ମିଶନ ଶକ୍ତି ବଦଳାଇ ଦେଲା କଳାହାଣ୍ଡିର ଚ଼ନ୍ଦରାଙ୍କ ଜୀବନ, ଆଣି ଦେଲା ସଫଳତା ଓ ଖୁସି

ମାତ୍ର ଆଠ ବର୍ଷ ବୟସରେ ବାହା ହେଇଥିଲେ ଚ଼ନ୍ଦରା । କିଛି ବର୍ଷ ପରେ ମଥାରୁ ଲିଭିଗଲା ସିନ୍ଦୂର । ମିଶନ ଶକ୍ତିର ପ୍ରେରଣାରେ ଏକ ସ୍ବୟଂ ସହାୟତା ଗୋଷ୍ଠୀ ବନେଇ ସେ ବ୍ୟବସାୟ ଆରମ୍ଭ କଲେ । ଏବେ ତାଙ୍କର ଆୟ ଯଥେଷ୍ଟ । ତାଙ୍କ ଝିଅ ବାଣିଜ୍ୟରେ ସ୍ନାତକ ପାସ୍ କରି ଏବେ ନାବାର୍ଡରେ ଚ଼ାକିରି କରିଛନ୍ତି ।

ମିଶନ ଶକ୍ତି ବଦଳାଇ ଦେଲା କଳାହାଣ୍ଡିର ଚ଼ନ୍ଦରାଙ୍କ ଜୀବନ, ଆଣି ଦେଲା ସଫଳତା ଓ ଖୁସି
କେବେ ସ୍କୁଲ୍ ବାରଣ୍ଡା ମାଡ଼ି ନ ଥିବା ଚ଼ନ୍ଦରା ଏବେ ସ୍ୱାବଲମ୍ବୀ ଓ ସୁଖି ।
  • News18 Odia
  • Last Updated: December 29, 2019, 12:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ସୁମନ୍ତ ସୁନ୍ଦରାୟ | News18 Odia Digital

ଭୁବନେଶ୍ବର: ପଚ଼ାଶ ବର୍ଷୀୟା ଚ଼ନ୍ଦରା ନାୟକଙ୍କୁ ମିଶନ ଶକ୍ତି ନୂଆ ରାସ୍ତା ଦେଖାଇବା ସହ ତାଙ୍କ ଜୀବନର ମୋଡକୁ ବଦଳାଇ ଦେଇଛି । ଏବେ ସେ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାରକ୍ଷମ କରାଇପାରିଛନ୍ତି ।

କଳହାଣ୍ଡି ଜିଲ୍ଲାର ନିପଟ ମଫସଲ ନୂଆ ଗାଁ ଦାମୋଦରପୁରରେ ଚ଼ନ୍ଦରାଙ୍କ ଘର । କେବେ ସ୍କୁଲ୍ ବାରଣ୍ଡା ମାଡ଼ି ନ ଥିବା ଚ଼ନ୍ଦରା ମିଶନ ଶକ୍ତି ଜରିଆରେ ଭଲ ଅର୍ଥ ଉପାର୍ଜନ ସହ ବହୁ ମହିଳା ସଙ୍ଗଠନ ପାଇଁ ପାଲଟିଛନ୍ତି ଉଦାହରଣ ।

ମାତ୍ର ଆଠ ବର୍ଷ ବୟସରେ ବିବାହ କରିଥିଲେ ଚ଼ନ୍ଦରା । ବିବହାର କିଛି ବର୍ଷ ପରେ ମଥାରୁ ଲିଭିଗଲା ସିନ୍ଦୂର । ଏ ଅକାଳ ଚ଼ଡକକୁ ସାମ୍ନା କରିବା ପାଇଁ ଚ଼ନ୍ଦରା ଦିନମଜୁରିଆ ଶ୍ରମିକ ପାଲଟି ଯାଇଥିଲେ । ମୁଣ୍ଡରେ ଝୁଡି, ହାତରେ କୋଦାଳ ଧରି ପ୍ରତିଦିନ ସିମେଣ୍ଟ ବାଲି କାମ କରି ପେଟ ପୋଷୁଥିଲେ ।

ଏମିତି କିଛି ବର୍ଷ ଯିବା ପରେ ନିଜର ଜଣେ ସମ୍ପର୍କୀୟା ପୁଷ୍ପାଙ୍କ ସହ ୨୦୧୧ ରେ କଳାହାଣ୍ଡି ଟାଉନରେ ଚ଼ାଲିଥିବା ଏକ ସ୍ବୟଂ ସହାୟକ ଗୋଷ୍ଠୀର ମେଳାକୁ ଯାଇଥିଲେ । ସେଠାରେ ବଦଳି ଯାଇଥିଲା ସବୁ କିଛି ।

ନାରୀ ପ୍ରଗତି ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ ନାଁରେ ଏକ ସଂଗଠନ ତିଆରି କରି ରୋଜଗାରକ୍ଷମ ହେବାକୁ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ ସେ । ତା’ପରେ ଆରମ୍ଭ କରିଥିଲେ ବ୍ୟବସାୟ ।

ସରକାରୀ ମେଳାରେ ୧୦ ଜଣ ମହିଳାଙ୍କୁ ନେଇ ପ୍ରଥମେ କାନ୍ଦୁଲ, ମୁଗ, କୋଳଥ, ପାଳୁଅ, ଝୁଣା ଓ ସୁଆଁ ବିକ୍ରି ଆରମ୍ଭ କରିଥିଲେ । ଭଲ ବେପାର ହେବାରୁ ଲୋକଙ୍କ ଚ଼ାହିଦା ଅନୁଯାୟୀ ୧୮ ପ୍ରକାରର ମସଲା ସହ ହଳଦୀ, ରାଶି, ପେଷୁ, ଜିରା ଓ ଧନିଆର ପସରା ଧରି ସାରା ରାଜ୍ୟର ବହୁ ମେଳାରେ ଷ୍ଟଲ୍ ପକାଇ ସେ ଲାଭବାନ ହୋଇଛନ୍ତି ।

ଛୋଟ ଏକ ଘରେ ରହୁଥିବା ଚ଼ନ୍ଦରା ଏବେ ମିଶନ ଶକ୍ତି ଜରିଆରେ ସାରା ରାଜ୍ୟ ବୁଲି ସାରିଲେଣି । ବର୍ଷକୁ ୧୨ଟି ମେଳା ପଡୁଥିବାରୁ ଗୋଟିଏ ଗୋଟିଏ ମେଳାରେ ପାଖାପାଖି ଏକ ଳକ୍ଷ ଟଙ୍କାର ବେପାର ହେଉଛି ତାଙ୍କର । ସବୁ ଖର୍ଚ୍ଚ ଯାଇ ୬୦-୭୦ ହଜାର ଟଙ୍କା ମିଳୁଛି ପ୍ରତି ସଦସ୍ୟଙ୍କୁ ।

’’ଚ଼ାଷୀଙ୍କ ଠାରୁ ବିଲ ମୁଣ୍ଡରୁ ମୁଁ ବିଭିନ୍ନ ସାମଗ୍ରୀ କିଣେ । ନିଜ ଗୋଷ୍ଠୀ ବି ଚାଷ କରୁଥିବାରୁ ବାହାର ଚ଼ାଷୀଙ୍କ ଠାରୁ ଅଳ୍ପ କିଛି କିଣିବାକୁ ପଡ଼େ । ତାହା ବେଶୀ ଲାଭ ଯୋଗାଏ,’’ ନିଜ ବ୍ୟବସାୟ ସମ୍ପର୍କରେ କୁହନ୍ତି ଚ଼ନ୍ଦରା ।

ଚ଼ନ୍ଦରାଙ୍କ ନିକଟତମ ସହଯୋଗୀ ହେଉଛନ୍ତି ପୁଷ୍ପାଞ୍ଜଳି ନାୟକ । ପୁଷ୍ପାଙ୍କଠାରୁ ଲଳିତା ନାମକ କନ୍ୟା ସନ୍ତାନଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି ଚ଼ନ୍ଦରା । ତାକୁ ସେ ଦେଇଛନ୍ତି ନୂଆ ପରିଚୟ । ନିଜେ ସିନା ପଢି ନାହାନ୍ତି, ହେଲେ ଝିଅ ଲଳିତା ବାଣିଜ୍ୟରେ ସ୍ନାତକ ପାସ୍ କରି ଏବେ ନାବାର୍ଡରେ ଚ଼ାକିରି କରିଛନ୍ତି ।

ପୁଷ୍ପାଙ୍କ ଝିଅ ସଂଧ୍ୟା ମଧ୍ୟ ଇଂଜିନିୟରିଂ ପଢୁଛନ୍ତି । ପୁଷ୍ପା ଓ ଚ଼ନ୍ଦରା ଏବେ ନିଜ ସଂଗଠନର ନେତୃତ୍ବ ନେଇ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

‘‘ମିଶନ ଶକ୍ତି ମୋତେ ନୂଆ ବାଟ ଦେଖାଇଛି । ରୋଜଗାର ଦେଇଛି । ମୋ’ ପିଲାକୁ ପାଠ ପଢ଼ାଇ ମଣିଷ କରାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା ଏ ମିଶନ ଶକ୍ତି ମେଳା ମୋତେ ମଫସଲରୁ ଟାଣି ଆଣିଛି ରାଜଧାନୀକୁ,’’ ନିକଟରେ ଭୁବନେଶ୍ୱରରେ ଆୟୋଜିତ ମିଶନ ଶକ୍ତି ମେଳାକୁ ଆସିଥିବା ବେଳେ କହିଥିଲେ ଚ଼ନ୍ଦରା ।
First published: December 29, 2019, 12:21 PM IST