ଟାଟା କମ୍ପାନୀରେ ଚାକିରୀ ଠକେଇ ମାମଲା; ପାଠକ-ପାଣିଗ୍ରାହୀଙ୍କ ପୋଲ ଖୋଲିଲା କ୍ରାଇମବ୍ରାଞ୍ଚ

ପ୍ରାଥମିକ ତଦନ୍ତରୁ ପ୍ରଦୀପ ପାଣିଗ୍ରାହୀ ୬ ଜଣଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଥିବା ସ୍ପଷ୍ଟ ହୋଇଛି । ଠକେଇର ଶିକାର ହୋଇଥିବା ଆଶାୟୀଙ୍କ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅପିଲ କରି କହିଛନ୍ତି ଯେ "ଠକେଇର ଶିକାର ହୋଇଥିଲେ ଅଭିଯୋଗ କରନ୍ତୁ" ।

ଟାଟା କମ୍ପାନୀରେ ଚାକିରୀ ଠକେଇ ମାମଲା; ପାଠକ-ପାଣିଗ୍ରାହୀଙ୍କ ପୋଲ ଖୋଲିଲା କ୍ରାଇମବ୍ରାଞ୍ଚ
(ବାମରୁ ଡାହାଣ) ଅଭୟକାନ୍ତ ପାଠକ, ପ୍ରଦୀପ ପାଣିଗ୍ରାହୀ ଓ ଆକାଶ ପାଠକ
  • News18 Odia
  • Last Updated: December 12, 2020, 7:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କଟକ: ଟାଟା କମ୍ପାନୀରେ ଚାକିରୀ ଦେବା ଆଳରେ ଗେପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆକାଶ ପାଠକ କରିଥିବା ମହାଠକେଇର ପୋଲ୍‌ ଖୋଲିଛି କ୍ରାଇମବ୍ରାଞ୍ଚ । ଏଯାଏଁ ହୋଇଥିବା ତଦନ୍ତରୁ ପାଠକ-ପ୍ରଦୀପଙ୍କ ଯୋଡ଼ି ଟାଟା କମ୍ପାନୀରେ ଚାକିରୀ କରାଇ ଦେବା କହି ୬ ଜଣଙ୍କ ଠାରୁ ଅର୍ଥ ଠକେଇ କରିଥିବାର ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ ।

ସେମାନଙ୍କ ମଧ୍ୟରୁ ୨ ଜଣ ଆଶାୟୀ ସିଧାସଳଖ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ କରିଥିବା ବେଳେ ଅନ୍ୟ ଚାରିଜଣ ନଗଦ ଆକାରରେ ପ୍ରଦୀପ ଓ ତାଙ୍କ ସହଯୋଗୀଙ୍କୁ ଲକ୍ଷାଧିକ ଟଙ୍କା ଦେଇଛନ୍ତି । ଆଶାୟୀଙ୍କ ଠାରୁ ଜଣ ପିଛା ୪ ଲକ୍ଷରୁ ୧୬ ଲକ୍ଷ ଟଙ୍କା ନେଇଛନ୍ତି ପ୍ରଦୀପ । ଦୁଇ ଜଣ ଆଶାୟୀ ସିଧାସଳଖ ପ୍ରଦୀପଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ କରିଥିବା ବେଳେ ବାକି ୪ ଜଣଙ୍କ ଠାରୁ ପ୍ରଦୀପ ନିଜ ସହଯୋଗୀଙ୍କ ଜରିଆରେ ନଗଦ ଅର୍ଥ ନେଇଛନ୍ତି ।

ଏହି ସହଯୋଗୀମାନେ କିଏ ତାହା ତଦନ୍ତକାରୀ ସଂସ୍ଥା ସ୍ପଷ୍ଟ କରିନଥିଲେ ମଧ୍ୟ ତାଲିକାରେ ସର୍ବେଶ୍ବରଙ୍କ ନାଁ ସର୍ବାଗ୍ରେ ଥିବା କଥା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ଆକାଶଙ୍କ ଏହି ଠକେଇ ପଛରେ ପ୍ରଦୀପ ପ୍ରତ୍ୟକ୍ଷ ଭୁମିକା ଥିଲା । ଏବଂ ପ୍ରଦୀପ ପାଣିଗ୍ରାହି ହିଁ ଆକାଶଙ୍କ ପ୍ରଚାରକ ସାଜିଥିଲେ । ଆକାଶ ଯେ ଟାଟା ମୋଟର୍ସର ଏମ.ଡି, ଏକଥା ସେ ନିଜେ କହି ବୁଲୁଥିବା ବେଳେ ସର୍ବେଶ୍ବର ରାଓଙ୍କ ଭଳି ନିଜର ଘନିଷ୍ଟ ସହଯୋଗୀଙ୍କ ଦ୍ବାରା ବି ଏହାକୁ ସେ ପ୍ରଚାର କରାଉଥିଲେ ।

କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଏନେଇ ସୁଚନା ଦେବା ସହ ଟାଟା କମ୍ପାନୀରେ ଚାକରୀ ନାଁରେ ହୋଇଥିବା ଠକେଇର ଶିକାର ହୋଇଥିବା ଆଶାୟରଙ୍କୁ ଆଗକୁ ଆସି ଅଭିଯୋଗ କରିବା ପାଇଁ ଅପିଲ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରୀୟଦର୍ଶୀ । "ତଦନ୍ତରୁ ଏହା ବି ଜଣା ପଡ଼ିଛି ଯେ ଆକାଶ ପାଠକ ନିଜର ଭାବି ଶ୍ବଶୁର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କର ଘନିଷ୍ଟ ସହଯୋଗୀମାନଙ୍କ ଜରିଆରେ ଆଶାୟୀମାନଙ୍କ ଠାରୁ ଟଙ୍କା ନେଇ ସେମାନଙ୍କୁ ଜାଲ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରିଥିଲେ । ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ସହଯୋଗୀମାନେ ଆକାଶ ଟାଟା ମୋଟର୍ସର ମ୍ୟାନେଜିଂ ଡାଇରେକ୍ଟର ଭାବେ ଚାକିରୀ କରୁଛନ୍ତି ବୋଲି ପ୍ରଚାର କରିଥିଲେ । ଏବଂ ଚାକିରୀ ପାଇବା ଆଶାରେ ଏହି ଆଶାୟୀ ପ୍ରାର୍ଥୀମାନେ ଭିଷଣ ଠକେଇର ଶିକାର ହୋଇଥିଲେ କହିଛନ୍ତି" କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରୀୟଦର୍ଶୀ ।

କିଛି ଆଶାୟୀଙ୍କୁ ପ୍ରଦୀପ ନିଜେ ଫୋନ କରି ଚାକିରୀ ଦେବାର ମିଥ୍ୟା ପ୍ରଲୋଭନ ଦେଖାଇ ସେମାନଙ୍କ ଠାରୁ ଟଙ୍କା ହଡ଼ପ କରିଥିବାର ପ୍ରମାଣ ମଧ୍ୟ ମିଳିଛି । ଓ ତାଙ୍କ ଇଙ୍ଗିତରେ ସର୍ବେଶ୍ବର ରାଓଙ୍କ ଭଳି ଅନେକ ଲୋକ ଆଶାୟୀଙ୍କୁ ଭକୁଆ ବନାଇ ସେମାନଙ୍କ ଠାରୁ ଅର୍ଥ ହାସଲ କରୁଥିଲେ ଓ ମିଥ୍ୟା ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରୁଥିଲେ । ତେଣୁ ଏହି ମହାଠକେଇ ମାମଲାରେ ଖୁବଶିଘ୍ର ଗିରଫଦାରୀ ସଂଖ୍ୟା ବଢିବ ବୋଲି ପରୋକ୍ଷରେ ସ୍ପଷ୍ଟ କରିଛି ତଦନ୍ତକାରୀ ସଂସ୍ଥା ।

କ୍ରାଇମବ୍ରାଞ୍ଚ ଆକାଶ ପାଠକଙ୍କୁ ରିମାଣ୍ଡରେ ଆଣି ଏବାବଦ ତଥ୍ୟ ହାସଲ କରୁଥିବା ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ଏହି କଳା କାରନାମାର ଚିଠା ଖୋଲିଛନ୍ତି ଆକାଶଙ୍କ ପିଏ ଡେଭିଡ ପିଟର । ଜେରା ସମୟରେ ପିଟର କ୍ରାଇମବ୍ରାଞ୍ଚକୁ ଦେଇଥିବା ନିଜ ବୟାନରେ ଏହା ସ୍ପଷ୍ଟ କରିଛି ଯେ ଅନେକ ଆଶାୟୀଙ୍କ ଠାରୁ ଟଙ୍କା ନିଆଯାଇଛି । ଏବଂ ଅନେକ ଲୋକ ଠାରୁ ଟଙ୍କା ଦେବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଥିଲା । ଏପରିକି ପିଟରଙ୍କ ଠାରୁ ମିଳିଥିବା ତଥ୍ୟ ମୁତାବକ ରାଜ୍ୟ ବାହାରର ପର୍ଯ୍ୟନ୍ତ ଏହି ଠକେଇର ଚେର ଲମ୍ବିଛି ଏବଂ ଠକେଇର ଶିକାର ହୋଇଥିବା ଆଶୟୀଙ୍କ ସଂଖ୍ୟା ଶତାଧିକ ହେବ ବୋଲି ଆଶଙ୍କା ପ୍ରକାଶ କରିଛି କ୍ରାଇମବ୍ରାଞ୍ଚ ।

"ତଦନ୍ତରୁ ଆହୁରି ଜଣା ପଡ଼ିଛି ଯେ ଅନେକ ଆଶାୟୀଙ୍କ ଠାରୁ ଟଙ୍କା ନେଇ ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ସହଯୋଗୀମାନେ ବିରାଟ ଠକେଇ କରିଛନ୍ତି । ଯେଉଁ ଆଶାୟୀମାନେ ଟାଟା କମ୍ପାନୀରେ ଚାକିରୀ ପାଇବା ଆଶାରେ ଏହି ଠକେଇର ଶିକାର ହୋଇଛନ୍ତି, ସେମାନେକୁ ଭୟ ନ କରି ପୋଲିସ ପାଖରେ ଅଭିଯୋଗ କରନ୍ତୁ," କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରୀୟଦର୍ଶୀ ।

ଏହି ମାମଲା ତଦନ୍ତପାଇଁ କ୍ରାଇମବ୍ରାଞ୍ଚର ଏକ ବୃହତ ଟିମ ଗଠିତ ହୋଇଥିବା ବେଳେ ୩ଟି ଟିମ ରାଜ୍ୟ ଭିତରେ ଏବଂ ୨ଟି ରାଜ୍ୟ ବାହାରକୁ ଯାଇ ଛାନବିନ ଆରମ୍ଭ କରିଛନ୍ତି । ଏହା ବ୍ୟତିତ ଏହି ମହାଠକେଇ ସମ୍ପର୍କରେ ଅପର୍ଯ୍ୟାପ୍ତ କାଗଜପତ୍ର ଏବଂ ତଥ୍ୟ ମିଳିବାରେ ଲାଗିଥିବାରୁ ସେଗୁଡିକୁ ସ୍କୁଟିନି ପରେ ପ୍ରଦୀପ ପାଣିଗ୍ରାହୀଙ୍କ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।
Published by: Jagdish Barik
First published: December 12, 2020, 6:55 PM IST
corona virus btn
corona virus btn
Loading