News18 Odia Digital
ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୋଲିସକୁ ମିଳିଛି ଏକ ବିରାଟ ସଫଳତା । ଆଉ ବର୍ଷ ବର୍ଷ ଧରି ସୁରାଟକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାର ପୂର୍ଣ୍ଣଛେଦ ପକାଇଛି ପୋଲିସ ପ୍ରଶାସନ ।ପ୍ରାୟ ଚାରିଶହ କିଲୋ ଗଞ୍ଜେଇ ଜବତ କରିଥିବା ବେଳେ ଏକ ମାଉଜରକୁ ମଧ୍ଯ ଜବତ କରିଛି ପୋଲିସ ।
କବିସୂର୍ଯ୍ୟନଗର ଥାନା ଇଲାକାରେ ଗତ କିଛି ଦିନ ହେବ ଚାଲିଛି ଗଞ୍ଜେଇ ଚାଲାଣ । ଏଠାରୁ ଟ୍ରକ ମାଧ୍ୟମରେ ଗଞ୍ଜେଇ ଅନ୍ୟ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ବେଳେ ବୁଢାମ୍ବ ଅଞ୍ଚଳରୁ ପେଟ୍ରୋଲିଂ ସମୟରେ ଏକ ଟ୍ରକକୁ ଜବତ କରିଛି ପୋଲିସ। ଆଉ ଟ୍ରକ ମଧ୍ଯରେ ଏକ ସ୍ଵତନ୍ତ୍ର ବକ୍ସ କରାଯାଇ ଗଞ୍ଜେଇ ଚାଲାଣ ହେଉଥିଲା ଅନ୍ୟ ରାଜ୍ୟ ସୁରାଟକୁ। ତେବେ ପ୍ରାୟ ଚାରିଶହ କିଲୋ ଗଞ୍ଜେଇକୁ ପୋଲିସ ଜବତ କରିଥିବା ବେଳେ ଯାହାର ମୂଲ୍ଯ ପ୍ରାୟ ୭୦ ଲକ୍ଷ ହେବ ବୋଲି କୁହାଯାଉଛି ।
“ଏତେ ପରିମାଣର ଗଞ୍ଜେଇ ଜବତ ଘଟଣା ପୁରା ଜିଲ୍ଲା ପୋଲିସ ବିଭାଗରେ ଏକ ବଡ଼ ଧରଣର ସଫଳତା," କହିଛନ୍ତି ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ।
ଖାଲି ସେତିକି ନେହେଁ । ଟ୍ରକ ସମେତ ଏକ ମେକ୍ସପିକପ, ଏକ ମାଉଜର , ଚାରି ଜୀବନ୍ତ ଗୁଳି , ତିନିଟି ମୋଟରସାଇକେଲକୁ ପୋଲିସ ଜବତ କରିଥିବା ବେଳେ ଜଣକୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ । ତେବେ ସବୁଠାରୁ ବଡ କଥା ଯେ ଅନେକ ବର୍ଷ ଧରି ଗଞ୍ଜେଇ ଚାଲାଣ ହେଉଥିଲେ ମଧ୍ଯ ଯେତେ ପରିମାଣର ଚଢାଉ ହେଉଛି ସେତିକି ପରିମାଣର ଗଞ୍ଜେଇ ଚାଲାଣ ବଢିବାରେ ଲାଗିଛି ।
“ଏହି ଭଳି ଚଢାଉ କ୍ରମାଗତ ଭାବେ ଚାଲୁ ରହିଥିବା ବେଳେ ଅପରାଧି ମାନେ ଅପରାଧ କାର୍ଯ୍ୟକଳାପକୁ ଭୁଲି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି,"କହିଛନ୍ତି କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ।