ଗିରଫ ହେଲେ ଜିଆରଏସ ବାବୁଲି ପଢ଼ିଆରୀ; ପତ୍ନୀଙ୍କ ନାମରେ ବି ମାମଲା ରୁଜ୍ଜୁ

ଗିରଫ ହେଲେ ଭୁବନେଶ୍ବର କଳାରାହାଙ୍ଗ ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ବା ଜିଆରଏସ ବାବୁଲି ପଢ଼ିଆରୀ । ବାବୁଲି ପଢିଆରୀ ନିଜ ମୁଳ ଦରମା ଠାରୁ ୩୮୩% ଟଙ୍କା ରୋଜଗାର କରିଛନ୍ତି ।

ଗିରଫ ହେଲେ ଜିଆରଏସ ବାବୁଲି ପଢ଼ିଆରୀ

ଗିରଫ ହେଲେ ଜିଆରଏସ ବାବୁଲି ପଢ଼ିଆରୀ

  • Share this:
News18 Odia Digital

କଟକ: ଗିରଫ ହେଲେ ଭୁବନେଶ୍ବର କଳାରାହାଙ୍ଗ ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ବା ଜିଆରଏସ ବାବୁଲି ପଢ଼ିଆରୀ । ଆୟବର୍ହିଭିୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଦିନ ବାବୁଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ବିଭାଗ । ତେବେ ମାତ୍ର ୮୫୦୦ ଟଙ୍କା ମାସିକ ଦରମା ପାଉଥିବା ଏହି ଜିଆରଏସଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ ବିଭାଗ ।

ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତି ମୁତାବକ କଳାରାହାଙ୍ଗ ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ବା ଜିଆରଏସ ବାବୁଲି ପଢିଆରୀ ନିଜ ମୁଳ ଦରମା ଠାରୁ ୩୮୩% ଟଙ୍କା ରୋଜଗାର କରିଛନ୍ତି । ଏହି ସମସ୍ତ ଟଙ୍କାକୁ ସେ ବେଆଇନ ଭାବେ ରୋଜଗାର କରିଥିବା ବେଳେ ସେ କେଉଁ ସୂତ୍ରରୁ ଏହି ଅର୍ଥ ରୋଜଗାର କଲେ ସେନଇ ଭିଜିଲାନ୍ସ ବିଭାଗକୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ବାବୁଲି ।

ଭିଜିଲାନ୍ସ ବିଭାଗ ବାବୁଲିକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜ୍ଜୁ କରିଛି । ଉଭୟ ପତିପତ୍ନୀଙ୍କ ନାଁରେ ଦୁର୍ନୀତି ନିବାରଣ ଆଇନର ସାମାନ ଧାରାରେ ମାମଲା ରୁଜ୍ଜୁ ହୋଇଛି । ତେବେ ବାବୁଲିଙ୍କ ଅର୍ଜିତ ଅର୍ଥ ତାଙ୍କ ପତ୍ନୀଙ୍କ ସମ୍ପତ୍ତି ବୃଦ୍ଧିରେ ଲାଗିଥିବା ଜଣା ପଡ଼ିବା ପରେ ଭିଜିଲାନ୍ସ ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଛି ।

ଜିଆରଏସ ବାବୁଲି ପଢ଼ିଆରୀଙ୍କର ଭୁବନେଶ୍ବର ରଘୁନାଥପୁରରେ ଏକ କୋଟି ୨୪ ଲକ୍ଷ ଟଙ୍କା ମୂଲ୍ୟର ଏକ ତିନି ମହାଲା ବିଶିଷ୍ଟ ଅଟ୍ଟାଳିକା ରହିଛି । ସେହିଭଳି ଭୁବନେଶ୍ବର ଦାଢ଼ା ଅଞ୍ଚଳରେ କିଛି ଦିନ ତଳେ ସେ ୩୨ ଲକ୍ଷ ଟଙ୍କା ଦେଇ ଏକ ଜମି କିଣିଥିଲେ । ଏହା ବ୍ୟତୀତ କଳାରାହାଙ୍ଗରେ ଥିବା ୧୪ ଲକ୍ଷ ଟଙ୍କାର ଏକ ଫ୍ଲାଟ୍ ଓ ରଘୁନାଥପୁରରେ ୧୪ ଲକ୍ଷ ୧୮ ହଜାର ଟଙ୍କା ବିନିମୟରେ କିଣାଯାଇଥିବା ଏକ ଘର ବାବଦରେ ମଧ୍ୟ ପ୍ରମାଣ ପାଇଛି ଭିଜିଲାନ୍ସ ବିଭାଗ ।

ଏହା ବ୍ୟତୀତ ବାବୁଲି ପଢ଼ିଆରୀ ମାଲିକାନାରେ ୫୯ଟି ପ୍ଲଟ ଥିବାର ପ୍ରମାଣ ମଧ୍ୟ ପାଇଛି ଭିଜିଲାନ୍ସ । ସେଥିମଧ୍ୟରୁ ୫୮ଟି ଜମି ଭୁବନେଶ୍ବରର ବିଭିନ୍ନ ଦାମୀ ଅଞ୍ଚଳରେ ଥିବା ବେଳେ ଗୋଟିଏ ବାରଙ୍ଗ ବେଲଗଛିଆ ଠାରେ ରହିଛି । ଏହା ବ୍ୟତିତ ବ୍ୟାଙ୍କ ଜମା, ବିମା, ସୁନା ଅଳଙ୍କାର ଓ ଗାଡ଼ିକୁ ମିଶାଇ ପ୍ରାୟ ୧୪ ଲକ୍ଷ ଟଙ୍କା ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଯାହାକି ଆଗକୁ ଆହୁରି ବଢ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାବୁଲି ପଢ଼ିଆରୀଙ୍କର ମୋଟ ୬ଟି ଠିକଣାରେ ରେଡ କରିଥିଲା ଭିଜିଲାନ୍ସ ବିଭାଗ । ଏହି ରେଡରେ ୩ ଜଣ ଡିଏସପି ଓ ୧୦ ଜଣ ଇନିସପେକ୍ଟର ସାମିଲ ଅଛନ୍ତି । ବାବୁଲିଙ୍କ ଠାରୁ ମିଳୁଥିବା ସମ୍ପତ୍ତିକୁ ଦେଖି ଏହି ରେଡ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଜାରି ରଖାଯିବ ବୋଲି ସୂଚନା ଦେଇଛି ଭିଜିଲାନ୍ସ ବିଭାଗ ।
Published by:Soumya Das
First published: