News 18 Odia Digital
କଳାହାଣ୍ଡି: କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କର ରବିବାର ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଭବାନୀପାଟଣା ଇରିଗେସନ କଲୋନୀ ସ୍ଥିତ ନିଜ ବାସଭବନ ଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସେ ଜନ୍ମ ହୋଇଥିଲେ। ସେ ୧୯୯୧ ମସିହାରେ କଂଗ୍ରେସ ଟିକେଟ୍ରେ କଳାହାଣ୍ଡି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ। ସଂସଦ ଭବନକୁ ମୁଣ୍ଡିଆ ମାରି ପ୍ରବେଶ କରି ସେ ସେତେବେଳେ ଚର୍ଚ୍ଚାରେ ରହିଥିଲେ।
ସଂସଦରେ ନିର୍ବାଚିତ ହେବା ପୂର୍ବରୁ ନାୟକ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ। ୧୯୯୫ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନାୟକ ସାମାଜିକ କାର୍ଯ୍ୟରେ ସକ୍ରିୟ ଭାବରେ ଜଡିତ ଥିଲେ। ନାୟକଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମବେଦନା ଜଣାଇଛନ୍ତି।
ବିରୋଧୀ ଦଳର ନେତା ପ୍ରଦିପତା ନାୟକ କହିଛନ୍ତି ଯେ, "ଆମ ସମସ୍ତଙ୍କ ମାର୍ଗ ଦର୍ଶକ କଳାହାଣ୍ଡିର ପୂର୍ବତନ ସାଂସଦ ସୁଭାଷ ନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ସୁଭାଷ ଦାଦାଙ୍କ ବିୟୋଗରେ ଆମେ ସମସ୍ତେ ଆମ ମୁରବିଙ୍କୁ ହରାଇଲୁ। କଳାହାଣ୍ଡି ଜିଲ୍ଲାର ବିକାଶ କ୍ଷେତ୍ରରେ ତାଙ୍କ ଅତୁଳନୀୟ ଯୋଗଦାନ ପାଇଁ ସର୍ବଦା ସେ ଚିରସ୍ମରଣୀୟ ହୋଇ ରହିବେ।’’
ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟ୍ବିଟ ଜରିଆରେ କହିଛନ୍ତି, “କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।”
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।