ଜାତୀୟ ଓ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ଜଙ୍କସନ ସ୍ଥାନ ଏବେ ମରଣଜନ୍ତା ପାଲଟିଛି

ସିଆଇଡି ଓ କ୍ରାଇମ ବ୍ରାଞ୍ଚରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୦ରେ ଏହି ଭଳି ଜଙ୍କସନରେ ୨,୫୯୪ଟି ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧,୧୬୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧,୩୨୨ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି ।

ଜାତୀୟ ଓ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ଜଙ୍କସନ ସ୍ଥାନ ଏବେ ମରଣଜନ୍ତା ପାଲଟିଛି

ଜାତୀୟ ଓ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ଜଙ୍କସନ ସ୍ଥାନ ଏବେ ମରଣଜନ୍ତା ପାଲଟିଛି

  • Share this:
News18 Odia Digital

ଭୁବନେଶ୍ବର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଡ଼କ ଜନୀତ ଦୁର୍ଘଟଣା ରୋକିବା ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ସଚେତନତା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ ଦିଗରେ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି । ତଥାପି ଲକ୍ଷ୍ୟ ସାଧନ ହୋଇପାରୁନାହିଁ । ଜାତୀୟ ଓ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ସ୍ଥାନୀୟ ରାସ୍ତାର ଛକ(ଜଙ୍କସନ) ସ୍ଥାନଗୁଡ଼ିକ ଏବେ ମରଣଜନ୍ତା ପାଲଟିଛି । ଏହି ଭଳି ସ୍ଥାନରେ ବର୍ତ୍ତମାନ ଦୁର୍ଘଟଣା ଜନୀତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ରୋକିବା ବା ପାଇଁ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରିବା ପାଇଁ ଜାତୀୟ ରାଜପଥ ପ୍ରାଧୀକରଣ ଓ ପୂର୍ତ୍ତ ବିଭାଗ କୁ ଚିଠି ଲେଖିଛନ୍ତି ପରିବହନ ସଚିବ। ବିଶେଷଜ୍ଞ କହିଛନ୍ତି ସିସିଟିଭି ଲଗାଯିବା ସହ ରୋଡ ଇଂଜିନିୟରିଂରେ ବ୍ୟାପକ ପରିବର୍ତ୍ତନ ଆବଶ୍ୟକତା ରହିଛି।

ସିଆଇଡି ଓ କ୍ରାଇମ ବ୍ରାଞ୍ଚରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୦ରେ ଏହି ଭଳି ଜଙ୍କସନରେ ୨୫୯୪ଟି ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧,୧୬୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧,୩୨୨ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି କେବଳ ଏହି ଭଳି ଜଙ୍କସନରେ ୨୫ ପ୍ରତିଶତ ଦୁର୍ଘଟଣାଜନୀତ ମୃତ୍ୟୁ ଘଟୁଛି। ତେଣୁ ଏହି ଭଳି ଜଙ୍କସନ ବା ଛକଗୁଡ଼ିକର ପ୍ରତ୍ୟକ୍ଷ ପରିଦର୍ଶନ କରି ଦୁର୍ଘଟଣାର କାରଣ ଖୋଜିବାକୁ ସଡ଼କ କର୍ତ୍ତୃପକ୍ଷଙ୍କୁ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୁଦନ ପାଢୀ ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥ ଓଡ଼ିଶା ଶାଖାର ମହାପ୍ରବନ୍ଧକଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ସଡ଼କ ଦୁର୍ଘଟଣାର ମୃତ୍ୟୁହାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସଡ଼କ ସୁରକ୍ଷା ଉପରେ ସୁପ୍ରିମ କୋର୍ଟ କମିଟି ଓଡ଼ିଶା ପାଇଁ ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ ୨୦୨୦ ସୁଦ୍ଧା ମୃତ୍ୟୁ ହାରକୁ ୫୦ ପ୍ରତିଶତ ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଦୁର୍ଭାଗ୍ୟବଶତଃ ୨୦୧୪ରୁ ୨୦୨୦ ମଧ୍ୟରେ ମୃତ୍ୟୁ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି । ୨୦୧୪ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩,୯୩୧ ରହିଥିବା ବେଳେ ୨୦୨୦ରେ ୪,୭୩୮ ଜଣ ପ୍ରାଣ ହରାଇଛନ୍ତି । ଏହି ୫ ବର୍ଷରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୨୧ ପ୍ରତିଶତ ବୃଦ୍ଧି ଘଟିଛି।

ସିଆଇଡି ଓ କ୍ରାଇମ ବ୍ରାଞ୍ଚରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୦ରେ ଏହି ଭଳି ଜଙ୍କସନରେ ୨,୫୯୪ଟି ସଡ଼କ ଦୁର୍ଘଟଣା ଘଟିଛି


ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ଜବର ଦଖଲ ଉଚ୍ଛେଦ, ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଓ ତତ୍କାଳୀନ ସେବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁଠାରେ ଫିଡର ରୋଡ୍ ମୁଖ୍ୟ ରାସ୍ତା (ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ) ସହିତ ସଂଯୋଗ କରୁଛି, ସେହିଭଳି ଛକ ଗୁଡ଼ିକରେ ଟ୍ରାଫିକ ସମ୍ବନ୍ଧୀୟ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ସଡ଼କ କର୍ତ୍ତୃପକ୍ଷମାନଙ୍କୁ ସେହିଭଳି ଛକ(ଜଙ୍କସନ୍) ଚିହ୍ନଟ କରିବା ସହ ଫିଡର ରାସ୍ତା ଓ ରାଜପଥରେ ଟ୍ରାଫିକ ସୁରକ୍ଷା ସମ୍ବନ୍ଧୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ ।

ସଡ଼କ ସୁରକ୍ଷା ବିଶେଷଜ୍ଞ ସେଖ ମକଲୁବ ଅଲ୍ଲି କହିଛନ୍ତି ଯେ ପର୍ଯ୍ୟାପ୍ତ ପରିମାଣର ସିସିଟିଭି ଛକ ମାନଙ୍କରେ ଲଗାଯିବା ଦରକାର। ସୋଲାର ସିଷ୍ଟମରେ ଲାଇଟ ବ୍ୟବସ୍ଥା କରାଯିବା ଦରକାର। ଜାତୀୟ ଓ ରାଜ୍ୟ ରାଜପଥରେ କ୍ରସ୍ ରୋଡ଼ ରହିବା ଉଚିତ ନୁହେଁ।

ଜାତୀୟ ରାଜପଥ ମୁଖ୍ୟ ଇଞ୍ଜିନିୟର ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୮,୧୦୨ ଜଙ୍କସନ ଅଛି ଓ ସମସ୍ତ ଜଙ୍କସନରେ ଟ୍ରାଫିକ ନିୟନ୍ତ୍ରଣ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସତ୍ତ୍ବେ ସିଆଇଡି ଓ କ୍ରାଇମ ବ୍ରାଞ୍ଚରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୦ରେ ଏହି ଭଳି ଜଙ୍କସନରେ ୨,୫୯୪ଟି ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧,୧୬୪ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୧,୩୨୨ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ୨୦୨୦ ରେ ରାଜ୍ୟରେ ସଡ଼କ ଦୁର୍ଘଟଣାର ମୃତ୍ୟୁ ସହ ତୁଳନା କଲେ ଜଣାପଡୁଛି ଯେ, କେବଳ ଜଙ୍କସନରେ ୨୫ ପ୍ରତିଶତ ଦୁର୍ଘଟଣାଜନୀତ ମୃତ୍ୟୁ ହୋଇଛି, ଯାହାକି ଏକ ଚିନ୍ତାର ବିଷୟ ।

ରାସ୍ତା ସୁରକ୍ଷା ସମିତି ସମ୍ପାଦକ ପ୍ରକାଶ ମହାପାତ୍ର କହିଛନ୍ତି, "ସବୁଆଡ଼େ ଜଙ୍କସନ ଖୋଲୁଛି। ଜଙ୍କସନରେ ହେଉଥିବା ଦୁର୍ଘଟଣା କାରଣ ଶିକ୍ଷାକୁ ଆମେ ପ୍ରାଥମିକ ଦେଇନାହୁଁ। ଦୃତ ଗତି ମୁଖ୍ୟ କାରଣ। ଯେଉଁଠି ରହିବା କଥା ରହୁନି। ଯେଉଁଠି ରହୁଛି ସିମ୍ବଲ ରହୁନି। ରୋଡ଼ ଇଞ୍ଜିନିୟରିଂ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ।’’

ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକର ନିଷ୍ପତ୍ତି ଅନୁସାରେ, ସଡ଼କ କର୍ତ୍ତୃପକ୍ଷ ଏହି ଭଳି ଜଙ୍କସନଗୁଡ଼ିକୁ ପୁନଃ ପରିଦର୍ଶନ କରି ଦୁର୍ଘଟଣାର ପୁନରାବୃତ୍ତି ହେବାର କାରଣ ଖୋଜବେ ଓ ଏହି ସମ୍ପର୍କିତ ରିପୋର୍ଟ ଦୁଇ ମାସ ମଧ୍ୟରେ ପ୍ରଦାନ କରିବେ ବୋଲି କୁହାଯାଇଥିଲା । ହେଲେ ଏ ପର୍ଯ୍ୟନ୍ତ ଉକ୍ତ ନିର୍ଦ୍ଦେଶର ଅନୁପାଳନ ହୋଇପାରିଲା ନାହିଁ । ତେଣୁ ପରବିହନ ବିଭାଗ ପ୍ରମୁଖ ଶାସନ ସଚିବ ପୂର୍ତ୍ତ ବିଭାଗ ଓ ଏନଏଚଏଆଇ ମହାପ୍ରବନ୍ଧକଙ୍କୁ ଚିଠି ଲେଖି ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଓ ଏକ ସ୍ବତନ୍ତ୍ର ଫର୍ମାଟରେ ଏକ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି ।
Published by:Lipina Das
First published:
)}