ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି; ଜାଣନ୍ତୁ କଣ ରହିଛି ସ୍ୱତନ୍ତ୍ରତା

ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ । ଏହି ଏକ ମାସ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ହେବା ସହ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।

ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି; ଜାଣନ୍ତୁ କଣ ରହିଛି ସ୍ୱତନ୍ତ୍ରତା

ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି; ଜାଣନ୍ତୁ କଣ ରହିଛି ସ୍ୱତନ୍ତ୍ରତା

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ମହାପ୍ରଭୁଙ୍କ କାର୍ତ୍ତିକ ନୀତିର ପ୍ରଥମ ଦିନରେ ଶ୍ରୀମନ୍ଦିର ସିଂହଦ୍ୱାର ୫ଟା୪୦ ମିନିଟରେ ଖୋଲାଯାଇ କାର୍ତ୍ତିକ ନୀତି ସୁରୁଖୁରୁରେ ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ଦ୍ୱାରଫିଟା, ମଙ୍ଗଳାଆରତୀ, ମଇଲମ, ତଡପଲାଗି, ଅବକାଶ ପରେ ରାଧାଦାମୋଦର ଵେଶ, ଗୋପାଳବଲ୍ଲଭ,ସକାଳଧୂପ, ବାଳଧୂପ, ଭୋଗମଣ୍ଡପ, ମଧ୍ୟାହ୍ନଧୂପ ନୀତି ଅନୁଷ୍ଠିତ ହେବ । ତା ପରେ ଦ୍ଵିତୀୟ ଭୋଗମଣ୍ଡପ, ଦିବା ପହୁଡ ଏବଂ ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ, ବଡସିଂହାରବେଶ ଆଦି ନୀତିନିର୍ଘଣ୍ଟ ଅନୁଯାୟୀ କରାଯାଉଛି ।ଆଶ୍ୱିନ ଶୁକ୍ଲ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ଠାକୁରଙ୍କୁ ରାଧାଦାମୋଦର ବେଶ ଲାଗି ହୁଏ । କାର୍ତ୍ତିକ ମାସରେ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ବେଶର ଏପରି ନାମକରଣ କରାଯାଇଛି । କାର୍ତ୍ତିକ ମାସରେ ରାତ୍ର ଦୁଇଘଡି ଥାଇ ଆଳତି ଅବକାଶ ସରି ତାପରେ ରାଧାଦାମୋଦର ବେଶ ହୋଇ ଠାକୁର ବାଳଧୂପ ପର୍ଯ୍ୟନ୍ତ ରୁହନ୍ତି ।

ଏହି ଦାମୋଦର ବେଶ ବା ରାଧାଦାମୋଦର ପୂଜାର ମୂଳରେ ହେଉଛନ୍ତି ଗୋପୀମାନେ । କାର୍ତ୍ତିକ ବ୍ରତ ଆଚରଣ କରି ଯମୁନା କୂଳରେ ରାଧାଦାମୋଦରଙ୍କୁ ପୂଜା କରୁଥିଲେ ଗୋପୀ ! ଏହି ବେଶରେ ସୁବର୍ଣ୍ଣ ଅଳଙ୍କାରମାନ ଲାଗି ହୋଇଥାଏ । ସେଗୁଡ଼ିକ ମଧ୍ୟରେ ରହିଛି - ନଳୀଭୂଜସୁବର୍ଣ୍ଣ ଘାଗଡା-ତିନି, କଟି ଓଡିଆଣି-ତିନି, ଚନ୍ଦ୍ରସୁର୍ଯ୍ୟ ମସ୍ତକରେ ତିନି, ଚନ୍ଦ୍ରିକା ତ୍ରିମୁଣ୍ତି ଚୂଳର ଅଗ୍ରଭାଗରେ - ତିଳକ ,  ହସ୍ତରେ, କୁଣ୍ତଳି, ତଡଗି।

ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ସହ ଫୁଲଠାରୁ ଅଧିକ ସୁବର୍ଣ୍ଣ ଅଳଙ୍କାର ଲାଗେ । ମହାପ୍ରଭୁଙ୍କର ଚୂଳରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ ତ୍ରିମୁଣ୍ତି ଉପରେ ରହିଥାଏ । ଚୂଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭାପାଏ । କର୍ଣ୍ଣଦେଶରେ କୁଣ୍ତଳ , କଟିଦେଶରେ ଓଡିଆଣୀ, ମସ୍ତକରେ ତଡଗି, ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର , ସୁନା ଅଳଙ୍କାର ସହ ପାଟଶାଢୀ, ଫୁଟା ଶିରିକପଡା, ପହରଣ, ବଳା, ଅଧରବଳା, ଓ ଉତ୍ତରୀୟ ଲାଗିହୁଏ । ଏହି ସମୟରେ ଏକ ଅଧିକ ଭୋଗ ବାଳଭୋଗ ହୁଏ ବୋଲି କହିଛନ୍ତି ବରିଷ୍ଠ ସେବାୟତ ଶରତ ମହାନ୍ତି ।

ତେବେ ଶ୍ରୀକ୍ଷେତ୍ରରେ କିଛି ସେବାୟତଘରର ମହିଳା ମାନେ ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି । ଏଥିସହ କିଛି ମହିଳା କୁମାର ପୂର୍ଣ୍ଣିମା ପରଦିନ ପ୍ରତିପଦା ଠାରୁ ହବିଷ୍ୟ ବ୍ରତ ଆରମ୍ଭ କରିବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ୩ ହଜାର ହବିଷ୍ୟଳିଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ । କାର୍ତ୍ତିକ ପଞ୍ଚୁକ ସମୟରେ ରାଧାଦାମୋଦର ବେଶ ନ ହୋଇ ଅନ୍ୟ ପାଞ୍ଚଗୋଟି ବେଶ ହୁଏ । ସେଗୁଡ଼ିକ ହେଉଛି ଲକ୍ଷ୍ମୀ ନାରାୟଣ ବେଶ, ବାଙ୍କଚୂଳ ବେଶ, ତ୍ରିବିକ୍ରମ ବେଶ, ଲକ୍ଷ୍ମୀନୃସିଂହ ବେଶ, ଓ ରାଜରେଜେଶ୍ୱର ବେଶ ।
Published by:Soubhagya Mishra
First published: