ିଛି । ପୂର୍ବରୁ କିଛି ନମୁନା ସଂଗ୍ରହ କରାଯାଇଥିବାବେଳେ ଏବେ ଆଉ କିଛି ନମୁନା ସଂଗ୍ରହ କରିବା ପାଇଁ ଆଜି ଆରଏମଆରସିର ଏକ ଟିମ୍ ଟିକିରି ସହ ଆଖପାଖ ଅଞ୍ଚଳରେ ପରିସ୍ଥିତି ଅନୁଧ୍ୟାନ କରିବେ ।


ଟିକିରି ସମେତ ଆଖପାଖ ଅଞ୍ଚଳରେ ପରିଷ୍କାର ଓ ପରିଚ୍ଛନତାକୁ ଅଧିକ ଦୃଷ୍ଟି ଦିଆଯାଉଛି । କୂଅ, ପୋଖରୀ ଗୁଡ଼ିକୁ ବିଶୋଧନ କରିବାକୁ ଉଦ୍ୟମ କରାଯାଉଛି । ଏଥିସହ ଜରୁରୀକାଳୀନ ପଦକ୍ଷପ ଗ୍ରହଣ କରାଯାଇ ବର୍ତ୍ତମାନ ସ୍ୱଚ୍ଛ ପାଣି ପିଇବାକୁ ଅଞ୍ଚଳବାସୀଙ୍କୁ ପରାମର୍ଶ ଦିଆଯାଇଛି । ପାଣିକୁ ଫୁଟାଇ ଛାଣି ପିଇବା ସହ ଉଷୁମ ଖାଦ୍ୟ ଖାଇବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଏଥିସହ ସ୍ଥାନିୟବାସିନ୍ଦାଙ୍କୁ ଓଆରଏସ, ହାଲୋଜିନ ସହ ପେଟ ରୋଗ ପାଇଁ ଆହୁରୀ ଅନେକ ଔଷଧ ପ୍ରଦାନ କରାଯାଉଛି ।


ରାୟଗଡ଼ା ଏମଏଲଏ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ସରସ୍ୱତୀ ମାଝି ସ୍ଥାନିୟ ଚିକିତ୍ସାଳୟ ଗୁଡ଼ିକୁ ଗସ୍ତକରି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏଥିସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉପଜିଲ୍ଲାପାଳ ଭୀମସେନ ଶବର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଲାଲ ମୋହନ ରାଉତରାୟ ମଧ୍ୟ ଡାକ୍ତରୀ ଟିମ ସହ ଆଲୋଚନା କରିଛନ୍ତି ।​
Published by:Soubhagya Mishra
First published: