Kargil Vijay Diwas: ଓଡ଼ିଆ ବୀର ସହିଦ ଗଙ୍ଗାରାମ ଦାସଙ୍କୁ ଝୁରୁଛି ବାଲେଶ୍ୱର ମାଟି, ସାରା ଓଡ଼ିଶା

୧୯୯୯ର କାର୍ଗିଲ ଯୁଦ୍ଧରେ ଶତ୍ରୁଙ୍କ ସହ ଲଢ଼ି ସଦିଦ ହୋଇଥିଲେ ଗଙ୍ଗାରାମ । ମାତ୍ର ୫ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା । ସହିଦ ହେବାର ଦିନକ ଆଗରୁ ସେ ନିଜ ସ୍ତ୍ରୀ ମଣିବାଳା ଦାସ ଓ ତିନି ବର୍ଷର ପୁଅ ସହିତ ଫୋନରେ କଥା ହୋଇଥିଲେ ।

Kargil Vijay Diwas: ଓଡ଼ିଆ ବୀର ସହିଦ ଗଙ୍ଗାରାମ ଦାସଙ୍କୁ ଝୁରୁଛି ବାଲେଶ୍ୱର ମାଟି, ସାରା ଓଡ଼ିଶା
ସହିଦ ଗଙ୍ଗାରାମ ଦାସ ଓ (ଡାହାଣ) ବାଲେଶ୍ୱରରେ ତାଙ୍କର ଏକ ପ୍ରତିମୂର୍ତ୍ତି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: କାର୍ଗିଲ ଯୁଦ୍ଧକୁ ବିତିଲାଣି ୨୧ ବର୍ଷ, ହେଲେ ସେହି ଯୁଦ୍ଧରେ ସହିଦ ହୋଇଥିବା ବୀର ଓଡ଼ିଆଙ୍କୁ ଏବେ ବି ଝୁରୁଛି ତାଙ୍କ ଗାଁ ମାଟି । ବାଲେଶ୍ୱରର ପୁଅ ଗଙ୍ଗାରାମ ଦାସ କାର୍ଗିଲ ଯୁଦ୍ଧରେ ଶତ୍ରୁଙ୍କ ସହିତ ଲଢ଼ି ସହିଦ ହୋଇଥିଲେ । ଭାରତ ବିଜୟୀ ହୋଇଥିଲା ସେ ଯୁଦ୍ଧରେ, ହେଲେ ହରାଇଥିଲା ଅନେକ ସୁଯୋଗ୍ୟ ସନ୍ତାନ ।

୧୯୯୯ରେ କାର୍ଗିଲ ଯୁଦ୍ଧ ସମୟରେ ହାବିଲଦାର ଗଙ୍ଗାରାମଙ୍କ ଡ୍ୟୁଟି ପଡ଼ିଥିଲା କାର୍ଗିଲରେ । ଶତ୍ରୁଙ୍କ ସହ ଲଢେ଼ଇ କରି ଜୁଲାଇ ୧୧ରେ ସଦିଦ ହୋଇଥିଲେ ସେ । ଏହାର ମାତ୍ର ପାଞ୍ଚ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା । ତାଙ୍କ ବିୟୋଗରେ ସେତେବେଳେ ଭାଙ୍ଗିପଡ଼ିଥିଲେ ବି ତାଙ୍କ ପରିବାର ସେ ଦେଶ ପାଇଁ ସହିଦ ହୋଇଥିବାକୁ ନେଇ ଭାରି ଗର୍ବିତ ।

ଗଙ୍ଗାରାମ ଦାସଙ୍କ ପ୍ରକୃତ ଘର ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ । ତାଙ୍କ ବାଲ୍ୟ ଜୀବନ ଭୋଗରାଇ ରେ କଟିଥିଲା ଓ ସେ ଜଳେଶ୍ବରର ଦୀନକୃଷ୍ଣ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଅଧ୍ୟୟନ କରିଥିଲେ ।  ପରେ ତାଙ୍କ ପରିବାର ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ କୁରୁଡ଼ା ନିକଟରେ ଏକ ଜାଗା କିଣି ଘର କରିଥିଲେ ।

ସହିଦ ହେବାର ଦିନକ ଆଗରୁ ଗଙ୍ଗାରାମ ନିଜ ସ୍ତ୍ରୀ ମଣିବାଲା ଦାସ ଓ ତିନି ବର୍ଷର ପୁଅ ଅନୁପମ ସହିତ କଥା ହେଇଥିଲେ ଓ କହିଥିଲେ ଶୀଘ୍ର ଘରକୁ ଆସିବେ ବୋଲି । ହେଲେ ପର ଦିନ ଆସିଥିଲା ତାଙ୍କ ସହିଦ ହେବାର ଖବର । ଦେଶର ସୀମାରେ ଶତ୍ରୁ ସହିତ ଲଢ଼ି ସହିଦ ହୋଇଯାଇଥିଲେ ଗଙ୍ଗାରାମ ।

ପରିବାର ପକ୍ଷରୁ ଘର ବାଡ଼ି ପରିସରରେ ସ୍ଥାପିତ ହୋଇଥିବା ଗଙ୍ଗାରାମଙ୍କ ପ୍ରତିମୂର୍ତ୍ତି


‘’୧୦ ତାରିଖ ଦିନ କାର୍ଯ୍ୟବ୍ୟସ୍ତ ଥିବା ହେତୁ ଅଧା କଥା ହୋଇ ପୁଅକୁ କହିଥିଲେ ଏବେ ବ୍ୟସ୍ତ ଅଛି କାଲି ଭଲ କରି କଥା ହେବି । ହେଲେ ପର ଦିନ ଫୋନ ଆସିଲା । ବାପା ଫୋନ କରିଥିବେ ଭାବି ଫୋନ ଧରିଥିଲା ପୁଅ, ହେଲେ ସେପଟୁ ଖବର ଆସିଲା ଘରେ କିଏ ପୁରୁଷ ଲୋକ ଅଛନ୍ତି ଫୋନ ଦେବାକୁ । ପରେ ମୋତେ ସୂଚନା ଦିଆଯାଇଥିଲା ତାଙ୍କ ସହିଦ ହେବା ବିଷୟରେ। ଜଣେ ଯବାନ ଭାବରେ ତାଙ୍କ ପାଇଁ ଆମେ ଓ ସାରା ଦେଶ ଗର୍ବିତ,’’ କହିଛନ୍ତି ତାଙ୍କ ସ୍ତ୍ରୀ ମଣିବାଳା ।

ତାଙ୍କ ବାପା ଶ୍ୟାମସୁନ୍ଦର ଦାସ ଓ ମା’ ଶାନ୍ତିଲତା ଦାସଙ୍କ ଛଅ ସନ୍ତାନ ଭିତରେ ଗଙ୍ଗରାମ ଥିଲେ ବଡ଼ । ବାକି ତିନି ଭଉଣୀ ଓ ଦୁଇ ଭାଇଙ୍କ ଠାରୁ ସେ ଥିଲେ ଅଧିକ ଚତୁର, ସରଳ ଓ ଶାନ୍ତ ସ୍ଵଭାବର । ଗଙ୍ଗରାମ କଲେଜରେ ପଢୁଥିବା ବେଳେ ତାଙ୍କ ବାପା ସେନାରେ ଚାକିରୀ କରିଥିଲେ । ବାପାର କାମକୁ ନେଇ ପୁଅର ଉତ୍କଣ୍ଠା ବଢିଥିଲା । ସେନାରେ ଚାକିରୀ କରିବା ଓ ଦେଶ ରକ୍ଷା କରିବା କ୍ଷେତ୍ରରେ ଗଙ୍ଗାରାମ ଏତେ ଆଗ୍ରହୀ ହୋଇ ଉଠିଥିଲେ ଯେ କଲେଜରୁ ଲୁଚି ସେନାରେ ଆବେଦନ କରି ପରୀକ୍ଷା ଦେଇଥିଲେ । ଚୟନ ପରେ ସିକନ୍ଦରାବାଦରେ ପୋଷ୍ଟିଂ ପାଇଁ ହେଡ ଅଫିସରୁ ଚିଠି ଆସିବା ପରେ ବାପାଙ୍କ ଆଗରେ ସେନାରେ ଭର୍ତ୍ତି ହେବା ବିଷୟରେ କହିଥିଲେ ଗଙ୍ଗାରାମ ।

ଗଙ୍ଗାରାମଙ୍କୁ ଏବେ ବି ଝୁରୁଛି ତାଙ୍କ ଗାଁ ମାଟି । ମନେପକାଉଛନ୍ତି ତାଙ୍କ ସାଙ୍ଗ ସାଥି ଓ ବନ୍ଧୁ ବାନ୍ଧବ । ସେ ସହିଦ ହେବା ପରେ ତାଙ୍କ ଘର ନିକଟରେ ତାଙ୍କର ସମାଧି ନିର୍ମାଣ କରାଯାଇଥିଲା, ହେଲେ ତାହା ଏବେ ଭଗ୍ନ ଅବସ୍ଥାରେ । ପରିବାର ପକ୍ଷରୁ ଘର ବାଡ଼ି ପରିସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ବି ସ୍ଥାପିତ କରାଯାଇଛି । ଗଙ୍ଗାରାମ ସ୍ମୃତି କମିଟି ନାମରେ ଏକ କମିଟି ଗଠନ ହୋଇଛି । ପ୍ରତି ବର୍ଷ ଏହି କମିଟି ଆନୁକୁଲ୍ୟରେ ସ୍ମୃତି ସଭା ମଧ୍ୟ ଆୟୋଜିତ ହେଉଛି ।

ଏହା ବି ପଢ଼ନ୍ତୁ: ଅଗଷ୍ଟ ୧ରୁ ଅନଲକ୍-୩ ଆରମ୍ଭ ହେବ; ଖୋଲିପାରେ ସିନେମା ହଲ୍; ଜିମ୍ ପାଇଁ ବି ଅନୁମତି ମିଳିପାରେ

ଏହା ବି ପଢ଼ନ୍ତୁ: ମୋବାଇଲର ଗୋଟେ କ୍ଲିକରେ ମିଳିବ ସବୁ ସାମଗ୍ରୀ; JioMart ଏବେ ଗୁଗଲ୍ ପ୍ଲେ ଷ୍ଟୋର୍ ଓ iOSରେ

‘‘ମୋ ପୁଅ ଦେଶ ପାଇଁ ସହିଦ ହେଲା, ତାହା ମୋ’ ପାଇଁ ଗର୍ବର ବିଷୟ । ହେଲେ ବାଲେଶ୍ୱର କୁରୁଡ଼ା ସଦର ଥାନା ଛକରେ ତା’ର ଏକ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଏବେ ବି ମିଳିପାରୁନି ଗ୍ରୀନ ସିଗ୍ନାଲ । ତାହା ଦୁଃଖ ଦେଉଛି । ଘର ପାଖ ରାସ୍ତାକୁ ସହିଦ ଗଙ୍ଗାରାମ ମାର୍ଗ ରୂପେ ନାମିତ କରିବା ପାଇଁ ଚିଠି ଏବେ ବି ପଡ଼ିରହିଛି ପ୍ରଶାସନ ପାଖରେ । ମୋ’ ପୁଅ ଦେଶ ପାଇଁ ଜୀବନ ଦେଇଥିବାରୁ ମୁଁ ଏଇ ଦୁଇଟି କାମ ତା’ ପାଇଁ କରିବି ବୋଲି ଭାବିଛି,’’ କହିଛନ୍ତି ଗଙ୍ଗାରାମଙ୍କ ବାପା ଶ୍ୟାମସୁନ୍ଦର ଦାସ ।



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ
Published by: Anand Shankar Thankur Das
First published: July 26, 2020, 4:03 PM IST
corona virus btn
corona virus btn
Loading