ଅନୁପ ସାଏଙ୍କ ହାବଭାବରୁ ଆସନ୍ନ ହତ୍ୟା ବିଷୟରେ ପୂର୍ବାଭାସ ପାଇସାରିଥିଲେ କଳ୍ପନା ଦାସ?

ନିଜ ସ୍ୱାମୀ ସୁନୀଲ ଶ୍ରୀବାସ୍ତବଙ୍କ ସହ ବିବାହ ବିଚ୍ଛେଦ ପୂର୍ବରୁ ତାଙ୍କ କଥିତ ପରକୀୟା ପ୍ରୀତିକୁ ନେଇ ଏକ ମାମଲା ରୁଜୁ କରିଥିଲେ କଳ୍ପନା । ସେହି ମାମଲାରେ ସୁନୀଲଙ୍କୁ ଜେଲ୍‌ ଯିବାକୁ ମଧ୍ୟ ପଡ଼ିଥିଲା । ତେଣୁ କଳ୍ପନା କହୁଥିବା ‘‘ହାଇପ୍ରୋଫାଇଲ୍ ବ୍ୟକ୍ତି’’ ସୁନୀଲ ନୁହନ୍ତି ବରଂ ଅନୁପ ସାଏ ବୋଲି ଅନୁମାନ କରାଯାଉଛି ।

କଳ୍ପନା ଦାସ ଓ ତାଙ୍କ ଝିଅଙ୍କ ଫାଇଲ୍‌ ଫଟୋ; (ଡାହାଣ) ଅନୁପ ସାଏ

କଳ୍ପନା ଦାସ ଓ ତାଙ୍କ ଝିଅଙ୍କ ଫାଇଲ୍‌ ଫଟୋ; (ଡାହାଣ) ଅନୁପ ସାଏ

  • Share this:
ସୁରେନ୍ଦ୍ର ବାରିକ | News18 Odia Digital

ଝାରସୁଗୁଡ଼ା: ଛତିଶଗଡ଼ ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ବ୍ରଜରାଜନଗରର ପୂର୍ବ ବିଧାୟକ ଓ କଂଗ୍ରେସ ତଥା ବିଜେଡିର ପୂର୍ବ ନେତା ଅନୁପ ସାଏଙ୍କ ହାବଭାବରୁ ମୃତ୍ୟୁ ପୂର୍ବରୁ ନିଜ ଓ ନିଜ କିଶୋରୀ ଝିଅର ଜୀବନ ପ୍ରତି ବିପଦର ପୂର୍ବାଭାସ ହୁଏତ ପାଇସାରିଥିଲେ ତାଙ୍କ ଲିଭ୍‌-ଇନ୍‌ ପ୍ରେମିକା କଳ୍ପନା ଦାସ ।

ଅନୁପ ସାଏଙ୍କ ଦ୍ୱାରା ହତ୍ୟା ହେବାର ଅଳ୍ପ କିଛି ଦିନ ପୂର୍ବରୁ ଝାରସୁଗୁଡ଼ାର ଜଣେ ଓକିଲଙ୍କୁ ଫୋନ୍‌ କରିଥିଲେ କଳ୍ପନା । ସେହି ଫୋନ୍‌ କଲ୍‌ ହୁଏତ ଅନୁପ ତାଙ୍କୁ ଓ ତାଙ୍କ ୧୪ ବର୍ଷର ଝିଅ ବବଲୀକୁ ହତ୍ୟା କରିବା ପାଇଁ ଯୋଜନା କରୁଥିବା ବିଷୟରେ କହିବା ପାଇଁ ବା ଅନୁପଙ୍କ ବିରୁଦ୍ଧରେ ଏ ସଂକ୍ରାନ୍ତରେ ମାମଲା ରୁଜୁ କରିବା ପାଇଁ ଆସିଥିଲା । ହେଲେ କଳ୍ପନା ଓକିଲଙ୍କୁ ସେ କଥା ପରେ କହିବେ ବୋଲି କହି ସେଦିନର ଫୋନ୍‌ ବାର୍ତ୍ତାଳାପ ଶେଷ କରିଥିଲେ ।

୨୦୧୬ ମସିହା ମେ ୭ରେ କଳ୍ପନା ଓ ବବଲୀଙ୍କୁ ହତ୍ୟା କରାଯାଇଥିଲା । ସେହି ମାମଲାରେ ଅନୁପ ସାଏଙ୍କୁ ମୁଖ୍ୟ ଅଭିଯୁକ୍ତ ରୂପେ ଗତ ଫେବୃଆରୀ ୧୩ରେ ଗିରଫ କରିଛି ଛତିଶଗଡ଼ ପୋଲିସ ।

‘‘ଏହି ଘଟଣାର (କଥିତ ହତ୍ୟାର) ଆଠ ଦଶ ଦିନ ପୂର୍ବରୁ ସେ (କଳ୍ପନା) ମୋତେ ଫୋନ୍‌ କରି ସେ ଗୋଟେ ହାଇପ୍ରୋଫାଇଲ୍‌ କେଶ୍‌ କରିବାକୁ ଚ଼ାହୁଁଛି ବୋଲି କହିଥିଲା । କାହା ନାଆଁରେ କରିବ ବୋଲି ମୁଁ ପଚ଼ାରିଲାରୁ ସେ ଏଠିକି ଆସିଲେ କହିବ ବୋଲି କହିଥିଲା, ମାତ୍ର ତା’ ପରେ ତା’ ସହ ଆଉ କେବେ ଦେଖା ହୋଇ ନ ଥିଲା,’’ କହିଛନ୍ତି ଝାରସୁଗୁଡ଼ାରେ ରହୁଥିବା କଳ୍ପନା ଦାସଙ୍କ ଓକିଲ ସୁଧାଂଶୁ ପୁରୋହିତ । କଳ୍ପନା ତାଙ୍କୁ ଦାଦା ବୋଲି ସମ୍ବୋଧନ କରୁଥିଲେ ବୋଲି ସେ କହିଛନ୍ତି ।

ରାୟଗଡ଼ ଜିଲ୍ଲାର ଏସ୍‌.ପି. ସନ୍ତୋଷ କୁମାର ସିଂହ


କଳ୍ପନାଙ୍କ ସହ ସେହି ଶେଷ ଫୋନ କଲର ଚ଼ାରି ବର୍ଷ ପରେ ପୋଲିସ ଦ୍ୱାରା ସାମନାକୁ ଅଣାଯାଇଥିବା ତଥ୍ୟର ଆଲୋକରେ ସେହି ‘‘ହାଇପ୍ରୋଫାଇଲ୍ ବ୍ୟକ୍ତି’’ ଅନୁପ ସାଏ ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ନିଜ ସ୍ୱାମୀ ସୁନୀଲ ଶ୍ରୀବାସ୍ତବଙ୍କ ସହ ବିବାହ ବିଚ୍ଛେଦ ପୂର୍ବରୁ ୨୦୦୪ରେ ତାଙ୍କ କଥିତ ପରକୀୟା ପ୍ରୀତିକୁ ନେଇ ଏକ ମାମଲା ରୁଜୁ କରିଥିଲେ କଳ୍ପନା । ସେହି ମାମଲାରେ ସୁନୀଲଙ୍କୁ ଜେଲ୍‌ ଯିବାକୁ ମଧ୍ୟ ପଡ଼ିଥିଲା । ତେଣୁ କଳ୍ପନା କହୁଥିବା ‘‘ହାଇପ୍ରୋଫାଇଲ୍ ବ୍ୟକ୍ତି’’ ସୁନୀଲ ନୁହନ୍ତି ବରଂ ଅନୁପ ସାଏ ବୋଲି ଏଥିରୁ ଅନୁମାନ କରାଯାଉଛି ।

‘‘ଯେଉଁ ସବୁ ଲୋକଙ୍କର ଏହି ମର୍ଡ଼ର କେସ୍‌ ସହିତ କିଛି ବି ସମ୍ପର୍କ ଅଛି, ସେ ସବୁ ଲୋକଙ୍କୁ ଆମେ ଆଉ ଥରେ ଡାକି ପଚ଼ରାଉଚ଼ରା କରୁଛୁ । ଯେତେ ଅଧିକରୁ ଅଧିକ ପ୍ରମାଣ ଆମକୁ ଏ ବିଷୟରେ ମିଳିପାରିବ ଆମେ ସେଥି ପାଇଁ ଚ଼େଷ୍ଟା ଜାରି ରଖିଛୁ,’’ କହିଛନ୍ତି ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ଏସ୍‌.ପି. ସନ୍ତୋଷ କୁମାର ସିଂହ । ଦରକାର ପଡ଼ିଲେ ସମ୍ପୃକ୍ତ ଓକିଲଙ୍କୁ ପଚ଼ରାଉଚ଼ରା କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

ଛତିଶଗଡ଼ ପୋଲିସ ତରଫରୁ ନୋଟିସ ସତ୍ତ୍ବେ ବୟାନ ରେକର୍ଡ଼ କରାଇବା ପାଇଁ ରାୟଗଡ଼ର ଚ଼କ୍ରଧରନଗର ଥାନାରେ ଏ ପର୍ଯ୍ୟନ୍ତ ହାଜର ହୋଇନାହାଁନ୍ତି ଅନୁପ ସାଏଙ୍କ ପରିବାର । ଓଲଟା ତାଙ୍କ ପରିବାର ପକ୍ଷରୁ ଓଡ଼ିଶା ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଏ ସଂକ୍ରାନ୍ତରେ ଅଭିଯୋଗ କରାଯାଇଛି ।

ଛତିଶଗଡ଼ ପୋଲିସ ହେଫାଜତରେ ଅନୁପ ସାଏ


‘‘ବିନା ପ୍ରମାଣରେ ମୋ’ ଦାଦାଙ୍କୁ ଜଣେ ଅପରାଧୀ ଭଳି ଚ଼ିତ୍ରଣ କରାଯାଉଛି । ଆମ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ଆମକୁ ଓଡ଼ିଶାର କୌଣସି ଥାନାରେ ବା ଆମ ଘରେ ହିଁ ଜେରା କରିବାକୁ ଆମେ ମାନବାଧିକାର କମିଶନଙ୍କ ନିକଟରେ ଆବେଦନ କରିଛୁ,’’ କହିଛନ୍ତି ଅନୁପଙ୍କ ପୁତୁରା ସଂଗ୍ରାମ ସାଏ ।

ହେଲେ ଏହି ଡବଲ୍‌ ମର୍ଡର୍‌ ଘଟଣା ଛତିଶଗଡ଼ରେ ଘଟିଥିବାରୁ ଓ ଏ ସଂକ୍ରାନ୍ତୀୟ ମାମଲା ଛତିଶଗଡ଼ କୋର୍ଟରେ ବିଚ଼ାରାଧୀନ ଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ଓଡ଼ିଶା ରାଜ୍ୟ ମାନବାଧିକାର କମିଶନ୍‌ ।

‘‘ତାଙ୍କ (ଅନୁପ ସାଏଙ୍କ) ପରିବାର ଲୋକେ ମୋ’ ସହିତ କଥା ହେଉଥିଲେ । ସେମାନେ ଗୋଟେ ଦରଖାସ୍ତ ଦେଇଛନ୍ତି । ତାକୁ ଆମେ ଦେଖିବୁ, କିନ୍ତୁ ଘଟଣା ବିଷୟରେ ଆମେ ତାଙ୍କୁ ବୁଝେଇ କହିଛୁ ଯେ ଏହି ଘଟଣା ଓ ଏହି ମାମଲା ଆମ ରାଜ୍ୟର ନୁହେଁ,’’ କହିଛନ୍ତି ରାଜ୍ୟ ମାନବାଧିକାର କମିଶନର ସଦସ୍ୟ ଅସିତ ଅମିତାଭ ଦାସ ।
Published by:Anand Shankar Thankur Das
First published: