News18 Odia Digital
ଭୁବନେଶ୍ୱର: ଓଡ଼ିଶାରେ ଆଉ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ଯୁ (JSW)। ରାଜ୍ୟରେ ବିପୁଳ ପୁଞ୍ଜିର ପ୍ରତିଶ୍ରୁତି ଦେଇଛନ୍ତି ଜିନ୍ଦଲ ଅଧ୍ୟକ୍ଷ ସଜନ ଜିନ୍ଦଲ। ମେକ ଇନ ଓଡିଶାର ଦ୍ଵିତୀୟ ଦିନରେ ରାଜ୍ୟବାସୀଙ୍କୁ ଏପରି ଏକ ଖୁସି ଖବର ମିଳିଛି।
ଆଜି ମେଗା ଶିଳ୍ପପତି ସମ୍ମିଳନୀର ପ୍ଲେନାରି ସେସନରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ମିତ୍ତଲ୍ ଗ୍ରୁପର ଏଲଏନ ମିତ୍ତଲ, ବେଦାନ୍ତ ଗ୍ରୁପର ମୁଖ୍ୟ ଅନିଲ ଅଗ୍ରଓ୍ବାଲ, ଟାଟା ଗ୍ରୁପର ଟିଭି ନରେନ୍ଦ୍ରନ, ସଜନ ଜିନ୍ଦଲ, ନବୀନ ଜିନ୍ଦଲ ପ୍ରମୁଖ ଏହି ବ୍ୟବସାୟୀ ସମ୍ମିଳନୀରେ ଯୋଗ ଦେଇଛନ୍ତି। ୪ଟା ୩୦ରେ ଆନ୍ତର୍ଜାତୀୟ ମିଲେଟ ବର୍ଷ ୨୦୨୩ର କଟନ ରେଜର କାର୍ଯ୍ୟକ୍ରମ ରହିଛି। ଏଥିରେ ମିଲେଟର ଭୂମିକା, ଆଦିବାସୀ ଓ ମିଲ୍ଲେଟ ପ୍ରଭୃତି ବିଷୟରେ ଆଲୋଚନା ହେବ।
ଆଜି ମୁଖ୍ୟମନ୍ତ୍ରୀ ୨୦୨୨ ବର୍ଷର ଶିଳ୍ପ ନୀତି ଘୋଷଣା କରିବେ। କିଛିଦିନ ତଳେ ଏହା କ୍ୟାବିନେଟରେ ଘୋଷଣା ହୋଇଥିଲା । ଏହି ସମାବେଶରେ ୨୦ ରୁ ଅଧିକ ଏମଓୟୁ ସ୍ବାକ୍ଷରିତ ହେବାର ଅଛି। ଏଥିରେ ଜାପାନ, ନରୱେ, ଜର୍ମାନୀ, ଇସ୍ରାଏଲ, ନେପାଳ, ଅଷ୍ଟ୍ରେଲିଆ ସମେତ ୧୧ଟି ଦେଶର ନିବେଶକ ଅଂଶଗ୍ରହଣ କରିଛନ୍ତି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆସନ୍ତାକାଲି ସ୍କିଲ୍ଡ ଇନ୍ ଓଡ଼ିଶା ଉପରେ ରହିଛି ସ୍ୱତନ୍ତ୍ର ଅଧିବେଶନ । ଏହା ସହ ମେଟାଲ କ୍ଷେତ୍ରରେ ଡାଉନଷ୍ଟ୍ରିମ ଶିଳ୍ପ ସହ ୧୦ଟି କ୍ଷେତ୍ର ଉପରେ ଅଧିବେଶନ ରହିଛି ।
ରବିବାର ଯାଏ ଶିଳ୍ପ ନିବେଶକ ମହାକୁମ୍ଭ ଚାଲିବ। ଭୁବନେଶ୍ୱର ଜନତା ମୈଦାନରେ ଓଡ଼ିଶାର ଶିଳ୍ପାୟନ ପ୍ରଗତିକୁ ନେଇ ପାଞ୍ଚଦିନ ମାନସ ମନ୍ଥନ କରାଯିବ । ୩୮ ଟି ଇଭେଣ୍ଟରେ ଯୋଗ ଦେବେ ୧୨୪ ଜଣ ବକ୍ତା । ଫୋକସରେ ୭ଟି ପ୍ରମୁଖ ସେକ୍ଟର ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଂ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ଆଇଟି ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।