ଭୁବନେଶ୍ୱର: ନଭେମ୍ବରରେ କାଳିଆ ଯୋଜନାର ଦ୍ବୀତିୟ କିସ୍ତି ଟଙ୍କା ମିଳିବ ବୋଲି ଖବର ଶୁଣି ଗୋଟିଏ ପଟେ ଓଡ଼ିଶା ସାରା ଚାଷୀ ଉତ୍ସାହିତ ହୋଇପଡି଼ଥିବା ବେଳେ ଅନ୍ୟ ପଟେ ରାଜନୀତି ବି ଜୋର୍ ଧରିଛି । ନିର୍ବାଚନୀ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାର ଗଠନର ପ୍ରଥମ ଦିନ କାଳିଆର ଦ୍ବୀତିୟ କିସ୍ତି ମିଳିବ । ଏବେ ଛଅ ମାସ ବିଳମ୍ବରେ ମିଳିବାକୁ ଯାଉଥିବାରୁ ବିରୋଧୀ ଦଳମାନେ ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିଛନ୍ତି ।
ଶାସକ ଦଳ ବିଜେଡି କହିଛି ଯେ ଦେବାରେ ବିଳମ୍ବ ନୁହେଁ, ତାଲିକା ପ୍ରସ୍ତୁତିରେ ବିଳମ୍ବ ହୋଇଛି । ସେହିଭଳି ଦ୍ବୀତିୟ କିସ୍ତି ଟଙ୍କା କେଉଁମାନେ ପାଇବେ ଓ କେଉଁମାନେ ହରାଇବେ ସେ ନେଇ ଚାଷୀମାନଙ୍କ ମନରେ ରହିଛି ଅନେକ ପ୍ରଶ୍ନ ।
ନୟାଗଡ଼ ଜିଲ୍ଲା ଅଲନାପୁର ଗାଁର କ୍ଷୁଦ୍ର ତଥା ନାମମାତ୍ର ଚାଷୀ ନୃସିଂହ ଚରଣ ଭୋଇଙ୍କ କଥା ଦେଖନ୍ତୁ । ସେ ପ୍ରଥମ କିସ୍ତି କାଳିଆ ଟଙ୍କା ପାଇ ତାଙ୍କ ଫସଲ କାମରେ ଲଗାଇଥିଲେ । ଏବେ ଦ୍ବୀତିୟ କିସ୍ତି ଟଙ୍କା ନଭେମ୍ବରରେ ମିଳିବ ବୋଲି ଶୁଣି ସେ ବେଶ୍ ଉତ୍ସାହିତ ଅଛନ୍ତି । ଏହି ଟଙ୍କାକୁ ରବି ଫସଲରେ ଲଗାଇବେ ବୋଲି କହିଛନ୍ତି ।
ଠିକ୍ ସେମିତି କୁମଣ୍ଡ ଗାଁର ଚାଷୀ ସୁନିଲ ସେଠୀ । ତେବେ ସୁନିଲଙ୍କ କହିବା କଥା ଟିକେ ଭିନ୍ନ । ପ୍ରଥମ କିସ୍ତିରେ ତାଙ୍କ ମା’ଙ୍କ ଆକାଉଣ୍ଟ୍ରେ ୫ ହଜାର ଟଙ୍କା ଆସିବା ସହ ତାଙ୍କ ଆକାଉଣ୍ଟ୍ରେ ବି ଆସିଥିଲା ୫ହଜାର ଟଙ୍କା । ପରବର୍ତ୍ତୀ ସମୟରେ ତାଙ୍କ ଆକାଉଣ୍ଟ୍ରୁ ଟଙ୍କା କଟିଗଲା । ତେବେ ଦ୍ବିତୀୟ କିସ୍ତି ଟଙ୍କା ଠିକ୍ରେ ତାଙ୍କ ମା’ଙ୍କ ଆକାଉଣ୍ଟ୍କୁ ଦେବାକୁ ସରକାରଙ୍କୁ ସେ ନିବେଦନ କରିଛନ୍ତି ।
ସୁନିଲଙ୍କ ଭଳି ପାଖାପାଖି ତିନି ଲକ୍ଷ ହିତାଧିକାରୀ କାଳିଆ ଯୋଜନାର ଦ୍ବତୀୟ କିସ୍ତି ଟଙ୍କା ପାଇବେ ନାହିଁ । ପାଖାପାଖି ତିନି ଲକ୍ଷ ପରିବାରର ଏକାଧିକ ସଦସ୍ୟ ପ୍ରଥମ କିସ୍ତି ସହାୟତା ପାଇଥିବା ବେଳେ ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ପାଇବାକୁ ଥିବା କିସ୍ତିକୁ ବ୍ୟବସ୍ଥିତ କରାଯିବ ବୋଲି ସରକାର ଜଣେଇଛନ୍ତି ।
ଯେଉଁ ୩ଲକ୍ଷ ୩୨ ହଜାର ହିତାଧିକାରୀ ଅଯୋଗ୍ୟ ବିବେଚିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୩୨ ହଜାର ହେଉଛନ୍ତି ସରକାରୀ କର୍ମଚାରୀ, ପେନସନଭୋଗୀ ଏବଂ ବଡ଼ ଚା଼ଷୀ । ତିନି ଲକ୍ଷ ପରିବାର ମଧ୍ୟରୁ ଏକାଧିକ ସଦସ୍ୟ କାଳିଆ ସହାୟତା ନେଇଛନ୍ତି ।
ଏମିତି ସ୍ଥିତିକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଘେରିଛନ୍ତି । ଉଭୟ କଂଗ୍ରେସ ଏବଂ ବିଜେପି ଅଭିଯୋଗ କରିଛନ୍ତି ଯେ ସରକାର ଲୋକଙ୍କୁ ଦେଇଥିବା ପ୍ରତିଶୃତି ମିଥ୍ୟା । ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି: “ମୁଖ୍ୟମନ୍ତ୍ରୀ କହିଥିଲେ ୭୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯିବ । ତେବେ କୁଆଡେ ଗଲା ସେ ପ୍ରତିଶୃତି ? ସରକାର ଏକ ଶ୍ବେତପତ୍ର ଜାରି କରନ୍ତୁ । କେତେ ଜଣ ଚାଷୀଙ୍କୁ ଏଯାବତ୍ କିସ୍ତି ଦେଇଛନ୍ତି ଓ ଆଗାମି ଦିନରେ କେତେ ଚାଷୀଙ୍କୁ ଦେବେ ତାହା ପ୍ରକାଶ କରନ୍ତୁ ।“
ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି: “ସରକାର ଗଠନର ପ୍ରଥମ ଦିନରେ କାଳିଆ ଟଙ୍କା ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ଏବେ ୬ ମାସ ପରେ କାଳିଆର ଦ୍ବିତୀୟ କିସ୍ତି କଥା ମନେ ପଡି଼ଲା ।“
ବିରୋଧୀଙ୍କ ଅଭିଯୋଗର ଜବାବ ରଖି ବିଜେଡି ମୁଖପାତ୍ର ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ସଠିକ ହିତାଧିକାରୀ ଚୟନ ପାଇଁ ସଠିକ ପ୍ରକ୍ରିୟା ଅବଲମ୍ବନ କରାଯାଇଛି । ଏଥିରେ କୌଣସି ବିଳମ୍ବ ହୋଇନି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଟଙ୍କା କାହିଁକି ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି ।
କାଳିଆ ଯୋଜନାର ପ୍ରଥମ କିସ୍ତି ଟଙ୍କା ୫୧ ଲକ୍ଷ ୫ହଜାର ଚାଷୀ ପାଇଥିବା ବେଳେ ଦ୍ବୀତିୟ କିସ୍ତି ପାଇଁ ୪୦ ଲକ୍ଷ ଚାଷୀ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର ୧୦ ଲକ୍ଷ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।