News 18 Odia Digital
ଝାରସୁଗୁଡା: ଗତ ଫେବ୍ରୁଆରୀ ୭ ତାରିଖ ଝାରସୁଗୁଡା କିର୍ମିରା ବ୍ଲକ କାଦୋବାହାଲ ଜଙ୍ଗଲରେ ମୋହିନୀ ବାଗଙ୍କୁ ଏସିଡ ଆକ୍ରମଣ (acid attack) ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ (police) । ପ୍ରତିଶୋଧ ପାଇଁ ହୋଇଥିଲା ଏସିଡ୍ ମାଡ଼ । ପୁରୁଷ ବନ୍ଧୁଙ୍କ ସାହାଯ୍ୟରେ ଦୁଇଜଣ ସୁପାରୀ କିଲରଙ୍କ ଦ୍ବାରା ମହିଳାଙ୍କ ଉପରକୁ କରାଯାଇଥିଲା ଏସିଡ୍ ମାଡ଼ । । ଘଟଣାରେ ୪ ଅଭିଯୁକ୍ତଙ୍କୁ ଲଇକେରା ପୋଲିସ ଗିରଫ (arrest) କରି କୋର୍ଟଚାଲାଣ କରିଛି ।
ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ପୂର୍ଣ୍ଣମୀ କେଛୋ, ବିଜୟ ଭଁଏସା, ସୁଶାନ୍ତ ବନଛୋର ଓ ଆଲୋକ ବନଛୋର । ପୂର୍ଣ୍ଣମୀ ଓ ବିଜୟଙ୍କ ଘର ସମ୍ବଲପୁର ମହୁଲପାଲି ଥାନା ଅଞ୍ଚଳରେ । ସେହିପରି ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଘର ସୁନ୍ଦରଗଡ଼ ଧୁରିଆଡିହି ଥାନା ଅଞ୍ଚଳରେ । ପୋଲିସର ସୂଚନା ଅନୁସାରେ ପୀଡିତା ମୋହିନୀ ବାଗ ଓ ଅଭିଯୁକ୍ତ ପୂର୍ଣ୍ଣମୀ କେଛୋ ମଧ୍ୟରେ କୌଣସି କାରଣବଶତଃ କଳହ ଥିଲା । ଆଉ ଏହାର ପ୍ରତିଶୋଧ ନେବା ପାଇଁ ପୁରୁଷ ବନ୍ଧୁଙ୍କ ସହ ମିଶି ଏସିଡ୍ ଆକ୍ରମଣ ଯୋଜନା କରିଥିଲା । ପରେ ଦୁଇ ସୁପାରୀ କିଲରଙ୍କୁ ଟଙ୍କା ଦେଇ ଏସିଡ୍ ମାଡ୍ କରାଇଥିଲା ।
ଘଟଣା ପରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ମୋହିନୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏବେ ବି କଟକ ଏସ୍ସିବିରେ (scb) ତାଙ୍କର ଚିକିତ୍ସା ଚାଲିଛି । ସେପଟେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ୩୨୬ A IPCରେ ଅତିକମରେ ୧୦ ବର୍ଷ ନହେଲେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବାର ଦଣ୍ଡବିଧାନ ଥିବା ବରିଷ୍ଠ ଆଇନଜୀବୀ କହିଛନ୍ତି। ପ୍ରତିଶୋଧ ପାଇଁ ଏଭଳି ଘଟଣା ଝାରସୁଗୁଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ରିପୋର୍ଟ- ଜିତେନ୍ଦ୍ରିୟ ଦେବତା
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।