News18 Odia Digital
ଭୁବନେଶ୍ବର: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୁଧବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିର ପାଣିପାଗ ଉଷ୍ମ ହୋଇ ଉଠିଛି।
ବିଶେଷ କରି ନଡ୍ଡାଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି କ୍ୟାମ୍ପ ବେଶ ଉତ୍ସାହିତ। ତିନି ମାସ ଭିତରେ ନଡ୍ଡାଙ୍କ ଦୁଇ ଥର ଓଡ଼ିଶା ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କନ୍ଧମାଳ ଏବଂ ପୁରୀ ଦୁଇଟି ଲୋକସଭା କ୍ଷେତ୍ରକୁ ଯିବେ।
କନ୍ଧମାଳର ବାଲିଗୁଡା ଏବଂ ପୁରୀ ଲୋକସଭା କ୍ଷେତ୍ରର ଚିଲିକାଠାରେ ସେ ସାଧାରଣ ସଭା କରିବେ। କର୍ମୀମାନଙ୍କୁ ଉଦବୋଧନ ଦେବେ। ସକାଳ ୧୧ଟାରେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବର୍ତ୍ତମାନ ବାଲିଗୁଡା ଗସ୍ତରେ ଅଛନ୍ତି, ପରେ ଚିଲିକା ଯିବାର କାର୍ଯ୍ୟକ୍ରମ ଅଛି।
ରାଷ୍ଟ୍ରୀୟ ଅଧ୍ୟକ୍ଷ ସଙ୍ଗଠନକୁ ମଜବୁତ କରିବା ଏବଂ କର୍ମୀମାନଙ୍କୁ ଉତ୍ସାହିତ କରିବେ ଏବଂ ଆଗାମୀ ଦିନରେ ଡବଲ ଇଞ୍ଜିନର ସରକାର ହେଲେ ଓଡ଼ିଶାର ବିକାଶ ହେବେ ଏହି ମେସେଜ ଦେବେ ବୋଲି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ପୂର୍ବରୁ ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଧାମନଗର ଏବଂ ପଦ୍ମପୁର ଉପନିର୍ବାଚନର ପୋଷ୍ଟମୋର୍ଟମ କରିଥିଲେ। ଦଳ ଧାମନଗରରେ ଜିତିଲା ଅଥଚ ପଦ୍ମପୁର ମାଟି କାମୁଡ଼ିଲା।
ସବୁଠାରୁ ବଡ଼ କଥା ବିଜେପି ପଦ୍ମପୁର ବଡ଼ ବ୍ୟବଧାନରେ ବିଜେଡି ନିକଟରୁ ପରାଜିତ ହୋଇଛି। ଯାହାକୁ କ୍ଷେତ୍ରୀୟ ପ୍ରଭାରୀ ସହଜରେ ଗ୍ରହଣ କରି ପାରିନାହାଁନ୍ତି। ସୁନୀଲ ପଦାଧିକାରୀ ଏବଂ କୋର ବୈଠକରେ ଜଣେ ପରେ ଜଣେ ନେତାଙ୍କୁ ପ୍ରଶ୍ନ କରିଥିଲେ। ବିଶେଷକରି ପଦ୍ମପୁର ଦାୟିତ୍ୱରେ ଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପରାଜୟର କାରଣ ପଚାରିଥିଲେ ବଂଶଲ।
ଯାହାର ଉତ୍ତରରେ ଜୟନାରାଣ କହିଥିଲେ ପଦ୍ମପୁରରେ ବିଜେପିର "ମୋରାଲ ଭିକ୍ଟ୍ରି" ହୋଇଛି। ବିଜେପିର ଷ୍ଟ୍ରେନଥକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଧ୍ୟ ହୋଇ ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ। ଜୟନାରାୟଣ କହିଥିଲେ ଏହାହିଁ ମୋରାଲ ଭିକ୍ଟ୍ରି। ଜୟନାରାଣଙ୍କ ଏଭଳି ଉତ୍ତର ବଂଶଲଙ୍କୁ କେତେ ପ୍ରଭାବିତ କରିଛି। ତାହା ଭିନ୍ନ କଥା। କିନ୍ତୁ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ଯେ ବିଜେପି ମୋରାଲ ଭିକ୍ଟ୍ରି ଆଳରେ ପରାଜୟକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛି କି? ଏସବୁ ଭିତରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତ। ବିଜେପି ପାଇଁ ୨୦୨୪ ବୁଷ୍ଟର ଡୋଜ ହୋଇ ପାରିବ କି? ତାକୁ ନେଇ ଆଲୋଚନା ହେଉଛି।
ସେପଟେ ନଡ୍ଡାଙ୍କ ଓଡ଼ିଶା ଗସ୍ତ ଦଳ ପାଇଁ ବେଶ ସହାୟକ ହେବ ବୋଲି ଦଳର ବରିଷ୍ଠ ସାଂସଦ ସୁରେଶ ପୂଜାରୀ କହିଛନ୍ତି। ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଗସ୍ତକୁ ନେଇ ବିଜେଡି ବିଧାୟକ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଥିଲେ।
ନଡ୍ଡାଙ୍କ ଗସ୍ତରେ କୌଣସି ପ୍ରଭାବ ନାହିଁ। କନ୍ଧମାଳରେ ବିଜେଡ଼ିର ବିଧାୟକ ଅଛନ୍ତି। ଜିଲ୍ଲାରେ ବିଜେଡ଼ି ସମ୍ପୂର୍ଣ୍ଣ ଭାବରେ ସକ୍ରିୟ ଅଛି। ବିଜେପି ରାଜନୈତିକ ଦଳ ହିସାବରେ କାର୍ଯ୍ୟକ୍ରମ କରିବ। ଆମେ ଅନେକ ରାଜନୈତିକ ଦଳଙ୍କୁ ଦେଖି ଆସିଛୁ। ଏଥିରେ ନୂତନତ୍ୱ କିଛି ନାହିଁ। ଭୋଟ ବ୍ୟାଙ୍କ ଉପରେ କିଛି ପ୍ରଭାବ ପଡ଼ିବନାହିଁ। ବିଜେଡ଼ି ସବୁ ବେଳେ ଲୋକଙ୍କ ସହ ଅଛି। ଲୋକଙ୍କ ସମସ୍ୟା ଓ କାର୍ଯ୍ୟକ୍ରମ ସହ ରହିଲେ ଲୋକ ଗ୍ରହଣ କରିବେ। ବିଜେଡ଼ିକୁ ଲୋକ ଗ୍ରହଣ କରିଛନ୍ତି, ଆଗାମୀ ଦିନରେ ବି କରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।