News18 Odia Digital
କଟକ: ରାଜ୍ୟରେ ହାତୀ ମୃତ୍ୟୁ ରୋକିବାକୁ ଗଠନ ହେବ JTF (ଜଏଣ୍ଟ ଟାସ୍କଫୋର୍ସ)। ହାଇକୋର୍ଟରେ ଦାୟର ହୋଇ ଥିବା ଏହି ସମ୍ପର୍କିତ ଏକ ମାମଲାରେ ସତ୍ୟପାଠ ମାଧ୍ୟମରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ହାଇକୋର୍ଟଙ୍କୁ ଏ ନେଇ ଅବଗତ କରାଇଛନ୍ତି।
ପୋଲିସ ଓ ବନକର୍ମଚାରୀଙ୍କୁ ନେଇ ଏହି JTF ଗଠନ ହେବ ଓ ଅସ୍ବାଭାବିକ ହାତୀ ମୃତ୍ୟୁ ସହ ବିଭିନ୍ନ ବନ୍ୟପ୍ରାଣୀ ଅପରାଧର ତଦନ୍ତ ମଧ୍ୟ JTF କରିବ।
ସେହିପରି ରାଜ୍ୟରେ ନିକଟରେ ମୃତୁ ବରଣ କରିଥିବା ଦୁଇ ହାତୀଙ୍କ ସମ୍ପର୍କରେ ମଧ୍ୟ କୋର୍ଟଙ୍କୁ ଅବଗତ କରାଯାଇଥିଲା। ତେବେ ଆସନ୍ତା ଶୁଣାଣି ସମୟରେ ଏହାର ସବିଶେଷ ତଥ୍ୟ ଦେବାକୁ ଆଡଭୋକେଟ ଜେନେରାଲ କୋର୍ଟଙ୍କୁ କହିଥିଲେ। ସେପ୍ଟେମ୍ବର ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।
ତେବେ ମାମଲାର ଶୁଣାଣି ସମୟରେ ହାତୀ ଶିକାର ଘଟଣାରେ ସରକାରଙ୍କ ତରଫରୁ ଗ୍ରହଣ କରାଯାଉଥିବା ପଦକ୍ଷେପକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ମାମଲାରେ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍ ୱାଇଲ୍ଡ ଲାଇଫ୍) ଦାଖଲ କରିଥିବା ସତ୍ୟପାଠରେ ଗତ ୫ ବର୍ଷରେ ହାତୀ ଶିକାର ନେଇ ୧୪ଟି ମାମଲା ରୁଜୁ ହୋଇଥିବା ଦର୍ଶାଯାଇଥିଲା।
ଏଥିରୁ ମାତ୍ର ଗୋଟିଏ ମାମଲାରେ ଅଦାଲତରେ ଟ୍ରାଏଲ ଆରମ୍ଭ ହୋଇଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା। ଏହି ପ୍ରସଙ୍ଗକୁ ନେଇ ରୁଜୁ ମାମଲା ଗୁଡିକର ଅଗ୍ରଗତି ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ ପୂର୍ବରୁ କହିଥିଲେ।
ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ଏହି ସବୁ ମାମଲାରେ ଗିରଫ ଅଭିଯୁକ୍ତମାନେ ଏବେ ଜେଲରେ ଅଛନ୍ତି ବା ଜାମିନ ପାଇଛନ୍ତି ସେ ନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ। କିନ୍ତୁ ଅଭିଯୁକ୍ତଙ୍କ ଜାମିନ ପ୍ରସଙ୍ଗରେ ରାଜ୍ୟ ସରକାର ଜବାବ ରଖି ପାରି ନଥିଲେ। ଏଥି ସହିତ ଗୁଳିମାଡ଼ରେ ହାତୀ ମୃତ୍ୟୁ ମାମଲାରେ ବେଆଇନ ବନ୍ଧୁକ ବ୍ୟବହାର ହେଉଥିଲେ ମଧ୍ୟ ଆର୍ମ୍ସ୍ ଆକ୍ଟରେ କାହିଁକି ଗୋଟିଏ ବି ମାମଲା ରୁଜୁ ହୋଇ ନାହିଁ ସେ ନେଇ ମଧ୍ୟ ବନ ବିଭାଗ ତରଫରୁ କୌଣସି ସନ୍ତୋଷଜନକ ଜବାବ ମିଳି ନଥିଲା।
ଏଭଳି ସ୍ଥିତିରେ ହାଇକୋର୍ଟ କହିଥିଲେ ଯେ ରାଜ୍ୟରେ ବିଗତ କିଛି ଦିନରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ ବିଷୟ। ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନିଆଯିବା ଉଚିତ୍। ବହୁ କ୍ଷେତ୍ରରେ ବନ୍ଧୁକ ଗୁଳିରେ ହାତୀ ମୃତାହତ ହେଉଥିବା ଦେଖା ଯାଉଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଆର୍ମ୍ସ୍ ଆକ୍ଟ କିନ୍ତୁ ମାମଲାରେ ପ୍ରୟୋଗ କରାଯାଉ ନାହିଁ ବୋଲି ହାଇକୋର୍ଟ କହିଥିଲେ।
ବନ୍ୟପ୍ରାଣୀ ସୁରକ୍ଷା ଆଇନ ଓ ଆର୍ମ୍ସ୍ ଆକ୍ଟ ସମେତ ଅନ୍ୟ ଆଇନ କଡ଼ାକଡ଼ି କାର୍ଯ୍ୟକାରୀ ପାଇଁ ଆଇନ କାର୍ଯ୍ୟକାରୀ ବ୍ୟବସ୍ଥାକୁ ସକ୍ରିୟ କରିବାକୁ ଉଦ୍ୟମ କରାଯିବା ଆବଶ୍ୟକ। ଏହି ସମସ୍ୟାର କେମିତି ମୁକାବିଲା କରାଯିବା ସେ ନେଇ ପୋଲିସ ଡିଜିଙ୍କୁ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଉଲ୍ଲେଖ ଯୋଗ୍ୟ ଯେ ଅଗଷ୍ଟ ୬ରେ ପିସିସିଏଫଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଗଲା ୫ ବର୍ଷରେ ଆଠଗଡ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବୌଦ୍ଧ, ଘୁମୁସର (ଉତର) ଡିଭିଜନରେ ବେଆଇନ ହାତୀ ଶିକାର କରାଯାଇଥିବା ଦର୍ଶାଯାଇଥିଲା। ୨୦୧୮ରୁ ୨୦୨୨ ମଧ୍ୟରେ ୧୪ଟି ମାମଲା ରୁଜୁ କରାଯାଇ ୨୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଉଲ୍ଲେଖ କରାଯାଇଥିଲା।
ସୂଚନା ଯୋଗ୍ୟ ଯେ ଜୁଲାଇ ୨୫ରେ ହାଇକୋର୍ଟ ଏ ସମ୍ପର୍କିତ ମାମଲାର ଶୁଣାଣି କରି ପିସିସିଏଫଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ୫ ବର୍ଷରେ ପ୍ରତ୍ୟେକ ହାତୀ ଶିକାର ଘଟଣାର ବିସ୍ତୃତ ବିବରଣୀ ସତ୍ୟପାଠରେ ଦେବା ପାଇଁ ହାଇକୋର୍ଟ କହିଥିଲେ। ହାତୀ ଶିକାର ଘଟଣାର ସ୍ଥାନ/ଅଞ୍ଚଳ, ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥା ଏତଲା ପଞ୍ଜୀକରଣ, ସନ୍ଦିଗ୍ଧଙ୍କ ତାଲିକା, ଗିରଫ ଅଭିଯୁକ୍ତଙ୍କ ବିବରଣୀ, ଦାଖଲ କରାଯାଇଥିବା ଚାର୍ଜସିଟ, କେଉଁ ଅଦାଲତରେ ମାମଲା ବିଚାରାଧୀନ ରହିଛି, ଟ୍ରାଏଲର ଷ୍ଟାଟସ୍, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ମାମଲା ସଂକ୍ରାନ୍ତରେ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ କହିଥିଲେ। ୱାଇଲ୍ଡ ଲାଇଫ କ୍ରାଇମ ସେଲ୍ ପ୍ରସଙ୍ଗରେ ମଧ୍ୟ ତଥ୍ୟ ଦେବାକୁ ହାଇକୋର୍ଟ କହିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।